Unknown

 

 

 

 

 

 

 

 

 

 

 

ଅପେକ୍ଷାର ଦିନରାତି

ଶ୍ରୀ ରାଧାବିନୋଦ ନାୟକ

 

ସୂଚୀପତ୍ର

 

୧.

ଜହ୍ନି ଫୁଲର ଦେଶ

୨.

ଗାଁ ଲୋକ : ନୂଆବର୍ଷ

୩.

ନିଖୋଜ ଆସାମୀ

୪.

ନପାଚନ୍ତେ ଫଳ

୫.

ଶବ୍ଦ ତରଙ୍ଗ

୬.

ସୀମାବଦ୍ଧ

୭.

ଅପେକ୍ଷାର ଦିନରାତି

୮.

କୌଣସି ଦିନ/ପ୍ରତିଦିନ

୯.

ଚରିତ୍ର

୧୦.

ସନାତନୀ

୧୧.

ଅପରାଧୀ

୧୨.

ମିଛ ଅନୁରୋଧର ପ୍ରେମଗଳ୍ପ

୧୩.

ଲଘୁ ସଂଗୀତ ।

୧୪.

ଫୁଲବାଈର ବିଶ୍ୱରୂପ

Image

 

ଜହ୍ନି ଫୁଲର ଦେଶ

 

ସଂପ୍ରତି ଯେଉଁ କେତୋଟି ଶବ୍ଦ ତା’ ନିକଟରେ ଅର୍ଥପୂର୍ଣ୍ଣ ହୋଇ ତା’ର ଚେତନାକୁ ଆଲୋଡ଼ିତ କରୁଥିଲେ ସେମାନଙ୍କ ମଧ୍ୟରୁ ‘ଗାଁ’ ଶବ୍ଦଟି ଅଧିକ ଗୁରୁତ୍ୱପୂର୍ଣ୍ଣ । ଗାଁ କହିଲେ ସାଧାରଣ ଭୌଗୋଳିକ ଅବସ୍ଥିତିଟିଏ ମନକୁ ଆସିଯାଉଥିଲେ ବି ଏବଂ ଦୀର୍ଘ ଏକତ୍ରିଶ ବର୍ଷ ଧରି ନେତୃବର୍ଗଙ୍କ ମୁହଁରୁ ସେହି ଶବ୍ଦଟି ଅର୍ଥପ୍ରକାଶ କରୁଥିବା ସ୍ଥାନଟିର ସମୂହ ବିକାଶ ପାଇଁ କେତେଗୁଡ଼ିଏ ଶବ୍ଦ ଗୁନ୍ଥାଗୁନ୍ଥ ହୋଇ ବିଭିନ୍ନ ବାକ୍ୟରେ ବ୍ୟାକୁଳତା ପ୍ରକାଶ କରୁଥିଲେ ବି ନିଜର ଅନୁଭବରେ କିନ୍ତୁ ଶବ୍ଦଟି ଏକ ଆକସ୍ମିକ ଚାଞ୍ଚଲ୍ୟ ସୃଷ୍ଟିକରୁଛି ବେଣୁଧରର ।

 

ବର୍ତ୍ତମାନ ବେଣୁଧର ପ୍ରୌଢ଼ । ପାହାଡ଼ିଆ ନଦୀ ସମତଳ ଅଞ୍ଚଳର ଧୀରମନ୍ଥର ଗତିରେ ପ୍ରବାହିତ ହେଲାପରି ବେଣୁଧରର ଏକଦା ଗତିଶୀଳ ଜୀବନ ଏକ କ୍ରମ–ଅଥର୍ବ ପର୍ଯ୍ୟାୟକୁ ପାଦ ବଢ଼ାଉଛି । ତା ମୁଣ୍ଡର ବାଳସବୁ ଧଳା ହୋଇ ଆସୁଛି । ରାତିରେ ବହି ବା ପତ୍ରିକାଟିଏ ଖୋଲିଲାବେଳେ ଏକ ଅନିଚ୍ଛା ଆଳସ୍ୟରେ ବାଇଫୋକାଲ ଗ୍ଲାସର କାଚ ପୋଛୁଚି ଓ ଏଇ ଆରଘରେ ପଢ଼ୁଥିବା ପୁତ୍ରକନ୍ୟାଙ୍କର ବୟସ ତାଙ୍କ ଦେହରୁ ବିଭିନ୍ନ ରଙ୍ଗର ଛାପା ଚେକ ପୋଷାକ ଖୋଲିନେଇ ଏକରଙ୍ଗୀ ପୋଷାକର ସାତ୍ତ୍ୱିକ ଅନୁଭବକୁ ଠେଲି ଦେଲାଣି ।

 

ବେଣୁଧରର ବୟସ ଥିଲା ଗାଁ ଦାଣ୍ଡର ସେ ଧୂଳିଆ ଟୋକାପରି । ଯେ ଚାଲେନାହିଁ, ଦୌଡ଼େ ହାତରେ ବାଉଁଶ ଡାଙ୍ଗ ଖଣ୍ଡେ ଧରି; ଦାଣ୍ଡରୁ ବିଲ, ତୋଟା, ବାଙ୍କୁଲୀ ନଈର କଡ଼େ କଡ଼େ ଶ୍ମଶାନକୁ ଛୁଇଁବା ପର୍ଯ୍ୟନ୍ତ, ଉଦୁଉଦିଆ ଖରାବେଳେ ବି ଭୂତ–ପ୍ରେତର ଅଜଣା ଭୟରେ ପୁଣି ଏକ ଅପେକ୍ଷାକୃତ ନିରାପଦ ସ୍ଥାନ ସାଙ୍ଗସାଥୀ ମେଳକୁ ଫେରିଆସିବା ଓ ସେମାନଙ୍କ ସହିତ ମିଶିଯିବା ସମୁଦ୍ରରେ ନଦୀପରି ।

 

ଜୀବନରେ ଗତିଥିଲା । କାହାର ଅଦୃଶ୍ୟ ଇଂଗୀତ କିମ୍ବା ଦୃଶ୍ୟାବଳୀର ମାୟା, ତା’ ସହିତ ଦୁଇ ସାହାଡ଼ା ଘର ମଝିରେ ଲମ୍ବା ବିରାଟ ଦାଣ୍ଡ ଜଗନ୍ନାଥଙ୍କ ବଡ଼ଦାଣ୍ଡ ପରି– ଗୋଟିଏ ବିନ୍ଦୁରୁ ଆରମ୍ଭ କରି ଦେ ଦୌଡ଼– ମଝିରେ ବାଧାନାହିଁ– ଦକ୍ଷିଣରୁ ଥଣ୍ଡା ପବନ, ବାଙ୍କୁଲୀ ନଈର ପାହାଡ଼ି ଝରପରି ସ୍ୱଚ୍ଛ ଜଳଧାର ଓ ଗଛଲତା ଏବଂ ବିସ୍ତୀର୍ଣ୍ଣ ଧାନକ୍ଷେତର ସବୁଜିମାକୁ ଛୁଇଁ ଦେଇଥାଏ ସମୁଦାୟ ନୀଳ ଆକାଶଟା..... । କେମିତିବା ବସିହେବ ସେ ଉଚ୍ଚା ଉଚ୍ଚା ପିଣ୍ଡାରେ ଦୌଡ଼ିବା ବ୍ୟତୀତ ।

 

ବେଣୁଧର ନିର୍ଦ୍ଦିଷ୍ଟ କଲୋନୀର ଦୁଇମହଲା ଫ୍ଲାଟର ବାଲକନୀକୁ ବାହାରି ଆସିଲା । ସାମ୍ନାରେ ଚାରିଦିଗକୁ ପଶାପାଲି ପରି ରାସ୍ତା ଲମ୍ବିଯାଇଛି । ମଝିରେ ଦୁଇଫୁଟର ଉଚ୍ଚା ଗୋଲେଇଟିଏ ଓ ସେଇ ଗୋଲେଇର ଠିକ ମଝିରେ ଗୋଟିଏ ଖୁଣ୍ଟ ଉପରେ ଛତା ଆକୃତିର ସିମେଣ୍ଟ ଛାତ । ତାରି ତଳେ ଚାରିଘଣ୍ଟାକରି ଦିନରେ ତିନିଜଣ ଠିଆ ହୁଅନ୍ତି ଯଦିଓ ସେ ତିନିଜଣ ଦିଶନ୍ତି ଜଣେ ଲୋକପରି ସେମାନଙ୍କ ସାଧାରଣ ପୋଷାକରୁ । ଏଇ ପୋଷାକ ଓ ପଦବୀରେ ବ୍ୟକ୍ତିଗତ ପରିଚୟ । ସ୍ଥିତି ଅବଲୁପ୍ତ । ହାତରେ ସେମାନଙ୍କର ସୁଆଙ୍ଗ ରାଜାର ଢାଲ ପରି ଦୁଇଟି ଟିଣ ଚକିରେ ‘ଷ୍ଟପ୍’ ଓ ‘ଗୋ’ । ଆଦେଶ ଅବମାନନା ହେଲେ ଅସାମଥ୍ୟ ଆଇନ ହ୍ୱିସିଲରେ ନିଜର ଅସ୍ତିତ୍ୱ ଘୋଷଣା କରେ ।

 

ଆଉ କେବେ ବେଣୁଧର ଲକ୍ଷ୍ୟ କରିଛି ସେ ଟିଣ ଚକି ଦୁଇଟିକୁ ହାତରୁ ଖୋଲିଦେଇ ମୁଣ୍ଡତଳେ ଦୁଇଟି ହାତ ଓ ଗୋଡ଼ ଦୁଇଟିକୁ ଛନ୍ଦିଦେଇ ଏମିତି ଏକ ଢଙ୍ଗରେ ସେ ଖୁଣ୍ଟଟିକୁ ଆଉଜି ପଡ଼ି ଥକ୍କା ମେଣ୍ଟାଏ, ଦେଖିଲେ ମନେହେବ ଯୀଶୁଖ୍ରୀଷ୍ଟ ଟ୍ରାଫିକ କନଷ୍ଟେବଲ ପୋଷାକ ପିନ୍ଧିଛନ୍ତି ଓ ସେ ଅସତର୍କ ହେଲେ ମୁହୂର୍ତ୍ତକ ମଧ୍ୟରେ କିଏ କାହା ସହିତ ଧକ୍‍କା ଖାଇ ରାସ୍ତାରେ ଗଡ଼ିବେ ରକ୍ତମାଂସ ସହିତ ।

 

ଅଳ୍ପ କେତେଦିନ ହେଲା ସେ ଲୋକଟିର ସ୍ଥାନ ପରିବର୍ତ୍ତନ ହେଲାଣି । ସହରଟିର ସୌନ୍ଦର୍ଯ୍ୟ ଦାୟିତ୍ୱ ଇମ୍‍ପୃଭ୍‍ମେଣ୍ଟ ଟ୍ରଷ୍ଟ୍ର ହାତକୁ ଚାଲିଗଲା ପରେ ସେ ଲୋକଟି ଛକର ଏକ ଅପେକ୍ଷାକୃତ ନିର୍ଜନ ସ୍ଥାନକୁ ଚାଲିଗଲାଣି ଯେଉଁଠି ଗୋଟିଏ କୃଷ୍ଣଚୂଡ଼ା ଗଛମୂଳେ ନିଜକୁ ଲୁଚାଇ ରଖି ତାର ଇଚ୍ଛାନୁସାରେ ସେ ସ୍ୱିଇଚ ବୋର୍ଡ଼ରେ ଆଙ୍ଗୁଳି ଚାଳନା କରେ ଓ ଯେକୌଣସି ସମୟରେ ଯେକୌଣସି ଯାନ–ବାହାନକୁ ବନ୍ଦ କରିଦେବାର ଶିଶୁସୁଲଭ ଦୁଷ୍ଟାମୀ ପ୍ରକାଶ କରେ ।

 

ବେଣୁଧର ଦୀର୍ଘଶ୍ୱାସ ମାରିଲେ । ଲାଲ ଆଲୋକ କିମ୍ବା ‘ଷ୍ଟପ୍’, ‘ଗୋ’ ଶବ୍ଦମାନଙ୍କରେ ଏଠାରେ ଗତିକୁ ନିୟନ୍ତ୍ରଣ କରାଯାଇପାରେ । ପୁଣି ଦିନରେ ଚାରିଘଣ୍ଟା କରି କାମ କରୁଥିବା ବିଭିନ୍ନ ଲୋକର ଗୋଟିଏ ସାଧାରଣ ପରିଚୟ ଟ୍ରାଫିକ କନେଷ୍ଟବଳ । ସେମିତି ତାଙ୍କ ନିଜ ପରିଚୟବି– ଗୋଟିଏ ସାଞ୍ଜିଆ, ପଦବୀ । ସେ ଗ୍ରାମଗୋଷ୍ଠୀ ଉନ୍ନୟନ ଅଧିକାରୀ । ବାସ, ସେତିକିରେ ସୀମିତ ତାଙ୍କର ପରିଚୟ । ଯାହା ସେ ସମୟ ସମୟରେ ନିଜକୁ ଅନୁଭବ କରନ୍ତି ନିଜର ସନ୍ତକ ଭିତରେ କେଉଁ ଅନୁଷ୍ଠାନକୁ କିଛି ସରକାରୀ ସାହାଯ୍ୟ ଦେଲାବେଳେ । ସେ ବି ଖଣ୍ଡା ଧାରରେ ଚାଲିଲା ପରି, ସାମାନ୍ୟ ବ୍ୟତିକ୍ରମ ଘଟିଲେ ଗୁଡ଼ାଏ ଅଶ୍ଲୀଳ ସମ୍ବୋଧନରେ ପରିଚୟ ବିପର୍ଯ୍ୟସ୍ତ ।

 

କିନ୍ତୁ ଗାଁ କଥା ନିଆରା, ସେଠି ଯୁଗ ଯୁଗର ଧାରଣା ପରିଚୟକୁ ଉଜ୍ଜ୍ୱଳ କରିଦିଏ ଯେମିତି ସେ ଘରଡ଼ିହ ଖଣ୍ଡକରେ ପରିଚୟ ଲିପିବଦ୍ଧ ହୋଇ ଯାଇଛି । ଅମୁକଙ୍କ ପୁଅ, ନାତି, ଅଂଶୀଦାର; ଶରୀର ଯେତେ କୁତ୍ସିତ, କଦାକାର ହେଉ ବରଂ । ସେଠି ମଣିଷ ହଜିଯାଏ ନାହିଁ, ନିଜସ୍ୱ ବିଶିଷ୍ଟତାରେ ସେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଦଖଲ କରେ ।

 

ବେଣୁଧର ପୁନର୍ବାର ଦୀର୍ଘଶ୍ୱାସ ମାରିଲେ କୌଣସି ସମାଧାନରେ ପହଞ୍ଚି ନପାରୁଥିବା ଜଣେ ବିବ୍ରତ ଲୋକ ପରି । ଗାଁ ପ୍ରତି ଏଇ ଆକସ୍ମିକ ପ୍ରବଣତାର ହେତୁ ଅନ୍ୱେଷଣ କରୁ କରୁ ତାଙ୍କର ଆଖି ଅଟକି ଗଲା ଛକ ଠାରୁ ଅଳ୍ପ ଦୂରରେ ଥିବା ସିନେମା ହଲ୍ ଉପରେ । ସେକେଣ୍ଡ ସେ ପାଇଁ ଲୋକ ଗହଳି । କିଛି ନୂଆ ଛବି ପଡ଼ିଛି ବୋଧହୁଏ । ଏତେ ନିକଟରେ ଥାଇ ବି ସେ ଜାଣି ନାହାନ୍ତି ୟା ଭିତରେ ଛବି ବଦଳି ଗଲାଣି ବୋଲି । ନୂଆ ଖେଳ ଆସିଲେ ପାର୍ବତୀଙ୍କ ସହିତ ତାଙ୍କର ସାମାନ୍ୟ ପାଟିତୁଣ୍ଡ ହୁଏ । ତାଙ୍କର ଅଭିଯୋଗ ସହରରେ ରହି ମଧ୍ୟ ଗାଁ ଠାରୁ ହୀନ.... ।

 

ବର୍ଷେ ଛ ମାସରେ ସାଙ୍ଗ ହୋଇ ସିନେମାଟେ ଯାଇ ପାରିଲେ ନାହିଁ । ତାଙ୍କର ମନେ ପଡ଼ିଲା ଅଳ୍ପ ଦିନ ତଳେ ନିଜର ବେକାର ପୁଅକୁ କେଉଁଠି କେମିତି କାମରେ ଢୁକେଇ ଦେବାକୁ ଗାଁ ଭାଇ ଜଣେ ଚିଠି ଦେଇଥିଲା– ‘‘ତୁମେତ ବଡ଼ ଲୋକ, ଏ ମଳିମୁଣ୍ଡିଆ ଭାଇଟିକୁ କଣ ମନେ ରଖିଥିବ ! ସହରରେ ରହିଛ, ସିନେମା ବାଇସକୋପରେ ତମ ଦିନ କଟୁଥିବ.... ।’’ ବେଣୁଧର ସ୍ୱତଃ ହସି ଦେଲେ ଓ ସେଇ ତାତ୍ସଲ୍ୟର ହସଟି ଏକ ପ୍ରାଣଖୋଲା ହସରେ ପରିଣତ ହେଲା ନିର୍ଦ୍ଦିଷ୍ଟ ଦୃଶ୍ୟରେ । ଟିକଟ କାଉଣ୍ଟରରେ ଲମ୍ବିଥିବା କିଉଟି କ୍ରମେ ମଣିଷର ଗୋଟିଏ ଗଦାରେ ପରିଣତ ହୋଇଗଲା ଓ ସେହି ମଣିଷ ଗଦା ଉପରେ ଡାଇଭ୍ ମାରିଲା ଦୂରରୁ ଜଣେ ମଣିଷ । ସେ ଟିକଟ ନେଇ ଫେରି ଦେଖିଲା ବେଳକୁ ତା ସାର୍ଟର ହାତ ଦୁଇଟି ଟିକଟ କାଉଣ୍ଟରରେ ରହିଯାଇଛି । ସେ ଏତେ ତେଣେ ଚାହୁଁଛି, ବୋଧହୁଏ ତାର ଅନ୍ୟ ସାଙ୍ଗମାନଙ୍କୁ ଖୋଜୁଛି ।

 

ବେଣୁଧରଙ୍କର ମନେ ପଡ଼ିଲା ସକାଳେ ତେର ବର୍ଷର ବଡ଼ ପୁଅ କୁନା କହୁଥିଲା ଅମିତାଭବଚନ ହାଜିମସ୍ତାନ ପାର୍ଟ କରିଛି ଯେ ଖୁବ ଫାଇଟିଂ ଖେଳୁଛି । କୁନା ଓ ବଡ଼ ଝିଅ ରୀନା ଏବେ ବେଶି ସିନେମା ଖବର ରଖିଲେଣି । ଋଷିକାପୁର ଛବି ଆସିଲେ ରୀନା ତା ବଉ ପାଖରେ ଗୋଡ଼ କଚାଡ଼ି ନାଚିବ ସିନେମା ସିନେମା ହେଇ । କୁନା ଗୋଟିଏ ସ୍ପ୍ରିଂ–ଛୁରୀ ପାଇଁ ଜୁଲମ କରୁଥିଲା । ପିଲା ବେଳର କଥାଟିଏ ତାଙ୍କ ମନକୁ ଆସିଲା । ପରିବା କାଟୁ କାଟୁ ତାଙ୍କ ବଉ ପନିକିଟା ଠିଆ କରାଇ ଅନ୍ୟ କାମରେ ଚାଲିଯାଇଥିଲେ । ତାଙ୍କ ବାପା ବଉକୁ ମାରନ୍ତି ନ ମାରନ୍ତି-। ପିଲାଙ୍କ ହାତଗୋଡ଼ କଟିଯିବ । ସେ ସାବଧାନତା ତାଙ୍କଠାରେ ବି ରହି ଆସିଛି.... ରେଜର ବକ୍ସକୁ ବଡ଼ ସତର୍କରେ ସେ ଉଚ୍ଚ ସ୍ଥାନରେ ରଖନ୍ତି । ଦରକାର ପଡ଼ିଲେ ପିଲାଛୁଆଙ୍କ ପେନସିଲ ନିଜେ କାଟି ଦିଅନ୍ତି ।

 

ସିନେମା ଭାଙ୍ଗିଲା ବୋଧହୁଏ । ଢୋଳେଇ ପଡ଼ିଥିବା ରିକ୍‍ସାବାଲାମାନେ ରିକ୍‍ସାରୁ ତଳକୁ ଓହ୍ଲେଇଲେଣି ଓ ଦୁଇହାତ ଟେକି ଅଳସ ଭିଡ଼ୁ ଭିଡ଼ୁ ସିନେମା ହଲ ଆଡ଼କୁ ଚାହିଁଲେଣି । ଅଧଘଣ୍ଟା ପରେ ସବୁ ଚୁପ ଚାପ ରାତି ବାରଟା ପର୍ଯ୍ୟନ୍ତ । କବାଟ ଝରକା ବନ୍ଦକରି ସହରରେ ସବୁ ମଜା, ସବୁ କବାଟ ଓ ଝରକାରେ ପରଦା । ବାହାରକୁ ଆସିଲେ ସାଧାରଣ । ନିଜ ବାଁ ପଟରେ କାହାର ଉପସ୍ଥିତି ବେଣୁଧରଙ୍କୁ ସଚେତନ କଲା । କେତେବେଳୁ ଆସି ପାର୍ବତୀ ଠିଆ ହେଲେଣି । ପାର୍ବତୀଙ୍କ ଉପରେ ଦୃଷ୍ଟି ପଡ଼ିଲା ପରେ ମଧ୍ୟାହ୍ନର ସେଇ ସମ୍ବାଦଟି ବେଣୁଧରଙ୍କ ମନକୁ ଆସିଲା ଓ ସେ ପୁନର୍ବାର ବିମର୍ଷ ହୋଇଗଲେ ଠିକ ପାର୍ବତୀ ଚିଠିଟି ତାଙ୍କୁ ବଢ଼ାଇଦେଇ ସମ୍ବାଦଟି ପ୍ରଥମେ ତାଙ୍କୁ ଦେଲା ବେଳ ପରି । ପାର୍ବତୀ ବେଣୁଧରଙ୍କର ଏଇ ଅବସ୍ଥାକୁ କେମିତି ଗ୍ରହଣ କରିପାରନ୍ତି ନାହିଁ । ସେ ନୀରବରେ ଚାଲିଗଲେ ।

 

ପୋଷ୍ଟକାର୍ଡ଼ ଚିଠିରେ ସାଧାରଣ ସମ୍ବାଦ ଦୁଇଟି: ଶଙ୍କୁ ବଡ଼ମା ଓ ନଖିଆ କକାଙ୍କର କାଳ ହୋଇଗଲା ।

 

ବେଣୁଧର କଲୋନୀ ପରିସର ଭିତରେ ଥିବା ଆମ୍ବ ଗଛଟି ଉପରେ ଦୃଷ୍ଟି ନିବଦ୍ଧ କଲେ-। ଷ୍ଟ୍ରୀଟ ଲାଇଟର ଉଜ୍ଜ୍ୱଳ ଆଲୋକ ଗଛର ଅବଶିଷ୍ଟ ପତ୍ର ଗୁଡ଼ିକୁ ପାଣ୍ଡୁର କରି ପକାଇ ଥିଲେ ବି ଝଡ଼ିଯାଇଥିବା ଆମ୍ବର ଡେମ୍ଫସବୁ ଟାଆଁସା ଟାଆଁସା ହୋଇ ଉପରକୁ ମୁଣ୍ଡ ଟେକିଛନ୍ତି । ଫଳ ଝଡ଼ିଗଲା ପରେ ଗଛଟା କେମିତି ଶ୍ରୀହୀନ ମନେହେଉଛି । ବେଣୁଧରର ମନେହେଲା ଗାଁଟା ବି ଦିନେ ଏହି ପତ୍ର–ଫୁଲହୀନ ଗଛଟି ପରି କର୍କଶ ଦିଶିବ ।

 

ଗ୍ରାମର ଏଇ ଆସନ୍ନ କର୍କଶ ରୂପ ବେଣୁଧର ପ୍ରାଣରେ ଏକ ଅସହାୟ ଭାବ ସଞ୍ଚାର କଲା । ସେ ଜଣେ ଅପରାଧୀ ପରି କାକୁସ୍ଥ ହୋଇ ତାର ବାଲକନୀରେ ଠିଆ ହୋଇଥିଲା । ତା’ର ଧାରଣାରେ ସେଇ ପରଲୋକଗତ ଚରିତ୍ର ଦୁଇଟି ଆଲୋଡ଼ନ ଆଣୁଥିଲା । ବୟସ ହେଲେ ମଣିଷ ମରିଯାଏ ହଳଦିଆ ପତ୍ର ଗଛରୁ ଝରିଗଲା ପରି । କିନ୍ତୁ ଗଛରୁ ସେଇ ଚିହ୍ନ ଲିଭିବା ପାଇଁ ସମୟ ଲାଗେ ।

 

ଦୀର୍ଘ ପନ୍ଦରବର୍ଷ ଧରି ବେଣୁଧରର ଗାଁ ଲୋକମାନଙ୍କ ସହିତ ସଂପର୍କ ନାହିଁ । ଅଥଚ ସମୟର ଏଇ ବ୍ୟବଧାନ ମଧ୍ୟରେ ସେ ଅନେକ ପୁରୁଖା ଲୋକଙ୍କର ସ୍ୱର୍ଗପ୍ରାପ୍ତିର ସମ୍ବାଦ ପାଇଲେଣି । ସେ ଅନୁଭବ କରିଛି ପ୍ରତ୍ୟେକଟି ଥର ଯେମିତି କେହିଜଣେ ଆତ୍ମୀୟ ଗାଁର ଚାଲିଗଲେ । ସେମାନଙ୍କ ଦୀର୍ଘ ଷାଠିଏ ସତୁରୀବର୍ଷ ଜୀବନକାଳ ମଧ୍ୟରେ ସେମାନେ କେତେଜଣ ବିତରଣ କରିଗଲେ ! ସେମାନଙ୍କ ଆନ୍ତରିକ ହସ, ସ୍ନେହଶୀଳ ବାକ୍ୟ, ଉଚ୍ଚ ପିଣ୍ଡାରେ ବସି ଖୁଁ ଖୁଁ କାଶ ଓ କୁନ୍ଥ ଭିତରେ ଗୋଟିଏ ନିଦା ପିଟା ବ୍ୟକ୍ତିତ୍ୱ ଯେ ସମସ୍ତ ଅସମର୍ଥ୍ୟ ସତ୍ୱେ ଇଂଗୀତରେ କହେ; ଦୌଡ଼...ଦୌଡ଼... ଦୌଡ଼ିବାର ବେଳ ଏ... ହାନୀ ଲାଭକୁ ଆମେ ବସିଛୁଁ... । ସେମାନେ ସବୁ ହଜିଯାଇଛନ୍ତି... ଗାଁର ପଲସ୍ତରା ମୃତ୍ୟୁର ଲୁଣି ହାଓ୍ୱାରେ ପୁଳା ପୁଳା ଝରିପଡ଼ୁଛି କ୍ରମେ ମୂଳକାନ୍ଥଟିକୁ ଦୁର୍ବଳ କରି । କେବେ ଗାଁକୁ ଗଲେ ବେଣୁଧର ଆଉ ଉଚ୍ଚ ପିଣ୍ଡାରେ ନଖିଆକକାକୁ ଦେଖିବନି କିମ୍ବା ଗୋଟାଏ ସନ୍ତସନ୍ତିଆ ଅନ୍ଧକାର କୋଠରୀରୁ ‘କେବେ ଆସିଲୁରେ ବାପ’ର ଶବ୍ଦ ଶୁଣିବନି ।

 

ଅସତର୍କ ଭାବରେ ବେଣୁଧରଙ୍କ ଆଖିରେ ସାମାନ୍ୟ ପାଣିଜମିଗଲା । ସେଇ ଅନ୍ଧାରରେ ସେ ତାକୁ ପୋଛିପକାଇଲେ ଓ ସ୍ୱାଭାବିକ ମଣିଷଟିଏ ପରି ନିଜର ଶୋଇବା କୋଠରୀରେ ପ୍ରବେଶ କଲେ ।

 

ପାର୍ବତୀ ବୋଧହୁଏ ତାଙ୍କ ମାନସିକ ଅବସ୍ଥା ବୁଝିନେଇ ଢୋଳେଇ ପଡ଼ିଛନ୍ତି ଏବଂ ତାହା ପୁଣି ନିଦ୍ରାକୁ ରୂପାନ୍ତରିତ ହେଲାଣି । ଜଣେ ନିରପରାଧ ଶିଶୁପରି ପାର୍ବତୀ ଶୋଇଯାଇଛନ୍ତି । ମୁହଁରେ ଆତ୍ମସନ୍ତୋଷର ଚିହ୍ନ । ସେ ଜଣେ ସନ୍ତୁଷ୍ଟ ମହିଳା ।

 

ଅଥଚ ଏମିତି ଭାବପ୍ରବଣ ମୁହୂର୍ତ୍ତମାନଙ୍କରେ ପାର୍ବତୀ ବେଣୁଧରଙ୍କୁ ଅସହ୍ୟ ମନେହୁଅନ୍ତି । ତାଙ୍କର ଧାରଣା କେବଳ ପାର୍ବତୀ ନୁହନ୍ତି ବୋଧହୁଏ ଅଧିକାଂଶ ନାରୀ ତାଙ୍କ ପତିମାନଙ୍କୁ ବିବାହ କରି ସେମାନଙ୍କୁ ଅନୁଗୃହୀତ କରିଛନ୍ତି ବୋଲି ଭାବନ୍ତି । କାରଣ ଦେହ ନାମକ ଏକ ବସ୍ତୁର ସମସ୍ତ ଗୋପନୀୟତା ସେମାନଙ୍କ ନିକଟରେ ଖୋଲି ଦେଇଛନ୍ତି ବୋଲି ।

 

ଗୋଟାଏ ପାଲଟା ଯୁକ୍ତି ବେଣୁଧରଙ୍କ ମନକୁ ଆସିଲା । ତାଙ୍କର ଇଚ୍ଛା ହେଲା ସେଇ ନିଦ ଅବସ୍ଥାରୁ ପାର୍ବତୀଙ୍କୁ ଟେକିଆଣି ବସାଇ ଦିଅନ୍ତେ ଓ ସେ କଥାଟି କ’ଣ ସଜ୍ଞାନ ଚିତ୍ତରେ ଜାଣିବା ପୂର୍ବରୁ ଚିତ୍କାର କରି କୁହନ୍ତେ: ହେ ସତୀ, ସତୀମାନେ ! ମୋ, ଆମ୍ଭମାନଙ୍କ ନିକଟକୁ ଆସିବା ତୁମ, ତୁମମାନଙ୍କର ଏକ ଚାନ୍ସ । ଆମେ ସଂସାର, ଦାମ୍ପତ୍ୟ, ସନ୍ତାନ ସନ୍ତତି ସୃଷ୍ଟିକ୍ରିୟା ଇତ୍ୟାଦି କେତେ ଗୁଡ଼ିଏ ତଥାକଥିତ ସତ୍‍ଧାରଣାକୁ ନେଇ ବଞ୍ଚିଥିଲେ ବି ଏକ ବିଛଣାରେ ଶୋଇପଡ଼ିବା ଆମର ଏକ ଦୈବୀ ଆବଶ୍ୟକତା । ପରସ୍ପରର ଆବଶ୍ୟକବୋଧ ହେତୁ ଆମେ ଏକତ୍ର ମିଳିତ ହୋଇଛନ୍ତି ଏବଂ ପରସ୍ପରର ସମସ୍ତ ସ୍ୱାଧୀନତା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆମର ପ୍ରଥମ କର୍ତ୍ତବ୍ୟ ।

 

ଅଥଚ ବେଣୁଧର ଲକ୍ଷ୍ୟ କରିଛନ୍ତି ଜଣେ ସୁଗୃହୀଣୀର ସବୁ ଲକ୍ଷଣ ସତ୍ୱେ ତାଙ୍କ ବ୍ୟକ୍ତିଗତ ରୁଚି ଉପରେ ପାର୍ବତୀଙ୍କର କିଛିଟା ପ୍ରଭାବ ରହିଛି । ଯେମିତି ଏଇ ଗାଁକୁ ଯିବା କଥା । ଗତ କେତେ ବର୍ଷ ଭିତରେ ବେଣୁଧର ଅନେକଥର ସ୍ଥିର କରିଛନ୍ତି ଗାଁକୁ ଯିବେ... କିଛି ନହେଲେ ବି ସେଇ ମାଟିକୁ ଥରେ ଛୁଇଁ ଆସିଲେ ମନରେ କିଛିଟା ଶାନ୍ତି ଆସିବ ବୋଲି ବେଣୁଧରଙ୍କର ଧାରଣା-। କିନ୍ତୁ ପ୍ରତ୍ୟେକ ଥର ଉଦ୍ଦେଶ୍ୟହୀନ ଭାବରେ ପାର୍ବତୀ ତାଙ୍କ ସମ୍ଭାବ୍ୟ ଗସ୍ତର ଅସାରତା ପ୍ରତିପାଦନ କରିଛନ୍ତି ଓ ସ୍ୱାମୀ ସହିତ କାଳାତିପାତ କରିବାର ଏକ ମହନୀୟ ଅନୁଭବରେ ମଜଗୁଲ ଅଛନ୍ତି । ତାଙ୍କ ସୀମିତ ଜ୍ଞାନ ଭିତରେ ବୋଧହୁଏ ପାର୍ବତୀ ଗ୍ରାମର ସ୍ୱାଭାବିକ ରୂପ କଳ୍ପନା କରି ପାରିନାହାନ୍ତି ।

 

ରାତ୍ରି ଭୋଜନ ପରି ଗୋଟିଏ ସ୍ୱାଭାବିକ କର୍ମକୁ ବେଣୁଧର ବାତିଲ କଲେ ଓ ସ୍ୱିଇଚ ଅଫ୍ କରି ବିଛଣାକୁ ଯିବା ପୂର୍ବରୁ ଏକ ନୀରବ ସିଦ୍ଧାନ୍ତରେ ପହଞ୍ଚିଲେ– ଏଥର ପାର୍ବତୀଙ୍କର ସମସ୍ତ ଫିକରକୁ ଅତିକ୍ରମ କରି ପରଦିନ ସକାଳୁ ସେ ଗାଁକୁ ଯିବେ ।

 

ଅନ୍ଧାର ଭିତରେ ବେଣୁଧର ଆଖିବୁଜି ଦେଲେ ।

 

–ଦୁଇ–

 

ଗାଁରେ ପହଞ୍ଚିବାର ଅନୁଭୂତି ବେଣୁଧରଙ୍କୁ ଲାଗେ ଛାତ୍ର ଜୀବନର କଲେଜ ସ୍ପୋର୍ଟସର ଅବଷ୍ଟାକଲ୍ ରେସ ପରି । ସକାଳୁ ବାହାରିଲେ ପରିବହନ ସଂସ୍ଥା ବସରୁ ଆରମ୍ଭ କରି ଘରୋଇ ବସ, ରିକ୍ସା ଓ ପାଦଚଲାକୁ ମିଶାଇ ଦେଲେ ସମୁଦାୟ ଦିନଟି ଅତିକ୍ରମ କରି ସମୟ ରାତିକୁ କିଛି ଧାପେ । ବିଶେଷ କରି ବର୍ଷାଦିନ ହେଲେ ସମୟରେ ସେହି ଦିନ ପହଞ୍ଚିବାର ସମ୍ଭାବନା ବି ନଥାଏ-

 

ବର୍ଷାଦିନ ଯୋଗୁ ଗସ୍ତକ୍ରମର ସମସ୍ତ ଅନିଶ୍ଚିତତା ସତ୍ୱେ ବେଣୁଧର ସକାଳୁ ସକାଳୁ ନିତ୍ୟକର୍ମ ସାରିଛନ୍ତି ଓ ନିଦବାଉଳା ପାର୍ବତୀଙ୍କୁ ବିସ୍ମୟର ଏକ ଜଟିଳ ଜାଲରେ ଛନ୍ଦିଦେଇ ପ୍ରଥମ ବସଟିକୁ ଧରିନେଇଛନ୍ତି ।

 

ବସରେ ବସିଗଲା ପରେ ବେଣୁଧରଙ୍କ ମାନସିକ ସ୍ତରରେ ଗାଁର ଦୃଶ୍ୟ କେମିତି ଏକ ତନ୍ମୟତା ସୃଷ୍ଟିକରିଥିଲା ବୋଧ ହୁଏ । କାରଣ ବେଣୁଧର ବସର କଡ଼ ସିଟରେ ବସି ଝରକା ଫାଙ୍କଦେଇ ଅତିକ୍ରମ କରିଯାଉଥିବା ଲାଣ୍ଡସ୍କେପକୁ ନିରୀକ୍ଷଣ କରୁଥିଲେ । ଅନେକଥର ସେ ବସ ଯାତ୍ରା କରୁଛନ୍ତି ଓ ଅନେକଥର ଏମିତି ଦୃଶ୍ୟ ସଂସ୍ପର୍ଶରେ ଆସିଛନ୍ତି । ଅଥଚ ଆଜି ଯେମିତି ସେହି ଦୃଶ୍ୟଗୁଡ଼ିକ ସମୟର ସ୍ରୋତ ଦେହରେ ଗୋଟିଏ ଗୋଟିଏ ସତ୍ୟ ଲିପିବଦ୍ଧ କରୁଛନ୍ତି । ରାସ୍ତା କଡ଼ରେ ଅତିକ୍ରମ କରିଯାଉଥିବା ଗାଁ ଉପରେ ଦୃଷ୍ଟି ନିବଦ୍ଧ କରି ବେଣୁଧର ଭାବୁଥିଲେ ଅନ୍ତିମ କାଳରେ ଏହି ସତ୍ୟ ସହିତ ସାମ୍ନା ସାମ୍ନି ହେବା କେଡ଼େ ମର୍ମନ୍ତୁଦ ସତେ ! ଆଜି ପରି କେବେ ସେ ଅନୁଭବ କରିଥିଲେ ଓଡ଼ିଶା ପରି ଏକ ଗ୍ରାମବହୁଳ ପ୍ରଦେଶର ରାସ୍ତାମାନଙ୍କରେ ଚାଲିଯାଉଥିଲା ବେଳେ କେବଳ ଗ୍ରାମ ଓ ତତ୍‍ସଂଲଗ୍ନ ଶସ୍ୟ କ୍ଷେତ୍ରଗୁଡ଼ିକ ନିଜର ବିସ୍ତାରିତ ସବୁଜିମାକୁ ନେଇ ଆଖିରେ ଧରାଦିଅନ୍ତି ! ସେଇ କୁହୁଡ଼ିଆ ଅନ୍ଧକାରମାନଙ୍କରେ ଲଙ୍ଗଳ ଜୁଆଳୀ କାନ୍ଧରେ ଧରି ବଳଦମାନଙ୍କୁ ଅଡ଼ାଇ ଦେବାର ଦୃଶ୍ୟ କିମ୍ବା ଗାଇଗୋଠ ସହିତ ସେଇ ଖାମ ଖେୟାଲ ଟୋକାର ଗୁଟି–ଡାବୁଳ ଖେଳକୁ କଣେଇ କଣେଇ ନିଘା କରୁଥିବା ଅପରିଷ୍କୃତ ବାଳିକାର ସରଳ ଚାହାଣୀ; ପୁଣି ଯାନବାହାନ ଅତିକ୍ରମ କରିଯାଉଥିଲା ବେଳେ ଅର୍ଦ୍ଧ ଉଲଗ୍ନ ବାଳକ ବାଳିକାର ଉତ୍ସାହ ପରେ ଏକ ଗତାନୁଗତିକତାରେ ପରିଣତ ହୋଇ ପୋଖରୀ ହୁଡ଼ା ବା ଗାଁ ଗୋହିରୀରେ ପାଣିଚିଆ ହେଇଯିବାରୁ ଦୃଶ୍ୟ ଭିତରେ ଥିବା ଆନନ୍ଦକୁ କେବେ ସେ ଅନୁଭବ କରିଛନ୍ତି !

 

ଗ୍ରାମଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ବସର କଡ଼ ସିଟରେ ଚୁପ୍‍ଚାପ୍‍ ବସିରହି ଏହି ଗ୍ରାମ ଦୃଶ୍ୟକୁ ପ୍ରତ୍ୟକ୍ଷ କରୁଥିଲାବେଳେ ତାଙ୍କର ଦୃଷ୍ଟି ମନେ ହେଉଥିଲା ଅପରାଧ ବୋଧରେ ଘାଣ୍ଟି ହେଉଥିବା ଶିଶୁର ବୋକାଳିଆ ଚାହାଣୀ ପରି । ଯେମିତି ସେ ତା’ରି ଭିତରେ ତାର ଏଇ ପାପ–ପୁଣ୍ୟର ଧାରଣାକୁ ବିଚାର କରୁଥିବା ଅଦୃଶ୍ୟ ଶକ୍ତିଟିକୁ ଅନ୍ୱେଷଣ କରୁଛି ଓ ସେହି ଶକ୍ତିର କରୁଣା ଆଶାରେ ନିଜର ଅପରାଧକୁ ଖୋଲି ଦେଉଛି ଅତି ଅସହାୟ ଭାବରେ : ପ୍ରଭୁ ! କିଛି ମୁଁ ଦେଖିପାରିଲିନି ଚିହ୍ନି ପାରିଲିନି, ଗୋଟାଏ ମିଛ ଅହଂକାର ଓ କର୍ମନିଷ୍ଠତାର ପ୍ରାମାଣିକତା ଭିତରେ ସତ୍ୟର ତଣ୍ଟିଚିପି ହତ୍ୟା କରି ଦେଲି ।

 

ସ୍କୁଲ ଜୀବନର ଏକ ସ୍ମୃତି ବେଣୁଧରଙ୍କୁ ଉଦବେଳିତ କଲା । ତାଙ୍କ ଥାନା ସଦର ମହକୁମାରେ ଗ୍ରାମଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଖୋଲୁଥାଏ । ଉତ୍ସବ ଅନୁଷ୍ଠାନର କୋଳାହଳ ମଧ୍ୟରେ ମନ୍ତ୍ରୀ ନାଲିଫିତା କାଟିଦେଲେ ଓ ପରେ ପରେ ଜଣେ ଯୁବକ ଠିଆହୋଇ ଗ୍ରାମର ସମୂହ ବିକାଶର ଚିତ୍ର ଲୋକଙ୍କ ଆଗରେ ପ୍ରକାଶ କରୁଥିଲା ବେଳେ ତାଙ୍କ ମୁଖମଣ୍ଡଳ ପ୍ରଶାନ୍ତ ଓ ପ୍ରଫୁଲ୍ଲ ଦେଖାଯାଉଥାଏ । ସେଇ ପିଲାଳିଆ ଧାରଣାରେ ବେଣୁଧର ସେତେବେଳେ ଅନୁଭବ କରୁଥିଲେ ଯେମିତି ତାଙ୍କ ଗ୍ରାମମାନଙ୍କର ବିଷଣ୍ଣ ରୂପ ସେଇ ପ୍ରଶାନ୍ତ ମୁଖମଣ୍ଡଳ ଓ ସନ୍ତୁଷ୍ଟ ହସର ସଂସ୍ପର୍ଶରେ ଆସି ହସି ଦେଉଛି... ଅନେକ ସ୍ୱପ୍ନ ସହିତ ସେଦିନ ସେ ବାପାଙ୍କ ସହିତ ଗାଁକୁ ଫେରିଥିଲେ ଓ ଅନ୍ଧାର ଭିତରେ ଗାଁଟିର ରୂପ କଳ୍ପନା କରୁକରୁ ତା’ର ସମ୍ଭାବ୍ୟ ରୂପ ପରିବର୍ତ୍ତନରେ ଆତ୍ମହରା ହୋଇଥିଲେ ।

 

ଅଥଚ ୟା ମଧ୍ୟରେ ଅନେକ ବର୍ଷ ବିତିଗଲାଣି ଓ ସେଇ ଯୁବକ ଅଫିସରଙ୍କର ପ୍ରଶାନ୍ତ ମୁଖମଣ୍ଡଳର ପରିଷ୍କାର ହସ ଅନେକ ସଭାସମିତିରେ ବେଣୁଧରଙ୍କୁ ମଧ୍ୟ ସଂକ୍ରମିତ କରିଛି । ଆଜି ସେ ଅନୁଭବ କରୁଛନ୍ତି ସେଇ ଭାବଟି ଯେମିତି ଏକ କାୟଦା ଯେକୌଣସି ପୁରୁଷକୁ ସମାନ ପ୍ରେମ ବିତରଣ କରୁଥିବା ବେଶ୍ୟାର ସମ୍ଭାଷଣ ପରି । ଖରାବେଳମାନଙ୍କରେ ଗାଁରାସ୍ତାରେ ଜିପରେ ଚାଲିଗଲା ବେଳେ ଲଙ୍ଗଳା ପିଲାଙ୍କର କିଲିବିଲିଆ ଦୌଡ଼, ଆସକତିଆ ମଣିଷର ଅଣ୍ଟାଭଙ୍ଗା ଜୁହାର ତାଙ୍କୁ ଏକ ଅହଙ୍କାରବୋଧରେ ଛନ୍ଦିଦେଇଛି । ଯେମିତି ଗ୍ରାମନାମକ ନର୍କରୁ ଉଦ୍ଧାର କରିବା ପାଇଁ ସେ ଜଣେ ଅବତାର ପୁରୁଷ । କାହିଁ ଆନନ୍ଦ !

 

ସେ କେବଳ ଟୁର୍ ଡାଏରୀକୁ ଜଗିଛନ୍ତି, ରୋଟିନ ସହିତ ତାଳଦେଇ ଚାଲିଛନ୍ତି, ଯେମିତି ଏକ ସ୍ୱୟଂଚାଳିତ ପରମ୍ପରାର ଅଂଶ ବିଶେଷ ।

 

ମାନସିକ ଲଜ୍ୟା ଓ କ୍ଷୋଭ ମଧ୍ୟରେ ବେଣୁଧର ଆଖିବୁଜି ଦେଲେ ଏବଂ ନିଦ ଭାଙ୍ଗିଲା ବେଳକୁ ସେ ତାଙ୍କ ଗ୍ରାମ ସହରରେ ପହଞ୍ଚି ଯାଇଥିଲେ । ପୁଣି କିଛି ମାଇଲ ଘରୋଇ ବସ୍, ରିକ୍‍ସା ଓ ପାଦଚଲା... ରାତି ଦଶସୁଦ୍ଧା ପହଞ୍ଚି ଯାଇ ହେବ । ଅନ୍ୟ ଦିନମାନଙ୍କର ନୈରାଶ୍ୟ ଆଜି କିନ୍ତୁ ଏକ ଉତ୍ସାହରେ ପରିଣତ ହୋଇଛି ଯେମିତି ।

 

ମାତ୍ର କେତୋଟି ଘଣ୍ଟା । ପରେ ଆଗ୍ରହ ତନ୍ମୟତାରେ ପରିଣତ ହେବାର ଅନୁଭବ । ଘଣ୍ଟାମାନେ ମୁହୂର୍ତ୍ତରେ ପରିଣତ ହେଲେ ଏବଂ ବେଣୁଧର ନିଜକୁ ପ୍ରସ୍ତୁତ କରିନେଲେ ଅନ୍ଧାର ଭିତରେ କାଦୁଅ ଚିପିଚିପି ତିନିକିଲୋମିଟର ରାସ୍ତାକୁ ସାଂଧ୍ୟ ଭ୍ରମଣ ଉଲ୍ଲାସରେ ପରିଣତ କରିଦେବାକୁ ।

 

ବେଣୁଧର ପେଣ୍ଟ ଖୋଲି ଟାଓ୍ୟେଲ ପିନ୍ଧିଲେ । ପେଣ୍ଟଟି ଭାଙ୍ଗିକରି ଆଟାଚିରେ ରଖିଲେ ଓ ଟର୍ଚ୍ଚଟି ହାତରେ ଧରିଲେ । ପ୍ରଧାନ ରାସ୍ତାର ଯେଉଁ ସରୁ ପାଦଚଲା ରାସ୍ତାଟି ଗ୍ରାମକୁ ସଂଯୋଗ କରୁଛି ଓ ଯାହାର ଦୀର୍ଘତା ତିନିକିଲୋମିଟର ତାର ଆରମ୍ଭରୁ ଏକ ପିଲାଳିଆ କୌତୁହଳ ନେଇ ସେ ଟର୍ଚ୍ଚ ଟିପିଦେଲେ ଗାଁ ଉଦ୍ଦେଶ୍ୟରେ । ଅଥଚ ନିଜ ନିକଟରେ ଏବେ ଉଜ୍ଜଳ ମନେ ହେଉଥିବା ଫୋକସଟି ଅନ୍ଧାରରେ କୁଆଡ଼େ ଅସ୍ତିତ୍ୱ ହରାଇ ଦେଲା, ଫଳରେ ବେଣୁଧର କେବଳ ଅନ୍ଧାରକୁ ହିଁ ଦେଖିଲେ ।

 

ବେଣୁଧରଙ୍କର ଲମ୍ବା ହାଡ଼ୁଆ ଶରୀର ଅନ୍ଧାରକୁ ଦି ଭାଗକରି ଧସେଇ ଚାଲିଛି । ତଳକୁ ଅନାଇଦେଲା ବେଳକୁ ଟାଓ୍ୟେଲ ଆଣ୍ଠୁ ଉପରେ ରହିଛି । ପେଣ୍ଟ ନାହିଁ, ଜୋତା ନାହିଁ.... ବେଶ ସରଳିଆ ଚେହେରାଟି । ବେଣୁଧର ହସିଦେଲେ; ଅଂହକାରକୁ ଛାଡ଼ିଦେଲେ ଗାଁ ଲୋକ ଭାରି ନିଜର ଲାଗନ୍ତି ।

 

ବହୁଦିନ ପରେ ଜଣେ ଆତ୍ମୀୟକୁ ଦେଖିଲେ ଯେମିତି ଏକ ଅବ୍ୟକ୍ତ ଅନୁଭବରେ ମଣିଷ ବାକ୍‍ରୁଦ୍ଧ ହେଇଯାଏ ସେମିତି ବେଣୁଧର । ସେ କେବଳ ଗୋଟିଏ ଅଜଣା ଆକର୍ଷଣରେ ଟାଣି ହେଇଯାଉଛନ୍ତି ।

 

ବେଣୁଧର ଗାଁ ମୁଣ୍ଡରେ ପହଞ୍ଚିଗଲେ ଓ ନିଜଘରକୁ ଯିବା ପୂର୍ବରୁ ସେଇଠି ଠିଆ ହୋଇ ଗାଁ ରୂପକୁ ଥରେ ଦେଖିବାକୁ ଚେଷ୍ଟାକଲେ । ତା’ ଟର୍ଚ୍ଚର ସୀମିତ ଆଲୋକ ଥରେ ଚାରିଆଡ଼େ ଘୂରି ଆସିଲା ଓ ପୁଣି ପରେ ପରେ ଦୁଇଟି ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତିଫଳିତ ହେବାକୁ ଲାଗିଲା । ଗାଁ ଲୋକଙ୍କ ନିକଟରେ ସେସ୍ଥାନ ଦୁଇଟିର ଗୁରୁତ୍ୱ ପ୍ରାୟ ନଥିଲା । ଥିଲେ ସେ ବାଡ଼ଟି ଏମିତି ଭାଙ୍ଗିଯାଇ ନଥାନ୍ତା ଓ ସେ ସର୍ବସାଧାରଣ ଘରଟି ଏମିତି ବିପର୍ଯ୍ୟସ୍ତ ଅବସ୍ଥାରେ ନଥାନ୍ତା ।

 

ବେଣୁଧର ସେମିତି ସ୍ଥାଣୁପରି ଠିଆ ହୋଇଥିଲେ ଓ ବାଡ଼ଟି ସହିତ ଘରକୁ ମିଶାଇ ଗୋଟିଏ ଦୃଶ୍ୟ ମନରେ ଆଙ୍କୁଥିଲେ ଯେତେବେଳେ ସେ ବାଡ଼ିରେ ଅସଂଖ୍ୟ ଜହ୍ନିଫୁଲ ଏବଂ ସେଇ ଘରୁ ଧଳାଶାଢ଼ୀ ପିନ୍ଧି ଗ୍ରାମ ସେବିକାଟି ବାହାରି ସେଇ ବାଡ଼ିଟିକୁ ଚାହୁଁଥିଲା । ଗ୍ରାମଗୋଷ୍ଠୀ ଯୋଜନା ସହିତ ସଂପୃକ୍ତା । ସେଇ ଗ୍ରାମସେବିକାର ଜହ୍ନିଫୁଲ ବାଡ଼ଟି ସହିତ କି ସଂପର୍କ ଥିଲା କେଜାଣି ପ୍ରୌଢ଼ ବେଣୁଧର କିନ୍ତୁ ସେଇ ଦୃଶ୍ୟଟିର କଳ୍ପନା ଭିତରେ ତନ୍ମୟ ହୋଇ ଯାଇଥିଲେ ।

 

ସବୁ ଚାଲିଯାଇଛି... ନିଃଶବ୍ଦରେ ଗାଁ ଶୋଇଯାଇଛି । ବେଣୁଧର ପ୍ରକୃତିସ୍ଥ ହେଲେ ଓ ନିଜର ଉଚ୍ଚକର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ କାଳ୍ପନିକ ଛୁଟୀ ଦରଖାସ୍ତମାନ ଲେଖିବାକୁ ଲାଗିଲେ... ମାସେ, ଦୁଇମାସ, ବର୍ଷେ, ପାଞ୍ଚବର୍ଷ... ଅବଶିଷ୍ଟ ଜୀବନ ପାଇଁ । ତାଙ୍କ ଭିତରେ ଏମିତି ଏକ ପ୍ରତ୍ୟୟ ସୃଷ୍ଟି ହେଲା– ଏଇ ଗାଁ ଲୋକଙ୍କ ଭିତରେ ବିଶ୍ୱାସ ରୂପକ ଅନୁଭବଟିକୁ ସୃଷ୍ଟି କରାଯାଇ ପାରିଲେ, କୌଣସି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମନ୍ତ୍ରୀ, ଏମ୍. ଏଲ୍. ଏ. କିମ୍ବା ଚେୟାରମେନଙ୍କ ବିନା ସାହାଯ୍ୟରେ ସେମାନେ ନିଜେ ଗାଁର ରୂପ ବଦଳେଇ ଦେଇ ପାରିବେ ।

 

ସେମାନେ ପାରିବେ... ବେଣୁଧର କେମିତି ହାଲ୍‍କା ମନେକଲେ ଓ ନିଜ ଘରକୁ ଯିବା ପାଇଁ ଗାଁ ଦାଣ୍ଡରେ ପାଦ ଦେଲାବେଳେ ସେ ପଛକୁ ଚାହିଁ ଦେଲେ, ଅକସ୍ମାତ ତା’ର ମନେହେଲା ସେଇ ଭଂଗାବାଡ଼ଟି ଜହ୍ନି ଲଟାରେ ସବୁଜ ହୋଇ ଯାଇଛି ଏବଂ ଅସଂଖ୍ୟ ଜହ୍ନିଫୁଲ ସଲ୍ଲଜ ଗ୍ରାମବଧୂପରି ନୀରବରେ ଚାହିଁଛନ୍ତି ଓ ସେଇ କାନ୍ଥଟା ହେଇଯାଇଥିବା ସର୍ବସାଧାରଣ ଘରବାରଣ୍ଡାରେ ଧଳା ଶାଢ଼ୀ ପିନ୍ଧି ରିଫ୍ୟୁଜୀ ବଙ୍ଗବାଳିକା ସବିତା ଠିଆ ହୋଇ ହସୁଛି ତାଙ୍କ ଉଦ୍ଦେଶ୍ୟରେ ।

Image

 

ଗାଁ ଲୋକ : ନୂଆବର୍ଷ

 

ପୂର୍ବରୁ ସେ କେବେ ଏମିତି ନୂଆବର୍ଷକୁ ଜିଗର କରି ଅପେକ୍ଷା କରି ନଥିଲା । ତାର ଏଥର ଏକାନ୍ତ ଜିଦ୍ ସେ ନୂଆବର୍ଷକୁ ପ୍ରଥମେ ଭେଟ କରିବ ବୋଲି ।

ସେ ଗାଁ ଲୋକଟିଏ । ସହରକୁ ଆସିଛି କେତେବର୍ଷ ହେଲା ।

ଯେତେବେଳେ ତା’ର ଧାରଣା ଗାଁ ଭିତରେ ସୀମାବଦ୍ଧ ଥିଲା ସେ ଅନୁଭବ କରୁଥିଲା ନୂଆବର୍ଷକୁ ଅନ୍ୟବାଗରେ । ତା ଆଖି ସାମ୍ନାରେ କିଛି ଚିତ୍ର ଭାସିଯାଏ– ଗାଁର ସାଲିଆନା ବିମାନ, ଶିଶୁ କାଠର କଳା ମଚ ମଚ । ତା ଦେହରେ ସରୁକାମ ଯୋଡ଼ି ମୟୂର ଟିଆ କଦମ୍ବ ଗଛ ଓ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି, ତଳେ କେଶର ଥିବା ସିଂହ ମୁହଁ ଚାରି କୋଣରେ । ସେଥିରେ ପୁଣି ନଡ଼ିଆ ତେଲ ଘସା ହୋଇ କାଚ ଉପରେ ଆଲୋକ ପଡ଼ିଲା ପରି ଚକ୍ ଚକ୍ ଓ ଉପରେ ଦୁଇ ଧାରର ମଗର ମୁହଁ ପାଖକୁ ଲମ୍ବି ଆସିଥାଏ ନାଲି ମଖମଲ କନାରେ ରୂପେଲି ରଙ୍ଗର ଝାଲେରୀ । ସେଇ ବିମାନଟିକୁ ଛାଇ ଆଲୁଅ ଭିତରେ କିଛି ଲୋକ ଟେକି ନେଇଯିବା ଏବଂ ମଝି ଦାଣ୍ଡରେ ନିର୍ମିତ ହୋଇଥିବା ଅସ୍ଥାୟୀ ପଲ୍‍ହାଟିକୁ ଜାଳିଦେଇ ଚାରିକଡ଼ରେ ସାତ ଘେରା ଘୂରି ଆସି ବିମାନଟିକୁ ଥୋଇ ଦେଲା ପରେ ଯେଉଁ ଚରିତ୍ରଟି ପ୍ରତି ତାର ଆଗ୍ରହ ସୃଷ୍ଟି ହୁଏ ସେ ପୁରୁଷାନୁକ୍ରମେ ଜାଗିରୀ ଭୋଗ କରୁଥିବା ଅବଧାନ ବଂଶର ବୟସ୍କ ବୃଦ୍ଧଟି, ତା’ର ତେଲ ଚିକିଟା ବସ୍ତାନୀ ଖୋଲି ପାଞ୍ଜି ବିଡ଼ାଟିକୁ ମୁଣ୍ଡରେ ମାରି ପ୍ରଚକ୍ଷୁର ନାକ ଉପରେ ଭରାଦେଇ ରହୁଥିବା ଅଂଶରୁ ଲମ୍ବା ସୂତା ଖୋଲି କାନରେ ବାନ୍ଧିଦେଲା ପରେ ଯେତେବେଳେ ସେ ଅନର୍ଗଳ କହିଚାଲେ : ଏଥର ମେଘଙ୍କର ନାମ ଦ୍ରୋଣ ଏ ମେଘର ବୃଦ୍ଧାବସ୍ଥା ପାଳକାଧିପତି ଚନ୍ଦ୍ର ଓ ମଙ୍ଗଳ ଗ୍ରହରାଜା ଚନ୍ଦ୍ର ମନ୍ତ୍ରୀ ବୃହସ୍ପତି ଶସ୍ୟାୟ ନଅବିଶ୍ୱା ବାରଗଣ୍ଡା ଦଧି ସମୁଦ୍ରରୁ ଇନ୍ଦ୍ର ବୃଷ୍ଟି ଦିନ ୬ ମଧ୍ୟେ ସମ୍ବତ୍ସରଙ୍କ ନାମ ବିଭବ ବିଛା ଦିନ ୨୦ ଠାରୁ ଶୁକ୍ଳ ହେବ ଅଗ୍ନି ହନୁମନ୍ତ ଲାଙ୍ଗୁଳରେ କର୍କଟ ୧୦ଦିନ ଠାରୁ କପାଳରେ ରହିବ ଅଢ଼ା ବ୍ରାହ୍ମଣୀ ହସ୍ତେ କର୍କଟ ଦିନ୧୦ ଠାରୁ କେରଳୀ ହସ୍ତେ ହେବ ଅମୁକ ରାଶିର ଆୟ ଏତେ ବ୍ୟୟ ଏତେ ଇତ୍ୟାଦି, ଠିକ୍ ସେତିକିବେଳେ ଆଶା ଆଶଙ୍କା ଭିତରେ ନୂଆ ବର୍ଷଟି ଆସ୍ଥାନ ଜମାଇ ଦିଏ ଗାଁ ଲୋକଙ୍କ ମନରେ ।

ଆଉ କେବେ, ସେ ମନେ ପକାଏ । ଶେଷ ଚୈତ୍ରର ଉତପ୍ତ ମଧ୍ୟାହ୍ନରେ ଖରାକୁ ମୁହଁ କରି ଦଳେ ରୋକଙ୍କର କୃଚ୍ଛ୍ର ସାଧନା ଓ ସେ ସାଧନା ମାଧ୍ୟମରେ ଅନିଶ୍ଚିତ ଫଳ ପ୍ରାପ୍ତି ପାଇଁ ଦଣ୍ଡନାଚ ଦେଇ କେତେବେଳେ ପୁଣି କାଳିସୀ କହିଯାଏ ସେ ଅଞ୍ଚଳ ଉପରେ ଭଲ ମନ୍ଦର ଫଳ ଓ ମନ୍ଦ ଥିଲେ ଛେନାପଣାରେ କାଳିସୀକୁ ସନ୍ତୁଷ୍ଟ କରିବାର ଉଦ୍ୟମ ଶାନ୍ତ ପଡ଼ିଗଲା ପରେ ଉଦ୍‍ଯାପିତ ହୁଏ ମହା ବିଷୁବ ସଂକ୍ରାନ୍ତି ଓ ଅଲକ୍ଷ୍ୟରେ ଆସିଯାଏ ଗାଁର ନୂଆବର୍ଷ ବୈଶାଖ ମାସଠାରୁ ।

କିନ୍ତୁ ଏ ଗ୍ରାମ୍ୟ–ସହରରେ ! ପ୍ରଥମେ ପ୍ରଥମେ ସେ ଦେଖି ନଥିଲା କିମ୍ବା ଅନୁଭବ କରି ନଥିଲା ନୂଆବର୍ଷକୁ । ବେଶିହେଲେ କାହା ହାତରେ କେମିତି ଖଣ୍ଡେ ଅଧେ ରଙ୍ଗ ବେରଙ୍ଗ କାର୍ଡ଼ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲା ଓ ସେଇଟା କ’ଣ ବୋଲି ପଚାରି ଦେଲେ ଧରିଥିବା ଲୋକ ତା’ଆଡ଼େ ଚାହିଁ ଏମିତି ହସି ଦିଏ ଯାହାକୁ ପରେ ସେ ଅର୍ଥକରି ବୁଝିଛି : ଚୂଡ଼ାଟା କିରେ ! ଗାଁରୁ ଆସିଛୁ, ବୁଝିନୁ ଏଇଟା ନୂଆବର୍ଷ ଶୁଭେଚ୍ଛା ।

ସେ ବି ମନକୁ ମନ ହସି ଦିଏ... ଗାଁ ଲୋକଙ୍କ ବିରୁଦ୍ଧରେ ଏଇ ଗ୍ରାମ୍ୟ–ସହର ଲୋକଙ୍କ ଦ୍ୱାରା ବ୍ୟବହୃତ କେତୋଟି ବିଶେଷଣକୁ ମନରେ ଗୁଣି । ସତରେ ଏଇ ଲୋକଗୁଡ଼ାକ ଭୟଙ୍କର– ନାଁ ଗାଁର ନିଜସ୍ୱ ରୂପ ଦେଖିଛନ୍ତି, ନାଁ ସହରର । ଖାଲି ମଝିରେ ନିଜର ଗୋଟିଏ ଦୁନିଆ ଗଢ଼ି ସହରରୁ କିଛି ପୋଷାକ ଆଉ କଥାବାର୍ତ୍ତା ଆଣି ବେଶ୍ ଜମାଇଛନ୍ତି ଅନ୍ଧାରରେ । ସେ ଭାବେ ଯଦି ଏମାନଙ୍କୁ ଧରି ସହରର ଛକ ରାସ୍ତାରେ ଛାଡ଼ି ଦିଆଯାନ୍ତା ।

 

ଏଇ ସବୁ ବିଶେଷଣ ପ୍ରୟୋଗରେ ତା ମନରେ କିଛି ପ୍ରତିକ୍ରିୟା ନଥାଏ । କାରଣ ସେ ଜାଣେ ତା’ର ସ୍ୱତନ୍ତ୍ର ପରିଚୟ ଅଛି, ତାକୁ କେହି ଅସ୍ୱୀକାର କରି ପାରିବେନି ସେ ସହରକୁ ଗଲେ ସ୍ୱତନ୍ତ୍ର ଗାର କାଟିଦେବ... ଆସିଛି ଦେଖିବ ବୁଲିବ ଅନୁଭବ କରିବ ଗୋଟିଏ ନୂଆ ଜୀବନକୁ ଓ କିଛି ପରିବର୍ତ୍ତନ ପରେ ପୁନର୍ବାର ଫେରିଯିବ ତା’ର ସ୍ଥାୟୀ କୁଡ଼ିଆକୁ, ସେମିତି ସହରର ଲୋକ ବି । ଏମାନେ କିନ୍ତୁ ଦଳେ ବର୍ଣ୍ଣଶଙ୍କରଙ୍କ ପରି ମା’କୁ ଧଇଲେ ବାପାର ପରିଚୟ ଅନିଶ୍ଚିତ, ପୁଣି ବାପାକୁ ଧଇଲେ ମା’ର ପରିଚୟ ପାଇଁ ମୁଖଲଜ୍ୟା ।

 

ଅଥଚ ସମସ୍ତ ସତର୍କତା ସତ୍ୱେ ସେ ପଡ଼ିଗଲା ସେଇ ଜାଲରେ... ସେ ନୂଆବର୍ଷ କୁହୁକରେ ଭୁଲିଗଲା ଯେମିତି ଏ ଗ୍ରାମ୍ୟ–ସହରର ଲୋକମାନେ ।

 

ଏ ଲୋକମାନଙ୍କଠାରୁ ନିଜକୁ ଯଥାସମ୍ଭବ ଦୂରରେ ରଖୁ ରଖୁ ନିଜେ ସଂଧ୍ୟାରେ ସେ ବୋକା ପାଲଟିଗଲା ନିର୍ଦ୍ଦିଷ୍ଟ ଦୋକାନଟି ସାମ୍ନାରେ... ଠିକ୍ ନୂଆବର୍ଷର ଅବ୍ୟବହିତ ପୂର୍ବରୁ । ପରିବେଶ ତାକୁ ଆକର୍ଷଣୀୟ ମନେ ହେଲା ଏବଂ ପୂର୍ବରୁ କେବେ ସଂସ୍ପର୍ଶରେ ଆସିଥିଲା ବି । ହଁ ଆସିଥିଲା, ତାର ମନେ ପଡ଼ିଲା– ରାକ୍ଷୀ ପୂର୍ଣ୍ଣିମା, ସେ ଦୋକାନର ଏକ ନିର୍ଦ୍ଦିଷ୍ଟ ଅଂଶରେ ସଜ୍ଜା ହୋଇ ରହିଥାଏ ବିଭିନ୍ନ ପ୍ରକାର ରାକ୍ଷୀ । ସେଗୁଡ଼ିକ ଦେହର ପ୍ରଜାପତି ଫୁଲ ଏବଂ ଚୂନା ଚୂନା ଜରୀରେ ରଙ୍ଗ ଆଲୋକର ପ୍ରତିଫଳନ । ପୁଣି ରାକ୍ଷୀର ସ୍ତୁପ ମଧ୍ୟରେ କେଉଁଠି ଲୁକ୍କାୟିତ ଟ୍ରାନ୍‍ଜିଷ୍ଟାରର ମଧୁର ସ୍ୱର ଝଙ୍କାର... କେଉଁଟା ତାକୁ ଏବେ ଆକର୍ଷଣ କରୁଥିଲା । ମଧୁର ସଙ୍ଗୀତର ସ୍ୱର ଝଙ୍କାର ନାଁ ପ୍ରତିଫଳିତ ଆଲୋକରେ ରଙ୍ଗୀନ ରାକ୍ଷୀଗୁଡ଼ିକ... ନାଁ ସେ ରାକ୍ଷୀକୁ କିଣି ନେଉଥିବା ଜିନ ସ୍ଲାକ୍‍ସ ପିନ୍ଧା ବାଳିକାମାନେ ।

 

ସେ ଦିନ କାହିଁକି ତା’ର ମନେହେଲା ଏ ପୃଥିବୀର ସମସ୍ତ ଲୋକ ଗୋଟିଏ ପରିବାରର ଏବଂ ସମସ୍ତ ଅଚିହ୍ନା ପାର୍ଥକ୍ୟ ସତ୍ୱେ ସମସ୍ତେ ଆକର୍ଷଣର ଡୋରିରେ ଗୁନ୍ଥା ହୋଇଛନ୍ତି; ଯେ କୌଣସି ସମୟରେ ସେମାନେ ଆପଣାର ହୋଇଯାଇ ପାରନ୍ତି । ଆଉବି ସେ ମନରେ ଭାବି ନେଇ ଥିଲା ହୁଏତ ପରଦିନ ସକାଳେ ସେହି ଜିନ୍ ସ୍ଲାକ୍‍ସ ପିନ୍ଧା କିଶୋରୀ ଭିତରୁ କେହି ସୁନ୍ଦର ରାକ୍ଷୀଟିଏ ଧରି ତା ନିକଟରେ ପହଞ୍ଚିବେ ଏବଂ ତା ହାତରେ ରାକ୍ଷୀଟି ବାନ୍ଧିଦେଲା ବେଳେ ସେ ଗୁଡ଼ାଏ ମିଠା କ୍ରମାନ୍ୱୟରେ ତା’ ପାଟିରେ ଭର୍ତ୍ତି କରିଦେଇ ଯିବ । ଅଥଚ ପରଦିନ ସକାଳ ତା ପାଇଁ ସବୁଠାରୁ ବିରକ୍ତିକରି ଥିଲା ଯେତେବେଳେ କୌଣସି ବୃଦ୍ଧ ବ୍ରାହ୍ମଣ ଯାହାର ଦୁଇଟିଜାକ ଗୋଡ଼ ଗୋଦର ଏବଂ ତା’ର ଯେ ଦିନେ ଲମ୍ବା ଲମ୍ବା ଦାନ୍ତ ଦି’ ଧାଡ଼ି ଥିଲା ଏକଥା ପ୍ରମାଣ କରିବାକୁ ସାମ୍ନାରେ ଅବଶିଷ୍ଟ ଦାନ୍ତ ଦୁଇଟି ଝୁଲି ପଡ଼ିଥିଲା ସେ ଅନେକ ଗୁଡ଼ିଏ ଆପାତଃ ଅର୍ଥହୀନ ମନେ ହେଉଥିବା ଶ୍ଳୋକ ଉଚ୍ଚାରଣ କରି ତା ହାତରେ ରାକ୍ଷୀଟି ବାନ୍ଧିଦେଇ କେତୋଟି ପଇସା ପାଇଁ ଦୀର୍ଘ ସମୟ ଅପେକ୍ଷା କରି ବସି ରହିଥିଲା ।

 

ନୂଆ ବର୍ଷର ଅବ୍ୟବହିତ ପୂର୍ବରୁ ପୁନର୍ବାର ସେଇ ପରିବେଶ ଓ ସେହି ପ୍ରକାର ଆକର୍ଷଣ । ତେବେ ରାକ୍ଷୀ ବନ୍ଧନରେ ସେ ଚିନ୍ତା ଓ ତା’ର ବିଭତ୍ସ ରୂପାନ୍ତର ତା’ର ସ୍ମରଣକୁ ଆସି ଥିଲେ ବି ସେ କାହିଁକି ଭୁଲିଗଲା ସେ କଥା ଏବଂ ଆଗ୍ରହୀ ହେଲା ସେ ଦୋକାନଟି ପ୍ରତି ।

 

ଏଥର କିନ୍ତୁ ନୂଆ ବର୍ଷର କାର୍ଡ଼ ସ୍ତୁପ ଭିତରେ ଟ୍ରାନ୍‍ଜିଷ୍ଟର କେଉଁଠି ଲୁକାୟିତ ନଥିଲା ବରଂ ରେକର୍ଡ ପ୍ଲେୟାରର ସଂଗୀତଗୁଡ଼ିକ ମାଇକ୍ ଦେଇ ସମୁଦାୟ ଗ୍ରାମ୍ୟ– ସହରକୁ ଉତ୍ତେଜିତ କରୁଥିଲା । ଏତଦ୍‍ଭିନ୍ନ କେବଳ କାର୍ଡ଼ ଗୁଡ଼ିକ ନୁହେଁ ସମସ୍ତ ଦୋକାନଟି ଲାଲ୍ ନୀଳ ସବୁଜ ହଳଦୀ ରଂଗର ଆଲୋକରେ ଆଲୋକିତ ହେଉଥିଲା । ଫଳରେ ନିଜ ପସନ୍ଦର କାର୍ଡ଼ ବାଛୁଥିବା ଲୋକ ବା କିଶୋରୀମାନେ ଏକ ସ୍ୱତନ୍ତ୍ର ରାଜ୍ୟର ଅଧିବାସୀ ପରି ମନେ ହେଉଥିଲେ ।

 

ସେ ହଠାତ୍ ଉତ୍ତେଜିତ ହେଇଗଲା ଏବଂ ତା’ର ଇଚ୍ଛା ହେଲା ସେଇ ଲୋକମାନଙ୍କ ସହିତ ମିଶିଯାଇ ଦୂରରେ ଥିବା ଲୋକଙ୍କ ଆକ୍ଷିରେ ସେ ବି ଦିଶିବ ଏକ ସ୍ୱତନ୍ତ୍ର ରାଜ୍ୟର ଅଧିବାସୀ ପରି । ସେ ମୁହୂର୍ତ୍ତକ ମଧ୍ୟରେ ମିଶିଗଲା ବି ।

 

କିଛି ସମୟ ପରେ ସେ ପ୍ରକୃତିସ୍ଥ ହେଲା ଏବଂ ଆବିଷ୍କାର କଲା ତା ହାତରେ କେତେ ଗୁଡ଼ିଏ ରଂଗବେରଂଗ ନୂଆବର୍ଷ କାର୍ଡ଼ । ସୁନ୍ଦର ମସୃଣ । ସେଗୁଡ଼ିକୁ ହାତରେ ଅନୁଭବ କରୁ କରୁ ସେ ବସାକୁ ଫେରୁଥିଲା ଓ ଭାବୁଥିଲା । ଆଜି ରାତି ବାରଟାରେ ଆସିବ ନୂଆ ବର୍ଷ... କେମିତି କେଉଁ ରୂପରେ ! ଯେମିତି ଗ୍ରାମ ଲୋକର ସଂସ୍କାର ଦଶା’ହରେ ପ୍ରେତ ପୁରୁଷ ଆସିବ ହଂସ ଗଜ ଅସରପା ବା ବାରହା ରୂପରେ ନାଁ ତା’ ଆକ୍ଷିରେ ପତଳା ନିଦ ଲାଗିଥିଲା ବେଳେ ଝରକା ପଛପଟେ କେଉଁ ଯୋଗେଶ୍ୱରୀ ଡାକିବ... ରେ ଗାଁ ଲୋକ ! ଉଠ୍, ନିଦ୍ରାତେଜ... ଦେଖ, କେମିତି ନୂଆବର୍ଷ ତା’ର ଶ୍ୟାମଳ ହାତରେ ଆଂଜୁଳାଏ ସତେଜ ଫୁଲ ଧରି ତୋର ଦର୍ଶନ ପାଇଁ ପ୍ରତୀକ୍ଷା କରିଛି । କିମ୍ବା ସେ ସକାଳେ କବାଟ ଖୋଲିଲା ପରେ ଦେଖିବ ଆଜି ଯେଉଁମାନେ ନୂଆ ବର୍ଷର କାର୍ଡ଼ ସବୁ କିଣିନେଲେ ସେମାନେ ଧାଡ଼ିବାନ୍ଧି ତା’ର ଅପେକ୍ଷାରେ ଅଛନ୍ତି ଓ ତାକୁ ଦେଖିଲା ପରେ କାର୍ଡ଼ ସବୁ ଖୋଲିଧରିବେ ଏବଂ ଉଚ୍ଛ୍ୱସିତ ସ୍ୱରରେ ଗାଇବେ... ହେପି ନିୟୂ ଇଅର...

 

ନାଁ ନାଁ, ସେ ଟିକେ ଭୟଭୀତ ହେଇଗଲା । ସେ ଦୋକାନ, ସେଠିକାର ପରିବେଶ ଓ ସେ ଲୋକମାନଙ୍କ ଉଦ୍ଦୀପନାକୁ ନେଇ ଯେମିତି ସେ ତନ୍ମୟ ହେଇ ଯାଇଥିଲା ଓ ନୂଆ ବର୍ଷର ଗୁଡ଼ାଏ କୋମଳ ରୂପକୁ ମନ ଭିତରେ ଚିନ୍ତା କରୁ କରୁ ହଠାତ୍ ଭେଟ କରୁଛି ତା’ର ବିଭତ୍ସ ରୂପକୁ ଯେମିତି କରିଥିଲା ରାକ୍ଷୀ ପୂର୍ଣ୍ଣିମାରେ ସେ ଗୋଦର ଗୋଡ଼ ଅପରିଷ୍କୃତ ବ୍ରାହ୍ମଣକୁ ଦେଖିଲା ପରେ-। ତା’ର ମନେହେଲା ପ୍ରତ୍ୟେକ ଫୁଲର କେଶରରେ ବିଷାକ୍ତ କୀଟ ଓ ପ୍ରତ୍ୟେକ ସୌନ୍ଦର୍ଯ୍ୟକୁ ବିକୃତ କରିବା ପାଇଁ କେହି ଦୁଷ୍ଟ ପୁରୁଷ ଗୋପନରେ ରହି ଅହରହ ଉଦ୍ୟମ କରି ଚାଲିଛି... ହୁଏତ ନୂଆ ବର୍ଷ ରାତିର ଶେଷ ବସରେ ଆସି ତା’ ବସା ପାଖ ଆରମାରେ ଆତ୍ମଗୋପନ କରିଥିବ ଏବଂ ସକାଳ ହେଲେ ତାକୁ ପ୍ରଥମ ସମ୍ବାଦ ଦେବ ଏ ବର୍ଷ ଭଲ ଫସଲ ହେଇଛି... ହେଲେ ଲେଭିରେ ଅଧେ ଚାଲିଯିବ... ବିରି କୋଳଥ କ୍ଷେତରେ ଉଜୁଡ଼ି ଯିବାକୁ ବସିଲାଣି... ତାକୁ ସାଇତିବାକୁ ହାତରେ ପଇସାଟିଏ ନାହିଁ ।

 

ସେ ବିଚାରା ଗାଁ ଲୋକଟି... କଣ କରିବ ସେ ! ନୂଆ ବର୍ଷକୁ ନେଇ ଗୁଡ଼ାଏ କଥା ଚିନ୍ତା କରିଗଲା... ସବୁ ମୂଳରେ ସେ ଦୋକାନଟି । ତାକୁ ଆଗ୍ରହୀ କରିଦେଲା ଫୁଲମାନଙ୍କ ପ୍ରତି; ଅଥଚ ପାଖାପାଖି ପୁଣି କଣ୍ଟାର ତୀବ୍ରତା... କଣ କରିବ ଏବେ ସେ !

 

ସେ ତା’ କୋଠରୀକୁ ଫେରି ଆସିଲା ଓ ଠିକ୍ କଲା ଶୋଇ ପଡ଼ିବ ଆକ୍ଷିବୁଜି... ଆସୁ, ଯେମିତି ରୂପରେ ଆସିବ ନୂଆ ବର୍ଷ ସେ ବିଷୟରେ ଏତଟା ସଚେତନ ହେବା ଠିକ୍ ନୁହେଁ ।

 

କିନ୍ତୁ ପାରୁଛି କଉଠି ! ରାତି ବାରଟାରେ ତା’ ନିଦ ଭାଙ୍ଗିଗଲା ଓ ସେ କାର୍ଡ଼ ଗୁଡ଼ିକୁ ଧରି ବାହାରକୁ ଉଠିଗଲା... ତା’ର ଦିଗ ଠିକ୍ ନଥିଲା କେଉଁ ଦିଗକୁ– ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଅଗ୍ନି ନୈରୂତ ଐଶାନ୍ୟ ବାୟବ୍ୟଅର୍ଦ୍ଧ ଉର୍ଦ୍ଧ୍ୱ ! ତେବେ ସେ ଚାଲୁଥିଲା ଓ ଯେଉଁଠି ଠିଆ ହୋଇ ୟା’ ପରେ କ’ଣ କରିବ ବୋଲି ଚିନ୍ତା କଲା ସେଇଟା ସେ ଗ୍ରାମ୍ୟ–ସହରର ଛକରାସ୍ତା । ସହର ଓ ଗ୍ରାମରୁ ଏଇଠି ରାସ୍ତାମାନେ ଏକତ୍ରିତ ହେଇଛନ୍ତି ।

 

ସେଇ ଅନ୍ଧାରରେ ଠିଆ ହେଇ ସତର୍କରେ ସେ ଅପେକ୍ଷା କରିଥିଲା ନୂଆବର୍ଷକୁ... ନୂଆ ବର୍ଷ ଆସୁଛି ବା ଆସିବ... ବସରେ ଟ୍ରକରେ... କଲିକତି ଲୋକ ଟାଟାନଗର ଲୋକ ରାଉରକେଲା ଲୋକ ଓ ସେମାନଙ୍କ ନିଦ୍ରା ବିଷଣ୍ଣତା, ସେମାନଙ୍କ କଠିନ ମୁହଁର ରୁକ୍ଷ ଦାଢ଼ୀ ସହିତ ମିଶି ହଟାତ୍ ନୂଆବର୍ଷ ଆସିଯିବ କେଉଁ ଗାଁଉଁଲି ବସରେ... କିମ୍ବା ଚାଉଳ ବୋଝେ ଲିଲାଣ୍ଡ ଟ୍ରକରେ...ନୂଆ ବର୍ଷ କିନ୍ତୁ ଆସିବ !

 

ଅଥଚ ସେ ଅପେକ୍ଷା କରିଥିଲା ଓ କ୍ରମାନ୍ୱୟରେ ଥାନା ଘଣ୍ଟାରେ ଏକ ଦୁଇ ତିନି ଚାରି ବାଜି ସାରିଥିଲା । ରାତି ଟ୍ରେନକୁ ଏଟେଣ୍ଡ କରି ବସ୍ ସବୁ ଫେରି ଆସିଲେ... ସେ ଦେଖୁ ଥିଲା ସେ ବସରେ ଢୁଳେଇ ପଡ଼ିଥିବା ମଳିନ ମୁହଁମାନଙ୍କୁ, କୁହୁଡ଼ିଆ ଦାଢ଼ୀ ଗୁଡ଼ିକୁ, କିନ୍ତୁ ନୂଆ ବର୍ଷ !

 

ନୂଆ ବର୍ଷ ଆସିବନି ବୋଧହୁଏ । ତା’ର ଉଦ୍ଦୀପନା ହତୋତ୍ସାହରେ ପରିଣତ ହେଲା । ସେ ହାତରେ ଧରିଥିବା କାର୍ଡ଼ଗୁଡ଼ିକୁ ଗୋଟି ଗୋଟି କରି ଗଣିଲା ଓ ସେହି ସଂଖ୍ୟାର କେତେ ଗୁଡ଼ିଏ ନାମ ମନେ ପକାଇବାକୁ ଚେଷ୍ଟାକଲା । ଯେଉଁ ନାମଗୁଡ଼ିକ ତା ମନକୁ ଆସୁଥିଲା ସେ ଗୁଡ଼ିକୁ ଉଚାରଣ କଲା : ମହାତ୍ମାଗାନ୍ଧୀ, ମାର୍ଟିନ୍ ଲୁଥର କିଂ, ଡାଗ୍ ହାମରସୋଲ୍ଡ଼, ପେଟ୍ରିସ୍ ଲୁମୁମ୍ବା, ଆଲେକ୍‍ଜାଣ୍ଡାର ଡ୍ୟୁବେକ୍, ସଲ୍‍ଝିଡ଼ସିନ୍‍ ଏବଂ ସେ ବିଭିନ୍ନ କ୍ରମରେ ସେ ନାମଗୁଡ଼ିକୁ ବାରମ୍ବାର ଉଚ୍ଚାରଣ କଲା ଓ ଯେତେ ବେଶି ସେ ଉଚ୍ଚାରଣ କରୁଥାଏ କ୍ରମେ ନାମଗୁଡ଼ିକ ନିଜର ଅର୍ଥ ହରାଇ ସାଧାରଣ ଶବ୍ଦ ବା ଅକ୍ଷରରେ ପରିଣତ ହେଉଥାନ୍ତି । ଶେଷରେ ସେ କାର୍ଡ଼ ଗୁଡ଼ିକ ଉପରେ ଯାହା ଲେଖିବାକୁ ଚାହୁଁଥିଲା ତାହା କେତେ ଗୁଡ଼ିଏ ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ... ତେଣୁ ସେ ସେଥିରୁ କ୍ଷାନ୍ତହେଲା ଓ ଗୋଟିଏ ଦିଆସିଲି କାଠିରେ କାର୍ଡ଼ଗୁଡ଼ିକୁ ଜାଳି ତା’ର ପାଉଁଶକୁ ଧୀର ପବନରେ ଉଡ଼ାଇ ଦେଲା ।

 

ତା’ ସ୍ମରଣରେ ସିନା କିଛି କାମ ଲିପିବଦ୍ଧ ହୋଇ ରହିଛି, ହେଲେ ପରିଚୟ କାହିଁ ! କେବଳ ଗାଁ ଲୋକଟିଏ ବ୍ୟତୀତ ତା’ ନିଜ ବିଷୟରେ ତା’ର ବା କଣ ଧାରଣା ଅଛି ।

Image

 

ନିଖୋଜ ଆସାମୀ

 

ନିର୍ମଳ ଚନ୍ଦ୍ର–ମଣ୍ଡଳ ବିରାଜିତ । କୁମରର ବିନୟ ପତ୍ର ଲେଖିବାର ବେଳ । ଅପ୍ରାପ୍ତବୟସ୍କା କନ୍ୟାକୁ ବିବାହ । କେବେ ପୁଣି କଢ଼ ଫୁଲଟିଏ ହେବ । ଦିନ ରାତି ଗୁଣୁ ଗୁଣୁ ପୁଷ୍ପବତୀର ବାସ୍ନାରେ ଉଲ୍ଲସିତ ହେଲାବେଳକୁ ଅବିବେକୀ ପିତାଙ୍କର ଆଦେଶ–ପୁଅରେ ! ବିଦେଶ କର !

 

କରୁଛି ତ ପୁଅ ବିଦେଶ ।

 

ଛ’ ଋତୁ ବର୍ଷ ମୁଣ୍ଡରେ ଗଡ଼ିଯିବ, ଛ’ ଥର ମନ ଜକେଇବ... ଛ’ ଥର ବିନୟ ପତ୍ରରେ ପ୍ରୀତିକୁଶଳାକୁ ଦୁଃଖ ଜଣା କରୁ କରୁ ମୁଣ୍ଡରେ ବାଳ ନିଖୋଜ, ଯାହା ବା କେରେ ଥିବ ଦର୍ପଣରେ ମନେ ହେବ ଟାଣ ଖରାରେ ଫୁଟି ପଡ଼ିଥିବା ସିମୁଳୀ ତୁଳା ପବନରେ ଉଡ଼ି ଉଡ଼ି କେଉଁ ପତ୍ର ଗହଳୀ ଗଛରେ ଲାଗିଯାଇଛି ପରା ।

 

ରାଜସୁତାର ପ୍ରେମ ସରବାନ୍ଧି ଯାଇଥିବ ଟାଣ ନିଆଁରେ ପାଏ ଦୁଧ ମରି ମରି ପତଳା ତଳିରେ ଶୁଖିଗଲା ପରି । ପଚାରିଲେ କହିବ– ଦୋଷ ମୋର କେଉଁଠି । ଭଲ–ମନ୍ଦ ବିଚାର କରିବା ମୋ ଆୟତ୍ତର ବାହାରେ । ବାପ ତୁମର ଗାର କାଟି ଦେଇଛି, ତାକୁ ଧରି ଧରି ଚାଲିବା ତୁମର କାମ । ସେଇ ଗାରକୁ ଧରି ତୁମେ ବିଦେଶ କଲ । ଏବେ ଯଦି ଫେରି ଆସିଛ ଖୋଜ ଏ ଶରୀରକୁ । ଖୋଜିଲାବେଳକୁ ଥିବକଣ ? ସେକେଣ୍ଡେ ସୋ’ ସିନେମା ପରେ ଚାଳିଶ୍ ଓ୍ୟାଟ୍ ବଲ୍‍ବର କରୁଣ ଆଲୋକରେ ମିଟ୍‍ସେଲ୍‍ଫରୁ ଦୁଇଖଣ୍ଡ ଶୁଖିଲା ରୋଟି ଓ ମେଞ୍ଚାଏ ଥଣ୍ଡା ତରକାରୀ ପରି ସ୍ତନ ତା’ର ହାଇମରା ହେଇ ମୁଣ୍ଡ ଗଡ଼ାଉଥିବ ପଞ୍ଜରା କାଠି ଉପରେ ।

 

କୁମରର ଅନୁଶୋଚନା : ବର୍ଷ ମୁଣ୍ଡରେ ଛ’ ଋତୁ ବିଷାଦରେ ପରିଣତ ହେବ ପିତାଙ୍କର ଅଲଙ୍ଘନୀୟ ଆଦେଶରେ ।

 

ପିତାଙ୍କର ଆଦେଶ ଝୁଲୁଛି ପଟେ ଶାଣିତ ତରବାରୀ ପରି । କୁମରର ଶରୀରରେ ଯୌବନ ଟକ୍‍ମକ୍‍ । । ପ୍ରୀତିକୁଶଳାର ହାତରେ ଚଉଷଠି ବନ୍ଧର ନକ୍ସା । ଆକାଶରେ ନିର୍ମଳ ଚନ୍ଦ୍ରମଣ୍ଡଳ ।

 

କୁମର ହାତ ଚକିରେ ମୁହଁ ଥୋଇ ଚାହିଁଥିଲା ବାହାରକୁ... ରାସ୍ତା ଘାଟ, ଆକାଶ ପବନ, ସବୁଠି ଜୀବନ ଝୁଲୁଛି ଇଲେକ୍ଟ୍ରିକ୍ ତାରରେ ଲଟକିଥିବା ଖେଳ ପିଲାର ଗୁଡ଼ି ପରି । ଅଥଚ ସେ ମୁକ୍ତ ଆକାଶରେ ସ୍ପଷ୍ଟ ଉଡ଼ିପାରିଥାନ୍ତା ଯେତେଦିନ ତା’ର ଇଚ୍ଛା... ଡେଣା ହୁଗୁଳା ଥିଲେ କେଉଁ ବୃକ୍ଷ ଶାଖା କିମ୍ବା ଖୋଲା ପଡ଼ିଆରେ ପିଠି ଉପରେ ବେଳ ଭାଙ୍ଗି ନିଶ୍ୱାସ ମାରିଥାନ୍ତା କେତୋଟି, ପୁଣି ଇଚ୍ଛା ହେଇଥିଲେ ସେଇ ବାଧା–ବନ୍ଧନହୀନ ଆକାଶରେ ସନ୍ତରଣ ।

 

କିନ୍ତୁ ପିତା ଯେ !

 

ପିତା ଜଣେ ବ୍ୟକ୍ତି, ତାଙ୍କର କୁମର ପରି ହାତ ଗୋଡ଼ ଆକ୍ଷି ନାକ କାନ ଓ ସମୁଦାୟ ଶରୀରର । ସେ କୁମରଠାରୁ କେତେବର୍ଷ ଆଗରୁ ଜନ୍ମ ବା କୁମର ଅପେକ୍ଷା ଅଧିକ କେତୋଟି ଅନୁଭୂତି ସଂଗ୍ରହ କରିଛନ୍ତି । ତାରି ବଳରେ ସେ କୁମର ସାମ୍ନାରେ ଠିଆ ହୋଇଛନ୍ତି ଗୋଟିଏ ଦୃଢ଼ ପାଚେରୀ ପରି ଯାହାକୁ ଅତିକ୍ରମ କରିବା, ଭାଙ୍ଗିଦେବା କୁମରର ଶକ୍ତିର ବାହାରେ ।

 

କୁମର ହାତ ଚକିରେ ମୁହଁ ଥୋଇ ଚାହିଁଛି ବାହାରକୁ... ରାସ୍ତାରେ ବଜାରରେ ପାନଦୋକାନରେ ରେସ୍ତୋରାଁରେ ଜୀବନ– ଜନ୍ତା ଭିତରେ ସର୍କସ ବାଘପରି । ଏକ ଉପାୟହୀନ ପୋଷାମନା ପିତାଙ୍କର କଠୋର ଆଦେଶରେ ।

 

କୁମର ଲିଭି ଯାଉଛି କ୍ରମେ । ସେ ହଜି ଯାଉଛି ।

 

ଆଦେଶର ରୂପ କଣ । ସମୟ ସମୟରେ କୁମର ସନ୍ଦୀହାନ୍ ହୋଇପଡ଼େ । ସେ ତ ପିତାଙ୍କ ଆଦେଶକୁ ଅବମାନନା କରିପାରନ୍ତା, ତା’ର ଜୀବନକୁ ନେଇ ରାସ୍ତା ବଜାର ଆକାଶ ପବନରେ ଘୁରି ବୁଲନ୍ତା... ଦେଖାନ୍ତା ମେଜିକ୍‍ବାଲା ପରି ବିଭିନ୍ନ ହାତସଫେଇ । କିନ୍ତୁ ବେଳେ ବେଳେ ଚତୁର ଦଶକର ତୀକ୍ଷ୍ଣ ଦୃଷ୍ଟି ମେଜିକ୍‍ବାଲା ଅକଲ୍ ଗୁଡ଼ୁମ୍ କରି ଦଉଛି । କୁମର ରୂପରେଖାହୀନ ଆଦେଶରେ ଅଟକି ଯାଉଛି ମେଜିକ୍‍ବାଲା ଏକ ଅସାମର୍ଥ୍ୟ ହସ ଭିତରେ ନିଜର ପେଡ଼ିପୁଟୁଳା ବାନ୍ଧିଲା ପରି ।

 

କୁମାର ହାତ ଚକିରେ ମୁହଁଥୋଇ ଫେରେ ଅତୀତକୁ... ପାଖେ ପାଖେ ଚାଲୁଥାଏ ଶାସନ ବେତ କାନମୋଡ଼ାରେ... ଅନଭ୍ୟସ୍ତ ଖେଳାଳୀକୁ ଖେଳ ଶିଖାଗଲା ପରି । ଓସ୍ତାତପଣିଆ ସେଠି ଏକ ଆବଶ୍ୟକତା, ଅନ୍ୟଥା ଭବିଷ୍ୟତ ଖେଳରେ ଜିତାପଟର ଆଶଙ୍କା । ପୁଣି ଘର ଧରି ନ ଚାଲିଲେ ଜୀବନ ବେଘର ହେଇଯିବ ଓ ଶେଷରେ ଅସୌଜନ୍ୟ ହୀନବୀର୍ଯ୍ୟ ଅବତାରଟିଏ ମାରିବ ଟହଲ ରାସ୍ତା ଘାଟରେ । ଆତଙ୍କିତ ପିତା କଠୋର ହୁଅନ୍ତି ତାଙ୍କ ଅନୁଶାସନରେ ।

 

ମଜା କଥାଟାଏ... ଶାସନର ଲୋହିତଚକ୍ଷୁକୁ ଏଡ଼ିଦେଇ କେଉଁଠି କେମିତି ଡୁଙ୍ଗିଦେବା, ଦେହଟାକୁ ଟିକେ ଉସୁମ୍ କରିନେବା ଏବଂ ଅହେତୁକ କୌତୁହଳ ମଧ୍ୟରେ ଧାଁ ଦଉଡ଼ କରିବାର ମଜା... ହେଉ ବରଂ ଖାଦ୍ୟ ପଦାର୍ଥରେ ମୁହଁ ମାରିଥିବା କୁକୁର ପିଠିରେ ପ୍ରଚଣ୍ଡ ପ୍ରହାର ପରି । ସେ ଜୀବନରେ ଗୋଟାଏ ଜମକ୍ ଥିଲା କିନ୍ତୁ ତା’ ବୋଲି ଯୌବନରେ ବି !

 

କୁମର ଲକ୍ଷ୍ୟ କରିଛି ସେଇ ଅନୁଶାସନ ମଧ୍ୟରେ ତାକୁ ଯେମିତି ଦୂରେଇ ଦିଆଯାଇଛି, ତା’ ଦେହରୁ ସ୍ନେହ–ମମତାରୁ ଖୋଳପା କାଢ଼ି ନିଆଯାଇଛି ଏବଂ ଏକ ଆସାମୀ ପରି ଏମିତି ଏକ ସ୍ଥାନରେ ତାକୁ ଠିଆ କରାଇ ଦିଆଯାଇଛି ଯେଉଁଠି ସେ ନିଜକୁ ନିର୍ବାସିତ ପରି ବୋଧ କରୁଛି ଓ ପିତା ଲଗାଏତ୍ ତାଙ୍କ ଗୋଷ୍ଠୀର ଅନ୍ୟମାନେ ତାକୁ ଦୂରରୁ ନିରୀକ୍ଷଣ କରୁଛନ୍ତି ଶତ୍ରୁପକ୍ଷର ଗତିବିଧି ଲକ୍ଷ୍ୟ କରାଗଲା ପରି ।

 

କୁମର ନିଜ ଭିତରକୁ ଚାହେଁ– ତା’ପ୍ରତି ଏମିତି ଏକ ବ୍ୟବହାରର ହେତୁ କଣ ! ସେ କଣ ଏମିତି କିଛି ତ୍ରୁଟି ପ୍ରକାଶ କରିଛି ନିଜର ସ୍ୱାଭାବିକ ବ୍ୟବହାରରେ !

 

କରିଥିବ ହୁଏତ । କୁମର ମନେ ପକାଏ । ପିତାଙ୍କର ପ୍ରଚକ୍ଷୁ ପଛପଟର ଚୂଟି ଓ ତିଳକ ଚିତାକୁ ମିଶାଇଦେଇ ସେ ହସେ । କାରଣ ସେତେବେଳେ ପିତା ତାକୁ ଲାଗନ୍ତି କୌଣସି ବହିର ବ୍ୟଙ୍ଗଚିତ୍ର ପରି । କୁମର ତା’ର ବ୍ୟବହାର ଓ ଭାବଭଙ୍ଗୀରେ ପରୋକ୍ଷ ସୂଚନା ଦିଏ ପିତାଙ୍କର ସେ ବ୍ୟଙ୍ଗଚିତ୍ରର ସଂସ୍କାର ଆବଶ୍ୟକ ପୁଣି ସେ ଅନୁଭବ କରେ ସେଇ ଚିତ୍ରଟା ଯେମିତି ପିତାଙ୍କର ସ୍ୱଭାବ ଅନ୍ୟକୁ ବୁଝିବାରେ ସାହାଯ୍ୟ କରେ । ଯେମିତି ଗୋଟାଏ ଗମ୍ଭୀରି ଅଣନିଶ୍ୱାସୀ ଇଲାକାକୁ ସେ ଜୋର କରି ଶାସନ କରୁଛନ୍ତି ଓ ତା’ ଭିତରେ ଆଲୋକର କୌଣସି ପ୍ରକାର ଅନୁପ୍ରବେଶକୁ ଅସଭ୍ୟ ମନେ କରନ୍ତି । ତେଣୁ ରାଜକନ୍ୟାର ଶରୀର ଉପରେ ତାର ହକ୍ ଅଧିକାର ଥିଲେ ବି ଏବଂ ତା ସହିତ ଅନେକ ରାତି ରତିକ୍ରୀଡ଼ା କରିବା ତାର ଏକ ଅବଦମିତ ଆଗ୍ରହ ଓ ସତ୍ୟ ହେଲେ ବି ଅସହିଷ୍ଣୁ ପିତା ତା ପଥରେ ଅନ୍ତରାୟ ହୋଇ ଆଦେଶ କରନ୍ତି : ପୁଅ ବିଦେଶ କର ।

 

କାହିଁକି । ପୁତ୍ରର ଅଧିକାର–ଜନିତ ଔଦ୍ଧତ୍ୟର ଭୟ, ନା ଅପ୍ରାପ୍ତିର ଅଭାବବୋଧର ଏ ଅସହିଷ୍ଣୁ ଭାବ ।

 

ପୁତ୍ରପାଇଁ ଏ ଆଦେଶ ଅଲଂଙ୍ଘନୀୟ । ସେ ଦୁର୍ବଳ ଶୀର୍ଣ୍ଣକାୟ ବ୍ୟକ୍ତିଟି ପିତା ହୋଇ ପାରନ୍ତି, ତାଙ୍କ ଆଦେଶ କିନ୍ତୁ ଦିନର ଆଲୋକ ଓ ରାତିର ଅନ୍ଧକାର ପରି ସର୍ବବ୍ୟାପୀ । ସେ ଆଦେଶର ବ୍ୟାପ୍ତି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର କଣ୍ଠରୁ ନୁହେଁ, ପୁରୁଷାନୁକ୍ରମେ ଅନେକ ବ୍ୟକ୍ତିଙ୍କ କଣ୍ଠସ୍ୱରର ବ୍ୟାପ୍ତି । ତାକୁ ଅବଜ୍ଞା କରିବା ଯଥେଷ୍ଟ ଶାରୀରିକ ଶକ୍ତିସମ୍ପନ୍ନ ପୁତ୍ର ପକ୍ଷରେ ଅସମ୍ଭବ ।

 

କୁମର ବେଳେ ବେଳେ ଚିନ୍ତା କରେ ଆଦେଶର ଏ ବ୍ୟାପ୍ତିକୁ ଯଦି ନଷ୍ଟକରି ଦିଆଯାଇ ପାରନ୍ତା ! କିଏ କରିବ– କୁମର ମନରେ ସଂଶୟ ଜମାଟ ବାନ୍ଧେ । ପିତା ଗୋଟିଏ ଚରିତ୍ର ନୁହନ୍ତି, ସେ ଏକ ବିଶ୍ୱାସ, ଏକ ଗତାନୁଗତିକତା ଯେଉଁ ଧାରାରେ ଗଡ଼ି ଗଡ଼ି ରକ୍ତାକ୍ତ ପୁତ୍ରମାନେ, ପାରିଲା ପଣର ଦୃଢ଼ତାରେ ଠିଆ ହେଲାବେଳେ ସମର୍ଥନ ଦୋଦୁଲ୍ୟମାନ ।

 

ସେ ଭାବପ୍ରବଣ ହେଲେ ତାକୁ ଅନ୍ଧାରରେ ସ୍ଥିତି ହରାଇଲା ପରି, ଦୃଢ଼ହେଲେ ଲାଗେ ତାକୁ କେଉଁ ଅତଳ ଗହ୍ୱରକୁ ଖସିଯାଉଛି ସେ ଯେଉଁଠି ପାଟିକରି ଡାକିଲେ ପ୍ରତିଧ୍ୱନି ବି କାନକୁ ଆସେନା ।

 

ପିତାଙ୍କର କ୍ଷୀଣକାୟ ଶରୀର ଅନ୍ତର୍ହିତ ହୋଇଯାଏ ତା’ ଚେତନାରୁ ଓ ସେ ରୂପାନ୍ତରିତ ହୁଅନ୍ତି ଗୋଟିଏ ପରଂପରାରେ । ସେ ପରଂପରା ନିକଟରେ ସତ୍ୟ ନିଷ୍ପ୍ରଭ ହୋଇଯାଏ, ସ୍ପଷ୍ଟ ପ୍ରକାଶ ଅହେତୁକ ମନେହୁଏ, କେବଳ ଯାହା ପ୍ରକାଶିତ ହୁଏ ଉଜ୍ୱଳ ଏକ ସଉଖୀନ୍ ଆବରଣରେ ।

 

ପିତାଙ୍କର ଆଦେଶରୁ ମୁକ୍ତ କୁମର ବିଦେଶ କରୁଥିଲା ବେଳେ ମଧ୍ୟ ମୁକ୍ତିର ସ୍ୱାଦ ନାହିଁ ତା’ ନିକଟରେ । ପିତାଙ୍କର ଆଦେଶ ଓ ଅଧିକାର ଛାଇପରି ତା’ ପଛେ ପଛେ ।

 

କୁମର ବିବ୍ରତ ହୁଏ– କେଉଁ ଅପରାଧର ଫଳ ସେ ଭୋଗ କରୁଛି !

 

ଜନ୍ମ–ଜାତକରେ କଣ ଲିପିବଦ୍ଧ ହୋଇଥିଲା– କୁମରରେ, ଆଲୋକ ଦେଖି ଭାବିନେଲୁ ସିନା ତୁ ଆଲୋକିତ ବୋଲି । କିନ୍ତୁ କୁମରମଣି ସେ ଆଲୋକ ଅନ୍ଧକାରର ଅନ୍ୟ ଏକ ରୂପ, କେବଳ କଳ୍ପନା... ସେ ହାତକୁ ଆସେ କେବଳ ଛଟ୍‍ପଟ୍ କରିବା ପାଇଁ ରାଧାନାଥଙ୍କ ଆକାଶ କୁସୁମ ପରି । ଯେଉଁମାନେ ଖାଲି ଆଲୋକ ଆଲୋକ ବୋଲି ଚିତ୍କାର କରନ୍ତି ସେମାନେ ଆଲୋକର ପ୍ରକୃତ ରୂପ ଦେଖିନାହାନ୍ତିରେ ପୁତା, ପୂର୍ଣ୍ଣ ଅନ୍ଧକାର ଭିତରେ କେବଳ ଆଲୋକକୁ କଳ୍ପନା କରିଛନ୍ତି... ତାର ପ୍ରାପ୍ତି ଆଶାରେ ସନ୍ତୁଳି ହୁଅନ୍ତି ତୋ ପରି ।

 

ଆହୁରି ଶୁଣ୍ ! ସଂସାରରେ କେହି ଆଲୋକକୁ ଶ୍ରଦ୍ଧା କରନ୍ତିନି ।... ସେଥିରେ ସ୍ପଷ୍ଟ ରୂପ ଚିହ୍ନାପଡ଼େ, କୁତ୍ସିତ ଇଚ୍ଛା ସବୁ ପ୍ରକାଶିତ ହୁଏ... ଅନ୍ଧାର ତେଣୁ ଢେର ଭଲ... କେଉଁଠି ହାତ ବୁଲାଇଲୁ, କାହା ମୁଣା ଶୂନ୍ୟ କରିଦେଲୁ କେହି ଜାଣିବେନି । ସଂସାର ଅନ୍ଧାରକୁ ନିଜର କରିନେଇଛି...ଅତି ଆପଣାର ।

 

ଦେଖ୍ ତୋ କଥା... ପିତା ତୋତେ ବିଦେଶ କରିବାକୁ ପଠେଇ ଦେଲା । ଘର ଛାଡ଼ିଲୁ, ପିଲା ମାଇପର ସଂସାର ଛାଡ଼ି ଅନ୍ୟ ରାଜ୍ୟର ରଜାକୁ ପିତା ବୋଲି ଆଦରି ନେଲୁ... ପ୍ରଥମେ ଭାବିଲୁ ଦୀର୍ଘ ଅନ୍ଧକାର ପରେ ଆଲୋକ ଟିକେ ପାଇଗଲୁ ପରା... କଣ ହେଲାରେ !

 

କୁମର ପ୍ରକୃତିସ୍ଥ ହୁଏ । ମୁହଁତଳ ହାତ ପାପୁଲି ବାହାର କରିନେଇ ସଳଖି ବସେ । ଯେଉଁଆଡ଼େ ଚାହିଁଲେ ପିତାଙ୍କର ନାଲି ଆକ୍ଷି ଉଙ୍କିମାରେ... ଏଇଟା ଯେମିତି ତା’ ପାଇଁ ବିଧି–ନିର୍ଦ୍ଦେଶ ।

 

ବୟସରୁ ଏକ ଚତୁର୍ଥାଂଶ କଟିଗଲା ଜୀବନକୁ ଚିହ୍ନ ଚିହ୍ନ, ଶେଷ ଚତୁର୍ଥାଂଶ ସଂରକ୍ଷିତ ହୋଇ ରହିଛି କୁମରର ଘରବାହୁଡ଼ା ପର୍ବପାଇଁ । ସେତେବେଳେ କୁମର ପିତାଙ୍କର ‘କା’ ନେବ ଓ ତାଙ୍କ ପୁରୁଣା ବସ୍ତାନୀରୁ ଗୋପାଳ ଅଷ୍ଟୋତ୍ତର ନାମ ଖୋଲି ପୁରାତନ ପୃଷ୍ଠା ମାନଙ୍କରୁ ଚନ୍ଦନ ଛିଟା ଛଡ଼ାଉ ଛଡ଼ାଉ ନାକ ଉପରେ ପ୍ରଚକ୍ଷୁ ଥୋଇ କାନରେ ସୁତା ଗୁଡ଼ାଇବ ଓ ଠିକ୍ ସେତିକିବେଳେ ପ୍ରୀତିକୁଶଳା ରାଜକନ୍ୟା ଠାକୁର ଖଂଜାରେ ବସି ଧଳା ମୁଣି ଭିତରେ ତୁଳସୀ କଣ୍ଠିକୁ ଶହେ ଆଠଥର ସୁମାରି କରି ଶେଷ କଣ୍ଠିଟିକୁ ମୁଣ୍ଡରେ ମାରୁଥିବ ।

 

ବୟସର ପ୍ରଥମ ଚତୁର୍ଥାଂଶ ଜୀବନକୁ ଚିହ୍ନୁ ଚିହ୍ନୁ ଗଲା, ଶେଷ ଚତୁର୍ଥାଂଶରେ ଜୀବନକୁ ଚିହ୍ନିଲା ବେଳେ ଦେହରେ ସାମର୍ଥ୍ୟ ନାହିଁ । ଅଥଚ ଜୀବନରେ ଯେତେବେଳେ ଶକ୍ତିଥିଲା ଜୀବନକୁ ଚିହ୍ନିଥିଲେ ବି ଚିହ୍ନେଇ ପାରିଲା ନାହିଁ । ପିତାଙ୍କର ଅନୁଶାସନ ପରଂପରାରେ ପରିଣତ ହେଲାପରେ ତା ଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରି ସତର୍କ କରିଦେଲା– ନିଜକୁ ଚିହ୍ନେଇବାକୁ ଚେଷ୍ଟାକଲେ ବିପଦରେ ପଡ଼ିବୁ । ପିତାଙ୍କର ଆଦେଶରେ ଯେଉଁ ନିର୍ବାସନ ଦଣ୍ଡ ଭୋଗ କରୁଛୁ ସେ ନିର୍ବାସନ ଏକ ଚିରନ୍ତନ ନିର୍ବାସନରେ ପରିଣତ ହେବ ।

 

ବୟସର ମଧ୍ୟାହ୍ନରେ କୁମର ଆଜି ସଙ୍କୁଚିତ । ପ୍ରୀତି–କୁଶଳାର ପ୍ରୀତିଠାରୁ ଦୂରରେ ସେ-। ପୁଣି ଜୀବନକୁ ଚିହ୍ନେଇ ପାରୁନି ବିପଦ ଆଶଙ୍କାରେ । ଚତୁଃପାର୍ଶ୍ୱରେ ପିତା ଏବଂ ତାଙ୍କ ଅନୁଶାସନ । ଏଇ ଅନୁଶାସନ ମଧ୍ୟରେ ବ୍ୟକ୍ତିତ୍ୱ କୁମରର ଅବଲୁପ୍ତ । ସେ ଛଳନାର ‘କା’ ନେଇ ଜୀବନ ବଞ୍ଚୁଛି । କୁମର ଆଜି କୁମର ନୁହେଁ, ସେ ନିଜଠାରୁ ନିର୍ବାସିତ ଏକ ବିଚ୍ଛିନ୍ନ ବ୍ୟକ୍ତିତ୍ୱ ।

 

କୁମର ପୁନଶ୍ଚ ହାତ ଚକିରେ ମୁହଁ ଥୋଇଛି । ଆକାଶରେ ଚନ୍ଦ୍ରମଣ୍ଡଳ ବିରାଜିତ । ରାସ୍ତାଘାଟ ଆକାଶ ପବନରେ ଜୀବନ ଅଥଚ ସେ କେଉଁ ତାରଖୁଣ୍ଟିରେ ଖେଳପିଲାର ଗୁଡ଼ିପରି ଲଟକି ଯାଇଛି । ବିନୟ ପତ୍ରରେ ଜୀବନକୁ ଚିହ୍ନେଇବାର ଝୁଙ୍କ ଏକ ପ୍ରବଞ୍ଚନା ବୋଲି କୁମର ଏବେ ସ୍ପଷ୍ଟ ବୁଝିଲାଣି ।

 

ତା’ପାଇଁ ଏକମାତ୍ର ସତ୍ୟ ପିତାଙ୍କର ପରଂପରାଗତ କଠୋର ଅନୁଶାସନ ।

Image

 

ନ ପାଚନ୍ତେ ଫଳ

 

ଗ୍ରାମ୍ୟ ସହରଟିର ପ୍ରଖ୍ୟାତ୍ ମିଷ୍ଟାନ୍ ବ୍ୟବସାୟୀ ନବଘନ ସାହୁ ଓରଫ ନବସାହୁଙ୍କ ପୋଷାକର ଆକସ୍ମିକ ପରିବର୍ତ୍ତନ କେବଳ ସହରରେ ଚଳପ୍ରଚଳ ହେଉଥିବା ମୁଷ୍ଟିମେୟ ନାଗରିକମାନଙ୍କ ପାଇଁ ନୁହେଁ ଆଖ ପାଖ ଅଞ୍ଚଳର ବିଭିନ୍ନ ଧନ୍ଦା ନେଇ ଆସୁଥିବା ଗ୍ରାମ୍ୟ-ଜନତାଙ୍କପାଇଁ ମଧ୍ୟ ଏକ ଆକର୍ଷଣୀୟ ଦୃଶ୍ୟ ଥିଲା । ଆଜି କାଲି ନେତା କହିଲେ ଯେଉଁ ସାଧାରଣ ଚେହେରାଟି ସଚେତନ ବ୍ୟକ୍ତିର ମାନସ ପଟରେ ଉଦ୍‍ଭାସିତ ହୁଏ ନବସାହୁଙ୍କର ପରିପାଟୀ କିଞ୍ଚିତ୍ ସେହି ଧରଣର ଆଜି ମନେ ହେଉଥିଲା । ଏବେ ନବସାହୁଙ୍କର ପୃଥୁଳ ଶରୀର ସାଙ୍ଗକୁ ତାଙ୍କ ସ୍ଫୀତ ଉଦର; ପୁଣି କଥା କହିବାର ଧୀର ମନ୍ଥର ପ୍ରକାଶ ଭଙ୍ଗୀରେ ମପା-ଚୁପା କଥାର ସମାରୋହ ସହିତ ସ୍ୱପ୍ନାଚ୍ଛନ୍ନ ଭାବ ତାଙ୍କୁ ଏମିତି ଖାମଖେୟାଲ କରିଦିଏ ଯାହା ଫଳରେ ତାଙ୍କ ଚରିତ୍ର ଓ ଚେହେରାର ସାମଗ୍ରୀକ ମୂଲ୍ୟାୟନ କରାଗଲାବେଳେ ଜଣେ ଆଧୁନିକ ନେତାର ଅନେକଟା ଗୁଣ ତାଙ୍କଠାରେ ପରିଲକ୍ଷିତ ହୁଏ । ତାଙ୍କର ଏହି ପ୍ରାକୃତିକ ସ୍ୱାଭାବିକ ଚେହେରାରେ ନେତାମାନଙ୍କର ବନ୍ଧାଗତ ପୋଷାକ ମିଶିଗଲା ପରେ ନବସାହୁ ଦର୍ଶକ ପ୍ରାଣରେ ଯେଉଁ ଭାବ ମୂର୍ତ୍ତିଟି ସୃଷ୍ଟି କଲେ ତାହା ଅନେକଙ୍କ ମନରେ ଏମିତି ଗୋଟାଏ ସନ୍ଦେହ ସୃଷ୍ଟିକଲା ଯେ ତାଙ୍କର ଏ ରୂପ ପରିବର୍ତ୍ତନ ତାଙ୍କ ବାଲ୍ୟକାଳରୁ ଲୁଣମରା ଜାତୀୟତାବୋଧର ପୁନରୁତ୍‍ଥାନ ନାଁ ପ୍ରାତ୍ୟହିକ ଜୀବନଯାତ୍ରାର ଏକ ଅସତର୍କ ରୁପବିନ୍ୟାସ ।

 

କିନ୍ତୁ ଗ୍ରାମ୍ୟ ସହରଟିର ଗତ କେତେଦିନର ରାଜନୈତିକ ତତ୍‍ପରତାକୁ ବିଚାର କଲେ ନବସାହୁଙ୍କର ଏ ରୂପ ପରିବର୍ତ୍ତନ ତାଙ୍କ ଲୁଣମରା ଜାତୀୟତା ବୋଧର ଆକସ୍ମିକ ପୁନରୁତ୍‍ଥାନ ବୋଲି ଯେ କେହି ସହଜରେ ମନ୍ତବ୍ୟ ଦେଇ ଦେବ ।

 

ନବସାହୁଙ୍କ ଜାତୀୟ ଭାବର ଉନ୍ମେଷ ଗତରାତିରେ ଗୋଟିଏ ରାଜନୈତିକ ପରିବେଶକୁ ନେଇ । ସେତେବେଳକୁ ରାତି ପ୍ରାୟ ଦଶଟା ହେବ । ସମୟକୁ ଜାଣିବା ପାଇଁ ଘଣ୍ଟା ଉପରେ କେବେ ଗୁରୁତ୍ୱ ଆରୋପ କରି ନଥିବା ନବସାହୁଙ୍କର ଅନ୍ଦାଜ ପ୍ରାୟ ସେୟା ସମୟ ସଂପର୍କରେ । କାରଣ ତାଙ୍କ ଦୀର୍ଘଦିନର ଅଭିଜ୍ଞତାରୁ ସେ ଠଉରେଇ ନେଇଛନ୍ତି ଏ ସହର ଜୀବନର ଚାଞ୍ଚଲ୍ୟ ରାତି ଆଠଟା ପର୍ଯ୍ୟନ୍ତ ଓ ଆଠଟାରୁ ନ’ଟା ପର୍ଯ୍ୟନ୍ତ ନିହାତି ଧନ୍ଦା ନଥିବା କେତେକଙ୍କର ଖାମଖେୟାଲ ଚଳପ୍ରଚଳ ଏକ ଅବସନ୍ନତାରେ ପହଞ୍ଚେ ରାତି ଦଶଟାକୁ ଏବଂ ପରେ ପରେ ଠିକ୍ ନୂଆକରି ଜନ୍ମ ନେଇଥିବା ବିଜ୍ଞାପିତ ଅଞ୍ଚଳର ଜଖମ ବାର ଲାଇଟ୍‍ର ଝାପ୍‍ସା ଆଲୋକ ଭିତରେ ସ୍ପଷ୍ଟ ହୁଅନ୍ତି ଦୋକାନ ସାମ୍ନାମାନଙ୍କରେ କେତୋଟି ଅଧାଭଙ୍ଗା କାଠବେଞ୍ଚ, ଛକ ଉପରେ ଅଳିଆ ଗଦା ଭିତରୁ ଗଡ଼ିଯାଇଥିବା କଟାପଇଡ଼ ଓ ବିପର୍ଯ୍ୟସ୍ତ ଭାବରେ ବୁଲୁଥିବା ଗୋରୁଗାଈ, କୁକୁର ଇତ୍ୟାଦି । ନବସାହୁ ଦୋକାନରେ ପାଣିଧୂପ ଦିଅନ୍ତି ଓ ଗାଁ ନିକଟ ବୋଲି ଦୋକାନ ପିଲାମାନଙ୍କୁ ଭୋର ପାଞ୍ଚଟାରେ ଆଞ୍ଚ ଧରିବାକୁ ତାଗିଦ୍ କରି ଖଣ୍ଡିଏ ବିଡ଼ିରେ ନିଆଁ ଧରାଇ ଘରକୁ ବାହାନ୍ତି ।

 

ଏଇ ପ୍ରାତ୍ୟହିକ କର୍ମର ସମାପ୍ତି ପରେ ଗତ ରାତିରେ ଯେତେବେଳେ ନବସାହୁ ଘରକୁ ଯିବାପାଇଁ ଥାଟ ନଥିବା ଲଣ୍ଠନ ଲଗାଉଥାନ୍ତି ସେହି ସମୟରେ ଡାକରା ପାଇଲେ ପାର୍ଟି ମିଟିଂରେ ଯୋଗ ଦେବାକୁ ।

 

ସମ୍ବାଦଟି ନିଶ୍ଚିତ ନବସାହୁ ପାଇଁ ବିସ୍ମୟକର ଥିଲା ଓ ସେଥିପାଇଁ ବହୁ ଭିନ୍ନ ଭିନ୍ନ ଧାରଣାର ତରଙ୍ଗ ତାଙ୍କ ମନରେ ସୃଷ୍ଟି ହେଉଥିଲା । ସେ ତାଙ୍କ ବ୍ୟକ୍ତିତ୍ୱର ପରିସର ଓ ପ୍ରଭାବ ସମ୍ପର୍କରେ ସଚେତନ । ତେଣୁ ପାର୍ଟି ମିଟିଂ ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ତାଙ୍କର ନିମନ୍ତ୍ରଣ କିମ୍ବା ଡାକରା ତାଙ୍କ ଭିତରେ କିଛିଟା ସନ୍ଦେହ ଆଣିବା ସ୍ୱଭାବିକ ଯେହେତୁ ନେତାଙ୍କ ଠାରୁ ତାଙ୍କର ଦୂରତ୍ୱର ସୀମା ନିର୍ଦ୍ଧାରିତ, ପୁଣି ଅନ୍ୟ ସ୍ୱଭାବିକ ସମୟରେ ନୁହେଁ, ଭୋଟବେଳେ ପଛଧାଡ଼ିରୁ ବସି ନେତାଙ୍କ ମୁହଁ ସହିତ ସାମ୍ନାସାମ୍ନି ହେଇଗଲେ ସେ କୃତଜ୍ଞତାରେ ହସି ଦିଅନ୍ତି ଓ ‘ସାହୁଏ ଭଲ ଅଛ’ର ପଦ ମଧ୍ୟରେ ସେ ନେତାଙ୍କର ମହାନୁଭବତାକୁ ପ୍ରତ୍ୟକ୍ଷ କରନ୍ତି । ତଥାପି ଡାକରାଟି ଭାଗ୍ୟୋଦୟର ପ୍ରଥମ ସୂଚନା ପରି ମନେ ହେଇଥିଲା ନବସାହୁଙ୍କୁ । ସେଇ ଲଣ୍ଠନଟି ହାତରେ ଧରି ଏକ ପ୍ରକାର ଗୋଟିଏ ଅଦୃଶ୍ୟ ଆକର୍ଷଣରେ ସେ ଚାଲି ଯାଇଥିଲେ ପାର୍ଟି ମିଟିଂକୁ ।

 

ସହରର ସମସ୍ତ ମାନ୍ୟଗଣ୍ୟ ବକ୍ତି ଯେମିତି ନବସାହୁଙ୍କୁ ଅପେକ୍ଷା କରିଥିଲେ ଦୀର୍ଘ ସମୟଧରି । ନବସାହୁ ସେହି ଅପ୍ରସ୍ତୁତ ଅବସ୍ଥାରେ ବିନମ୍ର ନମସ୍କାର ସାରି ତାଙ୍କ ସ୍ୱଭାବିକ ସ୍ଥାନ ବାଛି ନେଉଥିଲା ବେଳେ ନେତା ନିଜେ କିନ୍ତୁ ତାଙ୍କ ନିକଟରେ ଥିବା ଅକ୍ଷୋକୃତ କ୍ଷୁଦ୍ର ସ୍ଥାନଟିରେ ବସିବା ପାଇଁ ନବସାହୁଙ୍କୁ ଅନୁରୋଧ କଲେ । ନବସାହୁ ହଜିଗଲେ ଏକ ମହନୀୟ ଚିନ୍ତାରେ । ଦୀର୍ଘ ଜୀବନର ଏଇଟି ତାଙ୍କର ପ୍ରଥମ ଅନୁଭୂତି । ତାଙ୍କର ମନେହେଲା ଏ ସମୁଦାୟ ବିଶ୍ୱବ୍ରହ୍ମାଣ୍ଡ ସ୍ଥାବର ଜଙ୍ଗମ କୀଟ ପତଙ୍ଗର ସୃଷ୍ଟି ଓ ଲୀଳା ପଛରେ ଯେଉଁ ଅଦୃଶ୍ୟ ଶକ୍ତିଟିର ହାତ ରହିଛି ସେ, ପୁଣି ସୃଷ୍ଟିର ମଙ୍ଗଳ ବିଧାନ ନିମନ୍ତେ ମରଦେହରେ ଅଗତରେ କଥାଟି ମିଛନୁହେଁ । ଭକ୍ତ ଭଗବାନର ଏକ ତନ୍ମୟ ବିହ୍ୱଳତାରେ ନବସାହୁ ଆସନ ଗ୍ରହଣ କଲେ ଓ ସେ ଏମିତି ଏକ ମାନସିକତାରେ ପହଞ୍ଚି ଯାଇଥିଲେ ଯେ ହୁଏତ ସେ ଭାବକୁ ଯଦି ପ୍ରକାଶ କରିଦେଇଥାନ୍ତେ ତେବେ···· ଆଉ କାହିଁକି ପରୀକ୍ଷା, କହନ୍ତୁ, ଆଦେଶ ଦିଅନ୍ତୁ ଯଦି ଏ କ୍ଷୁଦ୍ର ଗୁଣ୍ଡୁଚି ପ୍ରଭୁଙ୍କର କୌଣସି କାମରେ ଆସିପାରେ ଇତ୍ୟାଦି ସଂଳାପରେ ରୂପାନ୍ତରିତ ହୋଇଥାନ୍ତା ନିଶ୍ଚୟ ।

 

ସାହୁଙ୍କ ଉଦ୍ଦେଶ୍ୟରେ ଅପେକ୍ଷା କରିଥିବା ନେତା କହିଲେ ! ବୁଝିଲ ସାହୁଏ ! ଦେଶ ପୁଣି ଥରେ ସ୍ୱାଧୀନତା ପାଇଲା । ନବସାହୁ ନେତାଙ୍କ କଥାରେ ସାମାନ୍ୟ ବିସ୍ମିତ ହେଲେ, କାହିଁ ଆମ ସମୁଦ୍ରକୂଳିଆ ଦେଶମାନଙ୍କରେ ତ ଲୁଣ ମରାଯାଇନି କିମ୍ବା ଆମେ କଳ ଲୁଗା ପେଡ଼ିନୁ—ତା’ଛଡ଼ା ଗାନ୍ଧୀ ମହାତ୍ମା ତ କଉଁ ଦିନରୁ ମରିଗଲାଣି । ତେବେ ଏମିତିଗୁଡ଼ାଏ କଥା ଉଠାଇ ନିଜର ଅଜ୍ଞତା ପ୍ରକାଶ କରିବାର ଝୁଙ୍କ୍‍କୁ କୌଣସି ପ୍ରକାର ଚାପିଦେଇ ବୋକାଳିଆ ଚାହାଣୀରେ ସାହୁ ଅପେକ୍ଷା କଲେ ନେତାଙ୍କର ଅବଶିଷ୍ଟ କଥାକୁ । ନେତା ତାଙ୍କ ବକ୍ତବ୍ୟ ପୂର୍ଣ୍ଣ କଲେ ! ଲୋକନାୟକ ଜୟପ୍ରକାଶ ଡାକରା ଦେଇଛନ୍ତି ଦେଶରେ ପୂର୍ଣ୍ଣାଙ୍ଗ ବିପ୍ଳବ ଆଣିବାକୁ । ତାଙ୍କର ଏ ଡାକରାକୁ ଗାଁଠାରୁ ସହରର ଲୋକମାନଙ୍କୁ ମୁକାବିଲା କରିବାକୁ ପଡ଼ିବ । କଣ କହୁଚ ! ସାହୁଙ୍କୁ କିଛି କହିବାକୁ ପଡ଼ିବ । କଣ ସେ କହିବେ ତାଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ପଡ଼ିଲା । ସେ ଗୋଟିଏ ହାଇ ମାରିଲେ ଓ ବାଁହାତ ଆଙ୍ଗୁଳିଗୁଡ଼ିକ ନେଇ– ମୁଣ୍ଡର ଛୋଟ ଛୋଟ କରଡ଼ା ବାଳ ଭିତରେ କିଛି ସମୟ ଚଳପ୍ରଚଳ କଲେ । ପରେ ସେ ଆଁଟାକରି ନେତାଙ୍କ ମୁହଁକୁ ଚାହିଁଲେ ଯାହାର ଅର୍ଥ ହେଲା ମୁଁ କେତେଗୁଡ଼ିଏ ଶବ୍ଦ ମାତ୍ର ଶୁଣିଲି– ଯେଉଁ ଶବ୍ଦଗୁଡ଼ିକର କିଛି ତାଳମାନ ଅଛି ଓ ସେ ସବୁ କାନରେ ଧକ୍‍କା ଖାଇବାର ପ୍ରକ୍ରିୟା ଠିକ୍ ଚାଲିଛି । କିନ୍ତୁ ସେ ଶବ୍ଦଗୁଡ଼ିକ ମିଶିଗଲା ପରେ ଭାବର ଯେଉଁ ଚିତ୍ରଟିଏ ଆଙ୍କିଦିଅନ୍ତି ସେ ଚିତ୍ରକୁ ମୁଁ ସାକ୍ଷାତ କରି ପାରୁନି । ଶବ୍ଦ ମୋ ପାଇଁ ନିରର୍ଥକ, ମୋତେ ଚିତ୍ର ଦେଖାଅ । କିନ୍ତୁ ସାହୁଙ୍କର ଏହି ଅସହାୟ କିମ୍ବା ଅସମର୍ଥ ଅବସ୍ଥାଟିକୁ ବୋଧହୁଏ କେହି ଠିକ୍ ଧରିପାରୁ ନଥିଲେ । କାରଣ ତାଙ୍କ ନିରବତାକୁ ଅଧିକ ସୁଯୋଗ ନଦେଇ ନେତା ପୁନର୍ବାର ପ୍ରଶ୍ନକଲେ କଣ କହୁଚ ସାହୁଏ ?

ନେତାଙ୍କର ଶେଷ ପ୍ରଶ୍ନଟି ନବସାହୁଙ୍କ ପାଇଁ ଏକ ଆହ୍ୱାନ ପରି ଥିଲା । ସେ ସେହି ଅବୋଧ୍ୟ ନବସ୍ୱାଧୀନତାର ଭାବଧାରାଟିକୁ ଜୋରକରି ନିଜ ଚିନ୍ତାରେ ଖେଳାଇଦେଇ ତା’ର ସଫଳ ପ୍ରବକ୍ତା ପରି ଉତ୍ତର ଦେଲେ । ଏତେ ବଡ଼ ଲୋକ ଯେତେବେଳେ କହିଛନ୍ତି, କାମଟା ହାତକୁ ନେବା ଆଉ । ଗୋଟାଏ ନିଶ୍ଚିତ ହାସ୍ୟରୋଳ ନେତାଙ୍କ ଉପସ୍ଥିତିରେ ଚାପ ଗୁଂଜରଣରେ ପରିଣତ ହେଲା ପରେ ନେତା ନବସାହୁଙ୍କ ଉପରେ କେତେକ ସାଂଗଠନିକ ଦାୟିତ୍ୱ ଅର୍ପଣକରି ପୂର୍ଣ୍ଣାଙ୍ଗ ବିପ୍ଲବର ଏକ ମୋଟାମୋଟି ଧାରଣା ଦେଇ କାର୍ଯ୍ୟକ୍ରମର ସମାପ୍ତ ଘୋଷଣା କଲେ ।

ନିସ୍ତବ୍‍ଧ ଅର୍ଦ୍ଧ ରାତ୍ରରେ ନବସାହୁ କିଛି ସମୟ ଠିଆହୋଇଥିଲେ ରାସ୍ତା ଛକରେ । ଦୋକାନ ସାମ୍ନା ମୁଖଚାଳୀମାନଙ୍କରେ ସନ୍ତୁଷ୍ଟ ନାଗରିକମାନେ ଶୋଇଯାଇଛନ୍ତି । ସାହୁଏ ଅନୁଭବ କରୁଥିଲେ ପ୍ରକୃତରେ ଏମାନେ ନୂଆକରି ସ୍ୱାଧୀନତା ପାଇଛନ୍ତି । ଅନ୍ୟଥା କାହାରି ଉପସ୍ଥିତି, ବିଶେଷ କରି ଏଇ ସ୍ୱାଧୀନତାକୁ ପୂର୍ଣ୍ଣ ରୂପଦେବାର ଦାୟିତ୍ୱ ଯେଉଁ ବ୍ୟକ୍ତିଟି ଉପରେ ନ୍ୟସ୍ତ କରାଯାଇଛି ସେହି ନବସାହୁଙ୍କ ଉପସ୍ଥିତିରେ ଏମାନେ ଏମିତି ଶରୀରକୁ ଅନାବୃତ୍ତ କରି ଶୋଇ ନଥାନ୍ତେ ନିଶ୍ଚିନ୍ତରେ; କିମ୍ବା ସେହି ନାଇଟ୍ ପେଟ୍ରୋଲର କନେଷ୍ଟବଲଟି ବିଜ୍ଞାପିତ ଅଞ୍ଚଳର ନିରାପତ୍ତାର ଦାୟିତ୍ୱକୁ ନିଜର ମୁନିଆ ମୁନିଆ ନିଶରେ ଝୁଲାଇଦେଇ ଦୁଇଖଣ୍ଡ ବେଞ୍ଚ ଯୋଡ଼ି ଆରାମରେ ଘୁଙ୍ଗୁଡ଼ି ମାରୁ ନଥାନ୍ତା ।

ଏକ ନୂତନ ବ୍ୟକ୍ତିତ୍ୱର ଅନୁଭବରେ ସ୍ଫୀତ ନବସାହୁ ସେମାନଙ୍କୁ କ୍ଷମା ଦେଲେ । ହଠାତ୍ ଗୋଟିଏ ଧାରଣା ମହତ ବାକ୍ୟଟିଏରେ ପରିଣତ ହେଲା ତାଙ୍କ ମୁହଁରେ । ଗୋଟିଏ ଲୋକର ମହତ୍ ଦାନକୁ କୋଟିଏ ଲୋକ ଭୋଗ କରନ୍ତି । ଶୁଅନ୍ତୁ ବିଚାରାମାନେ !

ଏହି ଘୋଷଣାଟି ପରେ ନବସାହୁ ନିଜର ଅସ୍ତିତ୍ୱ ଭୁଲିଗଲେ । ତାଙ୍କ ମନରୁ ଅନ୍ତର୍ହିତ ହେଇଗଲା ଦୋକାନ ଆଞ୍ଚ ନିକଟରେ ଖଣ୍ଡିଏ କାଠଭାଡ଼ି ଉପରେ ଚାରିଚଉତା ଅଖା ଖଣ୍ଡିକରେ ବସି ଢୋଳାଉଥିବା ନବସାହୁଙ୍କର ବୋକାଳିଆ ଚେହେରା । ସେ ଆଉ ଜଣେ ମଣିଷ···· ସେ ଛପନକୋଟୀ ଶୋଇ ପଡ଼ିଥିବା ଜନତାଙ୍କର ସଂପ୍ରତି ଜାଗ୍ରତ ପ୍ରତୀକ ରୂପ । ସେ ଜୟ ପ୍ରକାଶ, ଗାନ୍ଧୀ କିମ୍ବା ଗୋପବନ୍ଧୁ···· ଆଶ୍ୱାସନା ଦେଇଯାଉଛି ସମସ୍ତଙ୍କୁ– ଶୁଅରେ ପୁଅମାନେ, ଠିକଣାବେଳେ ଡାକିଦେବି ତମମାନଙ୍କୁ ।

ଗତ ରାତିରେ ମିଷ୍ଟାନ୍ନ ବ୍ୟବସାୟୀ ନବସାହୁର ଛୋଟ ମୁଣ୍ଡରେ ଜାତୀୟତାର ଯେଉଁ ନୂଆ ଧାରଣାଟି ପଶିଗଲା ସେଥିରେ ସେ ଏତେ ତନ୍ମୟ ହେଇ ପଡ଼ିଥିଲେ, ଫଳରେ ଘରେ ପହଞ୍ଚୁପହଞ୍ଚୁ କେଉଁ ଦିନର ପୁରୁଣା ଲୁଗା ବୁଜୁଳାଟିକୁ ଦରାଣ୍ଡି ପକାଇ ସେଥିରୁ ସେ କାଢ଼ି ଆଣିଥିଲେ ଆସନା ଗାନ୍ଧୀ ଟୋପିକୁ । ସେଇଟିକୁ ମୁଣ୍ଡରେ ଦେଇ ସେ ଝାପ୍‍ସା ଆଲୋକ ଭିତରେ ଅଇନାଟିଏ ଧରି ନିଘା କଲେ ସେଇ ମୁହଁକୁ···· ଅନେକ ସମୟ ଧରି···· କାହାର ସେ ମୁହଁ ! ଚିହ୍ନା ଚିହ୍ନା; ପୁଣି ଅଚିହ୍ନା ହେଇ ଯାଉଛି ତେଲ-ଅଗରା କିମ୍ବା ଦାଲଦା-ରିଫାଇନ୍ ଭିତରେ । କିନ୍ତୁ ସେ ସମ୍ପୂର୍ଣ୍ଣ ହଜିଯାଇନି, ବଞ୍ଚିଛି ବଡ଼ ଜୀର୍ଣ୍ଣଶୀର୍ଣ୍ଣ ଭାବରେ– ଦରକାର ବେଳେ ଚେଇଁ ଉଠେ । ତାକୁ ଚିହ୍ନିଛି ନବସାହୁ ଅତି ଅନ୍ତରଙ୍ଗ ଭାବରେ । ଚାଳିଶ ପଚାଶ ବର୍ଷତଳେ ତାକୁ ସେ ଭେଟିଥିଲା ଇରମ ବା ଶ୍ରୀଜଙ୍ଗର ସମୁଦ୍ର କୂଳେ କୂଳେ ଦେଶୀଲୁଣର ସ୍ତୂପମାନଙ୍କରେ ତ୍ରିରଙ୍ଗ ପତାକା ପୋତୁଥିଲାବେଳେ···· ସେଇ ସେ ନବସାହୁ···· ପଚାଶ ବର୍ଷ ପରେ କାହାର ଡାକରାରେ ନିଜକୁ ଭୁଲିଯାଇ ଖଣ୍ଡିଏ ଖଦଡ଼ ଟୋପିର କୁହୁକ ଭିତରେ ନିଜର ଗୋଟିଏ ନୂତନ ପରିଚୟ ତିଆରିଛି ନିଜ ପାଇଁ ।

ରାତିରେ ଆଉ ନବସାହୁ ଶୋଇ ପାରି ନଥିଲେ । ସେ ଦାଣ୍ଡ ପିଣ୍ଡାରେ ବସି ଶୂନ୍ୟ ଆକାଶକୁ ଚାହିଁ ପଚାଶବର୍ଷ ତଳର ପରିଚୟ ହଜିଯିବାର ଇତିହାସକୁ ରୋମନ୍ଥନ କରୁ କରୁ ଅପେକ୍ଷା କରୁଥିଲେ ପରଦିନ ସକାଳକୁ ।

ନବସାହୁ ଖୋଜୁଥିଲେ ଟୋପି ହଜିଯିବାର ଇତିହାସକୁ । ଗାନ୍ଧୀବୁଢ଼ା ସାଧାରଣ ଲଜ୍ଜା ନିବାରଣକୁ ମାନିନେଇ ଛାତିରେ ଖଣ୍ଡେ ଜାମା ଦେଲାନି ଯେ ଗୁଳି ଆସି ସିଧା ଭେଦିଲା ଛାତି ପଞ୍ଜରାକୁ । ଫେରେ ତାରି କଥାକୁ କାମରେ ପରିଣତ କରିବାପାଇଁ ଠିକା ନେଇଥିବା ଲୋକମାନଙ୍କ ମୋଟର କାରରେ ଗୁଳି ଭେଦିବାର ଜୁ ନଥିଲା । ଏଇଠି ବୋଧହୁଏ ରହିଗଲା କେଉଁଠି ଫାଙ୍କ···· ଏଇ ଗାନ୍ଧୀବୁଢ଼ାର କଥା ଆଉ ଠିକାଦାରମାନଙ୍କ କାମ ଭିତରେ... ଯେଉଁଠି ଅତି ଦୟନୀୟ ଭାବରେ ଟୋପିଟି ହଜିଗଲା, ଆଉ ଜଳକା ଲୋକଗୁଡ଼ାକ ଯାହାର ଟେର ପାଇଲେ ନାହିଁ । କିନ୍ତୁ ଏଥର ଆଉ ଏ ଟୋପି ହଜିଯିବନି, ଏକ ଦୃଢ଼ ନିଷ୍ପତ୍ତିରେ ପହଞ୍ଚି ନବସାହୁ ଠିଆ ହୋଇ ପଡ଼ିଲାବେଳେ ହଠାତ୍ ଶୁଭ କାଉଟିଏ କେଉଁଠି ଥିଲା କା କା କରି ସକାଳର ଆରମ୍ଭ ଘୋଷଣା କଲା । ନବସାହୁ ସକାଳର କାମ ଶେଷ କରି ସେଇ ବନ୍ଧାଗତ ପୋଷାକ ସହିତ ଦୋକାନକୁ ଚାଲିଲେ ।

 

ଏଇ ବ୍ରାହ୍ମ ମୁହୂର୍ତ୍ତରେ ନବସାହୁଙ୍କ ଗତରାତିର ଅନୁଭବ ଅଧିକ ଜୀବନ୍ତ ଓ ସକ୍ରିୟ ହେଉଛି ଗାନ୍ଧୀଟୋପି ଓ ସ୍ୱଦେଶୀ ପୋଷାକର ସଂସ୍ପର୍ଶରେ । ତାଙ୍କ ଚାଲିର ଗାମ୍ଭୀର୍ଯ୍ୟ, ପ୍ରଶାନ୍ତ ମୁଖମଣ୍ଡଳ ପୁଣି ଚାହାଣୀର ଦୃଢ଼ତା ଆଜି ନବସାହୁଙ୍କର ପରିଚୟକୁ ବାହାର ଦୃଷ୍ଟିରେ ରହସ୍ୟମୟ କରିଦେଇଛି । ସେ ରାସ୍ତାରେ ଚାଲି ଯାଉଥିବାବେଳେ ଅନୁଭବ କରୁଥିଲେ ଆଜି ଲୋକମାନଙ୍କର ସମ୍ଭ୍ରମତା ରହିଛି । କାରଣ ଅନ୍ୟ ଦିନ ମାନଙ୍କରେ ପୋଖରୀପାଣି ବସି ଥିବା ଲୋକଟି ଦୁଇଆଣ୍ଠୁ ସନ୍ଧିରେ ମୁଣ୍ଡଟିକୁ ମାଡ଼ିଦେଇ ତାଙ୍କ ଗଳା ଖଙ୍କାର ଶୁଣିନପାରୁ ଥିବାର ଅଭିନୟ କରୁଥିଲା ବେଳେ ଆଜି ଅନେକ ପୂର୍ବରୁ ଉଠିପଡ଼ି ଜଣେ ନିରୀହ ବ୍ୟକ୍ତି ପରି ମୁଣ୍ଡ ତଳକୁ କରି ଠିଆ ହୋଇଛି, ଧାନକିଆରୀରେ ପାଣି ସିଆର କାଟି ସାହୁଙ୍କ ପ୍ରତି ଉଦାସୀନ ବ୍ୟକ୍ତିଟି ମାଛଙ୍କର ଗତିବିଧି ଲକ୍ଷ୍ୟ କରୁଥିଲା ବେଳେ ଆଜି ଅଣ୍ଟାରେ ହାତ ଦେଇ ତାଙ୍କୁ କଣେଇ କଣେଇ ଚାହୁଁଛି; ପୁଣି ଭୋର ବସ୍‍କୁ ଧରିବା ପାଇଁ ମୁହଁ ତଳକୁ କରି ଝପଟୁଥିବା ଯାତ୍ରୀମାନେ ଅକସ୍ମାତ ପଛକୁ ଫେରି ସାହୁଙ୍କୁ ବାଟ ଛାଡ଼ି ଦେଉଛନ୍ତି ।

 

ଲୋକମାନଙ୍କର ଏହି ଆକସ୍ମିକ ବ୍ୟବହାରରେ ନବସାହୁ ବେଶ୍ ଉଲ୍ଲସିତ ହେଲେ ଓ ସେମାନଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ମୁହଁରେ ମୃଦୁହସ ପ୍ରକାଶ କରି ସେମାନଙ୍କୁ ଅତିକ୍ରମ କଲେ ।

 

ଶେଷରେ ନବସାହୁ ତାଙ୍କ ଦୋକାନରେ ପହଞ୍ଚିଗଲେ ଓ ତାଙ୍କ ନିର୍ଦ୍ଧାରିତ ଆସନକୁ ନ ଯାଇ ଗରାଖମାନଙ୍କ ପାଇଁ ଉଦ୍ଦିଷ୍ଟ କେତୋଟି କାଠବେଞ୍ଚରୁ ଗୋଟିକର ଏକ ଅଂଶ ଅଧିକାର କଲେ । ଆଜି ବସିବାର ଗୋଟାଏ ସ୍ୱାତନ୍ତ୍ର୍ୟ ଥିଲା– ନବସାହୁ ଗୋଡ଼ ଦୁଇଟିକୁ ଉଠାଇ ଚକାପାରି ବସିଥିଲେ ଓ ରାସ୍ତାକୁ ନିଘା କରୁଥିଲେ ସେ ଦିନର ନାଗରିକମାନଙ୍କୁ ସ୍ୱାଗତ କରିବାକୁ, ସମ୍ଭବ ହେଲେ ତାଙ୍କ ନୂତନ ମନ୍ତ୍ରରେ ସେମାନଙ୍କୁ ଦୀକ୍ଷିତ କରିବାକୁ ।

 

ଆଜି ଦୋକାନରେ ଗହଳୀ ହେବାକୁ ବିଳମ୍ବ ହେଲାନି । ସମୁଦାୟ ଦୋକାନକୁ କୋଇଲା ଧୂଆଁରେ ଆଛାଦିତ କରି ଦୋକାନୀ ଟୋକାର ଆଞ୍ଚ ଉଠାଇବାର ଉଦ୍ୟମ ସତ୍ୱେ ଜଣେ ଜଣେ ଆସି ଦୋକାନର ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବେଞ୍ଚ ଅଧିକାର କରୁଥିଲେ । ସକାଳୁ ସକାଳୁ କପେ ଚା’ର ଆବଶ୍ୟକତା ଅପେକ୍ଷା ନବସାହୁଙ୍କ ପୋଷାକ ପରିବର୍ତ୍ତନର କାରଣ ସେମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ସେମାନେ ନବସାହୁଙ୍କୁ ଏମିତି ଗୋଟିଏ ନୂଆ ରୂପରେ ଆଶା କରି ନଥିଲେ ଯେହେତୁ ଅନ୍ୟଦିନ ହେଇଥିଲେ ଅନୁମାନ କରି ବି ସେମାନେ କହିଦେଇ ପାରିଥାନ୍ତେ କାଠ ଭାଡ଼ିଟି ଉପରେ ଚାରିଚଉତ ଅଖାକୁ ମାଡ଼ି ନବସାହୁ ଢୋଳଉ ଢୋଳଉ ଆଗକୁ ଝୁଙ୍କି ପଡ଼ୁଛନ୍ତି ଓ ସମୟରେ ମୁଣ୍ଡକୁ ସ୍ଥିର ରଖିବା ପାଇଁ ବାଁ ହାତଟି ମୁଣ୍ଡରେ ଭରା ଦେଉଛନ୍ତି । କିନ୍ତୁ ଆଜି ସେହି ନବସାହୁ ବସିଛନ୍ତି ଅନ୍ୟ ଏକ ସ୍ଥାନରେ, ପୁଣି ନୂଆ ଢଙ୍ଗରେ ଅନ୍ୟ ଲୋକଟିଏ ପରି । ସେଇଟା ହିଁ ଲୋକମାନଙ୍କ ପାଇଁ କୌତୁହଳର କଥା ।

 

ସେଇ କ୍ରମବର୍ଦ୍ଧିଷ୍ଣୁ ଜନତା ସହିତ ପୂର୍ଣ୍ଣାଙ୍ଗ ବିପ୍ଲବ ଓ ତା’ର ସାଙ୍ଗଠନିକ ରୂପରେଖ ସମ୍ପର୍କରେ ନବସାହୁ ଆଳାପ ଆଲୋଚନା ଆରମ୍ଭ କରିଦେଲେଣି । ଜନତା ଉପଭୋଗ କରୁଛି ନବସାହୁଙ୍କ ପାଟିରେ ବଡ଼ ବଡ଼ ରାଜନୈତିକ ତତ୍ତ୍ୱକୁ ଶିଶୁକଣ୍ଠର ଦରୋଟି ଭାଷା ବା ଅଣଓଡ଼ିଆ କଣ୍ଠରେ ବଙ୍କାବଙ୍କା ଓଡ଼ିଆ ପରି । କଥା କଣ ଅର୍ଥ ବୁଝାଉଛି ବର୍ତ୍ତମାନ ବଡ଼କଥା ନୁହଁ, କହିବାର ଆନ୍ତରିକତା ଓ ଆଗ୍ରହ ବଡ଼କଥା । ନବସାହୁ କ୍ରମେ ତେଣୁ ତାଙ୍କର ଏକ ଦର୍ଶକମଣ୍ଡଳୀ ସୃଷ୍ଟି କରୁଛନ୍ତି ।

 

ଏକା ସମୟରେ ଦୋକାନୀ ଟୋକାର ପାଣିଧୂପ କ୍ରିୟା ଓ ଚା’ ପ୍ରସ୍ତୁତିର ପ୍ରାଥମିକ ପର୍ବ ଆରମ୍ଭ ହୋଇଗଲାଣି । ଅନ୍ୟଦିନ ହୋଇଥିଲେ ସେଇ କର୍ମମାନଙ୍କରେ ଥିବା ସାଧାରଣ ତ୍ରୁଟିକୁ ଲକ୍ଷ୍ୟକରି ଗୁଡ଼ାଏ ଆମାର୍ଜିତ ଗ୍ରାମ୍ୟ ସମ୍ବୋଧନରେ ଦୋକାନୀ ଟୋକାକୁ ନବସାହୁ ହୁଏତ ଭର୍ତ୍ସନା କରି ସାରନ୍ତେଣି । କିନ୍ତୁ ଗତ ରାତିଠାରୁ ମଣିଷମାନଙ୍କ ପ୍ରତି ଏକ ସାଧାରଣ ସ୍ନେହ ପ୍ରବଣତାରୁ ନବସାହୁଙ୍କ ଦୃଷ୍ଟିରେ ଏହି ତ୍ରୁଟିଗୁଡ଼ିକ ଅତି ଗୌଣ ମନେ ହେଉଛି । ପୁଣି ଦୋକାନର ଅନତି ଦୂରରେ ଠିଆ ହୋଇଥିବା ନବସାହୁଙ୍କ ଭାଷାରେ ସହରର ‘ବାଲୁଙ୍ଗା’ ଟୋକା ନରିଆ, ଯେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଦୋକାନ ସାମଗ୍ରୀରୁ କିଛି ଉଠାଇନିଏ ତାକୁ ଦେଖି ନବସାହୁ ହସୁଛନ୍ତି ଓ ସମୟରେ ତା’ ସହିତ ଏକ ନୀରବ ସମ୍ପର୍କ ସ୍ଥାପନ କଲା ପରି ମୁଣ୍ଡ ଟୁଙ୍ଗାରୁଛନ୍ତି । ନରିଆ ସେମିତି ଠିଆ ହୋଇଛି ଓ କ୍ରମେ ଦୋକାନର ନିକଟକୁ ଲାଗି ଆସୁଛି ଯେମିତି ହାତ ବଢ଼ାଇ ଦେଲେ ଖାବାର ଡାଲାକୁ ହାତ ପାଇଯିବ ।

 

ହଠାତ୍ କି ଏକ ଅବ୍ୟକ୍ତ ଅନୁଭବରେ ନବସାହୁ ଉତ୍ତେଜିତ ମନେହେଲେ । କିଛି କହିବା ପୂର୍ବରୁ ଉପସ୍ଥିତ ଶ୍ରୋତୃମଣ୍ଡଳୀକୁ ଥମ୍‍ଥମ୍ ଦୃଷ୍ଟିରେ ଥରେ ଚାହିଁଗଲେ ଓ ପରେ ପରେ ସେହି ଭାବଟି ଥଣ୍ଡା ପଡ଼ିଗଲା ପରେ ସେ ପାଟି ଖୋଲିଲେ ! ଶୁଣିଲଣି... ଆରେ ମହାତ୍ମା ଗାନ୍ଧୀର କାଳିସୀ ଲାଗିଛି ଜୟପ୍ରକାଶକୁ... ଜୟପ୍ରକାଶ, ପଢ଼ିନା କାଗଜରୁ । କହିଛି... ଦେଶସାରା ପୂର୍ଣ୍ଣାଙ୍ଗ ବିପ୍ଳବ ହେବ... ଆରେ କହିଛି ମାନେ ହବ । ନବସାହୁ ଟିକେ ରହିଗଲେ ଓ ତନ୍ମୟ ହୋଇ କଣ ଭାବିଲା ପରି ମନେହେଲେ । ପରେ ତାଙ୍କର ଆଖି ଦୁଇଟି ଛଳ ଛଳ ହେଇଗଲା । ଅହା–ହା... ଶଳେ ଶାସକ ହେଇ ଘାତକ ହେଲେ । ଛପନକୋଟୀ ଲୋକ ପାଇଁ ପଦେ ସତ କହିଦେଲା ବୋଲି ମହାତ୍ମାଟାକୁ ନେଇ ଚୋର ତସ୍କର ପରି ଜେଲ ଠୁଙ୍କି ଦେଲ···· ଶେଷରେ ତା’ ‘କିଡ଼ିଣୀ’ ଦି’ଟାକୁ ଚୋରି କରିନେଲ । ଶଳା ଧର୍ମ ଅଛିରେ... ଆଖି ବୁଜି ଦେଇଛି ପରି ଲାଗୁଥିବ ସିନା, ସବୁବେଳେ ଜାଗ ତିଆର... ଟିପି ନେଇଥିଲା ଖାତାରେ । ଦେଖିଲ ନାହିଁ କେତେଟା ଦିନରେ କଣ ସବୁ ହେଇଗଲା ! ନବସାହୁ ଟିକେ ଦମନେଇ ପୁଣି ଆରମ୍ଭ କଲେ–– ସେଇ ଜୟପ୍ରକାଶ····ତାକୁ ଗାନ୍ଧୀ ମହାତ୍ମାର କାଳିସୀ ଲାଗିଛି···· ଗୋରା ଗଲେ, ଏଥର ଦେଶୀ କଳାଙ୍କ ପାଳି···· ।

 

ଆଣରେ କପେ ଚା···· ଦୋକାନୀ ଟୋକାକୁ ଡାକିଦେଇ ନବସାହୁ ଶ୍ରୋତାମଣ୍ଡଳୀକୁ ପ୍ରଶ୍ନ କଲେ କଣ ହବତ ପୂର୍ଣ୍ଣାଙ୍ଗ ବିପ୍ଲବ ? କିନ୍ତୁ ସେଇ ଗ୍ରାମ୍ୟ ସହରର ଜନତାଙ୍କ ନିକଟରେ ପୂର୍ଣ୍ଣାଙ୍ଗ ବିପ୍ଳବର ରୂପ ଏତେ ଅସ୍ପଷ୍ଟ ଥିଲା ଯେ ସେମାନଙ୍କର ଉତ୍ତର କଣ ହେବ ସେମାନେ ସ୍ଥିର କରି ନପାରି ଆପାତତଃ ସେମାନଙ୍କର ତ୍ରାଣକର୍ତ୍ତା ମନେ ହେଉଥିବା ନବସାହୁଙ୍କ ଉପରେ ଉତ୍ତର ଦାୟିତ୍ୱ ନ୍ୟସ୍ତ କଲେ ନୀରବରେ । ନବସାହୁ କଥାଟା ବୁଝିନେଲେ ଓ ଚା’କପର ପ୍ରଥମ ଢୋକ ନେଇ ହସି ହସି କହିଲେ ! ହବ ନିଶ୍ଚେ, ମହାପୁରୁଷଙ୍କ ବାଣୀ ଅବଶ୍ୟ ଫଳେ ।

 

ଠିକ୍ ଏଇ ଉତ୍ତେଜିତ ମୁହୂର୍ତ୍ତର ସୁଯୋଗ ନେଲା ନରିଆ ଓ ସତର୍କରେ ଦୁଇଟି ଲଡ଼ୁ ଉଠାଇ ନେଇ ଚମ୍ପଟ । ନବସାହୁଙ୍କ ମୁଣ୍ଡରେ ପୂର୍ଣ୍ଣାଙ୍ଗ ବିପ୍ଳବର ନିଶଟା ଗୋଟାଏ ବିଷ୍ଫୋରଣ ସୃଷ୍ଟିକଲା ହୁଏତ ଯାହା ଫଳରେ ଏକ ଘନ ଧୂମ୍ରପଟଳ ଭିତରେ କେତେଗୁଡ଼ିଏ ଲଙ୍ଗଳା ଭୋକିଲା ପିଲାଙ୍କର କେଁ କଟର ଶବ୍ଦ ଅଧିକ ସ୍ପଷ୍ଟ ହେଲା । ଦୃଶ୍ୟଟିକୁ ନବସାହୁ ଅତୀତରେ କେବେ ପ୍ରତ୍ୟକ୍ଷ କରି ନଥିଲେ ଓ ଆଜି ସ୍ପଷ୍ଟ ଦିବାଲୋକରେ ନରିଆର ଲଡ଼ୁଚୋରି ଘଟଣା ପରେ ତାକୁ ଅନୁଧ୍ୟାନ କରିବାର ଆଗ୍ରହ ନଥିଲା ତାଙ୍କର । ସେ ସେହି ଦର୍ଶକମାନଙ୍କୁ ଛାଡ଼ି ନରିଆ ପଛରେ ଏମିତି ଏକ ଦୌଡ଼ ପ୍ରତିଯୋଗିତା ଆରମ୍ଭ କରିଦେଲେ ଯେ ଉପସ୍ଥିତ ଶ୍ରୋତା ଘଟଣାର ମଜା ଉପଭୋଗ ପାଇ ଦୋକାନରୁ ବାହାରି ଆସି ରାସ୍ତାରେ ଠିଆ ହେଲେ । ସେହି ଦଉଡ଼ୁଥିବା ଅବସ୍ଥାରେ ନବସାହୁ ମନେ ହେଉଥିଲେ ଗ୍ରାମ୍ୟ ଅପେରାର ଏକ ସାମାଜିକ ଚରିତ୍ର ପରି । ଶେଷରେ ନବସାହୁ ନରିଆକୁ ଧରିନେଲେ ଓ ତା’ ହାତରୁ ଲଡ଼ୁ ଦୁଇଟି ଛଡ଼ାଇ ତାକୁ ଭିଡ଼ି ଭିଡ଼ି ଦୋକାନ ପର୍ଯ୍ୟନ୍ତ ଘେନି ଆସିଲେ-। ସେତେବେଳେ ନବସାହୁ ଖୁବ୍ ଉତ୍ତେଜିତ ମନେ ହେଉଥିଲେ ଓ ପୂର୍ଣ୍ଣାଙ୍ଗ ବିପ୍ଳବର ସ୍ଲୋଗାନ୍ ଛାଡ଼ି ନରିଆର ଜାତି–ଗୋଷ୍ଠୀ ଏବଂ ସେହି ଜାତିଗୋଷ୍ଠୀର କସ୍ମିନ୍‍ କାଳେ ଉନ୍ନତି ଅସମ୍ଭବ ଇତ୍ୟାଦି କଥାକୁ ନେଇ ଅବଶ୍ୟ କେତେକ ସଂଳାପ ଉଚ୍ଚାରଣ କରୁଥିଲେ । ଲଡ଼ୁ ଦୁଇଟି ପସରାରେ ଥୋଇଦେଲା ପରେ ତାଙ୍କର ଅବଶିଷ୍ଟ କାମ ହିସାବରେ ନରିଆକୁ କିଛି ମାଡ଼ ହୁଏତ ଦେଇଥାନ୍ତେ କିନ୍ତୁ ଜନତାର ଅନୁରୋଧରେ ତାକୁ ମୁକ୍ତି ଦେଇ ତାଙ୍କ ନିର୍ଦ୍ଧାରିତ ସେହି ଆସନ ଅଧିକାର କଲେ । ନରିଆ ପଛରେ ଦୌଡ଼ୁଥିଲା ବେଳେ ତାଙ୍କ ଟୋପିଟି ରାସ୍ତାରେ କୁଆଡ଼େ ପଡ଼ି ଯାଇଥିଲା ସେଥିପ୍ରତି ତାଙ୍କର ନଜର ନଥିଲା । ଅବଶିଷ୍ଟ ଜହର କୋଟ୍ଟା ଓ ପଞ୍ଜାବୀ ଖୋଲୁଖୋଲୁ ଉତ୍ତେଜନାରେ ସେ କହୁଥିଲେ ଶଳା ଏଇ ଗୁଡ଼ାଙ୍କୁ ନେଇ କୁଆଡ଼େ ପୂର୍ଣ୍ଣାଙ୍ଗ ବିପ୍ଲବ ହେବ... !

 

କିଛି ସମୟ ପରେ ସେଇବାଟେ ଯେଉଁମାନେ ଗଲେ ସେମାନେ ଦୋକାନର ନିର୍ଦ୍ଧାରିତ ସ୍ଥାନରେ ବସି ଢୋଳଉଥିବା ଅନ୍ୟ ଦିନମାନଙ୍କର ମୌଳିକ ନବସାହୁଙ୍କୁ ପୁନର୍ବାର ଦେଖିବାକୁ ପାଇଲେ ।

Image

 

ଶବ୍ଦ ତରଙ୍ଗ

 

ତୃତୀୟ ଥରପାଇଁ ଚରିତ୍ରଟି ସହିତ ଆସକ୍ତ ହେଇ ପଡ଼ିଲାବେଳେ ଚକ୍ରଧର ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ଯେ ପରିଣତି ତାକୁ ଏମିତି ଏକ ଜଟିଳସ୍ତରକୁ ଘେନିଯିବ ବୋଲି ।

 

ସେତେବେଳକୁ ଦୁଇ ଦୁଇ ଥର ଚକ୍ରଧରର ଭାବପ୍ରବଣତା ବିନଷ୍ଟ... ଦୁଇ ଦୁଇଥର ତା’ର ତନ୍ମୟତା ଧୂଆଁଳିଆ ଧରିଗଲା । ଜୀବନରେ ବଞ୍ଚିବା ମରିବାର ଅନାସ୍ୱାଦିତ ସ୍ୱାଦର ନିର୍ଦ୍ଦିଷ୍ଟ ଅନୁଭୂତି ସଂଗ୍ରହ କରିବାକୁ ଯାଉଥିଲା ବେଳେ ରାସ୍ତାରେ ଠାଏ ଅଟକି ଗଲା ଓ ତାକୁ ହଠାତ୍ ପୃଥିବୀଟା କାହିଁକି ସୌନ୍ଦର୍ଯ୍ୟମୟ ମନେ ହେଲା । ତାର ହେତୁ ଥିଲା । ସହରଟିରେ ଯେଉଁ ଝିଅକୁ ନେଇ ବହୁ ଗୁଜବ ଶୁଣାଯାଏ ଓ ଯାହାକୁ କେନ୍ଦ୍ରକରି ବିଭିନ୍ନ ସ୍ତରର ଲୋକ ତାକୁ କେତୋଟି ଟଙ୍କାରେ ଉଡ଼ାଯାଇପାରେ ବୋଲି ଦମ୍ଭୋକ୍ତି ପ୍ରକାଶ କରନ୍ତି ସେଇ ଝିଅଟି ନିର୍ଜନ ରାସ୍ତାରେ ଚକ୍ରଧରକୁ ଚାହିଁ ହସି ଦେଲା ଏବଂ କିଛି କହିବାକୁ ଭାବ ପ୍ରକାଶ କରୁଥିଲେ ବି ଚକ୍ରଧରର ଦୁର୍ବଳ ଅସହାୟ ବ୍ୟକ୍ତିତ୍ୱକୁ କଳିନେଇ କିଛି ନକହି ସେ ଚାଲିଗଲା ।

 

ଚକ୍ରଧର ନିକଟରେ ବଞ୍ଚିବା ମରିବାର ସଂଜ୍ଞା ବଦଳିଗଲା ମୁହୂର୍ତ୍ତକ ପାଇଁ । ସେ ତା’ର ବିରକ୍ତିକର ବସା ଘରଟିକୁ ଫେରି ଆସିଲା ଓ କୋଠରୀଟି ମଧ୍ୟରେ ବସିଗଲା କିଛି ସମୟ ଚୁପଚାପ । ଏଇଟା ତା ଜୀବନର ତୃତୀୟ ପରୀକ୍ଷା । ଏଇଟା ବି ଶେଷ ହୋଇପାରେ ଚକ୍ରଧର ପାଇଁ । କାରଣ ସେ ଶୁଣିଛି ମଣିଷର ପ୍ରବଣତା କ୍ରମାଗତ ଗୋଟାଏ ଦୁଃଖାନ୍ତକ ପରିଣତିରେ ପହଞ୍ଚିଲେ ସେଇଟା କ୍ରମେ କାଲୁଆ ହୋଇଯାଏ ଓ କିଛିଦିନ ପରେ ସେଇ କାଲୁଆ ଅବସ୍ଥା ଏମିତି ରୁକ୍ଷ ଓ କଠୋର ହୋଇଯାଏ ପରବର୍ତ୍ତୀ କାଳରେ ମଣିଷର ପ୍ରତ୍ୟେକଟି କାର୍ଯ୍ୟରେ ତାହା ପ୍ରକାଶିତ ହୁଏ । ସେ ଲୋକମାନଙ୍କ ଉପରେ ବିରକ୍ତି ପ୍ରକାଶ କରେ, ଜନସମାଜଠାରୁ ନିଜକୁ ଦୂରେଇ ନିଏ ଓ ସବୁଠାରୁ ଆଶ୍ଚର୍ଯ୍ୟ କଥା ସୁନ୍ଦରୀ ଝିଅ ବା କୌଣସି ସୁନ୍ଦର ପଦାର୍ଥ ଦେଖିଲେ ତାକୁ ନଷ୍ଟ କରିବାରେ ତା’ର ଏକ ଅହେତୁକ ଆନନ୍ଦ ଥାଏ ।

 

ଚକ୍ରଧର ଆତଙ୍କିତ ହୋଇପଡ଼େ– ସେ ଯଦି ସେହିପରି ଏକ ଅବସ୍ଥାରେ ପହଞ୍ଚି ଯାଏ ! ଥରେ ନୁହେଁ, ଦୁଇଥର ନୁହେଁ···· ଆଜି ତୃତୀୟଥର ପାଇଁ ପୂର୍ବପରି ତା’ର ପ୍ରବଣତା ଏକ ଚରିତ୍ର ସହିତ ଜଡ଼ିତ ହେବାକୁ ଯାଉଛି···· ଯାହା ବିଷୟରେ ସେ ଅନେକ କଥା ଶୁଣିଛି, ଅଥଚ ତାକୁ ବୁଝିବାରେ ସୁଯୋଗ ସେ କେବେ ପାଇନାହିଁ । ଚକ୍ରଧର ସିଦ୍ଧାନ୍ତ କରିନେଲା ଶେଷଥର ପାଇଁ ଅନ୍ତତଃ ଏଇ ପରୀକ୍ଷାଟିକୁ ହାତକୁ ନିଆଯାଇ ପାରେ ।

 

ଗୋଟିଏ ଉତ୍ତେଜନାରେ ଚକ୍ରଧର ଠିଆ ହୋଇ ପଡ଼ିଲା ଓ ଉଦ୍ଦେଶ୍ୟହୀନ ଭାବେ ସେ କୋଠରୀରେ ପଦଚାରଣ କରିବାକୁ ଲାଗିଲା । କିଛି ସମୟ ପରେ ତା’ ବିଛଣାରେ ବସି ପଡ଼ିଲା ଏବଂ ହାତ ଦୁଇଟି ଆଣ୍ଠୁ ଉପରେ ଭରାଦେଇ ଦୁଇ ପାପୁଲିରେ ମୁହଁଟିକୁ ଥୋଇଦେଲା । ସେତିକିରେ ସନ୍ତୋଷ ନଥିଲା– ସେ ତା’ର ଟ୍ରାନ୍‍ଜିଷ୍ଟାରଟିକୁ ଖୋଲିଲା ଓ ସିଲୋନ୍ ସେଣ୍ଟରର କେତୋଟି ପୁରାତନ ଫିଲ୍ମ ସଙ୍ଗୀତର ପୁନରାବୃତ୍ତି ତାକୁ ବିରକ୍ତିକର ମନେ ହେଲା । ଟ୍ରାନ୍‍ଜିଷ୍ଟାରଟିକୁ ବନ୍ଦ୍ କଲାପରେ କେତୋଟି ପତ୍ରିକାର ପୃଷ୍ଠା ସେ ଓଲଟାଇଲା ଏବଂ ସେ ଶବ୍ଦମାନେ ତା’ ନିକଟରେ କିଛି ଅର୍ଥ ପ୍ରକାଶ କଲେନି ।

 

ପୁନର୍ବାର ଟ୍ରାନ୍‍ଜିଷ୍ଟାର, ମେଗାଜିନ୍, ପଦଚାରଣ, ଟ୍ରାନ୍‍ଜିଷ୍ଟାର ପଦଚାରଣ, ମେଗାଜିନ୍, ପଦଚାରଣ, ଟ୍ରାନ୍‍ଜିଷ୍ଟାର···· ଶେଷରେ ସେ ସାଇକେଲ୍‍ଟା ଧରି ବାହାକୁ ବାହାରିଗଲା ।

 

ଠିକ୍ ରାସ୍ତାର ମୋଡ଼ ଭାଙ୍ଗିଲେ ସେଇ ଘରଟା ଯାହାର ଉପସ୍ଥିତି ଚକ୍ରଧର ମନରେ ଯଥେଷ୍ଟ ଘୃଣା ସୃଷ୍ଟିକରେ ଏବଂ ତା’ର ମନେହୁଏ ଯେମିତି ସେ ଘରର ପ୍ରତ୍ୟେକଟି ବୟସ୍କା ଓ ଯୁବତୀ ରୂପବତୀମାନେ ପ୍ରାଚୀନ ଓଡ଼ିଆ ସନ୍ଥ ସାହିତ୍ୟର କଥାବସ୍ତୁ : ପ୍ରକାଶ ଗୋଟେ ପ୍ରକାର, ଅର୍ଥ ଦ୍ୟୋତନା ଅନ୍ୟ ଧରଣର । ବିଶେଷ କରି ସେଇ ଘରର ପ୍ରଥମ ଚରିତ୍ରଟି ଯେ ଚକ୍ରଧରର ନିସ୍ତରଂଗ ଜୀବନରେ ପ୍ରଥମ ତରଂଗର ସୂତ୍ରପାତ କରିଥିଲା, ଅଥଚ ତରଙ୍ଗ ନିର୍ଦ୍ଦିଷ୍ଟ କୂଳ ଛୁଇଁବା ପୂର୍ବରୁ ମଝି ବାଟରେ ମେଳାଇ ଗଲା କୁଆଡ଼େ । ତରଙ୍ଗାୟିତ ମନର ଅକସ୍ମାତ ସ୍ଥିରତା ଚକ୍ରଧରକୁ ବିବ୍ରତ କରିଥିଲା କିଛିକାଳ ଓ ସେ ଅନୁଭୂତିଟା କଣ ବୋଲି ତା’ର ହେତୁ ଖୋଜୁ ଖୋଜୁ ଗୋଟାଏ ଅବ୍ୟକ୍ତ ଯଂତ୍ରଣାରେ ଚକ୍ରଧରର ଜୀବନଟା କରୁଣ ହୋଇଗଲା । ଚକ୍ରଧର ଠିକ୍ କରିନେଲା ଜୀବନରେ ଅନ୍ୟ କୌଣସି ବସ୍ତୁ ବା ଚରିତ୍ର ସହିତ ସେ ଆଉ ଭୁଲରେ ବି ଜଡ଼ିତ ହେବନି । ଏକ ସାମୟିକ ଉତ୍ତେଜନା ପରେ ସେ ଯେଉଁ ଶୂନ୍ୟତା ତାକୁ ସାମ୍ନାସାମ୍ନି କରିବା ଚକ୍ରଧର ପରି ଏକ ଦୁର୍ବଳ ବ୍ୟକ୍ତିତ୍ୱ ପକ୍ଷରେ ବି କଷ୍ଟକର । ଚକ୍ରଧର ସେମାନଙ୍କୁ ପଛ କରି ଦେଇଛି–– ସେମାନେ ଜୀବନ ବୁଝନ୍ତି ନାହିଁ, ବୁଝନ୍ତି ଜୀବନକୁ ଉତ୍ତେଜନାରେ ବାନ୍ଧି ରଖୁଥିବା ଆବଶ୍ୟକୀୟ ଉପାଦାନମାନଙ୍କୁ । ବିଶେଷ କରି ସେ ଖାନ୍‍କୀ ଟୋକୀଟା···· ଶଳା ମନ ହୃଦୟ କଣ ବୁଝେ ସେଇଟା । ଖଣ୍ଡେ ଶାଢ଼ୀ ବା ଗୋଟାଏ ସିନେମା ସୋ’ରେ ତା’ ପ୍ରେମ ସୀମିତ···· ଚକ୍ରଧର ଗୋଟାଏ ଅପ୍ରକାଶିତ ଦୁଃଖରେ ମୁହଁ ବୁଲାଇ ଆଗକୁ ଚାଲିଲା ।

 

ଚକ୍ରଧର ଚକ୍ରଧରକୁ ପଚାରେ–– ତୋ ଭିତରେ କିଛି ଭୁଲ୍ ରହି ଯାଉଛି କିରେ ! କାକୁସ୍ତ ଚକ୍ରଧରଟି ଭିତରୁ କହେ–– କେଜାଣି ! କିନ୍ତୁ ମୋ ଚେତନାରେ ଅରାଏ ସବୁ ସ୍ଥାନ ଅଛି, ସେ କେବେ ବିବର୍ଣ୍ଣ ହେଉନି, ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏକା ପରି... ବାହ୍ୟ ଚକ୍ରଧରକୁ ସେ ଉତ୍ତର ଦିଏ, ସେଇ ଅରାକ ସବୁଜ ହୋଇ ରହିବାରେ ହିଁ ମୋର ଦୁଃଖ···· ସବୁ ସତେଜ ସବୁଜ ଜିନିଷ । ଚରିତ୍ର ମୋତେ ଆନନ୍ଦ ଦିଏ... ତା ସହିତ ଛନ୍ଦି ହୋଇ ଗୋଟାଏ ତନ୍ମୟତାରେ ବୁଡ଼ି ରହିବାକୁ ମୋତେ ପ୍ରେରଣା ଦିଏ । ଅଥଚ ମୁଁ ବୁଝିଛି ବାହ୍ୟ ଚକ୍ରଧର– ସେଥିରେ ଦୁଃଖ ଯଂତ୍ରଣା ଅନେକ···· ବନ୍ଧୁଙ୍କର ଅସହିଷ୍ଣୁ ମନ୍ତବ୍ୟରେ ଦୁନିଆର ଏକ ପ୍ରଶସ୍ତ ଟେବୁଲ୍ ଉପରେ ମୁଁ ଯେମିତି ଏକ ପିଂପଂ ବଲ୍, କେବଳ ପଡ଼ିବା ଉଠିବା ଓ ଅନିର୍ଦ୍ଦିଷ୍ଟ ପଥରେ ଘୂରିଯିବା... କଣ କରିବି ! ଇଚ୍ଛା କରି ବି ସେ ପ୍ରବଣତା ଟିକକ ମନରୁ ବିଚ୍ଛିନ୍ନ କରି ହେଉନି ଯେମିତି ମାଂସ ଦେହରୁ ସେ ଚର୍ବି ମେଞ୍ଚାକ ସତର୍କରେ ବିଚ୍ଛିନ୍ନ କରିଦିଏ ମାଂସ ବିକାଳୀ ।

 

ଛାଡ଼ ! ବାଜେ କଥା... ଚକ୍ରଧର ମଣିଷ ବୋଲି ନିଜକୁ ଗ୍ରହଣ କରିନିଏ । ସ୍ୱାଭାବିକ ଦୋଷ ଦୁର୍ବଳତା... ବଂଧୁଙ୍କ ମୁହଁରେ ଛେପ ।

 

ୟା’ ମଧ୍ୟରେ ଚକ୍ରଧର ଦ୍ୱିତୀୟ ଘରଟି ନିକଟରେ ପହଞ୍ଚିଯାଇଛି···· ଏଇ ଘର, ଚକ୍ରଧର ଭିତରେ ତନ୍ମୟତା ଜମାଟ ବାନ୍ଧେ । ଗୋଟିଏ ଗୋଟିଏ ଘର, ଗୋଟିଏ ଗୋଟିଏ ଚରିତ୍ର ମଣିଷର ଗତିହୀନ ଜୀବନକୁ କେମିତି ଗତିଶୀଳ କରିଦିଏ ! ତାର ମନେ ନାହିଁ···· ତେବେ ସେ ଥିଲା ନିଗୃହୀତ···· ଅନ୍ୟମାନଙ୍କ ଚକ୍ଷୁରେ ଏକ ସ୍ୱତନ୍ତ୍ର ଚରିତ୍ର, ଯାହାର ଲକ୍ଷ୍ୟ ନାହିଁ, ରୁଚି ନାହିଁ···· ଜୀବନର ସୌନ୍ଦର୍ଯ୍ୟବୋଧ ସହିତ କୌଣସି ପରିଚୟ ନାହିଁ । ଅଥଚ ସେଇ ଘର ଭିତରୁ ଡେଇଁଡେଇଁ ଫାଟକ ପର୍ଯ୍ୟନ୍ତ ଦଉଡ଼ି ଆସିଥିଲା ଗୋଟିଏ ଚରିତ୍ର ଯେ ଚକ୍ରଧରର ଧୂସର ଚକ୍ଷୁ ଓ ବିବର୍ଣ୍ଣ ଶରୀର ଭିତରେ ପୂର୍ଣ୍ଣାଙ୍ଗ ମଣିଷର ସମସ୍ତ ଅନୁଭବକୁ ଚିହ୍ନି ନେଇ ଥିଲା ମୁହୂର୍ତ୍ତକ ମଧ୍ୟରେ । ଚକ୍ରଧରକୁ ଆଙ୍ଗୁଳି ଦେଖାଇ ଚିହ୍ନାଇ ଦେଇଥିଲା ଜୀବନର ସାତରଙ୍ଗକୁ···· ତା ହାତରେ ଧରାଇ ଦେଇଥିଲା ଖଣ୍ଡିଏ କାଠି ଯେଉଁ ପଦାର୍ଥରେ ଛୁଇଁଦେଲେ ତାହା ଜୀବନ୍ତ ଓ ଗତିଶୀଳ ହୋଇଯାଏ ଏବଂ ଯାହାକୁ ଦେଖିଲେ ଦୂରରୁ ମେଜିକ୍‍ବାଲାରୁ ଦର୍ଶକ କହିବ କାଉଁରୀ କାଠି···· ସ୍ୱତନ୍ତ୍ର କିମିଆର ଚିଜ । କିନ୍ତୁ କଣ ହେଲା ! ଚକ୍ରଧରର ମୁଣ୍ଡ ଗୋଳମାଳ ଧରେ···· ସେଇ ଚରିତ୍ରଟିର ଆଖିଠାରୁ ଗୋଡ଼ ପର୍ଯ୍ୟନ୍ତ ସବୁକୁ ପ୍ରତ୍ୟେକ୍ଷ କଲା । ତା’ ଗତିର ସଂଗତୀରେ ମୁଗ୍ଧ ହେଲା, ତା’ର ସରଳ ପ୍ରକାଶରେ ସେ ଆମୋଦିତ ହେଲା···· ଅଥଚ ଏଇ ପ୍ରକାର ଏକ ତନ୍ମୟତା ମଧ୍ୟରେ ତା’ର ସାମାନ୍ୟ ଭୁଲ ରହିଗଲା, ଅବଶ୍ୟ ଭୁଲ ତାର ନୁହେଁ ସେ ସାଧାରଣ ମଣିଷର– ସେ ସେଇ ଶରୀରଟା ମଧ୍ୟରେ ଜୀବନ୍ତ ମୁକ୍ତିର ସନ୍ଧାନ କଲା···· ସେଇଠି ପ୍ରକୃତ ଚରିତ୍ରଟିର ପରିଚୟ ମିଳିଲା । ଠିଆ ହୁଅ ଚକ୍ରଧର ! ତନ୍ମୟତା ଭିତରେ ମୁକ୍ତିର ସନ୍ଧାନ ତୁମର ବ୍ୟକ୍ତିଗତ ରୁଚି– ମୋର ନୁହେଁ । ମୁଁ ଅନ୍ୟକୁ ତନ୍ମୟ କରେ, ନିଜେ ତନ୍ମୟ ହୁଏନା····।

 

ଆହା: ବିଚାରା ଚକ୍ରଧର ସେଦିନ ଫେରୁଥିଲା ନା ଗୋଟାଏ ବୟସାତିକ୍ରାନ୍ତ ସରିସୃପଟିଏ ଘୋସରି ଘୋସରି ରାସ୍ତାରେ ଆତ୍ମରକ୍ଷା କରୁଥିଲା ! ଛି କରିଦେଲା ସେ ପ୍ରବଣତାକୁ···· ଯାହାକୁ କେହି ସ୍ୱୀକାର କରୁନି ତାକୁ ଏକ ଅନାବଶ୍ୟକ ବୋଝପରି ଜୀବନରେ ବହିଚାଲିବାର ଅର୍ଥ କଣ ! ଚକ୍ରଧର ଚକ୍ରଧରକୁ ପୁନଶ୍ଚ କହିଲା– ଦେଖରେ ! ତୋ ଭାବପ୍ରବଣତା ଅଠ୍ୟଠି ଅସ୍ୱୀକୃତ···· କଣ ମିଳିବ ସେଥିରୁ । ଆନ୍ତରିକ ଚକ୍ରଧରଟି କରୁଣ ହୋଇଯାଏ ଓ ତା’ ଅସାମର୍ଥ୍ୟ ଜନିତ କ୍ଷୋଭରେ ବାହ୍ୟ ଚକ୍ରଧରକୁ କେବଳ ବିକଳରେ ଚାହେଁ ।

 

ଅଥଚ ପୁନଶ୍ଚ ସେଇ ଭୁଲ୍‍ । ଛାଡ଼···· ବାଜେକଥା ସେସବୁ···· ଚକ୍ରଧର ଗ୍ରହଣ କରିନିଏ ସେ ମଣିଷଟି····ବନ୍ଧୁମାନଙ୍କ ପ୍ରବଣତାକୁ ଅସ୍ୱୀକାର କରୁଥିବା ଯୁବତୀମାନଙ୍କ ମୁହଁରେ ଛେପ ।

 

ଚକ୍ରଧର ପହଞ୍ଚିଗଲା ଶେଷ ଓ ତୃତୀୟ ଘରଟି ନିକଟରେ । ରାସ୍ତାର ସେଇ ଚରିତ୍ରଟି ଘର ସାମ୍ନାରେ ଟହଲ ମାରୁଥିଲା । ଚକ୍ରଧର ସ୍ୱତଃ ସେଇଠି ଅଟକି ଗଲା । ଚରିତ୍ରଟି ପୂର୍ବପରି ହସୁଛି ଚକ୍ରଧର ଆଡ଼େ ଦୃଷ୍ଟିପାତ କରି । ନିଷ୍ପନ୍ଦ ଚକ୍ରଧର । ଝିଅଟା କେମିତି ଆପଣା ଆପଣା ଭାବରେ ଆବଦ୍ଧ । ଅଥଚ ତା ବନ୍ଧୁମାନେ ଅନେକଥର ତାକୁ କହିଛନ୍ତି–– ସେ ଶାଳୀ ଟୋକୀ ଭଡ଼ାରେ ଯାଏ, ପାଞ୍ଚଟା ଟଙ୍କା ଦେଲେ ମଝି ରାସ୍ତାରେ ଶାଢ଼ୀ ଖୋଲିଦେବ । ଶାଲା ଲଫଙ୍ଗା ଗୁଡ଼େ, ଅପ୍ରାପ୍ତି ଜନିତ ଯଂନ୍ତ୍ରଣାର ଅନ୍ୟ ରୂପ ସେମାନଙ୍କର ଭାଷା ସବୁ···· ଆହା ! ବିଚାରା ଈଶ୍ୱର ସନ୍ତାନମାନଙ୍କର ବହୁ ବିଭିନ୍ନରୂପ । ସେମାନଙ୍କୁ କ୍ଷମା ଦିଆଯାଇପାରେ ।

 

ଚକ୍ରଧର କୌଣସି କଥା ବିଚାରକୁ ନନେଇ ସେ ଫାଟକ ଖୋଲି ଭିତରକୁ ପଶିଲା ଓ ସବୁଠାରୁ ଆଶ୍ଚର୍ଯ୍ୟର କଥା ଚକ୍ରଧର ସେ ଚରିତ୍ରଟି ନିକଟରେ ପହଞ୍ଚିଲା ପରେ ସେ ପଛକୁ ବୁଲି ପଡ଼ି ଚାଲିବାକୁ ଆରମ୍ଭ କଲା । ପଛେପଛେ ଚକ୍ରଧର । ଗୋଟାଏ ପ୍ରଶସ୍ତ କରିଡ଼ରରେ ସେ କିଛିବାଟ ଚାଲିଲା ପରେ ଚରିତ୍ରଟି ଗୋଟିଏ କୋଠରୀ ନିକଟରେ ପହଞ୍ଚିଲା ଓ କବାଟ ଖୋଲି ଭିତରେ ପ୍ରବେଶ କଲା, ଚକ୍ରଧର ମଧ୍ୟ ।

 

ପ୍ରଶସ୍ତ କୋଠରୀଟିଏ, ପରିଷ୍କାର... ରୁଚିପୂର୍ଣ୍ଣ । କୋଠରୀଟିରେ ଛ’ଟି ଋତୁ, ବିଭିନ୍ନ ଫୁଲର ବାସ୍ନା ଏବଂ ଶାସ୍ତ୍ରୀୟରୁ ଲୋକସଂଗୀତର ସ୍ୱର ଝଙ୍କୃତ ଯେମିତି । କୋଠରୀ ମଝିରେ ରୁଚିପୂର୍ଣ୍ଣ ସିଙ୍ଗଲ୍ ଖଟଟିଏ ।

 

ଚରିତ୍ରଟି ବସିଗଲା ଖଟ ଉପରେ, ପାଖାପାଖି ଚକ୍ରଧର ବି । ଚରିତ୍ରଟି ଅତି ସାଧାରଣ ଏବଂ ଚକ୍ରଧର ନିକଟରେ ଅତି ଆନ୍ତରିକ ମନେ ହେଉଥିଲା । ଚକ୍ରଧର ସେଇ ଆପଣାର ପରିଚୟ ମଧ୍ୟରେ ଚରିତ୍ରଟିର ଅଧିକ ନିକଟବର୍ତ୍ତୀ ହେଉଥିଲା ।

 

ସାମାନ୍ୟ କେତୋଟି ମୁହୂର୍ତ୍ତପରେ ଚକ୍ରଧର ଆବିଷ୍କାର କଲା ଚରିତ୍ରଟି ତାର ସମୁଦାୟ ଶରୀରଟି ଚକ୍ରଧର ସହିତ ଜଡ଼ିତ କରି ଦେଇଛି ଏବଂ ଏକ ବହୁ ଆକାଂକ୍ଷିତ ଆମୋଦରେ ଚକ୍ରଧର ତନ୍ମୟ ହୋଇ ତାର ଦୃଷ୍ଟି ଉପରେ ଦୃଷ୍ଟି ରଖିଛି ।

 

ସେଇ ଦୃଷ୍ଟିରେ ମା ଭଉଣୀ ପ୍ରେମିକା ସବୁ ଯେମିତି ମିଳିକରି ରହିଛନ୍ତି । ଚକ୍ରଧର ଅତିଷ୍ଠ ହୋଇ ପଡ଼ିଲା, ଯଦି ସେଇ ଦୃଷ୍ଟି ମଧ୍ୟରୁ ମା’ ଭଉଣୀର ଅନୁଭୂତିକୁ କାଢ଼ି ନିଆଯାଇ ପାରେ-

 

ଚକ୍ରଧର କ୍ରମେ ସଙ୍କୁଚିତ ହୋଇ ପଡ଼ୁଥିଲା ଓ ସେ ଚରିତ୍ରଟି ମୁହଁରେ ଏକ ଚିରକାଳୀନ ସ୍ମିତ ହସ କ୍ରମେ ସ୍ପଷ୍ଟ ହେଉଥିଲା ।

 

ଚକ୍ରଧର ଉଠିପଡ଼ିଲା ଓ ବାହାରକୁ ବାହାରିଯିବାପାଇଁ ଉଦ୍ୟତ ହେଉଥିଲାବେଳେ ସେ ଚରିତ୍ରଟିକୁ ଫେରି ଚାହିଁଲା ଏବଂ ତାର ନିକଟକୁ ଯାଇ ତାକୁ ଅତି ସହଜରେ ପଚାରି ଦେଲା– ‘ମୋ ବ୍ୟବହାରରେ ତୁମେ କ୍ଷୁବ୍ଧ ନିଶ୍ଚୟ ।’

 

ଚରିତ୍ରଟି ହସିଦେଲା ଏବଂ କହିଲା ‘ତୁମେ ମୋତେ ନିଜର ବଡ଼ଭାଇ ପରି ମନେହେଲ-।’

 

ଚକ୍ରଧର ତୃତୀୟଥର ପାଇଁ ସ୍ଥାଣୁ ହୋଇଗଲା । ତା’ର ଏକ ନିର୍ଦ୍ଦିଷ୍ଟ ପ୍ରବଣତା ବିଭିନ୍ନ ସମୟରେ ଯେଉଁ ନୂତନ ଅନୁଭବରେ ପ୍ରକାଶିତ ହେଉଛି ତା’ର ହେତୁ କଣ ! ସାମାନ୍ୟ ଗୋଟିଏ ଶବ୍ଦ, ଅଥଚ ତାର ତରଂଗରେ ଗୋଟାଏ ସମ୍ମୋହନ ଥିଲା ଯେଉଁ ସମ୍ମୋହନ ମଧ୍ୟରେ ସେ ଅନୁଭବ କରୁଥିଲା ଶିଶୁଟିଏ ପରି ।

Image

 

ସୀମାବଦ୍ଧ

 

ସେଇ ଅପ୍ରତ୍ୟାଶିତ ସୁଯୋଗଟି ଆସିଗଲା ପରୀକ୍ଷିତ ଜୀବନରେ ଯାହା ତାର ସଜ୍ଞାନ ଚିତ୍ତରେ କେବେତ ଆସି ନଥିଲା, ଅବଚେତନରେ ମଧ୍ୟ ସ୍ୱପ୍ନ ରୂପରେ ସମ୍ଭବ ହୋଇ ନ ଥିଲା । ହୁଏତ ଦୁର୍ବଳ ଲୋକର ଆତ୍ମସନ୍ତୋଷ ପରି... ଜୀବନର ଉଠାଣି ରାସ୍ତାରେ ପାହୁଚ କଣ ଏଇଠି ବନ୍ଦ ହୋଇଯାଇପାରେ ! ନା, ହଠାତ୍ କେବେ ଆଖି ସାମ୍ନାରେ ପାହୁଚ ପ୍ରସରି ଯାଇପାରେ ବି ! କେବଳ ଗୋଟାଏ ଆଶା; ନିଜ ବଂଚିବାର ମୋହ ପ୍ରତି ଏକ ବିଶ୍ୱସ୍ତ ପ୍ରବଞ୍ଚନା ।

 

ଅଥଚ ବାସ୍ତବରେ ପରିଣତ ହେଲା କଳ୍ପନାର ସେଇ ଆଶାଟି । ପରୀକ୍ଷିତ କୋଠରୀର ପ୍ରତ୍ୟେକଟି ଦରଜା ଓ ଝରକାର କବାଟ ସଶବ୍ଦରେ ଖୋଲିଦେଲା । ଅପରାହ୍ନ ଆକାଶ ଦିଶୁଥିଲା ଏକ ଶାନ୍ତ ସମୁଦ୍ର ପରି । ଆକାଶ ଉପରେ ପରୀକ୍ଷିତର ଦୃଷ୍ଟି ସ୍ଥିର ହୋଇଗଲା... ଆହା ! କି ଗମ୍ଭୀର, କି ପ୍ରଶାନ୍ତ... ପରମୁହୂର୍ତ୍ତରେ ସେ ସଙ୍କୁଚିତ ହେଇଗଲା– ଆକାଶଟା ପୁଣି କି ଉଦାସ ଏକ ଅସମର୍ଥ ବୃଦ୍ଧର ସ୍ଥିର ଦୃଷ୍ଟିପରି ।

 

ଭିତରୁ ଯେମିତି କେହି ଡାକିଦେଲା : ବାପ ପରୀକ୍ଷିତ, କାଠିତ ହାତକୁ ଆସିଗଲା । ହାତ ଖୋଲିବ... ଦାନ ଚଳିବତ... ନାଁ, ଆତ୍ମ ସମର୍ପଣ କରିଦେବୁ, ବସ୍ତି କୁତୀ ନିକଟରେ ଅନ୍ୟ ସାହୀର ଯୁବତୀ କୁତୀ ଚାରିଗୋଡ଼ ମେଲି ଦାନ୍ତ ନିକୁଟିଲା ପରି ?

 

ପରୀକ୍ଷିତ ଅନ୍ତରର ଦୁର୍ବଳତା ଯେମିତି ତା ନିକଟରେ ଏକ ଆହ୍ୱାନର ରୂପ ନେଉଥିଲା, ତାକୁ ସମ୍ମୁଖୀନ କରି ନପାରିବାର ଗ୍ଳାନି ମଧ୍ୟରେ ସେ ଦଉଡ଼ି ଯାଉଥିଲା ପୁନର୍ବାର ତା’ର କୋଠରୀଦ୍ୱାର ଓ ଝରକାର କବାଟ ବନ୍ଦ କରି ଦେବାକୁ... ଅଥଚ ଅଟକି ଗଲା । ବରଂ ବସନ୍ତର ଦମକାଏ ଛପିଲା ପବନ ତାକୁ ପୁନଶ୍ଚ ଉତ୍ତେଜିତ କରି ଦେଲା ଓ ସେ ଅନୁଭବ କଲା ଯେ କୌଣସି ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ତା ଭିତରେ ଯଥେଷ୍ଟ ପୌରୁଷ ବର୍ତ୍ତମାନ ।

 

ପରୀକ୍ଷିତ କ୍ରମାନ୍ୱୟରେ ତା’ର ପୋଷାକ ପିନ୍ଧିନେଲା, ପରେ ସକ୍‍ସ ଓ ସୁ... ଆଙ୍ଗୁଳିରେ ଅଧିକ ଗୋଟିଏ ରିଂ, ମୁଣ୍ଡରେ ସାମାନ୍ୟ ଟିକେ କ୍ରିମ । ସାମାନ୍ୟ ପରେ ଡ୍ରେସିଂ ମିରର ସାମ୍ନାରେ ବିହ୍ୱଳିତ ପରୀକ୍ଷିତ । ତନ୍ମୟ ପରୀକ୍ଷିତ । ମୁଗ୍ଧ ପରୀକ୍ଷିତ । ସନ୍ତୁଷ୍ଟ ପରୀକ୍ଷିତ । ସର୍ବୋପରି ଏକ ନୂତନ ପ୍ରତିଭାରେ ଦୀପ୍ତିବନ୍ତ ପରୀକ୍ଷିତ ।

 

ପରୀକ୍ଷିତ ଠିଆହୋଇଛି ନିଜେ ନିଜ ସାମ୍ନାରେ । କିଛି ସମୟ । ଏବଂ ଅନେକ ସମୟ । ଘଟଣା ବିହୀନ ପୃଥିବୀ । ନିସ୍ତରଙ୍ଗ ସମୟ । ବସନ୍ତର ଛପିଲା ପବନ ବି । ରୂପ କ୍ରମେ ପଟ୍ଟପରିବର୍ତ୍ତନ କରୁଛି– ରୂପରୁ ଅରୂପ, ସୀମାରୁ ଅସୀମ ନାଁ ସ୍ଥିତିରୁ ପ୍ରଳୟ– ହଜିଯାଉଛି ପରୀକ୍ଷିତ, ଯେପରି ହଜିଯାଏ ଅକ୍ଷର ସବୁ କାଳି ଚରିଗଲା ପରେ ।

 

ହଜି ଯାଉଥିଲା ପରୀକ୍ଷିତ ନିଜର ଅଧସ୍ତନମାନଙ୍କ ନିକଟରେ, ସ୍ତ୍ରୀ ଆତ୍ମୀୟ–ସ୍ୱଜନମାନଙ୍କ ନିକଟରେ... ପରୀବାବୁ, ପରୀଆରୁ ପରୀକ୍ଷିତ– ଗୋଟିଏ ନୂତନ ସିଂହାସନ, ଗୋଟିଏ ନୂତନ ପଦବୀ– ବେଙ୍ଗଟିଏ ପରି ନୀଚ ସ୍ଥାନରୁ ଅପେକ୍ଷାକୃତ ଉଚ୍ଚ ସ୍ଥାନକୁ ଡେଇଁ ପଡ଼ିବା-। ଡେଇଁପଡ଼ିବାଟା ହୁଏତ ଗୋଟାଏ ସୁଯୋଗ, କିନ୍ତୁ ସେଠି ପୁଣି ସ୍ଥିର ହେଇ ଠିଆ ହେବାଟାଇ ସମସ୍ୟା ।

 

ସମୟ ପୁଣି ଗତିଶୀଳ ହେଲା ଓ କାଳି ଚରିଯିବା ପୂର୍ବରୁ ଅକ୍ଷର ସ୍ପଷ୍ଟ ହେଲା–– ଟାଇଟାକୁ ସଜାଡ଼ି ନେଉ ନେଉ ପରୀକ୍ଷିତର ମୁଣ୍ଡକୁ ଗୋଟାଏ କଥା ଢୁକିଗଲା । କେଉଁକଥା ଆଗ-! ପଦବୀରୁ ବ୍ୟକ୍ତିତ୍ୱ, ନାଁ ବ୍ୟକ୍ତିତ୍ୱରୁ ପଦବୀ । ପରୀକ୍ଷିତ ଗୁଣି ହେଲା ମନେ ମନେ । ଦୁଇଟି ଶବ୍ଦ ମାତ୍ର– ପଦବୀ ଓ ବ୍ୟକ୍ତିତ୍ୱ । ଶବ୍ଦ ଦୁଇଟି ଆପେକ୍ଷିକ ନିଶ୍ଚୟ । ଅନ୍ୟଥା ବ୍ୟକ୍ତିତ୍ୱ ସବୁବେଳେ ପଦବୀକୁ ମାଡ଼ିବସନ୍ତା । ତା’ ନିଜ ଦପ୍ତରକୁ ବିଚାରକୁ ନିଆଯାଇ ପାରେ... ତା ଅପେକ୍ଷା ଅନେକ ବ୍ୟକ୍ତିତ୍ୱସଂପନ୍ନ ବ୍ୟକ୍ତି ଉପସ୍ଥିତ ତା’ ଦପ୍ତରରେ... ଅଥଚ କପିଳା କପିଳେନ୍ଦ୍ରଦେବ ହେବାକଥା ଇତିହାସ ଘୋଷଣା କଲା ସୁବର୍ଣ୍ଣ ହରପରେ ।

 

ଆଶ୍ୱସ୍ତ ପରୀକ୍ଷିତ କୋଠରୀ ଛାଡ଼ିଲା ସନ୍ତପଣରେ । ସଯତ୍ନ ବିନ୍ୟସ୍ତ ପରିପାଟୀ । ନିୟନ୍ତ୍ରିତ ପଦକ୍ଷେପ ଓ ମୁହଁରେ ଏକ ଉଦାସ ଗାମ୍ଭୀର୍ଯ୍ୟ ।

 

ବ୍ୟକ୍ତିତ୍ୱ ଗଢ଼େ ନିଜର ଚେହେରା, ପରିପାଟୀ, ନାଁ ପାଟିର ଭାଷାବିନ୍ୟାସ । ପ୍ରତ୍ୟେକ ଶବ୍ଦରେ ଅର୍ଥ ଅଛି– ଲଘୁ ଏବଂ ଗୁରୁ । ଶବ୍ଦ ଲୋକକୁ ଚିହ୍ନାଇ ଦିଏ, ଶବ୍ଦ ଲୋକକୁ ନିର୍ଦ୍ଦିଷ୍ଟ କରାଏ, କିନ୍ତୁ କପିଳାକୁ କପିଳେନ୍ଦ୍ର ! ପଦବୀ ।

 

ଇତିହାସର ଘୋଷଣା କରିଦେବା କଥା ଯେମିତି ସୁନା କଳସୀରୁ ପାଣି ଢାଳିଦେବା କେବଳ ହାତୀର କାମ । କପିଳେନ୍ଦ୍ର ଯଦି ପୁନର୍ବାର କପିଳା ହୁଏ ଇତିହାସ ହୁଏତ ସେଇତକ ପ୍ରକାଶ କରିଦେଇ ନୀରବ ରହିବ, କିନ୍ତୁ ହାତୀର କି ଯାଏ ଆସେ ? କପିଳା କପିଳେନ୍ଦ୍ର ବା କପିଳେନ୍ଦ୍ର କପିଳା ହେବା ସଂପୂର୍ଣ୍ଣ ନିଜର ପାରିଲା ପଣ ।

 

ପରାକ୍ଷିତ ସ୍ଥିର ହେଇଯାଏ: ପଦବୀ, ବ୍ୟକ୍ତିତ୍ୱ, ଶବ୍ଦ ଲୋକକୁ ଚିହ୍ନେଇଦେବା, ପୁଣି ଶବ୍ଦ ଲୋକକୁ ନିର୍ଦ୍ଦିଷ୍ଟ କରିବା... କେଉଁ କଥାଟି ପରୀକ୍ଷିତ ପାଖରେ ମହଜୁଦ !

ବିବ୍ରତ ପରୀକ୍ଷିତ । ଅଥଚ ଅକସ୍ମାତ ଭେଟ ହୋଇଗଲା ସେଇ ଅଧସ୍ତନଙ୍କ ସହିତ । ବିବ୍ରତ ମୁହଁଟି ରଙ୍ଗ ପରିବର୍ତ୍ତନ କଲା– ଗମ୍ଭୀରରୁ ଗମ୍ଭୀରତର । ଅଧସ୍ତନମାନଙ୍କର ହାତଥିଲା ସେମାନଙ୍କ ମୁଣ୍ଡର ପଛପଟରେ । ପରୀବାବୁଙ୍କୁର ପରୀକ୍ଷିତ ରୂପଟିପ୍ରତି ହୁଏତ ସେମାନେ ଆନୁଗତ୍ୟ ପ୍ରକାଶ କରୁଥିଲେ । ସେହି ସମୟରେ ପରୀକ୍ଷିତର ଅନୁଭବ ଏକ ଉର୍ଦ୍ଧ୍ୱତର ରାଜ୍ୟର ସୀମା ଛୁଇଁଥିଲା । ପଦବୀ, କେବଳ ପଦବୀ ସବୁ କଥାକୁ ନିୟନ୍ତ୍ରିତ କରେ । ଶବ୍‍ଦ !

ପରୀକ୍ଷିତ ପାଟିଖୋଲିଲା : ଏବେ ସବୁକଥା ଟାଇମ୍‍ଲି ଚାଲିବ... କୋରସରେ ‘ଆଜ୍ଞା’-

ସେମାନେ ନିଷ୍କ୍ରାନ୍ତ ହେଲାପରେ ପରୀକ୍ଷିତ ହୁଏତ ସେମାନଙ୍କୁ ପଛରୁ ନିରୀକ୍ଷଣ କଲା-। ସେମାନେ ହସୁଥିଲେ ପରସ୍ପର ସହିତ ଧକ୍‍କା ଖାଇ... ଦେଖରେ ପରୀବାବୁର ଢଙ୍ଗ, ପୋଷାକ ଦେଖ, ତା’ ଚାଲି ଦେଖ... ପାଟିରେ ତ କୋଲପ ଝୁଲେଇ ଦେଇଛି ।

ଶବ୍‍ଦ ଲୋକକୁ ଚିହ୍ନାଇ ଦିଏ । ଶବ୍‍ଦ ପୁଣି ଲୋକକୁ ନିର୍ଦ୍ଦିଷ୍ଟ କରାଏ ।

ଚିନ୍ତାଗ୍ରସ୍ତ ପରୀକ୍ଷିତ । ଶବ୍ଦ ଗୁଡ଼ିକୁ ଅନ୍ୟବାଗରେ ସଂଯୋଜିତ କରାଯାଇ ପାରିଥାନ୍ତା; ଯଥା: ଚାକିରୀର ନିୟମାନୁବର୍ତ୍ତିତା ବଡ଼କଥା... ଏବେ ସବୁ ସମୟ ଭିତରେ କରାଯିବ... କିମ୍ବା କର୍ମହିଁ ଈଶ୍ୱର ତେଣୁ କର୍ମପ୍ରତି ଲୋକ ବିଶ୍ୱସ୍ତ ହେବା ବାଞ୍ଛନୀୟ । ଅନେକ ବାଟରେ ଅନେକ ଭଙ୍ଗୀରେ ଶବ୍‍ଦ ଗୁଡ଼ିକୁ ପ୍ରକାଶ କରାଯାଇ ପାରନ୍ତା ।

ଅଥଚ ଅଧସ୍ତନମାନେ ହସିଲେ ପରସ୍ପର ସହିତ ଧକ୍‍କା ଖାଇ ।

ନିରୂପାୟ ପରୀକ୍ଷିତ ଅନାବଶ୍ୟକ ହାତ ଦୁଇଟିକୁ ପେଣ୍ଟ ପକେଟରେ ଭର୍ତ୍ତି କଲା ଓ ମୁହଁରେ ସେଇ ଉଦାସ ଗାମ୍ଭୀର୍ଯ୍ୟ ପ୍ରକାଶ କରି ଭୂମି ସହିତ ନବେ ଡିଗ୍ରୀ କୋଣ ସୃଷ୍ଟି କରି ନିୟନ୍ତ୍ରିତ ପଦକ୍ଷେପ ଆରମ୍ଭ କରିଦେଲା ।

ଚା ଦୋକାନରେ ଚୁପଚାପ ପରୀକ୍ଷିତ । କିନ୍ତୁ ସେ ଦୋକାନୀଟି ଯେମିତି ତା’ର ଉଦାସ ଗାମ୍ଭୀର୍ଯ୍ୟରୁ କିଛି ଘଟଣାର ସୂଚନା ପାଇଲା, ଫଳରେ ତା ଦୋକାନର ବୃହତ୍ତମ ରସଗୋଲାଟିକୁ ଗୋଟିଏ ପ୍ଲେଟରେ ଥୋଇ ପରୀକ୍ଷିତ ସାମ୍ନାରେ ଚାମଚଟିକୁ ନିଜ ଅପରିଷ୍କାର ଗାମୁଛାରେ ପୋଛି ସେ ପ୍ଲେଟରେ ଥୋଇଲା ଓ ପରେ ଅତି ସନ୍ତର୍ପଣରେ ପରୀକ୍ଷିତ ହାତକୁ ବଢ଼ାଇ ଦେଲା ।

ପରୀକ୍ଷିତ ଚାମଚରେ ଛୋଟ ଛୋଟ ପିସ କରି ରସଗୋଲାଟିକୁ ଦୀର୍ଘ ସମୟ ଧରି ଖାଇବାକୁ ଲାଗିଲା ଏବଂ ପାଟି ବନ୍ଦ କରି ରସଗୋଲା ଖଣ୍ଡକୁ ମୃଦୁ ଚାପ ଦେଉଥିଲା ବେଳେ ତା ଭାବରେ ପ୍ରକାଶ କରୁଥିଲା ସେ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱସମ୍ପନ୍ନ ବ୍ୟକ୍ତି ଏବଂ ଅନ୍ୟର ଉପସ୍ଥିତିକୁ ଅନାୟାସରେ ସଂପ୍ରତି ଅବଜ୍ଞା କରିପାରେ ମଧ୍ୟ ।

ଅଥଚ ପରୀକ୍ଷିତର ଦୃଷ୍ଟିପଡ଼ିଗଲା ସେଇ ଅଧସ୍ତନମାନଙ୍କ ଉପରେ ଯେଉଁମାନେ ଅଳ୍ପ ଦୂରରେ ରହି ଏହି ଦୃଶ୍ୟଟିକୁ ଉପଭୋଗ କରୁଛନ୍ତି ବୋଲି ସେମାନଙ୍କ ମୁହଁର ଭାବରୁ ଜଣାପଡ଼ୁଥିଲା । ସେମାନଙ୍କ ସହିତ ପରୀକ୍ଷିତର ଆଉ କେତେକ ନିନ୍ଦୁକ ବି ।

ପରୀକ୍ଷିତ ରସଗୋଲାଟିକୁ ଶେଷ କରି ପାରିଲାନାହିଁ । ଇତର ଲୋକ ଭାବିଥିବେ ପରୀକ୍ଷିତର ସେଇଟା ଏକ ବିଳାସ ।

ପରୀକ୍ଷିତ ସମୁଦାୟ ସହରଟିକୁ ଆଖି ବୁଜି ଦେଲା ।

କେତୋଟି ମାତ୍ର ମୁହୂର୍ତ୍ତ । ନିଜ କୋଠରୀର ନିର୍ଦ୍ଦିଷ୍ଟ ସ୍ଥାନରେ ପରୀକ୍ଷିତ ଯେଉଁଠୁ ସେ ଅଳ୍ପ କେଇଘଣ୍ଟା ପୂର୍ବରୁ ସତର୍କ ପଦକ୍ଷେପରେ ଯାତ୍ରା ଆରମ୍ଭ କରିଥିଲା । ଦର୍ପଣରେ ନିଜର ଉତ୍ତେଜିତ ପ୍ରତିବିମ୍ବ । ପୌରୁଷ ପରିବର୍ତ୍ତେ ଏକ ଅବସାଦଜନିତ ଉତ୍ତେଜନା ।

ପରୀକ୍ଷିତ ଲିଭିଯାଉଛି କ୍ରମେ, ଅକ୍ଷରମାନେ ଯେମିତି କାଲି ଚରି ଗଲାପରେ... ପୁନର୍ବାର କୋଠରୀର ଦ୍ୱାର ଓ ଝରକାର କବାଟ ବନ୍ଦ କଲା ଏବଂ ସେଇ ଲିଭିଯାଉଥିବା ଅବସ୍ଥାରେ ସେ ଉଚ୍ଚ ସ୍ୱରରେ ଘୋଷଣା କଲା : ହେ ଅଧସ୍ତନ ଏବଂ ନିନ୍ଦୁକମାନେ, ତୁମେ ଜୁନିଅର... ଏ ସୁଯୋଗ ତୁମମାନଙ୍କ ଭାଗ୍ୟରେ ଅସମ୍ଭବ... ମୋ ପ୍ରତି ଏହି ଅସୌଜନ୍ୟ ବ୍ୟବହାର ପାଇଁ ତୁମେମାନେ ଲଜ୍ଜିତ ହେବା କଥା... ।

ପରୀକ୍ଷିତ ନିଜର ସ୍ଥିତିକୁ କୌଣସି ପ୍ରକାର ସ୍ଥିର ରଖିବା ପାଇଁ ଆହୁରି ଉଚ୍ଚ ସ୍ୱରରେ ଚିତ୍କାର କଲା– ପଦବୀ ମଣିଷକୁ ବଡ଼ କରେ... ବ୍ୟକ୍ତିତ୍ୱ, ଶବ୍ଦ ଏସବୁ ମିଛକଥା... ଏଇଟା ପ୍ରମାଣିତ... ପ୍ରମାଣିତ ।

ଅଥଚ ପରୀକ୍ଷିତ ନିଜେ ଅନୁଭବ କରୁଥିଲା ତା’ର ଶବ୍‍ଦ ଗୁଡ଼ିକ ଯେମିତି ସେଇ କୋଠରୀରେ କେବଳ ସୀମାବଦ୍ଧ ଏବଂ ବାହାର ପାଇଁ କିଛି ବହନ କରିନେବାର ଶକ୍ତି ସେମାନେ ଆରମ୍ଭରୁ ହରାଇ ବସିଛନ୍ତି ।

Image

 

Unknown

ଅପେକ୍ଷାର ଦିନରାତି

 

କୌଣସି ବିରୋଧୀ ରାଜନୈତିକ ଦଳକ୍ଷମତାକୁ ଆସିଲେ କିଛି ସାର୍ବଜନିନ ସଫଳତା ପାଇଁ କୌଣସି ପର୍ବଦିନରେ ନିର୍ଦ୍ଦିଷ୍ଟ ଅତିଥିଙ୍କୁ ଅପେକ୍ଷା କରିବାର ଉନ୍ମାଦ କ୍ରମେ ବିରକ୍ତିକର ଅନୁଭବରେ ପରିଣତ ହେବା ତାଙ୍କ ପାଇଁ ନୂଆକଥା ନୁହଁ । ତେଣୁ ତାଙ୍କ ଆଜି ପର୍ଯ୍ୟନ୍ତର ଆଭ୍ୟନ୍ତରୀଣ ଜୀବନ ଏକ ଉଦାସୀନ ଅନୁଭବରେ କୋହଲା କୋହଲା ହେଲେ ବି ବାହ୍ୟ ଜୀବନର ପରିଚୟ ନିହାତି ରୋମାଞ୍ଚକର ବୋଲି ସେ ସଚରାଚରରେ ଧାରଣା ଦେଇ ଥାନ୍ତି ତାଙ୍କ ପ୍ରତ୍ୟହିକ ବ୍ୟବହାରରେ ।

 

ସେ ଜଣେ ବ୍ୟକ୍ତି । ନାମବାଚକ ବିଶେଷ୍ୟଟିଏ ଯୋଡ଼ିଦେଲେ ସାଧାରଣ ପରିଚୟ ପ୍ରସରିଯିବ ସମସ୍ତଙ୍କ ନିକଟରେ । କାରଣ ତାଙ୍କ ଦାମ୍ପତ୍ୟ ଜୀବନ ସମ୍ପର୍କରୁ କିଛି ସନ୍ତାନ–ସନ୍ତତି ଆମଦାନୀ କରିବା କିମ୍ବା ବଞ୍ଚିବା ପାଇଁ ଦୁଇଓଳି ସାଇକେଲ ବାସକେଟରେ ଝୁଲାଟିଏ ପକାଇ ମାଛ ହାଟରୁ ପନିପରିବା କୁଢ଼ମାନଙ୍କରେ ଲଇଁ ପଡ଼ି ବହୁକଷ୍ଟରେ ଖାଦ୍ୟୋପଯୋଗୀ ପଦାର୍ଥମାନ ସଂଗ୍ରହ କରିବାର ନିୟମିତ କାର୍ଯ୍ୟରେ ଅବହେଳା ନ ଥାଏ । ପୁଣି କମ୍ପଲ୍‍ସରି ଡିପୋଜିଟ୍‍କୁ ହସ୍ତଗତ କରିବା ପାଇଁ ଆବେଦନ ପତ୍ରରେ ସ୍ତ୍ରୀର ଅସୁସ୍ଥତା ଦର୍ଶାଉଥିଲା ବେଳେ ସେଇ ସ୍ତ୍ରୀକୁ ଧରି ସିନେମାର କୌଣସି ସୋ’ରେ ପଶିଯାଇ ସମୟ ଅତିବାହିତ କରିବା ପରି ବଞ୍ଚିବା ବୁଝାମଣାକୁ ମାନି ନିଅନ୍ତି । ଏ ସମସ୍ତ କାର୍ଯ୍ୟ ଓ ରୋଟିନ୍ ଜୀବନର ନିୟମାନୁବର୍ତ୍ତୀତା ସତ୍ୱେ ସେ କୁହନ୍ତି ସେଇଟି ତାଙ୍କର ପ୍ରକୃତ ପରିଚୟ ନୁହେଁ । କେବଳ ଗୋଟାଏ ସାମାଜିକ ଆବଶ୍ୟକବୋଧ ଗତାନୁଗତିକ ସ୍ରୋତରେ ଭାସିଯିବା ପାଇଁ ।

 

ଅଥଚ ଏହି ସମସ୍ତ ପ୍ରାତ୍ୟହିକ କର୍ମସମ୍ପାଦନର ପର୍ବପରେ ଆସିଯାଏ ତାଙ୍କ ଜୀବନର ଅବସାଦର ମୁହୂର୍ତ୍ତ ଗୁଡ଼ିକ..., ସେଇ ମୁହୂର୍ତ୍ତମାନଙ୍କୁ ପ୍ରତ୍ୟକ୍ଷ କରୁଥିଲା ବେଳେ କୁଆଡ଼େ ତାଙ୍କର ପରିଚୟ ଉଜ୍ଜ୍ୱଳ ହୋଇଉଠେ । ତାଙ୍କର ଏଇ ପରିଚୟ ନିଜର ବ୍ୟକ୍ତିଗତ ଅନୁଭବର ସୀମା ଡେଇଁ ହୁଏତ ଅନ୍ୟକୁ ସଂକ୍ରମିତ କରେନା କିମ୍ବା ତାଙ୍କୁ ଚିହ୍ନିବା ପାଇଁ ସଚରାଚରେ ଯେଉଁ ସହୃଦୟତାର ଆବଶ୍ୟକତା ଥାଏ ତା’ର ଅଭାବ ବୋଧହୁଏ ତାଙ୍କ ସହରରେ ସ୍ୱାଭାବିକ କଥା । କାରଣ ସେ ଅନେକ ସମୟରେ କୁହନ୍ତି ତାଙ୍କ ଅସଲ ପରିଚୟଟି ଅନ୍ୟ ନିକଟରେ ଅଜଣା । ଏବଂ ତାଙ୍କ ଅବସାଦ ମୁହୂର୍ତ୍ତର ପରିଚୟକୁ ନେଇ ତାଙ୍କ ଚାରିତ୍ରିକ ଦୋଷ ଦୁର୍ବଳତାର ପର୍ଯ୍ୟାଲୋଚନା ଯେମିତି ତାଙ୍କ ସହରର ଲୋକମାନଙ୍କର ଏକ ଅବସରକାଳୀନ ବିଳାସ ।

 

ସମୟ ସମୟରେ ତାଙ୍କ କଥାରେ ଦୃଢ଼ ଯୁକ୍ତିଥିବାର ମନେହୁଏ । କେବଳ ତାଙ୍କୁ ନୁହେଁ, ଯେ କୌଣସି ଲୋକଙ୍କୁ ନେଇ ତା’ର ଚରିତ୍ର ସଂହାରରେ କିଛିଟା ଆମୋଦ ଥାଏ ଏ ଲୋକମାନଙ୍କର ଏବଂ ସେ ଯେତେବେଳେ ତାଙ୍କର ଅବସାଦ ମୁହୂର୍ତ୍ତରେ ନିହାତି ଖାପ୍‍ଛଡ଼ା ଓ ବ୍ୟବହାରରେ କିଛିଟା ସିନିକ୍ ମନେହୁଅନ୍ତି ସେତେବେଳେ ସେ ସ୍ୱାଭାବିକ ଧାରାର ଜଣେ ବିଲକ୍ଷଣ ମଣିଷ ଓ ତାଙ୍କ ଦୁର୍ବଳତାକୁ ଆଲୋଚନା କରିବା ଏ ଲୋକମାନଙ୍କ ପାଇଁ ଏକ ସ୍ୱାଭାବିକ କଥା ।

 

ମଣିଷ ଯଦି କେବେ ପ୍ରବଣତା ବୋଲି ନିଜର ଏକ ବିଶେଷ ଭାବକୁ ସ୍ୱୀକାର କରେ ତେବେ ସେ ନିଶ୍ଚୟ ତାଙ୍କ ପ୍ରତି ସମ୍ବେଦନଶୀଳ ହେବ ଓ ଦେଖିବ କେମିତି ଅଧିକାଂଶ ଅପରାହ୍ନରେ ନିଜ ବାରଣ୍ଡାରେ ଖଣ୍ଡିଏ ଆରାମ ଚୌକି ଉପରେ ସେ ନିଜକୁ ଲୋଟାଇ ଦେଇ ଅସ୍ତମିତ ସୂର୍ଯ୍ୟର ରଙ୍ଗୋତ୍ସବ ଉପରେ ଦୃଷ୍ଟିନିବଦ୍ଧ କରନ୍ତି ।

 

ସେତେବେଳେ ତାଙ୍କୁ ଆଉଟିକେ ଅଧିକ ଆନ୍ତିକ ଭାବେ ଧ୍ୟାନ କଲେ ମନେହେବ ତାଙ୍କର ସେ ଦୃଷ୍ଟିରେ ପ୍ରକୃତିର ରୂପବିଭବ ପ୍ରତି ଆତ୍ମିକ ତନ୍ମୟତା ପରିବର୍ତ୍ତେ କେମିତି ଏକ ହତାଶବୋଧର କ୍ଲାନ୍ତି ଜମି ରହିଥାଏ । କେତେବେଳେ ସେ ଦୃଷ୍ଟି ଆକାଶରୁ ଦିଗ୍‍ବଳୟ ଦେଇ ଧାନକ୍ଷେତ ଉପରକୁ ଅବତରି ଆସେ ଓ ପରେ ପରେ ଘର ସାମ୍ନାର ରାସ୍ତା ଉପରକୁ ଯେଉଁଠି କିସମ କିସମ୍‍ର ଲୋକ ନିଜ ନିଜର ଭାବନାରେ ଚହଲୁଥିବା କଥାମାନଙ୍କୁ ନେଇ ଗ୍ରାମ ବା ସହରକୁ ଭିନ୍ନ ଭିନ୍ନ ଧନ୍ଦାରେ ।

 

ସମୟରେ ସେଇ ରାସ୍ତାର କଥା ତାଙ୍କ କାନରେ ବାଜିଯାଏ । ସେ ସକ୍ରିୟ ହୁଅନ୍ତି ଓ ବିଦେଶୀ ଲୋକ ଗଳ୍ପର କୁହୁକ ବଂଶୀବାଦକ ପଛରେ ଚପଳମତି ଶିଶୁମାନଙ୍କପରି ସେ ସାଇକେଲ ଧରି ସେମାନଙ୍କ ପଛରେ ଅନୁଧାବନ କରନ୍ତି । ତାଙ୍କର ଜାଣିବାକୁ ଇଚ୍ଛାହୁଏ– ସେଇ କଥା ମାନଙ୍କରୁ କିଛି ଅର୍ଥ ବାହାରୁଛି କି ନାହିଁ ।... ସେଥିରେ ବଞ୍ଚିବାର ସ୍ୱପ୍ନ, ନା ମରିବାର ସମର୍ପଣ ଭାବ; କଣ ସେ ସବୁ କଥାମାନଙ୍କରେ ! ବା ଖାଲି କହୁଥିବା ସେ ଅକର୍ମଣ୍ୟ ବ୍ୟାଧିଗ୍ରସ୍ତ ବୃଦ୍ଧ ନିଜର ଅସାମର୍ଥ୍ୟକୁ ଘୋଡ଼ାଇବା ପାଇଁ ଏକ ଅଯଥା ମୁରବୀତ୍ୱରେ ବଂଶର ଅନ୍ୟମାନଙ୍କ ଉପରେ ବିରକ୍ତ ହେଲାପରି ।

 

କିଛିବାଟ ଅତିକ୍ରମ କରିଗଲା ପରେ ହୁଏତ ଅସତର୍କ ଭାବରେ ସେ ଲୋକମାନେ ପଛକୁ ଫେରି ପଡ଼ନ୍ତି ଓ ତାଙ୍କ ଠିକ୍‍ ପଛରେ ଅନ୍ୟ ଏକ ଲୋକକୁ ଦେଖି ସଙ୍କୋଚରେ ଆଲୋଚନାର ମୋଡ଼ ବଦଳାଇ ଦିଅନ୍ତି । ସେ କିନ୍ତୁ ଛାଡ଼ିବାଲୋକ ନୁହଁନ୍ତି । ଜୋର କରି କଥା ଧରିଲେ ଉତ୍ତର ମିଳେ, ଏଇ ଦରଦାମ୍‍ କଥାବାବୁ... କେମିତି ହୁ ହୁ ହୋଇ ବଢ଼ୁଛି... ତାଇଁକି ଟିକେ ଠିକ୍ ଜିନିଷ ମିଳନ୍ତା !

 

ସେମାନଙ୍କ କଥାରେ ତାଳ ଦେଇ ଶକ୍ତ ଗଣ୍ଠଳୀ ପିଠିରେ ବୋହି ଲଇଁ ପଡ଼ି ଚାଲୁଥିବା ବୟସ୍କ ବୃଦ୍ଧଟି ମୁହଁ ଖୋଲନ୍ତି । ତମ ବାପା ମା’ଙ୍କ ସୁକୃତ ଥିଲା, ତମେ ପୁଳାଏ ମାଉଁସ ଦିହରେ ଧରି ବାଟ ଚାଲୁଛ । ତମ ପିଲା ଛୁଆଙ୍କୁ ଦେଖିବରେ ପୋଏ ! ଅଇଲା ଦଶବର୍ଷକୁ କି ରୂପ ନେଇଥିବେ... ଏଇ ଶୁଖିଲା ପତର ମେନ୍ତେ ତମ କାଠି କାଠି ପିଲା ଛୁଆ ଉଡ଼ିବେ ପବନେ... ମାଳିକା ଗାଇବ... ଗାଇବ ସବୁ ଗୁମର, ଖାଲି ତକେଇଥା... ।

 

ସେତେବେଳେ ତାଙ୍କର ମନେହୁଏ ଯେମିତି ସେଇ ବୃଦ୍ଧଟି ଜଣେ ସତ୍ୟଦ୍ରଷ୍ଟା ପୁରୁଷ ଏବଂ ମଣିଷର ଭାଗ୍ୟ ଭଗବାନଙ୍କୁ ନେଇ କେତେ ଗୁଡ଼ିଏ ଅପ୍ରିୟ-ସତ୍ୟ ପ୍ରକାଶ କରୁଛି । ସେ ଗୁମ୍‍ମାରି ସ୍ଥାନେ ସ୍ଥାନେ ଠିଆ ହୋଇଯାନ୍ତି ଓ ଅନ୍ଧାରରେ ଲୁଚିଯାନ୍ତି ସେ ଲୋକମାନେ ଦିଗ ବାରି ବାରି ଏକ ଅସ୍ପଷ୍ଟ ଆଶାରେ ଦିଗହଜା ନାବିକମାନଙ୍କ ପରି ।

 

ସେ ଫେରି ଆସନ୍ତି ତାଙ୍କ ଛୋଟ ସହରର କେନ୍ଦ୍ର ସ୍ଥଳକୁ । ସେତେବେଳେ ତାଙ୍କ ହୃଦୟର ଅନିଶ୍ଚିତ ଆଶଙ୍କାର ରୂପନେଇ ତାଙ୍କ ସମୁଦାୟ ମୁଖମଣ୍ଡଳକୁ ଆଚ୍ଛାଦିତ କରି ସାରିଥାଏ-। ଚାଳଫୁଟାଇ ଉଠିଯାଇ ଥିବା ବରଗଛ ମୂଳର ସେ ନିର୍ଦ୍ଦିଷ୍ଟ ପାନ ଦୋକାନରେ ଠିଆ ହୋଇ ଛକରାସ୍ତାର ଚୌହଦୀ ଉପରେ ଦୃଷ୍ଟି ପକାନ୍ତି । ସହରଟିରେ ଯେମିତି ଅବକ୍ଷୟର ଛାଇ ଢାଙ୍କି ଯାଇଛି ଆଉ ତାରି ଭିତରେ କୌଣସି ପ୍ରକାର ବଞ୍ଚିବା ପାଇଁ ସେଇ ଲୋକମାନଙ୍କର ଉଦ୍ୟମ-। ସେ ଉଦ୍ୟମରେ ସମୟରେ ଉଲ୍ଲାସ ଥାଏ ଯେହେତୁ ଅନ୍ତିମ ପରିଣତିର ଚିତ୍ର ସହିତ ସେମାନେ ପରିଚିତ ନୁହଁନ୍ତି ।

 

ପାଖ ଜଳଖିଆ ଦୋକାନରେ ପୋଡ଼ା ତେଲର ଗନ୍ଧ । ସେ କଣେଇ କଣେଇ ଦେଖନ୍ତି ପୋଡ଼ାତେଲ ଭିତରକୁ କେମିତି ବିଭିନ୍ନ ପ୍ରକାର ତେଲଭଜା ବାହାରି ଆସନ୍ତି ନିର୍ଦ୍ଦିଷ୍ଟ ଡାଲାକୁ ଓ ପୁଣି ଏକ ଅପରିଷ୍କୃତ ରୁଗ୍‍ଣ ପିଲାର ହାତ ଦେଇ ସେଗୁଡ଼ିକ ସ୍ଥାନାନ୍ତରିତ ହୁଅନ୍ତି ଖାଲି ପଡ଼ିଥିବା ପ୍ଲେଟ୍ ମାନଙ୍କୁ । କାଠ ବେଞ୍ଚରେ ବସି କିଛି ତେଲଭଜା ସହିତ କପେ ଚା’ରେ ମଧ୍ୟ ରୋମାଞ୍ଚ ରହିଛି ସେ ଛୋଟ ସହରର ଲୋକମାନଙ୍କ ନିକଟରେ ।

 

ସେ କେମିତି ଅଶ୍ୱସ୍ତି ବୋଧ କରନ୍ତି । ଏହି ଗନ୍ଧ ସହିତ ଲୋକମାନେ ପରିଚିତ ହୋଇଗଲେଣି ବୋଧହୁଏ । ଅନ୍ୟଥା ଅପାତତଃ ତାଙ୍କୁ ବିଷପରି ମନେ ହେଉଥିବା ସେହି ତୈଳାକ୍ତ ପଦାର୍ଥରୁ ପ୍ରସ୍ତୁତ ଖାଦ୍ୟକୁ ସହଜରେ ଗ୍ରହଣ କରନ୍ତେ କେମିତି ! କିମ୍ବା ଖାଇବାକୁ ପଡ଼ିବ, ଖାଉଛନ୍ତି-

 

କେତେବେଳେ ତାଙ୍କ ଭାବନାକୁ ବାଧା ଦିଅନ୍ତି ସେହି ପୃଥୁଳକାୟ ବ୍ୟବସାୟୀ ତାଙ୍କର କେତୋଟି ସତ୍‍ପରାମର୍ଶରେ; ଦର ନେଲେ ବି ଆଗକୁ ଭଲ ତେଲ ପାଇବେ ନାହିଁ । ଆଜିଠୁ କିଛି ନେଇ ରଖିଦିଅନ୍ତୁ– ୟା’ ପରେ ଯେଉଁ ତେଲ ଆସିବ..., ତାଙ୍କୁ କହିବାର ସୁଯୋଗ ନ ଦେଇ ତାଙ୍କ ପରାମର୍ଶ ଗ୍ରହଣ କରିଥିବାର ଏକ ମୋଟାମୋଟି ଧାରଣାରେ ସେ ନିଜକୁ ମୁକ୍ତ କରନ୍ତି ଓ ପୁନଶ୍ଚ ସାଇକେଲ ଧରି ଫେରନ୍ତି ନିଜର ବସା ନାମକ ଆଶ୍ରୟ ସ୍ଥଳକୁ ।

 

ସେଇ ଅନ୍ଧାରରେ ଯେଉଁ କେତୋଟି କଥା ତାଙ୍କ ଚିନ୍ତା ରାଜ୍ୟକୁ ଅଧିକାର କରେ ସେଗୁଡ଼ିକ ହେଲା କୌଣସି ସ୍ୱାଧୀନ ରାଷ୍ଟ୍ରରେ ଏକ ସ୍ୱାଧୀନ ନରପତି ଥିଲେ । ତାଙ୍କ ରୋମାଣ୍ଟିକ ମନର ପ୍ରତୀକ ଏକ ରକ୍ତ ଗୋଲାପ ତାଙ୍କ ଛାତିରେ ଅହରହ ପାଖୁଡ଼ା ମେଲେ । ଅବଲୀଳା କ୍ରମେ ରାଷ୍ଟ୍ରଟିକୁ ଶାସନ କରିବା ପାଇଁ ସେ ଗୁଡ଼ିଏ ବଂଶ ବିସ୍ତାର କଲେ । ସେମାନେ ବିଭିନ୍ନ ଭୂମିକାରେ ଆଜିପର୍ଯ୍ୟନ୍ତ ଦେଶ ଶାସନ କରିଆସୁଛନ୍ତି । କିନ୍ତୁ ଗୋଟିଏ ଆକର୍ଷଣୀୟ କଥା ବୃଦ୍ଧ ସମ୍ରାଟଙ୍କ ଠାରୁ ତାଙ୍କ ବଂଶର ଲୋକମାନଙ୍କୁ ସଂକ୍ରମିତ କରିଆସିଛି, ସେଇଟି ହେଲା ପ୍ରଜାବର୍ଗର ମାନସିକ ଶାନ୍ତି ପାଇଁ କେତେଗୁଡ଼ିଏ ସମୟୋପଯୋଗ୍ୟ ଇସ୍ତାହାର ପ୍ରକାଶ କରିବା; ଯଥା : ମହଜୁଦ୍‍କାରୀ ଦେଶର ଶତ୍ରୁ । କଳାବଜାରୀ ଦେଶଦ୍ରୋହୀ ଏବଂ ସେମାନେ ସତର୍କ ନ ହେଲେ ରାସ୍ତା ଛକରେ ସେମାନଙ୍କୁ ଇଲେକ୍‍ଟ୍ରି ତାରରେ ଝୁଲାଇ ଦିଆଯିବ ।

 

ସେ ହସି ଦିଅନ୍ତି ସମସ୍ତ ବିଷଣ୍ଣତା ସତ୍ୱେ ।

 

ଘରେ ପଶିଲେ ସରସ ଉପନ୍ୟାସ ପୃଷ୍ଠାରୁ ମୁହଁ ଉଠାଇ ସନ୍ତୁଷ୍ଟ ଧର୍ମପତ୍ନୀ ତୀର୍ଯ୍ୟକ ଭକ୍ତି ପ୍ରୟୋଗ କରନ୍ତି : କ’ଣ ନଗର ପରିକ୍ରମା ସରିଗଲା !

 

ଗୋଟିଏ ସମ୍ଭାବ୍ୟ ବିସ୍ଫୋରଣକୁ ସେ ଏଡ଼ାଇ ଯାଆନ୍ତି– ବଜାତ୍ ମାଇକିନା, ପାଖରେ ଶୋଇଲୁ... ଦେହରୁ ରକ୍ତ ନେଲୁ, ଶେଷରେ ମନଟାକୁ ବି ଚିହ୍ନିଲୁ ନାହିଁ ! ଲାଭ କଣ । ପଥର ଦେହରେ ପ୍ରତିଧ୍ୱନି ପରି କଥା । କେଇପଟ ରୋଟି କିଛି ତରକାରୀ ଓ କପେ ଦୁଧର ରାତି ପୁଣି ଏକ ବିରକ୍ତିକର ଗତାନୁଗତିକତାରେ ପରିଣତ ହୁଅନ୍ତି କ୍ରମେ । ସରସ ଉପନ୍ୟାସର ନାୟିକା ନାୟକର ମିଳନ ଜନିତ ଉନ୍ମାଦନାରେ ସଂକ୍ରମିତ ଧର୍ମପତ୍ନୀ ତାଙ୍କ ଶରୀର ମଧ୍ୟରେ ମହାସୁଖର ସନ୍ଧାନ କରନ୍ତି ଓ ସାମାନ୍ୟ ପରେ ଶୋଇପଡ଼ିବା କଥା ।

 

ସକାଳ ଆସେ ନୂଆପରି । ଗତରାତିର ସ୍ୱପ୍ନ ବା ଦୁଃସ୍ୱପ୍ନ ଭୁଲି ହୋଇଯାଏ । ସେ ସ୍ୱାଭାବିକ ଲୋକଟିଏ ପରି ବାହାରି ପଡ଼ନ୍ତି ରୋଟିନକୁ ସାମ୍ନାସାମ୍ନି କରିବା ପାଇଁ । ବାଟରେ ଅକସ୍ମାତ୍ ଭେଟ ହୋଇଯାଏ । ବାନ୍ଧବୀଙ୍କ ସହିତ ଯାହାକୁ ଅପେକ୍ଷା କରି କରି ପୂର୍ବଦିନରେ ସେ ବୋର୍ ହେଇଛନ୍ତି । କଣ ହେଲା ? ସଂକ୍ଷିପ୍ତ ପ୍ରଶ୍ନ ସାଙ୍ଗକୁ ଉତ୍ତର ମିଳେ : ଜାଣନ୍ତିତ ଏ ସହର !

 

ସେ ହସି ଦିଅନ୍ତି ଓ କହିବାକୁ ଭଲ ମନେ କରିଥିଲେ ହୁଏତ କହିଥାନ୍ତେ : ‘‘ବୁଝିଲେ ଛାତି ଗୁଡ଼ା ସବୁ ସଂକୀର୍ଣ୍ଣ ହୋଇ ଯାଉଛି ଆଜିକାଲି...’’ କିନ୍ତୁ କିଛି ନକହି ସେ ବିଦାୟ ନିଅନ୍ତି ।

 

ଅନ୍ୟ କେବେ ବୁଦ୍ଧିଜୀବୀ ବନ୍ଧୁମାନଙ୍କ ସହିତ ସାକ୍ଷାତ ହୋଇଯାଏ... ସେଇ ଗତାନୁଗତିକ ଆଲୋଚନା ନିଜକୁ ପ୍ରତିଷ୍ଠା କରିବା ପାଇଁ ହାତ ଗଢ଼ା ଅହଂକୁ ଟିକେ ତେଜି ଦେବା... ଗୋଲ୍ ଟେବୁଲର ଆଲୋଚନା କ୍ରମେ ଉତ୍ତେଜିତ ଅବସ୍ଥାକୁ ଚାଲିଆସେ । ସେ ଅନୁଭବ କରନ୍ତି ପ୍ରତିପକ୍ଷ ଶକ୍ତିଶାଳୀ । କାରଣ ନିର୍ଦ୍ଦିଷ୍ଟ ଧାରଣାରେ ସିଦ୍ଧ ବ୍ୟକ୍ତିମାନଙ୍କୁ କେମିତି ସେ ବୁଝାଇ ପାରନ୍ତେ; ପୁଅମାନେ ! ବର୍ଣ୍ଣ ବଡ଼ କଥା ନୁହେଁ, ବଡ଼ କଥା ସେ ବର୍ଣ୍ଣମାଳାରେ ପ୍ରଚାରିତ ଭାବ ବା ହୃଦୟ । ହୃଦୟକୁ ଛୁଇଁଥିବା ଲୋକ କହେ ନାହିଁ ଇଂରାଜୀ, ଫରାସୀଠାରୁ ହିନ୍ଦି ଛୋଟ ବୋଲି । ଇଂରାଜୀ ଫରାସୀ, ହିନ୍ଦୀ, ରାମ, ଶାମ, ଯଦୁପରି । ମଣିଷ ସାହିତ୍ୟ ସମାନ କଥା । ସମସ୍ତେ ମିଶି ଖେଳାଇଛନ୍ତି ହୃଦୟକୁ । ତମେ ବର୍ଣ୍ଣକୁ ନେଇ ବଞ୍ଚିଛ, ହୃଦୟକୁ ନୁହେଁ ।

 

ଯୁକ୍ତି ଅନାବଶ୍ୟକ ମନେ ହେଲେ ସେ ଧୀରେ ଉଠିଆସନ୍ତି । କେହି ଭାବିପାରେ ସେ ହାରିଗଲେ ବୋଲି । ଗୋଟିଏ ମିଛ ଧାରଣରେ ଅନ୍ୟକୁ ଜିତିବା ଅପେକ୍ଷା ଏମିତି ହାରିବାରେ ଗୋଟାଏ ଆନନ୍ଦ ଅଛି ତାଙ୍କ ପାଇଁ ।

 

ସେ ପୁନର୍ବାର ଫେରି ଆସନ୍ତି ଅପରାହ୍ନର ସେଇ ଆରାମ ଚୌକିକୁ ଯେତେବେଳେ ବିଦାୟ ସୂର୍ଯ୍ୟର ଅସ୍ତମିତ ରଶ୍ମି ଆକାଶରେ ବର୍ଣ୍ଣୋତ୍ସବ ସୃଷ୍ଟିକରେ । ସେ ଉଦାସ ଦୃଷ୍ଟି ପୁଣି ଦିଗ୍‍ବଳୟ ଦେଇ ଧାନକ୍ଷେତ ଓ ରାସ୍ତା ଉପରକୁ ଫେରିଆସେ । ସେଇ ଲୋକ ଗହଳି, ସେଇ ଆଲୋଚନା ଓ ପରିପକ୍ୱ ବୃଦ୍ଧର ଭବିଷ୍ୟତ ବାଣୀ ।

 

ସେ ଅପେକ୍ଷା କରିଛନ୍ତି ଏ ସଂକୀର୍ଣ୍ଣ ଛତିମାନେ କେବେ ପ୍ରଶସ୍ତ ହେବେନି, ବିଚ୍ଛିନ୍ନ ସମ୍ପର୍କର ହୃଦୟ ପୁଣି କେବେ ଜଡ଼ିତ ହୋଇ ହାର୍ଦ୍ଦିକତାର ଏକ ବାତାବରଣ ସୃଷ୍ଟି କରିବନି !

 

ସେତେବେଳେ ହୁଏତ ଅନାବଶ୍ୟକ ମନେ ହେବ ସରକାରୀ ଇସ୍ତାହାର, ଗୋଲ ଟେବୁଲର ଉତ୍ତେଜନାମୟ ଆଲୋଚନା ବାନ୍ଧବୀର ସମ୍ପର୍କ ପ୍ରତିଷ୍ଠା ସହଜ ଓ ସ୍ୱାଚ୍ଛନ୍ଦ୍ୟ ହେବ ।

Image

 

କୌଣସି ଦିନ/ପ୍ରତିଦିନ

 

ଦିନେ ଦିନେ ସକାଳୁ ତା’ର ମନେହୁଏ : ଏ ଦୁନିଆଟା ସୁନା ହୋଇଗଲା ! ନୀଳ ପକ୍ଷୀଟି ଶୂନ୍ୟ–ମଣ୍ଡଳର ସମସ୍ତ ଝଡ଼ ଅତିକ୍ରମ କରି ଏ ପୃଥିବୀରେ ତା’ର ପାଦ ଦେଲା ଓ ତା’ ସହିତ ତା’ର ସହରର ସ୍ୱାଭିମାନୀ ବ୍ୟକ୍ତିଗଣ ନିଜ ନିଜର ଅହଂକାର ରୂପକ ଆବରଣକୁ ଖୋଲିଦେଇ ଏକାବେଳକେ ସହୃଦୟ ହୋଇଗଲେ । ସବୁ ପ୍ରେମମୟ !

 

ପ୍ରେମରୁ ଆନନ୍ଦ ।

 

ସେ ଉପରକୁ ଚାହେଁ ବିରାଟ ଆକାଶର ପୃଷ୍ଠପଟ୍ଟରେ କାଁ ଭାଁ ପକ୍ଷୀମାନଙ୍କର ଉଡ଼ିଯିବାର ଦୃଶ୍ୟ, ଯେମିତି ଅନ୍ଧକାରର ଅଜସ୍ର ବ୍ୟାପ୍ତିକୁ ଅତିକ୍ରମ କରି ସେମାନେ ଆଲୋକକୁ ପ୍ରତ୍ୟକ୍ଷ କଲେଣି । ସଂପ୍ରତି ବୁଝନ୍ତେ ଯଦି ତା’ ହୃଦୟର ଭାବ... ଆହା ! ପକ୍ଷୀଗଣ, ଆଲୋକ ତ ତୁମ ହାତ ମୁଠାରେ... ଚିନ୍ତା କ’ଣ ! ଆସ, ଦୁଇ ଏକ ମୁହୂର୍ତ୍ତ ମୋ’’ ପିଣ୍ଢାରେ ବସିଯା... ଆମ ଟିକି ଟିକି ପ୍ରାଣ ଯଦି ଏକ ହୋଇଯାଏ... । ପକ୍ଷୀମାନେ କିନ୍ତୁ ଉଡ଼ିଯା’ନ୍ତି ଆଲୋକ ଦିଗରେ... କିଛିଟା ଆତ୍ମସନ୍ତୋଷ ଅନ୍ତତଃ ସେମାନେ ଅନ୍ଧକାରକୁ ଅତିକ୍ରମ କରି ଆସିଲେଣି ।

 

ଆକାଶରୁ ଆଷି ଫେରିଆସେ ମାଟି ଉପରକୁ । ଛୋଟ ବସ୍ତିରେ ଜୀବନ ଆରମ୍ଭ ହେଇ ଆସୁଛି । ଟେପ ପାଖରେ ନିଜର ଓ ପ୍ରତିବେଶୀମାନଙ୍କର ବାସନ ଓ ପ୍ରୌଢ଼ ସ୍ତ୍ରୀଲୋକମାନଙ୍କ ହାତରୁ ସେମାନଙ୍କ ଶବ୍ଦସବୁ । କେରାଏ ପାଳ ସହିତ ମେଞ୍ଚାଏ ପାଉଁଶ ମିଶାଇ ବାସନଗୁଡ଼ିକୁ ଚକ୍ ଚକ୍ କରିବାର ଉଦ୍ୟମ ମଧ୍ୟରେ ପ୍ରୌଢ଼ାଟିର ମୁହଁ ଉପରେ ସନ୍ତୋଷର ସ୍ପଷ୍ଟ ରେଖା ଫୁଟି ଉଠେ । ବାସନର ଏହି ଚକ୍ ଚକ୍ ରୂପ ହୁଏତ ମାଲିକ ମନରେ ଶୁଭ୍ରତା ଭରିଦେବ ଓ ହସିଦେଇ କହିବ : ବାସନ୍ତୀ ମା’– ତୋ କାମ ଏଡ଼େ ସୁତୁରା ଯେ ଏଇ ମାସରୁ ତୋତେ ଅଧିକ ଦୁଇଟଙ୍କା ଦେବି ।

 

ହାତରେ ନିଘା ଲଗାଇଲେ ଭବିଷ୍ୟତ ଉଜ୍ଜ୍ୱଳ ।

 

ପ୍ରତିବେଶୀମାନେ ଜଣ ଜଣ କରି ବାହାରକୁ ଆସନ୍ତି ଓ ବାଉତି ଲାଗିଲା ପରି ପୂର୍ବ ଦିଗକୁ ଚାହିଁ ଦୁଇହାତ ଟେକି ଅଳସ ଭାଙ୍ଗନ୍ତି । ବିଲେଇଟାକୁ ଟେକି ଯେତେ ଉପରକୁ ଛାଟି ଦେଲେ ବି ତଳେ ପଡ଼ିଲା ବେଳକୁ ଚାରିଗୋଡ଼ ମେଲି ଠିଆହୋଇ ଯିବ । ମେଘୁଆ ପାଗ କିମ୍ବା ରାତିରେ ତାଙ୍କୁ ଡର ଲାଗେ । ସେମିତି ବୋଧହୁଏ ଅନ୍ୟମାନଙ୍କୁ ବି । ଆଲୋକ ପ୍ରତି ପ୍ରବଣତା ସମସ୍ତଙ୍କର ବି !

 

ତାଙ୍କପ୍ରତି ଦୃଷ୍ଟିପଡ଼ିଲେ ପ୍ରତିବେଶୀମାନେ ହସି ଦିଅନ୍ତି, ଯେମିତି ହସିବା ପାଇଁ ଦୁନିଆର ଉପାଦାନ କେବଳ ତାଙ୍କରି ମୁହଁରେ ରହିଛି । ସେ ଅନୁଭବ କରନ୍ତି ତାଙ୍କର ଆନନ୍ଦାନୁଭୂତି ଅନ୍ୟମାନଙ୍କୁ ସଂକ୍ରମିତ କରେ ।

 

ଏଇ ସଂକ୍ରମିତ କରେ କି ନା ସେ ସମ୍ପର୍କରେ ଆନ୍ତରିକ ଚିନ୍ତାକଲେ ମନରେ ପୁଣି ସଂଶୟ ଉପସ୍ଥିତ । ପ୍ରତିବେଶୀ ବଡ଼ ପାଟିରେ କାଗଜ ପଢ଼ନ୍ତି : ଗାଈବାଛୁରୀ ସନ୍ତକ ପାଇ ଇନ୍ଦିରା ଗାନ୍ଧୀଙ୍କର ସୁପ୍ରିମ କୋର୍ଟରେ କେଶ ଡାଏରୀ, କଂଗ୍ରେସର କୌଣସି ଗୋଷ୍ଠୀ ସହିତ ଜନତା ଦଳ ନିର୍ବାଚନ ମେଣ୍ଟ କରିବ ନାହିଁ, ଇତ୍ୟାଦି ।

 

ସକାଳଟି କ୍ରମେ ବିଷଣ୍ଣ ମନେହୁଏ । ଖରା ଟାଣ ହେବା ସହିତ ମନଟାର କେମିତି ଏକ ଯୋଗସୂତ୍ର ରହିଛି । ଆପାତତଃ ପ୍ରେମମୟ ମନେ ହେଉଥିବା ଦୁନିଆଟା ପୁଣି କେମିତି ଖାପଛଡ଼ା ଲାଗେ ଓ କାଳ୍ପନିକ ନୀଳପକ୍ଷୀ ଯେମିତି ମାଟିର ଅସହ୍ୟ ଗତିରେ ତା’ର ପାଦ ସ୍ଥିର କରି ନ ପାରି କେଉଁ ରହସ୍ୟମୟ ରାଜ୍ୟରେ ଆତ୍ମଗୋପନ କରେ ।

 

ତା’ର ମନେପଡ଼େ ସେ ଗପ ଲେଖୁଥିଲା, କବିତା ଲେଖୁଥିଲା, ସବୁ ଲେଖୁଥିଲା । କିନ୍ତୁ ଲେଖି ଲେଖି ସେ ଯେତେବେଳେ ଥକିପଡ଼େ, ଲାଗେ ତାକୁ ଯେମିତି ସେଇ ଷଷ୍ଠ, ସପ୍ତମ କି ଦଶମ ଶ୍ରେଣୀ– ହଡ଼ା ବଳଦର ଆତ୍ମକାହାଣୀଠାରୁ ଦୁର୍ଗାପୂଜାର ଅନୁଭୂତି ନେଇ ବନ୍ଧୁଙ୍କ ନିକଟକୁ ପତ୍ର ଲେଖି । ତା ବାପା ଲେଖିଥିଲେ ସେ ଲେଖିଥିଲା ଏବଂ ସଂପ୍ରତି ଗାଁରେ ଥିବା ତା’ର ସାନଭାଇ ମଧ୍ୟ ଲେଖୁଥିବ । କିନ୍ତୁ ଏଇ ଦୁଇ ପୁରୁଷ ମଧ୍ୟରେ ତାଙ୍କର ଅନେକ ହଡ଼ାବଳଦ ମରିଗଲେଣି ଓ ଅନେକ ଦୁର୍ଗାପୂଜା ଅତିକ୍ରମ କରିଗଲାଣି ସବୁ ରଚନା ଓ ପତ୍ରଗୁଡ଼ିକୁ ଯଦି ସଜାଇ ଦିଆଯାଏ । ମୁଁ ଗୋଟିଏ ହଡ଼ାବଳଦ, ମୋ ଦେହରେ କଳା–ଧଳା ରଙ୍ଗର ଚିହ୍ନ, ମୋ ମୁଣ୍ଡରେ ଗୋଟିଏ ଚାନ୍ଦ x x x ବୁଢ଼ା ହେଲାପରେ ମୋର ଆଦର ନାହିଁ, ମୋ ଠେଙ୍ଗିଣୀରେ କୁଆ ହାଣେ... କିମ୍ବା ଏଥର ଆମ ଏଠି ଦଶମେଢ଼ ଦୁର୍ଗା ହୋଇଥିଲେ, ସବୁଠାରୁ ଆକର୍ଷଣୀୟ ହୋଇଥିଲା ଅନୁବାବୁଙ୍କ ହାଟମୂର୍ତ୍ତି, ଏଇ ଚାରିଦିନ ଧରି ମୁଁ ଓ ଆମ ପରିବାରର ଅନ୍ୟମାନେ ମହା ଆନନ୍ଦରେ ସମୟ କଟାଇଲୁ ଇତ୍ୟାଦି । ଯେମିତି ଗୋଟିଏ କଥା ବାରମ୍ବାର ଆସୁଛି ଛୋଟ ପିଲାର ସ୍ଲେଟରେ ଘସରା ‘ଅ’ ପରି ।

 

ସେ ଗପ ଲେଖୁଥିଲା, କବିତା ଲେଖୁଥିଲା ଓ ସେଗୁଡ଼ିକୁ ଯେତେବେଳେ ପୁରୁଣା କାଗଜ ଗଦାରୁ ଖୋଜି ଆଣି ପଢ଼େ ସେତେବେଳେ ସେଗୁଡ଼ିକୁ ସେ ଚିରିପକାଏ– ମୋଡ଼ିମାଡ଼ି ଫିଙ୍ଗି ଦିଏ । ତାକୁ ଲାଗେ ଯେମିତି ମୁହୂର୍ତ୍ତର ଧାରଣା ସେଇ ସମୟ ପାଇଁ ସତ୍ୟ, ପୁଣି ମୁହୂର୍ତ୍ତଟେ ଗଡ଼ିଗଲେ ସତ୍ୟ–ମିଥ୍ୟାର ଆପେକ୍ଷିକତାରେ ସେ କଥାଟି ସଂଶୟାଚ୍ଛନ୍ନ ହୋଇପଡ଼େ ।

 

ନୀଳପକ୍ଷୀ !

 

ପ୍ରତିବେଶୀଙ୍କର ଖବରକାଗଜ ପଢ଼ିବାର ଶବ୍ଦ ସ୍ପଷ୍ଟ ହୁଏ । ଗାଈ ବାଛୁରୀ ସନ୍ତକପାଇଁ ଇନ୍ଦିରାଗାନ୍ଧୀଙ୍କର ସୁପ୍ରିମ୍ କୋର୍ଟରେ ରିଟ୍, ଜନତା ଦଳ କଂଗ୍ରେସର କୌଣସି ଗୋଷ୍ଠୀ ସହିତ ନିର୍ବାଚନ ବୁଝାମଣା କରିବ ନାଇଁ ।

 

ତାର ମନେପଡ଼ିଯାଏ ସେଇ ପିଲାଦିନର କଥା ତା’ ବଡ଼ ଭଉଣୀ ଦୁଇଟି ପତାକା ତିଆରି କରିଥିଲା ଓ ତାକୁ ଦାଣ୍ଡଦରଜାରେ ଛକ କରି ଝୁଲାଇ ଦେଇଥିଲା । ତା’ ତଳକୁ ଦୁଇପଟରେ ଦୁଇଟି କଦଳୀଗଛ ଓ ପୂର୍ଣ୍ଣକଳସ । ହେତୁ ହେଲାପରେ କଥାଟାକୁ କିନ୍ତୁ ସେ ଠିକ୍ ଭାବରେ ବୁଝିଥିଲା ଓ ଏକପ୍ରକାର ସିଦ୍ଧାନ୍ତରେ ପହଞ୍ଚିଥିଲା ଯେ ସ୍ୱାଧୀନତା ଏକ ଉପଲବଧି ନୁହେଁ ଦଶହରା ବା ସୁନିଆ ପରି ଏକ ପର୍ବ । ଦେବୀ ମେଢ଼କୁ ବିସର୍ଜନ କରିଦେଲା ପରେ ଉନ୍ମାଦ ଯେମିତି ଅବସନ୍ନତାରେ ପହଞ୍ଚେ ସେମିତି ଏ ପତାକାଟେକା ପର୍ବ...... ସବୁ ପଛରେ ଯେମିତି ଗୁଡ଼ାଏ ପେଶାଦାର ଉଦ୍ୟୋକ୍ତା ଚିର ଉଦାସୀନ ଲୋକଗୁଡ଼ାଙ୍କୁ କିଛି ମୁହୂର୍ତ୍ତପାଇଁ ସକ୍ରିୟ କରିପକାନ୍ତି ।

 

ପ୍ରତିବେଶୀଙ୍କର ହସ ଓ ଆନ୍ତରିକପୂର୍ଣ୍ଣ କଥା କେଇପଦ । ଖରା ଟାଣ ହେଲେ ଜୀବନକୁ ନେଇ ସେମାନେ ଦିନଟି ସହିତ ଏମିତି ସାଲିସ କରିନିଅନ୍ତି ଯେଉଁଠି ପ୍ରତ୍ୟେକଟି ଚିହ୍ନା ମୁହଁ ସୁନ୍ଦର ଅଚିହ୍ନାରେ ପରିଣତ ହୋଇ ଶେଷରେ ସମସ୍ତଙ୍କୁ ଠେଲି ଦିଏ ପ୍ରତିଦ୍ୱନ୍ଦ୍ୱୀର ଭୂମିକାକୁ ।

 

ସାମ୍ନାର ସମୁଦାୟ ମଣିଷ ରୂପାନ୍ତରିତ ହୁଅନ୍ତି, ଗୋଟିଏ ମଣିଷରେ– ସେ ବିରାଟ ଜନସମୁଦ୍ର ଠେଲି ବାହାରିପଡ଼େ ଆଗକୁ । ତା’ର ନିଶ ଅଛି, ଦୁଇଟି ପାରିଲା ହାତ ଓ ସମସ୍ତଙ୍କୁ ଜୟକଲା ପରି ମୁହଁରେ କଥାର ସମାରୋହ । ସେ ମଣିଷ ହସରେ ହସେ, କାନ୍ଦରେ କାନ୍ଦେ ଓ ସବୁଠି ଏକ ସଫଳ ଭୂମିକାରେ । ସେ ମଣିଷଟି ସମୟର ତାକୁ ସମସ୍ତେ ଚିହ୍ନନ୍ତି, ପୁଣି ଚିହ୍ନି ପାରନ୍ତିନି ସମୟରେ ଗାନ୍ଧାରୀଙ୍କ ଏକଶତତମ ପୁତ୍ର ଜନନୀର କ୍ରୋଧାଗ୍ନିରେ ଜଳୁଥିବାବେଳେ ଶ୍ରୀକୃଷ୍ଣଙ୍କ ରହସ୍ୟମୟ ହସପରି ।

 

ହସଟି ହୃଦ୍ୟ, ଅନ୍ତରାଳରେ କେଉଁ ଉଦ୍ଦେଶ୍ୟ ।

 

ଉଦ୍ଦେଶ୍ୟମାନ ଅନ୍ଧାରିଆ କୋଠରୀରେ କଳା ବିଲେଇ ପରି । ସେ ଅତିଷ୍ଠ ହୋଇ ଉଠେ– ଅନ୍ଧକାର କୋଠରୀକୁ ଯଦି ଆଲୋକିତ କରାଯାଇପାରନ୍ତା, ଆପାତତଃ ଭଦ୍ର ମନେହେଉଥିବା ଲୋକଟିର ପୋଷାକ ଖୋଲି ଦେଇ ତାର ହସକାନ୍ଦର ଲୁକ୍‍କାୟିତ ପରିଚୟଟିକୁ ଖୋଲି ଦିଆଯାଇ ପାରନ୍ତା !

 

ସତ୍ୟ ଦର୍ଶନର ଦୃଢ଼ତା ସକ୍ରିୟ ହୋଇଉଠେ କୌଣସି ସୁନ୍ଦରୀ ବାଳିକା ଦର୍ଶନରେ ଅପରିଣତ ହୃଦୟର ପ୍ରେମଭାବ କରି । କିନ୍ତୁ ପ୍ରେମକୁ ରୂପ ଦେବାର ଚେଷ୍ଟା ଅପ୍ରାସଙ୍ଗିକ ବାସ୍ତବତାରେ ବାଧାପାଇ ଗୋଟିଏ ଅନ୍ତର୍ଦହନରେ ପରିଣତ ହେଲାପରି ବହୁ ଛଳନାର ସ୍ତର ମଧ୍ୟରୁ ସତ୍ୟକୁ ଆବିଷ୍କାର କରିବାର ଉଦ୍ୟମ ପହଞ୍ଚେ ଏକ ଅବସନ୍ନତାରେ ।

 

ସେ ଇତିହାସ ଛାତ୍ର ନ ଥିଲା, ଅଥଚ ଐତିହାସିକମାନଙ୍କ ପ୍ରତି ତାର ଏକ କରୁଣ ସହାନୁଭୂତି ରହିଛି ।

 

ଯଦି କୌଣସି ଐତିହାସିକର ନିଷ୍ଠାକୁ ଚିତ୍ର ମାଧ୍ୟମରେ ଅଙ୍କନ କରିବାକୁ ପଡ଼େ– ମାଇକ୍ରୋସ୍କୋପ୍ ଉପରେ ଗୋଟିଏ ଆକ୍ଷି ବନ୍ଦ କରି ଝୁଙ୍କି ପଡ଼ିଥିବା ଘରୋଇ ଚିକିତ୍ସାରତ ଟୋକା ଡାକ୍ତର ମଳରକ୍ତ ମଧ୍ୟରୁ ରୋଗର କାରଣ ଅନୁସନ୍ଧାନ କଲାପରି ଅକସ୍ମାତ ପ୍ରାପ୍ତ କୌଣସି ମୁଦ୍ରା ବା ତାମ୍ରଫଳକରୁ ମାଟି ଛଡ଼ାଇ ରାସାୟନିକ ପ୍ରକ୍ରିୟାରେ ପ୍ରତ୍ନତତ୍ତ୍ୱବିତ୍‍ର ଅନୁସିଦ୍ଧାନ୍ତକୁ ଟେବୁଲରେ ହାମୁଡ଼ିପଡି ସତ୍ୟନିଷ୍ଠା ଐତିହାସିକଟି କେଉଁ ଉତ୍ତେଜନାରେ ପୃଷ୍ଠା ପରେ ପୃଷ୍ଠା ବର୍ଣ୍ଣମାଳାରେ ମଣ୍ଡିଦିଏ ! ତାହା ଏକ ଅଭ୍ୟାସ ନା ଅତୀତରେ ଭଲମନ୍ଦର ଅନୁଭୂତିକୁ ସଜାଇ ଦେଇ ବିଜ୍ଞଜନଙ୍କୁ ଡାକିଦିଏ; ଥୋଇ ଦେଇ ଗଲି ସତ୍ୟର ଗୋଟିଏ ଗୋଟିଏ ନମୁନା ତୁମମାନଙ୍କ ସାମ୍ନାରେ ଏଇ ପଥରେ ଗଲେ କଣ୍ଟାଗୁଳ୍ମ– ଏଇ ପଥରେ ଗଲେ ମଣିଷ ଭିତରୁ ଡେଇଁ ପଡ଼ିବ ଅତି–ମାନବଟିଏ ।

 

ଇତିହାସ ଘଟଣା ଓ ବ୍ୟକ୍ତିମାନଙ୍କୁ ବର୍ଣ୍ଣମାଳାରେ ଥାପି ଦେଇଗଲା । ସମୟ ସମୟରେ ଅଶୋକରୁ ଆକବର– ପୁଣି ଆକବରରୁ ମହାତ୍ମାଗାନ୍ଧୀ । ସେ ଆକ୍ଷେପ କରେ ମନକୁ ମନ : କେଡ଼େ ଅପରିଣାମଦର୍ଶୀ ସେ ଐତିହାସିକଟି ଯେ ମୁହୂର୍ତ୍ତକର ଉଚ୍ଛ୍ୱାସରୁ ଛନ୍ଦି ହୋଇଗଲା ଅଶୋକ, ଆକବର ଆଉ ମହାତ୍ମା ସହିତ ଯାହାଫଳରେ ମଣିଷକୁ ଗୋଟିଏ ଦ୍ୱନ୍ଦ୍ୱରେ ଛାଡ଼ି ଦେଇଗଲା... କେଉଁଟାକୁ ମଣିଷ ଏବେ ଠିକ୍ ବାଛି ନେବ ! ହାଣିବା/ପ୍ରେମ କରିବା/ସବୁ ଧର୍ମ ମୂଳରେ ଏକ ହି ଈଶ୍ୱର/ମାନବ ସେବାରେ ଈଶ୍ୱର ଉପଲବ୍ଧି ଇତ୍ୟାଦି କଥାମାନଙ୍କ ମଧ୍ୟରୁ ।

 

ସେ ସମୟରେ ଅନୁଭବ କରୁଛି– ଐତିହାସିକ ସତ୍ୟଦ୍ରଷ୍ଟା... ସେ ସତ୍ୟର ପ୍ରଚାର କରିଛି । ମଣିଷ କିନ୍ତୁ ଇତିହାସକୁ ସାମ୍ନା କରିପାରୁନି । ବୋଧହୁଏ ତା ନିଜ ସମ୍ପର୍କରେ ଏମିତି ନିଚ୍ଛକ ସତ୍ୟ ଅନ୍ୟ କେଉଁଠି ପ୍ରକାଶିତ ହୋଇନି । ସେ ସତ୍ୟ ଯେମିତି ପ୍ରତି ମୁହୂର୍ତ୍ତରେ ଟ୍ରାଫିକ୍‍ର ଲାଲ ଆଲୋକ ପରି ତାକୁ ସତର୍କ କରାଏ ଓ ସେ ଆଲୋକକୁ ଆଖିବୁଜି ଗଳିକରି ଚାଲିଯାଉଥିବା ଏ ମଣିଷମାନେ ।

 

ସେ ସିଦ୍ଧାନ୍ତରେ ପହଞ୍ଚେ ଇତିହାସର ସତ୍ୟ ଆଜି କେତେଗୁଡ଼ିଏ ମିଛରେ ପରିଣତ ହେଲାଣି ଯେମିତି–

 

ଗାଈ ମାରିଦେଲେ ଚାରିଗୋଡ଼କୁ ହିସାବ କରି ବ୍ରାହ୍ମଣକୁ ଦାନ ।

 

ପୁତ୍ ନାମକ ନର୍କରୁ ଉଦ୍ଧାର ପାଇଁ ପୁତ୍ରର ଆବଶ୍ୟକତା ।

 

ସମାଜରେ ବୃତ୍ତି ନେଇ ଚାରିବର୍ଣ୍ଣ.... ଇତ୍ୟାଦି ଇତ୍ୟାଦି କଥା ।

 

ଅନେକ କଥାରୁ ଗୋଟିଏ କଥା ଏକ ବିଶ୍ୱାସରେ ପରିଣତ ହୁଏ– ଉଦାହରଣ ଦେଲାପରି କଥାଟିଏ ହୋଇ ଯୁଗଯୁଗକୁ ରହେ । ଯେମିତି ସେ ଅଶୋକ ରାଜା ମେଞ୍ଚାଏ ଲୋକଙ୍କୁ ହାଣିଦେଲା ପରେ ଅନୁଭବ କଲା ହିଂସା ପ୍ରଣୋଦିତ ତରବାରୀର ଜୟ ପ୍ରକୃତ ଜୟ ନୁହେଁ... କିମ୍ବା ଗାନ୍ଧୀବୁଢ଼ା ଚିତ୍କାର କଲା ହିଂସା ଅପେକ୍ଷା ପ୍ରେମ ଉପରେ ପ୍ରତିଷ୍ଠିତ ଅହିଂସା ସମର ଅଧିକ ଶକ୍ତିଶାଳୀ ।

 

ଏଇ ସବୁ କଥାକୁ ଅତି ନିବିଡ଼ ଭାବରେ ଚିନ୍ତା କଲାବେଳେ ସେ ବଡ଼ ଅସହାୟ ବୋଧକରେ ।

 

ସବୁ ବନ୍ଧାଗତ ଧାରଣା ବିପର୍ଯସ୍ତ । ଇତିହାସର ସତ୍ୟ ପୁସ୍ତକର ପୃଷ୍ଠାରେ ସୀମାବଦ୍ଧ । କେଉଁ ଅଶୋକ /ଆକବର /ମହାତ୍ମାର ଏ ମଣିଷ !

 

ସେ ବଡ଼ ଦୁର୍ବଳ ମନେକରେ ଏବଂ ଏହି ଦୁର୍ବଳତା କ୍ରମେ ଏକ ନିଜସ୍ୱ ଯନ୍ତ୍ରଣାରେ ପରିଣତ ହୁଏ ଯେହେତୁ ତା’ର ଏଇ ଯନ୍ତ୍ରଣା ଅନ୍ୟ କାହାକୁ ଛୁଇଁବା ପରିବର୍ତ୍ତେ ବରଂ ଶୁଦ୍ର ମୁହଁର ବେଦାନ୍ତ ଚର୍ଚ୍ଚାର ଉପହାସରେ ରୂପ ପାଏ ।

 

ତା’ର ମନେହୁଏ ଯେଉଁ ବିଶେଷ ଭାବଟିକୁ ନେଇ ସେ ‘ମଣିଷ’ ବୋଲି ମାନବେତର ପ୍ରାଣୀଙ୍କଠାରୁ ଭିନ୍ନ ସେହି ଭାବଟି ହୁଏତ ବନ୍ଧାଗତ ଧାରଣାର ଚିଲୟ ପରେ ସେମାନଙ୍କଠାରୁ ଅନ୍ତର୍ହିତ ଓ ବିରାଟ ଶାଳବଣର ନିର୍ଜୀବ ବୃକ୍ଷମାନଙ୍କ ପରି ନିଜସ୍ୱ ବିଶିଷ୍ଟତାରେ ଏକୁଟିଆ ସେମାନେ । ପରସ୍ପର ସଂସ୍ପର୍ଶରେ ଆସିଲାବେଳେ ଭାବତରଙ୍ଗ ପରିବର୍ତ୍ତେ ସଂଘର୍ଷଜନିତ ବାଡ଼ବାଗ୍ନିର ଆଶଙ୍କା ପ୍ରତି ମୁହୂର୍ତ୍ତରେ ।

 

ସେ ହସିଦିଏ, କାନ୍ଦିବାର ପ୍ରଭାବ ନାହିଁ ଯେହେତୁ... ଏବଂ ବଂଶ–କ୍ଷୟ ସମୟର ଶ୍ରୀକୃଷ୍ଣଙ୍କ ପରି ଦୁନିଆର ଶିଆଳୀଲଟାରେ ଦୋହଲୁ ଥିଲାବେଳେ ଅତର୍କିତ ମୃତ୍ୟୁ କେତେବେଳେ ଆକ୍ରମଣ କରିପାରେ ବୋଲି ସେ ସଚେତନ ଯଦିଓ ।

 

ବଞ୍ଚିବାପାଇଁ ନିଜ ଚିନ୍ତାରେ ଏକ ବୁଝାମଣା କରିଦେଲା ପରେ ତାକୁ ଲାଗେ ପ୍ରତିବେଶୀମାନଙ୍କର ଆନ୍ତରିକତାହୀନ ହସ, ଇନ୍ଦିରାଗାନ୍ଧୀଙ୍କର ଗାଈବାଛୁରୀ ସନ୍ତକ ପାଇଁ ଜିଦ୍/ଜନତା ଦଳର ନିର୍ବାଚନ ବୁଝାମଣା ସବୁ ଗୋଟିଏ ଘଟଣା ମାତ୍ର ।

Image

 

ଚରିତ୍ର

 

କବାଟ ବନ୍ଦ କରି ଦେଲେ ସବୁ କୋଠରୀ ବିଚ୍ଛିନ୍ନ । ଆକ୍ଷି ବନ୍ଦ କରି ଦେଲେ ସମସ୍ତ ପୃଥିବୀ ଅଦୃଶ୍ୟ । ଏବଂ ପାଟି ବନ୍ଦ କରି ଦେଲେ ସବୁ କଥା ଅପ୍ରକାଶିତ ।

 

ସବୁ ନିରବ । ସବୁ ଚୁପ୍‍ଚାପ୍‍ ।

 

ସମୟର ଗତି ଅଛି– ଅନେକ ଲୋକ ସହଜରେ କଥାଟାକୁ ଗ୍ରହଣ କରି ନିଅନ୍ତି । କେତେକ କିନ୍ତୁ ଯୁକ୍ତିଟିକୁ ବିରୋଧ କରନ୍ତି । ସେମାନେ କହନ୍ତି ସମୟ ସ୍ଥିର ଏବଂ ତାହା ଏକ ବ୍ୟାପ୍ତି-। ସେ ସର୍ବତ୍ର ବିରାଜିତ : ରୁଦ୍ଧ କୋଠରୀରେ, ଉନ୍ମୁକ୍ତ ପ୍ରାନ୍ତରରେ, ପାହାଡ଼ର ଶୀର୍ଷ ଦେଶରେ ଓ ସମୁଦ୍ରର ଫେନ ଚୂଡ଼ ଉପରେ । ମଣିଷ କେବଳ ସେ ସମୟର କିଛି ଅଂଶ ଭୋଗ କରେ ଓ ତା’ ଜୀବନର କ୍ଷୟମାଣତାକୁ ସମୟ ସହିତ କଣ୍ଟ କରି ଗୋଟାଏ ସିଦ୍ଧାନ୍ତରେ ପହଞ୍ଚେ ସମୟ ଚାଲି ଯାଉଛି ।

 

ସଂଖ୍ୟାରେ ଅଳ୍ପ ହେଲେ ମଧ୍ୟ ଏଇ କେତେକଙ୍କ ଯୁକ୍ତି ବଳିଷ୍ଠ ମନେହୁଏ; କାରଣ ସମୟର ଗତି ଥିଲେ ହୁଏତ ସେ ଗୋଟାଏ ଲୋକ ପରି ତା’ର ଯାତ୍ରା ଆରମ୍ଭ କରି ଶେଷରେ ଝଲକାଏ କାଶ ଓ କିଛି ଦୀର୍ଘ ଶ୍ୱାସ ପରେ ଅକସ୍ମାତ ଦିନେ କୌଣସି ଚାଳ ବିହୀନ କୋଠରୀ କିମ୍ବା ବରଗଛ ଛାଇରେ ଆକ୍ଷି ବୁଜି ଦେଇଥାନ୍ତା ଏବଂ ପୃଥିବୀରେ ଏକଦା ହାଲ୍ଲୋଳ ପଡ଼ି ଯାଇଥାନ୍ତା... ଆହା ! ସମୟ ଚାଲିଗଲେ । ଏବଂ ତାଙ୍କ ସ୍ଥାନ କିଏ ପୂରଣ କରିବେ ସେଥିପାଇଁ ସାରା ପୃଥିବୀରେ ଗବେଷଣା ଜନିତ ବ୍ୟସ୍ତତାରେ ବୈଜ୍ଞାନିକମାନଙ୍କ ଜୀବନ କିଛି ଦିନ ଘଟଣାମୟ ହୋଇ ଯାଇଥାନ୍ତା ।

ଗତିର ଗୋଟାଏ ପରିଣତି ଅଛି ଯେମିତି ନଦୀ ସମୁଦ୍ରରେ ମିଶିଯିବା କିମ୍ବା ପବନ ପାହାଡ଼ରେ ଧକ୍‍କା ଖାଇବା । ସମୟ କିନ୍ତୁ କାହା ସହିତ ମିଶିଯାଏ ନାହିଁ କିମ୍ବା କେଉଁଠି ଧକ୍‍କା ଖାଏନାହିଁ । ସେ ସ୍ଥିର ଏବଂ ସବୁଜ । ସେ ବୃଦ୍ଧ ହେଇ ପାରେ, ଯୁବକ ବି ହେଇ ପାରେ କିମ୍ବା ଏକ ଉଚ୍ଛଳ ତରଙ୍ଗାୟିତ କିଶୋର ବି । ଯାହା... କିନ୍ତୁ ଗୋଟିଏ ପ୍ରକାରର... ବୃଦ୍ଧ, ଯୁବକ କିମ୍ବା କିଶୋର-

ସମୟ ଅବସ୍ଥାର ପରିବର୍ତ୍ତନ ନାହିଁ ।

ପରିବର୍ତ୍ତନ ଅଛି ମଣିଷ ଜୀବନର । ପରିବର୍ତ୍ତନ ଅଛି ବସ୍ତୁମାନଙ୍କର ଯେଉଁମାନେ ସୃଷ୍ଟି ଓ ଲୟ ସାପେକ୍ଷ । ସେମାନେ ସମୟର ରାଜତ୍ୱରେ କିଛିଦିନ ଅବସ୍ଥାନ କରନ୍ତି ଏବଂ ପରେ ପୁଣି ଅନ୍ତର୍ଦ୍ଧାନ ହେଇଯାନ୍ତି ସମୟକୁ ନିରବଚ୍ଛିନ୍ନ ରାଜତ୍ୱ କରିବାକୁ ଛାଡ଼ିଦେଇ । ସମୟ ରହିଯାଏ ପଦ୍ମପତ୍ର ପରି ଯାହା ଉପରେ ଅନେକ ଘଟଣା ଚରିତ୍ର ଠୁଳ ହୁଅନ୍ତି ଜଳବିନ୍ଦୁ ପରି ଓ ପରେ ପୁଣି ଗଡ଼ିଯାନ୍ତି ନିଜ ବାଟରେ ।

ସମୟ କେବଳ ସମୟ, ସବୁଦିନ ସମୟ ଏବଂ ସମୟ ବ୍ୟତୀତ ସେ ଅନ୍ୟ କିଛି ହେଇ ନପାରେ ।

ମଣିଷ ଜୀବନ ଯଦି ଏମିତି ଗୋଟିଏ ଅବସ୍ଥା ଦେଇ ଗତି କରନ୍ତା !

ବାସ୍ ।

କବାଟ ବନ୍ଦ କରି ଦେଲେ ସବୁ କୋଠରୀ ବିଚ୍ଛିନ୍ନ । ଆକ୍ଷି ବନ୍ଦ କରି ଦେଲେ ସମସ୍ତ ପୃଥିବୀ ଅଦୃଶ୍ୟ । ଏବଂ ପାଟି ବନ୍ଦ କରି ଦେଲେ ସବୁ କଥା ଅପ୍ରକାଶିତ ।

କେବଳ ଗୋଟିଏ ଅବସ୍ଥା । ବୃଦ୍ଧ, ଯୁବକ କିମ୍ବା କିଶୋର । ଯାହା କେବଳ ଗୋଟିଏ ପ୍ରକାରର, ଅପରିବର୍ତ୍ତନୀୟ ।

ମଣିଷ କଣ ଏମିତି ଏକ ଅବସ୍ଥା ଚାହେଁ କେବେ !

ଚାହୁଁଥିବ, ଅସ୍ୱାଭାବିକ କ’ଣ !

ମୁଁ ତ ବେଳେ ବେଳେ ସେମିତି ଗୋଟାଏ କଥା ଚିନ୍ତା କରେ : ମୁଁ ଗୋଟାଏ ଶାଳଗଜା ପରି ହଠାତ୍ ଭୂଇଁରୁ ଉଠି ପଡ଼ିଥାନ୍ତି ଓ ଗୋଟିଏ ଅବସ୍ଥାରେ କିଛିଦିନ ଅତିକ୍ରମ କଲାପରେ ମୋର ଲୀଳାଖେଳା ଶେଷ କରି ଅକସ୍ମାତ୍ ଦିନେ ପୁଣି କୋଷବଦ୍ଧ ହୋଇଥାନ୍ତି ସୁଆଙ୍ଗ ସେନାପତିର ଶାଣିତ ତରବାରୀ ପରି । ମୋତେ ଅଯଥାରେ ଗୁଡ଼ାଏ ଅବସ୍ଥା ଦେଇ ଗତି କରିବାକୁ ପଡ଼ି ନଥାନ୍ତା: ଯେମିତି ଅନେକ ସମଲିଙ୍ଗୀକୁ ପ୍ରଲୋଭିତ କରୁଥିବା ମୋର ଏକଦା ତାରୁଣ୍ୟର ଝଲ୍‍ମଲ୍‍ ଚେହେରା ଆଜି ବୟସର ମଧ୍ୟାହ୍ନରେ ଏକ କ୍ଷୟମାଣ ରାଜବଂଶ ପରି ନିଜର ସମସ୍ତ ଆଭିଜାତ୍ୟ ହରାଉଛି ଏବଂ ଦିନେ ପୁଣି ଅତୀତର ଗୌରବମୟ ସ୍ମୃତିକୁ ମୂଳଧନ କରି ସାଧାରଣ ଜୀବନ ସହିତ ସାମିଲ ହୋଇଥିବା ଶେଷ ରାଜପୁରୁଷଟି ପରି ଜୀବନର ସମସ୍ତ ଆକର୍ଷଣୀୟ ଦିଗକୁ ରୋମନ୍ଥନ କରି ମୃତ୍ୟୁକୁ ଅପେକ୍ଷା କରିବ ଏକାନ୍ତ କରୁଣ ଭାବରେ ।

ମୋର ଏକଥା ଶୁଣି କେତେକ ମୋ ପ୍ରତି ତୀର୍ଯକ ଦୃଷ୍ଟି ନିକ୍ଷେପ କରିବେ । କାରଣ ସେମାନେ ଜୀବନର ସ୍ୱାଭାବିକ ଅବସ୍ଥାମାନଙ୍କୁ ମାନି ନିଅନ୍ତି ଓ ସେହି ଅବସ୍ଥାନୁରୂପ ଗୁଣାନୁସାରେ ନିଜ ବ୍ୟବହାରର ସମୟ କ୍ରମିକ ସଂଶୋଧନ କରନ୍ତି । ଯଦିଓ ଅନେକ ସମୟରେ ଏହି ବ୍ୟବହାର ବାହ୍ୟ ଉପଚାରରେ ପର୍ଯ୍ୟବସିତ ଏବଂ ଅନ୍ତରରେ ସେମାନେ ମୋ ପରି ଅଦ୍ଭୁତ ଚିନ୍ତାରେ କ୍ଷତାକ୍ତ-

 

ଶାଳୀନତା ଗୋଟାଏ ରାଜନୈତିକ ସ୍ଳୋଗାନ ପରି ।

 

ତେଣୁ ସେମାନଙ୍କ ବିଚାରରେ ମୁଁ ଜଣେ ସ୍ୱାଭାବିକ ମଣିଷ ହୋଇ ନପାରେ ବି ।

 

ମୁଁ ସ୍ୱାଭାବିକ ମଣିଷର ସଂଜ୍ଞା ଭିତରେ ଆସି ପାରୁଥାଏ, ନଥାଏ । କିନ୍ତୁ ମୁଁ ଆଶ୍ୱସ୍ତ– ମୋ ଭିତରେ କେତେ ଗୁଡ଼ିଏ ପ୍ରତିକ୍ରିୟା ପ୍ରକାଶ ପାଏ ସେତେବେଳେ ମୁଁ ନିଜକୁ ଅନୁଭବ କରେ... ନିଜକୁ ଆବିଷ୍କାର କରେ... ନିଜକୁ ପାଏ ଓ ନିଜର ଉପଲବ୍ଧିରେ ଉଲ୍ଲସିତ ହୁଏ ।

 

ମୋର ମନେହୁଏ– ମୁଁ କ୍ଲାସର ସେଇ ପିଲାଟି ଅନେକ ପ୍ରଶ୍ନର କୌଣସି ଉତ୍ତର ଦେଇ ନପାରି ବିମର୍ଷ ମୁହଁରେ ନିଜର ଅସହାୟତା ପ୍ରକାଶ କରୁଛି । କିମ୍ବା କୌଣସି ଛାତ୍ରୀ ସହିତ ମୁଁ କଥାବାର୍ତ୍ତା କରୁଥିଲା ବେଳେ ନିଜର ପଦବୀ ଜନିତ ସୁଯୋଗର ସଦ୍‍ବ୍ୟବହାର କରୁଥିବାରୁ ଚା ଦୋକାନରେ ଗୋଡ଼ ଉପରେ ଗୋଡ଼ ପକାଇ ସିଗାରେଟ ଟାଣି ଇର୍ଷାନ୍ୱିତ ଅବଜ୍ଞା ପ୍ରକାଶ କରୁଥିବା ପିଲାଟି ବି ମୁଁ, ପୁଣି ରାସ୍ତାରେ ଚାଲି ଯାଉଥିବା ବେଳେ ଗୋଟିଏ ଟିକିଲି ପଇସା ପାଇଁ ବିବ୍ରତ କରୁଥିବା ବିକଳାଙ୍ଗ ପିଲାଟି ମୁଁ ଓ ରାସ୍ତାରେ ଅସଂଖ୍ୟ ଭିକାରୀଠାରୁ ଆରମ୍ଭ କରି କୁଷ୍ଠ ରୋଗୀ, ଚୋର, ବଦମାସ, ଅସାମାଜିକ, ସାମାଜିକ ଲୋକ ବି ମୁଁ । ବିଭିନ୍ନ ଅବସ୍ଥା ଓ ପରିବେଶରେ ମୁଁ ଭିନ୍ନ ରୂପ ।

 

ଅଥଚ ମୋତେ କେହି ସ୍ୱାଭାବିକ ମଣିଷ କହି ପାରେ, ନକହି ପାରେ ବି ।

 

ସେଇ ‘ମୁଁ’, ମଣିଷ କିମ୍ବା ଅମଣିଷ ବେଳେ ବେଳେ ଏମିତି ଇଚ୍ଛାକରେ । ଜୀବନଟା ଯଦି ସମୟ ପରି ଗୋଟିଏ ଅବସ୍ଥା ଦେଇ ଗତି କରନ୍ତା ! ବେସ୍, ଜନ୍ମ ଏବଂ ମୃତ୍ୟୁ ଦୁଇଟି ଚିହ୍ନ ମାତ୍ର, ନଚେତ ଅନ୍ୟ କଥା ଏକା ପ୍ରକାରର ।

 

ଆଉ ଚିନ୍ତା କଣ । କୋଠରୀ ବିଚ୍ଛିନ୍ନ । ପୃଥିବୀ ଅଦୃଶ୍ୟ ଏବଂ କଥା ଅପ୍ରକାଶିତ । ଯାହା କିଛି କେବଳ ଚେତନାରେ । (ଯୋଗ ଭିତର ଦେଇ ଚେତନାରେ ନିର୍ବାଣ ଏବଂ ରାଧାକୃଷ୍ଣଙ୍କର ନିତ୍ୟରାସ । ଯୋଗକୁ ଛାଡ଼ିଦେଲେ କିମ୍ବା ଯୋଗ ସରିଗଲେ ଶବର ଶବରୀ ବା ସାଧକ ସାଧୀକା)-

 

କେବେ ଯଦି ଚେତନା ରୂପନିଏ କୋଠରୀର ଦ୍ୱାର ଖୋଲିଯିବ, ପୃଥିବୀ ଦୃଶ୍ୟମାନ ହେବ ଏବଂ କଥା ପ୍ରକାଶିତ ହେବ ।

 

ଏବଂ ମୁଁ ଅନ୍ୟମାନଙ୍କ ପରି ସେତେବେଳେ କହିଦେବି– ସମୟ ସମୟ, ଜୀବନ କେବେ ସମୟ ପରି ଗୋଟିଏ ଅବସ୍ଥାରେ ରହି ନପାରେ କେତେକ ପରିବର୍ତ୍ତନ ଦେଇ ପରିଣତିରେ ପହଞ୍ଚିବାକୁ ସେ ବାଧ୍ୟ ।

 

କିନ୍ତୁ ଏଥିରେ ମୁଁ ସନ୍ତୁଷ୍ଟ ହୋଇ ପାରିବିତ ! ହୁଏତ ହେଇ ପାରିବି ଯଦି ମୋ ଜୀବନ ଘଟଣା–ବିହୀନ ହୁଏ ।

 

ମୁଁ ଯଦି ନିଜକୁ ସେଇ ଭାରତୀୟ ଅଭିନେତା କିମ୍ବା ବିଦେଶୀ ଚିତ୍ର ପ୍ରଯୋଜକ କିମ୍ବା ଗ୍ରୀସ୍‍ର କୋଟୀପତି ବ୍ୟବସାୟୀ ବୋଲି ଧରିନିଏ ଯେଉଁମାନେ ବାର୍ଦ୍ଧକ୍ୟକୁ ଅସ୍ୱୀକାର କରନ୍ତି ଓ ସେମାନଙ୍କ ଠାରୁ ତିରିଶ ବର୍ଷ କନିଷ୍ଠାକୁ ବିବାହ କରିବାପାଇଁ ଇଚ୍ଛା ପ୍ରକାଶ କରନ୍ତି !

 

ଅବଶ୍ୟ ତିରିଶ ବର୍ଷ କନିଷ୍ଠାକୁ ବିବାହ କରିବା ଅର୍ଥ ନିଜ ପଇସାରେ ଅନ୍ୟର ପଢ଼ିବାପାଇଁ ବହି କିଣିବା ବିଚାରରେ ମୁଁ ଟିକିଏ ସଙ୍କୁଚିତ ହୋଇଯାଇ ପାରେ । ତେବେ ମନ୍ତବ୍ୟଗୁଡ଼ାକ ଆପେକ୍ଷିକ ଯେମିତି ପାପ ଓ ପୁଣ୍ୟ; ତା’ ଉପରେ କୌଣସି ଗୁରୁତ୍ୱ ଦେବା ଲୋକର ନିଜ ବିଚାର ।

 

ଏଇଠି କୋଠରୀର ଦ୍ୱାର ବନ୍ଦ ହୋଇଯାଏ । ପୃଥିବୀ ଅଦୃଶ୍ୟ ମନେହୁଏ ଏବଂ ପାଟିର କଥାମାନ ଅପ୍ରକାଶିତ ରହନ୍ତି ।

 

ଚେତନାର ଧଳା ପରଦାରେ ଚିତ୍ର ଝଳେ...

 

ତ୍ୱିଷାମ୍ପତିଙ୍କର ବୟସ ଫେରେ ଯୌବନକୁ । ଦୀପ୍ତିବନ୍ତ ଶରୀର ପରିଣତ ହୁଏ ସ୍ୱର୍ଣ୍ଣତାଳରେ ଏବଂ ବିପ୍ର–ଯୁବା ବେଶରେ ସେ ଓହ୍ଲାଇ ଆସନ୍ତି ବାଲିବନ୍ତ କିମ୍ବା ରାଜପଥ ଉପରକୁ-

 

ଦେବ କିମ୍ବା ମର୍ତ୍ତ୍ୟଲୋକରେ ରୂପ ଆକର୍ଷଣ ରୂପ ଆକର୍ଷଣ ପ୍ରବନ୍ଧ ଏବଂ ସେଥିପାଇଁ ନିଜ କିମିଆରେ ପ୍ରତ୍ୟେକ ଗୋଟିଏ ଗୋଟିଏ ଦଳରେ ରୂପାନ୍ତରିତ ହୁଅନ୍ତି ।

 

ଚନ୍ଦ୍ରଭାଗା ଏକ ପ୍ରତୀକ : ରୂପ ଏବଂ ଆକର୍ଷଣର । ସିଂହଦ୍ୱାରରେ ଅଭିଷେକ ଜନିତ କୋଳାହଳ ଓ ସୂର୍ଯ୍ୟ ଏବଂ ସ୍ମରଙ୍କର ଦ୍ୱନ୍ଦ ଏକ କଳ୍ପନା । ସତ୍ୟ କେବଳ ଚନ୍ଦ୍ରଭାଗା ଏବଂ ତା’ର ରୂପ କିମ୍ବା କୌଣସି ରୂପବତୀ ବାଳିକା ଷଷ୍ଠ ଅମୋଘ ବାଣ ହେବା କଥା ।

 

ଦେବଲୋକ କିମ୍ବା ମର୍ତ୍ତ୍ୟର ମଣିଷ ନିକଟରେ ।

 

ପ୍ରଚ୍ଛନ୍ନଥିଲେ ମଧ୍ୟ ରୂପର ଆକର୍ଷଣ ଅଛି ।

 

ତେଣୁ ଚନ୍ଦ୍ରଭାଗା ବାଲିବନ୍ତରେ କନ୍ଦୁକ କ୍ରୀଡ଼ା କରିପାରେ, ତା’ର ଅସମ୍ଭାଳ କୁନ୍ତଳ ଭୂମିକୁ ସ୍ପର୍ଶ କରିପାରେ, ତା’ର ସୁଗୋଲ ନିତମ୍ବରେ ହେମ ମେଖଳା ବା ସ୍ତନାଙ୍କୁରରେ ମୋତିମାଳ ଲୀଳାଚପଳ ହୋଇପାରେ କିମ୍ବା ସେ ମେକ୍‍ସି ବା ଜିନ୍‍-ସ୍ଳାକ୍‍ସ ପିନ୍ଧି ଗୋଛାଏ ବହି ଛାତିରେ ଜାକି ରାସ୍ତାରେ ଯାଇପାରେ; କିମ୍ବା ଛୋଟ ଶିଶୁ ମୁହଁରେ ଚୁମା ଦେଇ ରାସ୍ତାରେ ଟହଲ ମାରିପାରେ...

 

ଯାହା ହେଉନା କାହିଁକି ! ବିଚାରବନ୍ତ ଦେବ ପୁରୁଷ କିମ୍ବା ମର୍ତ୍ତ୍ୟର ଅବିବେକୀ ଦୁର୍ଦ୍ଦାନ୍ତ ପୁରୁଷ ନିକଟରେ ଗୋଟିଏ କଥା–ରୂପ ।

 

ବୟସ, ପଦବୀ ନିରର୍ଥକ । ନିରର୍ଥକ ପୁଣି ଦେବତ୍ୱ । ସତ୍ୟ ରୂପ, ତା’ର ଆକର୍ଷଣ ଓ ଅନ୍ତର ଭିତରେ ତଜ୍ଜନୀତ ପ୍ରତିକ୍ରିୟା ।

 

କିନ୍ତୁ କୋଠରୀ ଖୋଲିଗଲେ; ପୃଥିବୀ ଦୃଶ୍ୟମାନ୍ ହେଲେ, ଏବଂ ପାଟିର କଥା ସବୁ ପ୍ରକାଶିତ ହେଲେ !

 

ହାତ୍, ଶାଲା ବୁଢ଼ାଟା ହେଲାଣି ରଙ୍ଗ ଦେଖ ! ଶାଲା, ଚରିତ୍ର–ହୀନଟା ।

 

କେଉଁଟି ଏବେ ଚରିତ୍ର ।

 

ପ୍ରଶ୍ନ ଉଠିଲେ : ଆଙ୍ଗୁଳିର ନିର୍ଦ୍ଦେଶ ସମାନ ହୁଏନା । ଆଙ୍ଗୁଳିମାନେ ଫୁଲଝରୀର ଆଲୋକ କଣିକା ପରି ଏଣେ ତେଣେ ଘୂରିଯା’ନ୍ତି ।

 

ହେଇ ସେ ମନ୍ତ୍ରୀଟା ଦେଶ ସେବା ନାଁରେ ଆତ୍ମ ପ୍ରତିଷ୍ଠାରେ ଲାଗି ପଡ଼ିଛି, ଅଧ୍ୟାପକ ପାଠ ଛାଡ଼ି ରାଜନୀତି କରୁଛି, ଇଂଜିନିଅର ଲାଞ୍ଚ ନେଉଛି, ଡାକ୍ତର ଘରେଇ ଚିକିତ୍ସା କରୁଛି, ଆଇ.ଏ.ଏସ୍ ଫାଇଲଗୁଡ଼ାକ ଗାଣ୍ଡିତଳେ ମାଡ଼ି ବସୁଛି... ଏମିତି ଅନେକ କଥା ।

 

ଛ’ ଜଣ ଅନ୍ଧଙ୍କର ଛ’ ପ୍ରକାର ହାତୀ । ପ୍ରତ୍ୟେକଙ୍କ ନିକଟରେ ନିଜ ନିଜ ବିଚାରରେ ଚରିତ୍ରର ସ୍ୱାତନ୍ତ୍ର ନକ୍ସା ।

 

ଚରିତ୍ରର ବୋଧହୁଏ ନିର୍ଦ୍ଦିଷ୍ଟ ରୂପ ନାହିଁ । ଯେମିତି ମୁଁ କହୁଛି ବୟସଟା ସମୟ ପରି ଗୋଟିଏ ଅବସ୍ଥା ଦେଇ ଗତିକରନ୍ତା ଏବଂ ହଠାତ୍ ଦିନେ ତା’ର ସମସ୍ତ ଲୀଳାଖେଳା ସାରି ଆଲୋକ ପରି ଲିଭିଯା’ନ୍ତା ।

 

କିନ୍ତୁ ସମୟ= ସମୟ ଏବଂ ବୟସ= ବୟସ, ସେମାନେ କେବେ ଏକ ହୋଇ ନପାରନ୍ତି ।

 

ମୋ ଯୁକ୍ତିକୁ କେହି ଗ୍ରହଣ କରିପାରେ, ନପାରେ ବି । ତେବେ ସାମୟିକ କେହି ପ୍ରବୃତ୍ତିକୁ ଆୟତ୍ତ କରିପାରେ ହୁଏତ, କିନ୍ତୁ ବୟସର ଅବସ୍ଥାନୁରୂପ ଆଚରଣ ସତ୍ତ୍ୱେ ପ୍ରବୃତ୍ତିକୁ କେହି ସଂପୂର୍ଣ୍ଣ ଜୟ କରିଛି କି ?

 

ସେମିତି କେହି ମହାପୁରୁଷ ଥାଇପାରନ୍ତି, ମୁଁ କିନ୍ତୁ ନୁହେଁ । ମୁଁ କେବଳ ନୁହେଁ, ଅନେକ ହିପୋକ୍ରାଟଙ୍କ ମଧ୍ୟରେ ଅନେକ ମୁଁ ଲୁକାୟିତ ।

 

ମୋର କହିବାରେ ସଙ୍କୋଚ ନାହିଁ– ରୂପ ମୋତେ ପ୍ରଲୋଭିତ କରେ । ରୂପ ପଛରେ ଦଉଡ଼ିବାରେ ମୋର ପଥଶ୍ରାନ୍ତି ନାହିଁ, କ୍ଳାନ୍ତି ନାହିଁ, ଅଛି ଗୋଟାଏ ଉଦ୍ଦାମ ପ୍ରବଣତା ।

 

ମୋର ମୃତ୍ୟୁର ଦିନ ମୁଁ ଜାଣିନାହିଁ । କିନ୍ତୁ ସତ କହିଦେଲି । ମୋତେ ଏବେ ଖୁବ୍ ହାଲକା ଲାଗୁଛି... ମୁଁ ଗୋଟାଏ ଗୀତର ସ୍ୱର ଧରିଛି...

 

କବାଟ ବନ୍ଦ କରିଦେଲେ ସବୁ କୋଠରୀ ବିଚ୍ଛିନ୍ନ,

 

ଆକ୍ଷି ବନ୍ଦ କରିଦେଲେ ସମସ୍ତ ପୃଥିବୀ ଅଦୃଶ୍ୟ

 

ଏବଂ ପାଟି ବନ୍ଦ କଲେ ସବୁ କଥା

 

ଅପ୍ରକାଶିତ...

 

ଏକ ନିର୍ଲିପ୍ତ ଅନୁଭୂତି ।

Image

 

ସନାତନୀ

 

କେଉଁ ସନାତନୀ–ସେ ପୋତି ଦେଇ ଥିଲା ବୀଜଟିଏ.. କେଉଁ ଉଦ୍ଦେଶ୍ୟରେ ! ପୁତ୍ ନାମକ ନର୍କରୁ ମୁକ୍ତି ପାଇଁ, ନା ଗୟା ବା ପ୍ରୟୋଗରେ ଦୁଇ ମୁଠା ଅରୁଆ ଚାଉଳର ପିଣ୍ଡ ଟେକି ଦେବାକୁ ଯେଉଁ କାଳ୍ପନିକ ଶୂନ୍ୟ ପୁରଷ ଶୂନ୍ୟେ ଶୂନ୍ୟେ ଟେକିନେଇଥା’ନ୍ତା ଅନେକ ଦିନର କ୍ଷୁଧିତ ଉଦରକୁ, ପୂର୍ଣ୍ଣ କରିବା ପାଇଁ । ଗଣିଥିଲା କି ସେ ଋତୁ ଦିନର ଯୋଡ଼ ବେଯୋଡ଼ ସଂଖ୍ୟା, କୃଷ୍ଣପକ୍ଷ ବା ଶୁକ୍ଳପକ୍ଷ, ପୁଣି ତିଥି ନକ୍ଷତ୍ର ନେଇ ସ୍ତ୍ରୀ ଡିମ୍ବାଣୁର ଅବସ୍ଥିତି ! ସେ କେବେ କ’ଣ ବିଛଣାକୁ ଯିବା ପୂର୍ବରୁ ଗୀତା ଭାଗବତ ପାଠକରି ଆତ୍ମାକୁ ଶୁଚିବନ୍ତ କରିଥିଲା ଏବଂ ଈଶ୍ୱର ପରମେଶ୍ୱରଙ୍କ ଚିନ୍ତା ମନରେ ନେଇ ଲମ୍ଫ ପ୍ରଦାନ କରିଥିଲା ସେ ସମର୍ପିତ ଶରୀର ଉପରେ.. ହେ ଈଶ୍ୱର ! ପୁଅ ପିଲାଟିଏ ହେଉ ବଂଶ ଉଦ୍ଧାର ହେବ ବୋଲି !

 

ପଚାରି ଦେଲେ କାହାକୁ, ସେ ମୂଢ଼ ଠିଆ ହୋଇଯିବ ଏବଂ ଦଣ୍ଡେ ଗଛର ମୂଳରୁ ଶେଷଯାଏ ଚାହିଁ ଦେବ... ଜଣେ ପୋଖତ ଲୋକପରି ଭୃକୁଞ୍ଚନ କରି ହୁଏତ ମାରିବ ଗୋଟାଏ ଚାଲ୍ ! ହଁ, ଘରର ବଡ଼ପୁଅ ହୁଏତ ବାହାହେଇ ପାରିଲାନି କିମ୍ବା ବିବାହର ଦଶବର୍ଷ ବିତି ଯାଇଥିଲେ ବି ସ୍ତ୍ରୀର ବନ୍ଧ୍ୟା ଦୋଷ କଟିଲାନି । ଟିକେ ହେଲେ ଚଣ୍ଡାଳ ପଛକୁ ଫେରି ଯାଆନ୍ତା, ମୂଳ କଥା କ’ଣ ହେଇଥିବ ବୋଲି ଖୋଜି ପକାନ୍ତା ସୂତ୍ରଟିକୁ... ଦେଖନ୍ତା କେମିତି ସେ ଜେଲିରୁ ମାଙ୍କଡ଼ ଓ ବଣ ମଣିଷ ଦେଇ ଘୂରିଗଲା ବିବର୍ତ୍ତନ ଧାରାଟା ଏବଂ ମାଟିରେ ଠିଆ ହେଲେ ଦୁଇଟି ସ୍ୱତନ୍ତ୍ର ସ୍ଥିତି... ଅନାବୃତ୍ତ ଲିଙ୍ଗ, ଯୋନି ଓ ସ୍ତନ... ନିର୍ବିକାର । ପୁନଶ୍ଚ ବଳ୍‍କ ବସ୍ତ୍ରରେ ରୂପାନ୍ତରିତ ହେବା କଥା ଓ ପାଞ୍ଚ ଜଣଙ୍କ କାନ୍ଧରେ ହାତ ରଖି ସେମାନେ ନିର୍ଭରଶୀଳ ଏକଥା ଉପଲବ୍ଧି କଲାବେଳେ କେମିତି ସେ ବିସ୍ତୀର୍ଣ୍ଣ ପ୍ରାନ୍ତର ସେମାନଙ୍କ ଆକ୍ଷି ସାମ୍ନାକୁ ଆସିଲା ଓ ସେମାନଙ୍କ ମଧ୍ୟରୁ ହଠାତ୍ ଜଣେ ଆଶଙ୍କାରେ ଥରିଯାଇ କହିଦେଲା– ମନେକର ପ୍ରବଳ ଖରାରେ ଆମ ଭିତରୁ କେହି ଏ ପ୍ରାନ୍ତର ମଝିରେ ଅଟକି ଯାଏ !

 

ଠିକ୍ ଠିକ୍ ଖଞ୍ଜିଦିଅ ଗୋଟାଏ ବିଧି ମନକୁ ମନ ସେ ପ୍ରାନ୍ତର ମଝିରେ ଠିଆ ହେଇଯିବ ବଟ ଅଶ୍ୱତ୍ଥର ମହାଦ୍ରୁମ । ଏମିତି ଲୋକ କ’ଣ ଏ ଜଗତରେ ଦୃଶ୍ୟମାନ ହୁଅନ୍ତି ଯେ କହିଦେବ ବଟବୃକ୍ଷର ବୀଜପତନ ପରେ ସେ ସନାତନୀର ବନ୍ଧ୍ୟା ସ୍ତ୍ରୀ, ପୁତ୍ର ସନ୍ତାନ ଜନ୍ମ କଲା କି ନାହିଁ; କିମ୍ବା ତା’ର ଅବିବାହିତ ପୁତ୍ର ଯୁବତୀ କନ୍ୟାର ପାଣିଗ୍ରହଣ କଲା କି ନାହିଁ !

 

କ୍ରମ ନିରୂପଣ ଜଟିଳ କଥା । କେଉଁ କଥା ଆଗ ! ପୁତ୍ ନାମକ ନର୍କରୁ ଉଦ୍ଧାର, ଗୟା ବା ପ୍ରୟାଗରେ ପିଣ୍ଡଦାନ, ନାଁ ସାମ୍ନାରେ ଝୁଲୁଥିବା ନିଷିଦ୍ଧ ଫଳକୁ ଆସ୍ୱାଦନ କରିବାର ପ୍ରଲୋଭନ-! କେଉଁ କଥା ଆଗ !

 

ମିଛ କହିବା ପାପ । ସତ୍ୟ କହିବା ପୁଣ୍ୟ ବୋଲି କ’ଣ ବା ପ୍ରମାଣ । ପାପପୁଣ୍ୟ ବିଚାର ଆପେକ୍ଷିକ, ମନର ଗୋଟାଏ ଅବସ୍ଥା ମାତ୍ର । ଅଥଚ ଅନେକ କଥା ମୁଁ ଭାବୁଛି, ମନରେ ତଉଲୁଛି ସତ ବୋଲି; କିନ୍ତୁ କିଛି କହି ପାରୁନି । କାରଣ ମୋତେ ଚତୁଃପାର୍ଶ୍ୱରୁ ନିରୀକ୍ଷଣ କରୁଥିବା ବ୍ୟକ୍ତିମାନେ ମୋର ସତ୍ୟ ପ୍ରକାଶରେ ହଠାତ୍ ଅତିଷ୍ଠ ହେଇଯିବେ ଏବଂ ମନ୍ତବ୍ୟ କରିବେ, ଶଳା ଚଣ୍ଡାଳଟା ଘୋର ପାପକଥା ତୁଣ୍ଡରେ ଧରୁଛି, ୟା’ର ମୃତ୍ୟୁ ଆବଶ୍ୟମ୍ଭାବୀ । ବରଂ ମୃତ୍ୟୁକୁ ଭେଟନ୍ତି, ହେଲେ ସତକୁ ଖୋଲିଦେଇ ପାରନ୍ତି କି ?

 

ଅବଶ୍ୟ ମୁଁ ସତ କହିଦେଇ ପାରିବି । କେତେ ଗୁଡ଼ାଏ ମନ୍ତବ୍ୟ ବ୍ୟତୀତ ମୋର କେହି କିଛି କରି ପାରନ୍ତେ ନାହିଁ । ବେଶି ହେଲେ ସେମାନେ ମୋତେ ନିଆଁ ପାଣି, ଧୋବା, ବାରିକ ବାସନ୍ଦ କରିବେ ! ପିଲା ବେଳରୁ ଅବଧାନଙ୍କ ବେତ୍ରାଘାତ ଭୟରୁ ହେଉ କିମ୍ବା ଗୋଟାଏ ସରଳ ବିଶ୍ୱାସରୁ ମୁଁ ଶପଥ ନେଇଛି– ସତ କହିବାକୁ ଡରିବି ନାହିଁ ବରଂ ମରିଯିବି, ମୋର ସମ୍ପତ୍ତି ଆତ୍ମୀୟ ସ୍ୱଜନ ଆବଶ୍ୟକ ନାହିଁ; ହେ ଈଶ୍ୱର ! କେବଳ ମୋତେ ଏଇତକ କଥା ଶିଖାଅ– ମୁଁ ସତ କହିବାକୁ ଡରିବି ନାହିଁ ।

 

ଅଥଚ କୈଶୋରର ସେ ସ୍ୱପ୍ନ ସହିତ ମୋର ଶପଥ କୁଆଡ଼େ ଉଭେଇ ଗଲା । ଯୌବନରେ ଏବେ ମୁଁ ବୁଝୁଛି ମୋର ଦାଢ଼ୀ ପାଦ ପର୍ଯ୍ୟନ୍ତ ଲମ୍ବି ଗଲେ କିଛି କ୍ଷତି ନାହିଁ, ମୁଁ ଦିଗମ୍ବର ହେଲେ କିଛି କ୍ଷତି ନାହିଁ... କିନ୍ତୁ ନିଆଁ– ପାଣି ! ମୋର ତୃଷ୍ଣା, ଶରୀରର ଉଷ୍ମତା ଏକାନ୍ତ ପ୍ରୟୋଜନ । ମୁଁ ସତ କହି ପାରୁନି ।

 

କିନ୍ତୁ ମୁଁ ଯେତେବେଳେ ଏକୁଟିଆ... ମୋ ନିଜ ଭିତରେ ମୁଁ ସୀମିତ– ଗୋଟିଏ କଥା ମୋ ମନକୁ ଆସେ ! ଅସଂଖ୍ୟ ଯୁକ୍ତି ପରେ ସିଦ୍ଧାନ୍ତ, ପୁନଶ୍ଚ ଯୁକ୍ତି ପୁନଶ୍ଚ ସିଦ୍ଧାନ୍ତ, ସିଦ୍ଧାନ୍ତ କେବଳ ମାନସିକ ସ୍ତରରେ ତା’ର ଅକ୍ଷର ରୂପ ଅସମ୍ଭବ ଏକା ବେଳକେ । ବେକ ଉପରେ ତୀକ୍ଷ୍ଣ ଖଡ଼୍ଗ, ଖସି ପଡ଼ିବ କେତେବେଳେ ।

 

କ୍ୱଚିତ୍ ମନଟାଣ, ଅବ୍ୟବସ୍ଥିତି ଦୃଢ଼ତା... ଏଇ, ମୁଁ ସେଇ ଦୃଢ଼ ବ୍ୟକ୍ତିତ୍ୱ ସମ୍ପନ୍ନ ଲୋକ, ମୁଁ ବୁଦ୍ଧ ଯୀଶୁଖ୍ରୀଷ୍ଟ କିମ୍ବା ଶ୍ରୀମା’ ସତ୍ୟସାଇ..... ଅସଂଖ୍ୟ ଭକ୍ତମଣ୍ଡଳୀ ଟାକି ଥିବେ... ମେଜିକ୍‍ବାଲା ପାଟିରୁ ଅନେକ ଗୁଡ଼ିଏ ଅଣ୍ଡା କ୍ରମାନ୍ୱୟରେ ବାହାରିଗଲା ପରି ମୋ ଅନ୍ତରର ଅବରୁଦ୍ଧ ସତ୍ୟ ସବୁ ଗୋଟିକ ପରେ ଗୋଟିଏ ବାହାରି ଯିବେ ଓ ସେଗୁଡ଼ିକୁ ତୋଳି ନେବେ ଆଗ୍ରହରେ ସେ ଭକ୍ତ ମଣ୍ଡଳୀ ।

 

ପରିଣତିର ଭୟଙ୍କର ରୂପ ଉଭେଇ ଯାଏ ସତ୍ୟ, ପ୍ରକାଶର ଅଜବ ଖିଆଲ ନିକଟରେ ।

 

ସନାତନୀର ସ୍ୱରୂପ ପ୍ରକାଶ ପାଏ... ବନ୍ଧ୍ୟା, ପୁତ୍ର ସନ୍ତାନ, ପୁତ୍ର ବିବାହ ପରବର୍ତ୍ତୀ ଭିଆଣ, ମୂଳକଥା ଛାୟା ଦାନ କରିବା । ମୋ ଜନ୍ମ ବୃତ୍ତାନ୍ତର କୁହୁଡ଼ି ପଟଳ ଅପସରି ଯାଏ କ୍ରମେ... ଆକ୍ଷି ବୁଜି ଦେଲେ ଦାଉ ଦାଉ ଅତୀତ... ମୋ ବୋଉର ସାରାଦିନ ପରିଶ୍ରମର ଘର୍ମାକ୍ତ ଶରୀରକୁ ସନ୍ଧ୍ୟାବେଳେ ପରିଷ୍କାର କରିଦିଏ ସାଓ୍ୱାରବାଥ୍, ତା’ କପାଳର ଉଜ୍ଜ୍ୱଳ ସିନ୍ଦୂର ଟୋପା ଆକର୍ଷଣୀୟ ମନେ ହୁଏ ଓ ତା’ ସହିତ ଶୁଭ୍ର ବସ୍ତ୍ର । ରାତି ହେଲେ ବୋଉକୁ ନେଇ ଗୋଟାଏ ଇଲୁଜନ୍ । ସେଇ ବାପା ପୁଣି, ଯେ ଆସନ୍ନ ସନ୍ଧ୍ୟାରେ କୋଡ଼ିଏ କିଲୋ କାଠକୁ ସାଇକେଲ କେରିଅରରେ ବାନ୍ଧି ଉଠାଣ ରାସ୍ତାରେ ରିକ୍‍ସାବାଲା ପରି ସାଇକେଲ୍‍ଟିକୁ ଠେଲି ଠେଲି ଆଣୁଥିଲେ, ତାଙ୍କର ବାରୁଦ ରଙ୍ଗର ଗେଞ୍ଜିକୁ ଖୋଲି ଦେଇ ବାଥ୍‍ରୁମରେ ଅଧଘଣ୍ଟା ସମୟ ଅତିବାହିତ କରନ୍ତି । ଅତିକ୍ରାନ୍ତ ବୟସ ଗୋଟିଏ ରୁଗ୍‍ଣ ଛେଳିପରି ଅନିଚ୍ଛା ଗମନ କରେ ମାଂସ ଦୋକାନକୁ ସକାଳ ହେଲେ ପ୍ରଥମ ସୂର୍ଯ୍ୟାଲୋକରେ ସେମାନେ ଦିଶନ୍ତି ରଙ୍ଗ ଫିକା ପଡ଼ିଥିବା ଦୁଇଟି କାଗଜ ଫୁଲ ପରି... ଅଥଚ ମୋଗଲ–ସରାଇ ଫୁଲଦାନୀରେ ଡ୍ରଇଁରୁମରେ କେଉଁ କୋଣରେ ତଥାପି । ତିଥି, ବାର, ନକ୍ଷତ୍ର ଓ ପୁତ୍ ନାମକ ନର୍କରୁ ଉଦ୍ଧାର ପାଇବାର ବ୍ୟାକୁଳ ଆନ୍ତରୀକତା ସବୁ କୁଆଡ଼େ ରକ୍ତ–ମାଂସର ଚେସ୍ ବୋଡ଼ ଉପରେ ହାତୀ–ଘୋଡ଼ା–ରଜା–ମନ୍ତ୍ରୀ–ବୋଇତ, ସୈନ୍ୟ ପରି ଅପସରି ଯାଆନ୍ତି କ୍ରମେ ।

 

ସନାତନୀର ପୁତ୍ର ଧାରଣା ଅପେକ୍ଷା ଅଧିକ ସତ୍ୟ ଛାୟାଦାନ ।

 

ଧରି ନିଆଯାଉ, ସେ ନିଶ୍ଚିନ୍ତ ଥିଲେ ତାଙ୍କର ପୁତ୍ର ସନ୍ତାନ ଜାତ ହେବ ବୋଲି; କିନ୍ତୁ କାହିଁ ସେ ଦୃଢ଼ତା ! କେଉଁଥିରେ ସେ ପ୍ରତ୍ୟୟ... ଆସିଯାଏ ପରୀକ୍ଷାର ମୁହୂର୍ତ୍ତ । ଦୀର୍ଘ ପ୍ରତୀକ୍ଷା ଉତ୍କଣ୍ଠାରେ ପରିଣତ ହୁଏ... କର୍ମ ବ୍ୟସ୍ତ ଡାକ୍ତର ନର୍ସ କିମ୍ବା ଧାଇ ମିଡ଼୍ଓ୍ୱାଇଫ୍, ଅସ୍ଥିର ଗୃହ ସ୍ୱାମୀ ଓ ଆଶା ଆଶଙ୍କାରେ ଆତ୍ମୀୟ ସ୍ୱଜନ । ସେଇ ଫଳ ପ୍ରକାଶ ମୁହୂର୍ତ୍ତ ପର୍ଯ୍ୟନ୍ତ ଲେବର–ରୁମ୍ କିମ୍ବା ନିଜ କ୍ୱାଟରର କେଉଁ କୋଣରେ ତଥାପି ଅନିଶ୍ଚିତ ଭବିଷ୍ୟତ ଝୁଲୁଥାଏ ମେଞ୍ଚାଏ ଅନ୍ଧକାର ପରି । ତେଣେ ପୂର୍ବ ପୁରୁଷର ଶେଷ ପ୍ରତିନିଧି ପରିତ୍ୟକ୍ତ ବୃଦ୍ଧାଟି ସ୍ଥିର ଦୃଷ୍ଟିରେ ଚାହିଁଥାଏ । ଗଣକର ମୁହଁକୁ ଓ ତା’ ହାତର ଖଲି ଗୋଟାଳି ସ୍ଥିର ହେଇଯାଏ ସତ୍ୟ ଏବଂ ମିଥ୍ୟା, ମିଥ୍ୟା ଏବଂ ସତ୍ୟ ଓଲଟ ପାଲଟ ହେଇଯିବା ଆଶଙ୍କାରେ ।

 

ପହଞ୍ଚି ଯାଏ ପ୍ରତିକ୍ଷିତ ମୁହୂର୍ତ୍ତ । କିଛି ଅଧିକ ପାରିଶ୍ରମିକ ଆଶାରେ ବିଚାରୀ ଧାଈଟି ଦରାଣ୍ଡି ପକାଏ ଦୁଇଟି କୋମଳ ଜଙ୍ଘ ସନ୍ଧି ଏବଂ କହିଦିଏ ପ୍ରତୀକ୍ଷାର ଫଳାଫଳ ।

 

ଆଶ୍ୱସ୍ତ ଗୃହସ୍ୱାମୀ । ଏକ ଆବଶ୍ୟକୀୟ ଶାରିରୀକ କସରତର ଅବଶ୍ୟାମ୍ଭାବୀ ପରିଣତି ପୁତ୍ର କିମ୍ବା କନ୍ୟା । ଫଳ ଅନିଶ୍ଚିତ, କସରତ ହିଁ ମୁଖ୍ୟ ।

 

ଗୋଟିଏ ଲକୀ ଦାନ ପରି ମୁଁ ବାପାଙ୍କ ପାଇଁ ଏକ ଚାନ୍ସ । ଅଥଚ ବାର୍ଦ୍ଧକ୍ୟର ମୁନିଆଁ ଦାନ୍ତରେ ପେଷି ହେଉଥିବା ସେଇ ବୃଦ୍ଧ ଲୋକଟି ଏକ ମିଛ ପରମ୍ପରାକୁ ନିଜ ଧାରଣାରେ ଏକାକାର କରିଦେଇ ପଡ଼ୋଶୀ ସମବୟସୀ ନିକଟରେ କ୍ଷୋଭ ପ୍ରକାଶ କରେ । ପେଟକୁ ପିଠିରେ ମିଶାଇ ୟା’ଙ୍କୁ ମଣିଷ କହୁ, ପିତୃ ଋଣ ପରିଶୋଧ କରିବେ କ’ଣ ବର୍ଷ ଛ’ମାସରେ ଖଣ୍ଡେ ଚିଠିରୁ ବାହାର ! ଯୁଗ ହେ, ଯୁଗସଂକ୍ଷିପ୍ତ ଉତ୍ତର ଆସେ ଅନ୍ୟ ପଟରୁ ।

 

ହଁ, ଯୁଗ । ମୁଁ ବି ବିଶ୍ୱାସ କରେ ଯୁଗ । ଯୁଗ ସବୁ ପରଦାକୁ ଟେକି ଦେଇଛି, କୋଠରୀରେ ଆଲୋକର ବନ୍ୟା, ସେଥିରେ ସବୁ ପଦାର୍ଥ ପରିଷ୍କାର । ସେ ଆଲୋକ ପରିଷ୍କାର । ଦେଖାଇ ଦେଇଛି ବୀଜ ରୋପଣ ମୂଳରେ ସନାତନୀର ପୁତ୍ର ଧାରଣା ମିଛ, ଛାୟାଦାନ ମୁଖ୍ୟ । ଅଥଚ ବୃଦ୍ଧ ପିତା ଓ ତାଙ୍କ ସମବୟସୀ ପଡ଼ୋଶୀଙ୍କର ତଥାପି ଅବିଶ୍ୱାସ ରହିଗଲା ଏଇ ଯୁଗଟା ପ୍ରତି । ସେମାନେ କୋଠରୀର ସେ ପରିଷ୍କାର ଆଲୋକକୁ ଗ୍ରହଣ କରିପାରୁ ନାହାନ୍ତି ତଥାପି, ଯେହେତୁ ଦୀର୍ଘ ଦିନର ଅନ୍ଧକାର ଭିତରେ ସେମାନଙ୍କୁ ସୁହାଇଲା ପରି କେତେ ଗୁଡ଼ିଏ ଧାରଣାକୁ ଜାବୁଡ଼ି ଧରି ମଜଗୁଲ ସେମାନେ, ସ୍ପଷ୍ଟ ଆଲୋକରେ ସ୍ୱରୂପ ପ୍ରକାଶ ପାଇଯିବାର ନିଶ୍ଚିତ ପରିଣତିରେ ଆତଙ୍କିତ ।

 

ମୁଁ ଏବେ କରେ କଣ ! ମୋର ଦୋଷ କେଉଁଠି ! ଭଞ୍ଜ ନାୟିକା ଲାବଣ୍ୟବତୀର କୁଚ ବର୍ଦ୍ଧନ ଦେଖି ମନ୍ଦିର ପର୍ବତର ସମୁଦ୍ରରେ ବୁଡ଼ି ମରିବା କିମ୍ବା ପ୍ରେମସୁଧା ନିଧିର ମାଂସଳ ଉରଜ ଓ କର୍ତ୍ତୃଳ ନିତମ୍ବକୁ ସ୍ମରଣ କରି କେଉଁ ଅଜ୍ଞାତ ରାଜକୁମାରର ଯୌନ ବିକୃତି ଯଦି ମୋତେ ବିଭତ୍ସ ମନେହୁଏ ଏବଂ ଚନ୍ଦ୍ରଭାଗାର ଅଙ୍କୁରୀତ ସ୍ତନାଗ୍ରରେ ତରଳାୟିତ ମୋତିମାଳା ମୋ ଚେତନାରେ ସୌନ୍ଦର୍ଯ୍ୟ ବୋଧର ବୀଜ ବୁଣିଦିଏ ତେବେ ମୋର ଦୋଷ କେଉଁଠି ।

 

ମୋ ଜନ୍ମଠାରୁ ଏକ ସୁଦୃଢ଼ ପାଚେରୀ ପରିବେଷ୍ଟିତ ଦୁର୍ଗ ମଧ୍ୟରେ ମୁଁ ଆବଦ୍ଧ ଥିଲି । ତା’ରି ଭିତରେ ମୋର ଦୁଃଖ, ଯନ୍ତ୍ରଣା, ହର୍ଷ, ପୁଲକ ସବୁକିଛି ଏବଂ ମୁଁ ସେଇ ଧାରଣାର ବିଶ୍ୱାସ ସହିତ– ସନାତନୀର ପୁତ୍ର କାମନାରେ ବଟ ବୃକ୍ଷର ବୀଜରୋପଣ । କିନ୍ତୁ ହଠାତ୍ ଦିନେ ଯେମିତି ମୋ ଭିତରେ ମୁକ୍ତିର କିଛି ବିକାର ଦେଖି ସେ ବୃଦ୍ଧ ଦୁର୍ଗରକ୍ଷୀ ଡାକିନେଲା ମୋତେ ଏକ ନିର୍ଜନ ସ୍ଥାନକୁ ଏବଂ ଖୋଲିଦେଲା ଦୁର୍ଗର ପଶ୍ଚିମ ଦ୍ୱାର ଓ ପରିଚିତ କରାଇ ଦେଲା ଦୁଇଜଣ ଉଲଗ୍ନ ନାରୀ ପୁରୁଷ ସହିତ ଯାହାଙ୍କର ହାତଧରି ମୁଁ ବେଶ୍ କିଛିବାଟ ଦଉଡ଼ିଗଲି ଗୋଟାଏ ଉତ୍ତେଜନାରେ-। ସେଇମାନେ ମୋ ମୁଣ୍ଡରେ ଥିବା ଜମାଟବନ୍ଧା ଧାରଣାକୁ କୋରି କୋରି ପରିଷ୍କାର କଲେ ଏବଂ ତା’ ସ୍ଥାନରେ ଖଞ୍ଜି ଦେଲେ ସେମାନଙ୍କର ଧାରଣା– ମୁଁ ବି ବିଶ୍ୱାସ କରିନେଲି ଶରୀର ଶରୀରର ମିଳନ ଏକ ପ୍ରବୃତ୍ତିଗତ ସତ୍ୟ, ପ୍ରବୃତ୍ତିକୁ ନେଇ ମଣିଷର ଧର୍ମଧାରଣା, ଧର୍ମ-ଧାରଣା, ଧର୍ମ-ଧାରଣାକୁ ନେଇ ପ୍ରବୃତ୍ତି ପରିଚାଳିତ ହେବା ଅସଙ୍ଗତ । ମୁଁ ସେମାନଙ୍କ ମତକୁ ଗ୍ରହଣ କରିନେଲି ଯେହେତୁ ଦୀର୍ଘଦିନ ଧରି ଗୋଟାଏ ଶୁଚିବନ୍ତ ଜୀବନରେ ଅତିଷ୍ଠ ମୁଁ ।

 

ସେଇମାନେ ମୋତେ ପୁଣି ବୁଝାଇ ଦେଲେ ପୁତ୍ର–କନ୍ୟା ସଂସାର ପିତା ମାତାଙ୍କର ସରଦାନନ୍ଦର ପରିଣତି ଏବଂ ସେଇଥି ପାଇଁ କେବଳ ସେମାନଙ୍କ ପ୍ରତି ହୃଦୟରେ ଅନୁକମ୍ପା ପୋଷଣ କରିବା କଥା; କାରଣ ଦୟନୀୟ ସେମାନେ, ସେମାନଙ୍କ ବିଚାରରେ ଗୋଟାଏ ଲଜାକର ସତ୍ୟକୁ ପ୍ରକାଶ କରିବାର ଗ୍ଳାନିକୁ ନିଜର ଆତ୍ମରକ୍ଷା ପାଇଁ ଏକ ମିଛ ମହନୀୟ ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ।

 

ମାର୍ ଗୋଲି ସେମାନଙ୍କ ମିଛ ପରମ୍ପରାକୁ । ବାପୁ ! ମଣିଷ–ଜୀବ ହେଇଛୁ, କହିଦେରେ ! ଆର ଜନ୍ମକୁ କୁକୁର ହେବୁ କି ମାଙ୍କଡ଼ ହେବୁ, କହିଦେ– କେଉଁ ଅଜଣା ଚୂଲାରୁ ଧାଷ ବାଜି ଦେହ ଭିତରର ରକ୍ତ ଫୁଟିଲା ଟକ୍ ମକ୍, ବାମ୍ଫେଇ ଗଲା ସାରା ଦେହଟା ଓ ସେଇ ତାଉ ଭିତରେ କେଉଁ ବନଝରଣାର ସ୍ୱଚ୍ଛଜଳ କିମ୍ବା ଫଗୁଣର ମଳୟ ଖୋଜୁ ଖୋଜୁ କେମିତି ଏକ ଅକସ୍ମାତ୍ ନିର୍ଜନ ଅନ୍ଧକାରରେ ଠାବ କରିନେଲୁ ଦୁଇଟି ତୈଳାକ୍ତ ମାଂସ ପିଣ୍ଡ ଓ କେତୋଟି ନିର୍ଦ୍ଦିଷ୍ଟ ମୁଦ୍ରା ଦେଇ ନିଜକୁ ରୂପାନ୍ତରିତ କଲୁ ଚୈତ୍ର ମଧ୍ୟାହ୍ନର ଏକ ଥକ୍କାମରା କୁକୁରରେ । ଥରଟିଏ ମାତ୍ର ମଣିଷ ଜନ୍ମ ପାଇଛୁ, ବାପା କହିଦେ !

 

ସେମାନେ ତ କହି ପାରିଲେନି, ମୋର ଏବେ ଚାରା କ’ଣ ! ସେମାନଙ୍କୁ ଛିଗୁଲେଇବା ଯେମିତି ମୋ ପାଇଁ ଏକ ବିଳାସ ।

 

ମୁଁ ସ୍ୱତନ୍ତ୍ର, ବ୍ୟକ୍ତିଟଏ । ମୁଁ ଶ୍ରୀ/ଶ୍ରୀଯୁକ୍ତ/ଶ୍ରୀମାନ୍/ ଶ୍ରୀ ଶ୍ରୀ ଗଜପତି ନବକୋଟୀ କର୍ଣ୍ଣାଟ କଳବର୍ଗେଶ୍ୱର ଗୌଡ଼େଶ୍ୱର ଶ୍ରୀ ଶ୍ରୀ ଅମୁକ ବିରାଧି– ବୀରବର... ଚେକ୍ ଲୁଙ୍ଗୀ, ସାଣ୍ଡୋଜ ବାନିଅନ୍ ଓ ଟର୍କିସ୍ ଟାଓ୍ୱେଲ୍ ଘେରରେ ଆକାଶ ଛୁଆଁ ଆକ୍ଷି ଦୁଇଟା ଯେତେବେଳେ ଗାଁ ଦାଣ୍ଡରେ ଗୁଡ଼ାଏ ଅବଜ୍ଞାର ଆବହାଓ୍ୟା ସୃଷ୍ଟିକରେ, ଠିକ୍ ସେତିକି ବେଳେ ସ୍ଥିର ହେଇଯାଏ ଥରିଲା ଟିପ ଉପରେ ଶହେ ଆଠ ତୁଳସୀ ଗଣ୍ଠି ଓ ଶୁଖିଲା କଣ୍ଠରୁ ନିର୍ଗତ ଶିଥିଳ ହରେକୃଷ୍ଣ ପଦ ପବନରେ ମିଶିଯାଇ ଅନେକ ନିର୍ଜୀବ ଆକ୍ଷିକୁ ବିସ୍ଫାରିତ କରିଦିଏ ମୁହୂର୍ତ୍ତକ ପାଇଁ ।

 

ଗଜପତିଙ୍କର ସହରରେ ଅନ୍ୟରୂପ । ଅଶ୍ୱ ଗଜ ପାଟଛତା ମିଶିଯାଏ ସାଇକେଲ୍ ସିନେମାହଲ୍ ପାନଦୋକାନରେ, ଜରୀ ପୋଷା ରୂପାନ୍ତରିତ ହୁଏ ବେଲ୍‍ବଟମ୍ ବା ପାରାଲାଲରେ ଏବଂ ଗଜପତି ମୃଗୟା କରନ୍ତି କେଉଁ ସିନେମାହଲ୍ ସାମ୍ନାରେ କିମ୍ବା ରାଜକୋଷର ଦୁସ୍ଥିତି ପାଇଁ କେଉଁ ଟିଣ କେବିନରେ ଅନ୍ୟାନ୍ୟ ପ୍ରଜାମାନଙ୍କ ସହିତ । କ୍ୱାଟରରେ ଉତ୍କଣ୍ଠି ପିତାମାତା ରାତି ବାର ଦୁଇ ବା କେତେବେଳେ ସାରାରାତି । ଗଜପତିଙ୍କର କି ଯାଏ ପିତାମାତାଙ୍କର ଉତ୍କଣ୍ଠାରୁ । ସେ ତ ତାଙ୍କୁ ଅସ୍ୱୀକାର କରନ୍ତି ଏବଂ ତାଙ୍କରି ଛନ୍ଦନାରୁ ସେ ଆଦି ଗଜପତି ଆସନରେ ଅଧିଷ୍ଠିତ । ଚିନ୍ତାରେ, ଦେହରେ ବେଶ୍ ଗୋଟାଏ ଉତ୍ତେଜନା । ଗଜପତି ଇତିହାସର ଶବ୍ଦ ନୁହେଁ, ଗୋଟାଏ ଉପଲବ୍ଧି, ଅହଂଙ୍କାର, ଆତ୍ମମ୍ଭରୀତା । ମୁଁ ଏକ୍, ଏକ୍‍ରୁ ଅନେକ ଏବଂ ଅନେକରୁ ଅନେକ ଅନେକ ଗଜପତି ସୃଷ୍ଟି ହେଉଛନ୍ତି । ସେଇମାନେ କେବଳ ରାଜତ୍ୱ କରିବେ, ତାଙ୍କର ଇଚ୍ଛା ପରିଷ୍କାର, ଛଳନା ରହିତ ।

 

ବାଧା ନାହିଁ । ବନ୍ଧନ ନାହିଁ ପ୍ରବଣତା ନାହିଁ । ଅଛି କେବଳ ସେ ସବୁକୁ ପ୍ରତ୍ୟାଖ୍ୟାନ କରିବାର ଏକ ତାକତ୍ । ତେଣୁ ସବୁ କଥାକୁ ପ୍ରତ୍ୟାଖ୍ୟାନ କରାଯାଇ ପାରେ; ଏପରିକି ସନାତନୀର ପୁତ୍ର ଧାରଣାକୁ ମଧ୍ୟ ।

 

ମୁଁ ସତ କହିଦେଲି: ମୁଁ ଗଜପତି, କାରଣ ପିତା ମାତାଙ୍କ ବୟସର ଅସଂଯମ ବ୍ୟବହାରରୁ ମୋର ଆବିର୍ଭାବ ଯଦିଓ ସେ ସତ୍ୟ ଦୀର୍ଘଦିନ ଧରି ଅସ୍ୱୀକୃତ ଥିଲା । ସତ କହିବାରେ କିଛିଟା ରୋମାଞ୍ଚ ଅଛି । କାରଣ ହଠାତ୍ ସେ ସନାତନୀମାନେ ବଡ଼ ଦୁର୍ବଳ ମନେ ହୁଅନ୍ତି ଓ ସେମାନଙ୍କର ଅସହାୟ ମୁହଁ ସବୁ ସେମାନଙ୍କ ମୁଣ୍ଡର ଧଳାବାଳ ପରି ରକ୍ତହୀନ ମନେ ହୁଅନ୍ତି ।

 

ରୋମାଞ୍ଚ ସରିଗଲେ !

 

ସରିଯାଏ ସମୟରେ ।

 

ଅନ୍ଧାରରେ ବାଟ ଫିଟେ । ମାର୍କଣ୍ଡ ପୁରାଣର ପୃଷ୍ଠା ମାନଙ୍କରେ ଶିମୁଳୀ ଗଛର ପେଟପଟେ ବନ୍ଧାଯାଇଥିବା ଉଲଗ୍ନ ମହିଳା, ଟକ୍‍ମକ୍ ତେଲ କଡ଼ାରେ ପହଁରୁ ଥିବା ମଣିଷ ଓ ଅଧା ନଈରେ ଥକ୍‍କି ପଡ଼ିଥିବା ମଣିଷକୁ ଘେରି ରହିଥିବା ବିଷାକ୍ତ ସାପମାନଙ୍କର ଉତ୍ତୋଳିତ ଫଣାର ଚିତ୍ରସବୁ ଭାସିଯାନ୍ତି ଚିନ୍ତା ଭିତରେ ।

 

କିମ୍ବା ଜଣେ ଷୋଳବର୍ଷର ବାଳିକା ଦେହରୁ ଯଦି ସବୁ ପୋଷାକ ଖୋଲି ନିଆଯାଇ ତାକୁ ନିର୍ଦ୍ଦେଶ ଦିଆଯାଏ ମଝି ରାସ୍ତାରେ ଚାଲିବାକୁ, ତାର ଏକ ପରବର୍ତ୍ତୀ ବିଭତ୍ସ ଅନୁଭୂତିରେ ଦେହ ଘର୍ମାକ୍ତ ହେଇଯାଏ ।

 

ପୁନର୍ବାର ବାପା’ ମା, ଭାଇ, ଆତ୍ମୀୟ ସ୍ୱଜନ ମୁଣ୍ଡକୁ ମାଡ଼ି ବସନ୍ତି ଓ ସନାତନୀର ପୁତ୍ର ଧାରଣା ନିକଟରେ ଛାୟାଦାନର ମହତ୍ ଉଦ୍ଦେଶ୍ୟ ମ୍ଳାନ ହୋଇଯାଏ କେମିତି ।

 

ମୁଁ ପୁଣି ଦୁର୍ବଳ ହୋଇପଡ଼େ । ମୋ ସାମ୍ନାରେ ଦୁଇଟି ଦ୍ୱାର ଉନ୍ମୁକ୍ତ । ମୁଁ ପୃଥିବୀର ଆଲୋକ ଦେଖିଥିଲି ପୂର୍ବଦ୍ୱାର ଦେଇ ଏବଂ ସେଇ ଆଲୋକରେ ନିଜକୁ ଚିହ୍ନି ପାରିଲା ପରେ ପଶ୍ଚିମଦ୍ୱାର ଦେଇ ବାହାରି ଯିବାକୁ ବସିଥିଲି ।

 

ଅଥଚ ମୁଁ କ’ଣ ବୋଲି ପରିଚିତ ହେବି ! ମୁଁ ଅସ୍ୱୀକାର କରିବି ମୋର ପିତା ମାତା ଆତ୍ମୀୟ ସ୍ୱଜନଙ୍କୁ । କିନ୍ତୁ ଚିହ୍ନିତ ହେଇ ପାରିବି ତ ନୂଆ ପିତୃତ୍ୱର ସ୍ୱାକ୍ଷରରେ । ନା’ ବର୍ଣ୍ଣସଙ୍କରଙ୍କ ପରି ଅପରିଚିତ ପିତାଙ୍କୁ ଖୋଜି ଖୋଜି ଅବଶିଷ୍ଟ ଜୀବନଟା ନଷ୍ଟ କରିଦେବି ଓ ଦିନେ ବାର୍ଦ୍ଧକ୍ୟରେ ଗଛ ଛାଇରେ ବସି ପ୍ରତ୍ୟେକ ବାଟୋଇଙ୍କୁ କହିବି– ଭାଇମାନେ ! ଜୀବନଟା ମୋର ବିତିଗଲା, ଅଥଚ ମୋ ପିତାର ପରିଚୟ ମୁଁ ପାଇଲି ନାହିଁ ।

 

ସେମାନେ ହୁଏତ ମୋ ଦୁଃଖରେ ସଚେତନ ହେବେ କିମ୍ବା ହେବେ ନାହିଁ । ଅକସ୍ମାତ୍ ଯଦି ବା କେହି ସହୃଦୟ ମୋ କଥାକୁ କର୍ଣ୍ଣପାତ କରେ, ତେବେ ତା’ ମୁହଁରେ ସହାନୁଭୂତିର ଏକ ଛାଇ ଘୋଟିଯିବ ଓ ତା’ ମଇଳା ଗାମୁଛାରେ ଦେହକୁ ପଙ୍ଖା କରୁ କରୁ କହିବ ! କାହାକୁ ବାବା ଦୋଷ ଦେବୁ ! ଯେଉଁ ଦ୍ୱାର ଦେଇ ଆଲୋକ ଦେଖିଲୁ ହେତୁ ହେଲା ପରେ ତାକୁ ତ ପଛ କରିଦେଲୁ । ଏବେ ଯଦି ପିତା ମାତାର ସନ୍ଧାନ ନ ପାଉ ଦୋଷ କା’ର !

 

ସେ ନିର୍ଦ୍ଦିଷ୍ଟ ବ୍ୟକ୍ତିଟି ହୁଏତ ଅପ୍ରିୟ ସତ୍ୟ କହିଦେବ; ତା’ପରେ ଯେମିତି ମୋ ବର୍ଣ୍ଣସଙ୍କରତ୍ୱ ସ୍ପଷ୍ଟ ହେଇଯିବ । ମୁଁ ନିଜେ ଭୁଲ କରିଛି– ସତ୍ୟ ପ୍ରକାଶର ଏକ ଅହେତୁକ ଆନନ୍ଦରେ ମୁଁ ବିହ୍ୱଳ ହୋଇ ପଡ଼ିଛି । ମୁଁ ମନ୍ଦିର ଛାଡ଼ିଛି, ଦେବାଳୟର କନିଅର ଫୁଲକୁ ଭୁଲିଛି, ଗୀତା ଭାଗବତର ପଦମାନଙ୍କୁ ବିକୃତ ଅର୍ଥ କରି ଗୋଟାଏ ଉନ୍ମାଦନାରେ ବୁଡ଼ି ରହିଛି– ମୁଁ ମୋର ପ୍ରବୃତ୍ତି । ମୋର ସ୍ୱାଧୀକାର ।

 

ମୁଁ ପୂର୍ବ–ପଶ୍ଚିମ, ପଶ୍ଚିମ–ପୂର୍ବ କରି ଦୁଇଟି ଦ୍ୱାରର ଦୂରତ୍ୱ ଭିତରେ କେବଳ ଧନ୍ଦିହେଉଛି ସିନା, କିନ୍ତୁ କେଉଁ ଦ୍ୱାର ଦେଇ ବାହାରକୁ ଚାଲିଯିବି ଠିକ୍ କରି ପାରୁନି । ପଶ୍ଚିମର ମୋହରେ ଆଗକୁ ପାଦେ ଗଲାବେଳେ ପୂର୍ବର ଆକର୍ଷଣରେ ପଛକୁ ପାଦେ ଫେରେ... ମୁଁ ଦୁର୍ବଳ ଭାରସାମ୍ୟ ରହିତ ।

 

କେଜାଣି– କେଉଁ ସତ୍ୟସାଇ, ଅନୁକୂଳ, ବା ମା’ ଅରବିନ୍ଦ କେଉଁ ଦରଜା ମୋ ସାମ୍ନାରେ ଖୋଲି ଦେବେ... ମୁଁ କିନ୍ତୁ ଆପାତତଃ ବର୍ଣ୍ଣସଙ୍କରଟିଏ ।

Image

 

ଅପରାଧୀ

 

ଅବଶେଷରେ ଚକ୍ରଧର ବଡ଼ ହାଲ୍କା ମନେ କଲା । ଯାହାହେଉ, ଏଥର ରୁଚି ମୁତାବକ ଘର ଖଣ୍ଡିଏ ମିଳିଗଲା; ପୁଣି ନିହାତି ଦରକାର ନ ପଡ଼ିଲେ ଏଠାକୁ କେହି ଆସିବେନି । ଆପାତତଃ କିଛି ଚିନ୍ତା ନାହିଁ ।

 

ଦିନ ତମାମ୍ ଲାଗି ଚକ୍ରଧର ଘରଟି ସଜାଡ଼ିବାରେ ବ୍ୟସ୍ତ ଥିଲା । ପାଞ୍ଚଟି ବେଳକୁ ସବୁ କାମ ଶେଷ । ନିଜ ହାତରେ ଜିନିଷଗୁଡ଼ାକ ଯଥାସ୍ଥାନରେ ନ ଥୋଇଲେ ଚକ୍ରଧରକୁ ସବୁ କାମ ଅପୂର୍ଣ୍ଣ ଲାଗେ । କେତେ ବର୍ଷ ଦୁନିଆଁକୁ କଳି ସାରିଲା ପରେ ଚକ୍ରଧର ଅନ୍ତତଃ ଏହି ସତ୍ୟଟି ଆବିଷ୍କାର କରିଛି ଯେ ନିହାତି ଜଣେ ସିଦ୍ଧ ପୁରୁଷ ନ ହେଲେ ଅନ୍ୟର ମନ ଜାଣି ଅନୁରୂପ କାର୍ଯ୍ୟ କରିଦେଇ ପାରିବନି ।

 

ତେବେ ସ୍ତ୍ରୀ ପ୍ରତିମା ତା’ର ଭିତରଟାକୁ କିଛି କିଛି ଜାଣିଲାଣି ଓ ସମୟେ ସମୟେ ଚକ୍ରଧରର ମନମାଫି କାମ କରିଦିଏ । ହେଲେ ବି ସବୁ କାମରେ ପ୍ରତିମାକୁ ନିର୍ଭର କରାଯାଇ ନ ପାରେ । ଯେମିତି ସକାଳ ପାଞ୍ଚଟାରେ ନିଦ ଭାଙ୍ଗିଗଲା ପରେ ଚକ୍ରଧର ଏକ ସାତ୍ତ୍ୱିକ ଅନୁଭୂତିରେ ଝରକା ଦେଇ ବାହାରକୁ ଚାହେଁ ଓ କେଉଁ ଏକ ଅଜଣା ସ୍ଫୁର୍ତ୍ତିରେ ଉଲ୍ଲସିତ ହେଉଥିଲା ବେଳେ ପ୍ରତିମା ଦେହ ମୁଣ୍ଡରୁ ଲୁଗା ଖସାଇ ଏମିତି ଗୋଟିଏ ବେପରଓ୍ୱା ଭାବରେ ଶୋଇଥିବ ଯେ, ଦୃଷ୍ଟି ପଡ଼ିଲା ମାତ୍ରେ ଚକ୍ରଧରର ମନ ବିଷାକ୍ତ ହୋଇଯାଏ କିମ୍ବା ସନ୍ଧ୍ୟାବେଳେ ବୁଲାଚଲା ପରେ ସ୍ନାନାଦି କର୍ମ ପରେ ଏକ ରୋମାଣ୍ଟିକ୍ ମନ ନେଇ ଚକ୍ରଧର ଯେତେବେଳେ ଲେଖା ପଢ଼ା ପାଇଁ ଡ୍ରଇଂ–ରୁମରେ ପାଦ ଦିଏ ହୁଏତ ସେତେବେଳେ ଆଲଣା ପରିବର୍ତ୍ତେ ଚେୟାର ହାତ ଉପରେ ପ୍ରତିମାର ବ୍ରା’ ଖଣ୍ଡକ ଉପରେ ଚକ୍ରଧରର ଦୃଷ୍ଟି ପଡ଼େ । ଏ ପ୍ରକାର କାର୍ଯ୍ୟମାନ ଯେ ପ୍ରତିମାର ଇଚ୍ଛାକୃତ କିମ୍ବା ଏସବୁ ଚକ୍ରଧରର ରୁଚି ବିରୁଦ୍ଧ ହୋଇଥିବା ବିଷୟରେ ପ୍ରତିମା ଯେ ଅଜ୍ଞ ସେ କଥା ନୁହେଁ; ବରଂ ଏଇଭଳି କେତେକ କାର୍ଯ୍ୟରେ ପ୍ରତିମା କିଞ୍ଚିତ୍ ଖାମଖେୟାଲ୍ ।

 

ତେଣୁ ଚକ୍ରଧର ପ୍ରତିମାର ସହଯୋଗରେ ନୂଆ ଘରଟିର ସାଜସଜା ଶେଷ କଲା ଓ ପାଞ୍ଚମିନିଟ୍ ରେଷ୍ଟ ପାଇଁ ଡ୍ରଇଂ–ରୁମରେ ବସି ପଡ଼ିଲା ।

 

ଯଥା ସମୟରେ ପ୍ରତିମା ଚକ୍ରଧରର ମନ ବୁଝେ । ସେ କାଳ ବିଳମ୍ବ ନ କରି ଦି ‘କପ୍ ଚା’ ଧରି ଭିତର ଦରଜାର ପରଦାକୁ ମୁଣ୍ଡରେ ଆଡ଼େଇ ଡ୍ରଇଂ–ରୁମ୍‍କୁ ପଶି ଆସିଲା ଓ ଚକ୍ରଧରର କପ୍‍ଟି ତା’ ହାତକୁ ବଢ଼ାଇ ଦେଇ ‘ଚଞ୍ଚଳ ପିଅ ଥଣ୍ଡା ହେଇଯିବ’ କହି ପାଖ ଚଉକିରେ ବସିପଡ଼ିଲା-। ହଠାତ୍ ଚକ୍ରଧର ମୁଣ୍ଡକୁ ଗୋଟାଏ ନୂଆ କଥା ପଶିଗଲା, ଚା’ ଟା ବଗିଚାରେ ବସି ପିଆଯାଇ ପାରେ ।

 

ଯାଉ ଯାଉ ଚକ୍ରଧର ଅଟକିଗଲା ଓ ପୁଅ ଲୁଲୁର ସମାଜ ବିଜ୍ଞାନ ପାଠରୁ କିୟଦଂଶ କାନକୁ ନେଲା– ମଣିଷ ଏକ ସାମାଜିକ ପ୍ରାଣୀ । ସେ ସମାଜ ଉପରେ ନିର୍ଭରଶୀଳ... ସମାଜ ବ୍ୟତିରେକେ ମଣିଷ ପଶୁତୁଲ୍ୟ ଓ ପରେ ପରେ ଉଲ୍‍ଫ ଚାଇଲ୍ଡ଼ର ଉଦାହରଣ । ଆସନ୍ତା କାଲି ଲୁଲ୍‍ର ସମାଜ ବିଜ୍ଞାନ ପରୀକ୍ଷା । ପିଲାଲୋକ... ପଢ଼ୁ ପଢ଼ୁ... ବଡ଼ ହେଲେ ମନକୁ ତା’ର ସମାଜ ବିଜ୍ଞାନ ପାଠ ସେ ପ୍ରସ୍ତୁତ କରିବନି !

 

ଚକ୍ରଧର ହସିଦେଇ ବାହାରକୁ ଚାଲିଗଲା ।

 

ପ୍ରତିମା ନିଜ କପ୍‍ଟି ଶେଷ କରି ସାରିଥିଲା ଓ ଚକ୍ରଧର ପୂରା କପ୍‍ଟି ଏକାଥରକେ ପିଇ ଦେଲା । ସେ ପ୍ରତିମା ପରି ଚା’ର ଥଣ୍ଡା ଗରମ ଗୁଣ ଉପରେ ଗୁରୁତ୍ୱ ଦିଏନା ବରଂ ଦିନରେ ଦୁଇଥର ଚା’ ପିଇବା ଗୋଟାଏ ରୁଟିନ୍ ଓ୍ୟାର୍କ ବୋଲି ସେ ଧରିନେଇଛି ।

 

ଛୋଟ ବଗିଚାଟିରେ ବସିଗଲା ପରେ ଚକ୍ରଧରର ଅନୁଭବ ଜୀବନ୍ତ ମନେହେଲା । ସେ ଚତୁର୍ଦ୍ଦିଗରେ ଥରେ ଆଖି ବୁଲାଇ ନେଲା ଓ ପରେ ଆକାଶରେ ଦୃଷ୍ଟି ରଖି ଆତ୍ମତୃପ୍ତି ଉପଲବ୍ଧି କଲା-। ପ୍ରକୃତିରେ ମନ ମୁତାବକ ଘର ଖଣ୍ଡିଏ ମିଳିଗଲା ।

 

ଅଥଚ ପୁଅ ସମାଜ ବିଜ୍ଞାନ ପରୀକ୍ଷାକୁ ସାମ୍ନାସାମ୍ନି କରିବାପାଇଁ ଏକ ପ୍ରାଚୀନ ଧାରଣାକୁ କଣ୍ଠସ୍ଥ କରୁଛି । ମଣିଷ ଏକ ସାମାଜିକ ପ୍ରାଣୀ । ମନକୁ ସାନ୍ତ୍ୱନା ଦେଲା ଚକ୍ରଧର: ପିଲାଲୋକ ପଢ଼ୁଛି ତ ପଢ଼ୁ । ଶିକ୍ଷ୍ୟାଗତ ଯୋଗ୍ୟତା ପାଇଁ ଅନେକ ଅନାବଶ୍ୟକ କଥା ଜାଣିବାକୁ ହୁଏ । ବ୍ୟବହାରିକ ଜ୍ଞାନ ଉପରେ ଜୋର୍ ଦେଲେ ପିଲାଟା ବାସନ୍ଦ ହେଇଯିବ । ମଣିଷର ଚିନ୍ତା ସହିତ ସମାଜର ଢାଞ୍ଚା ବଦଳିବା ଆବଶ୍ୟକ ବୋଲି ଅନୁଭୂତ ହେଲେ ବି ତା’ର କାର୍ଯ୍ୟକାରୀତା ସମ୍ପର୍କରେ ଉଦ୍ୟମର ଅଭାବ ବୋଧ ହୁଏ । ଅନ୍ୟଥା କେଉଁ ପ୍ରାଚୀନ ଧାରଣାଗୁଡ଼ିକୁ ପିଲାମାନେ କାହିଁକି ଘୋଷୁଥାନ୍ତେ । ବଡ଼ମୁଣ୍ଡମାନେ ଯଦି ଏକଥା ଭାବୁ ନାହାନ୍ତି, ସେ ପିଲାଲୋକ କାହିଁକି ତା’ ରୁଟିନ୍ ଭୁଲିଯିବ ? ବରଂ ବେଶି ପାଠ ପଢ଼ୁଥିବାର ଏକ ନିରୀହ ଆନନ୍ଦ ସହିତ ଏକାକାର ହୋଇଯିବା ଭଲ ।

 

ଜାଗାଟି ବଡ଼ ନିଛାଟିଆ ହୋଇଗଲା । ଚକ୍ରଧର ଚିନ୍ତାରେ ବାଧାଦେଲା ପ୍ରତିମା । ଚକ୍ରଧର ପ୍ରକୃତିସ୍ଥ ହେଲା ଯାହା ସେ ପ୍ରତିମାକୁ କହିବ ଭାବି ଛୋଟ ବଗିଚାକୁ ଡାକି ଆଣିଥିଲା । ତା’ର ଏକ ସମ୍ଭାବ୍ୟ ସୁଯୋଗ ଉପସ୍ଥିତ ହେଲା ବୋଲି ସେ ବୋଧକଲା । ଦୀର୍ଘଦିନ ଧରି ସମାଜ–ଜୀବନର ପ୍ରଭାବଜନିତ ତା’ର ଯେଉଁ ପ୍ରତିକ୍ରିୟା ତାକୁ ସେ ଆଜି ପ୍ରତିମାକୁ କହିଦେବ ।

 

କିନ୍ତୁ କହିବାକୁ ଗଲାବେଳେ ଯେମିତି ଅନେକ ପ୍ରତିବନ୍ଧକ ତା’ ସାମ୍ନାରେ । ଅନୁଭବ ବା ଅନୁଭୂତି ଘଟଣା ପ୍ରବାହ ମଧ୍ୟରେ ହୁଏତ ମଣିଷ ପ୍ରତ୍ୟକ୍ଷ କରେ, କିନ୍ତୁ ତାକୁ ଅନ୍ୟ ଆଗରେ ପ୍ରକାଶ କରି ଦେବାଟା କେତେ କଷ୍ଟ । ନା ସେ ଗୋଟାଏ ନିର୍ଦ୍ଦିଷ୍ଟ ଆକୃତି ଥିବା ବସ୍ତୁ ଯେ ତାକୁ ଅନ୍ୟକୁ ଦେଖାଇ ବୁଝାଇ ଦେଇହେବ ! ତେବେ ସେ ଚେଷ୍ଟା କଲା ।

 

ପୁନଶ୍ଚ ଚକ୍ରଧର ନିଜକୁ ଅସହାୟ ମନେକଲା । କେଉଁଠାରୁ ସେ ଆରମ୍ଭ କରିବ ! ଯାହା ସେ କହିବ ପ୍ରତିମା ତାକୁ ଅନୁରୂପ ଗୁରୁତ୍ୱ ଦେଇ କ’ଣ ବିଚାର କରିବ ? ସେ ତ ଜଣେ ସାଧାରଣ ମହିଳା ଯେ ପାଞ୍ଚଜଣଙ୍କ ସହିତ ଅନେକ ଖରାବେଳକୁ ଅନାବଶ୍ୟକ କଥାବାର୍ତ୍ତାରେ ଅତିବାହିତ କରେ । ସେ କେମିତି ବୁଝିପାରିବ ସେହି ଅନାବଶ୍ୟକ କଥାଗୁଡ଼ିକ ଶାଖା ପ୍ରଶାଖା ମେଲି ବହୁ କ୍ଷତିକାରକ ଅର୍ଥରେ ପରିଣତ ହୁଅନ୍ତି ବୋଲି । ଅର୍ଥ ଅନର୍ଥ ହୋଇ ଯେଉଁ ଯନ୍ତ୍ରଣାଯୁକ୍ତ ପରିବେଶ ସୃଷ୍ଟି କରେ ତାକୁ ଅନୁଭବ କରିପାରୁଥିଲେ ପ୍ରତିମା ହୁଏତ; ସ୍ଥାନଟିକୁ ନିଛାଟିଆ ନ କହି ଚକ୍ରଧରର ସନ୍ତୁଷ୍ଟ ମାନସିକତାରେ ନିଜକୁ ହଜାଇ ଦେଇଥା’ନ୍ତା ନିଶ୍ଚୟ ।

 

ଚକ୍ରଧର ନିଜର ଅନୁଭୂତି ପ୍ରତିମା ନିକଟରେ ପ୍ରକାଶ କରିଦେବାକୁ ଶେଷଥର ପାଇଁ ମାନସିକ ପ୍ରସ୍ତୁତି ନେଲା ଏବଂ ତା’ର ଗମ୍ଭୀର ଭାବ ଦେଖି ଇତସ୍ତତଃ ପ୍ରତିମା ଚକ୍ରଧର ଆଡ଼େ ମୁହଁ ବୁଲାଇ ତାକୁ ଶୁଣିବାପାଇଁ ଉଦ୍‍ଗ୍ରୀବ ବୋଲି ଅଭିନୟ କଲା । ଚକ୍ରଧର ଜଣେ ପେଶାଦାର ବକ୍ତାପରି ହାତରେ ଅନେକ ମୁଦ୍ରା ଓ ମୁହଁରେ ବିଭିନ୍ନ ଭଙ୍ଗୀ ସହିତ ବହୁ କଷ୍ଟରେ ଯାହା ପ୍ରକାଶ କଲା ତାହା ମାତ୍ର ଗୋଟିଏ ଇଂରାଜୀ ଶବ୍ଦ... ‘ବୋରଡ଼ମ୍’ । ସେହି ଶବ୍ଦଟିର ଅନୁଭବ ଯେମିତି ସଂପ୍ରତି ପ୍ରତିମାଠାରେ ପ୍ରକାଶ ପାଇଥିଲା । କାରଣ ସେ ଚୁପ୍‍ଚାପ୍ ଚକ୍ରଧରକୁ ଚାହିଁଥିଲା କେବଳ । ସେହି ମୁହୂର୍ତ୍ତରେ ଚକ୍ରଧର କାହିଁକି ଉତ୍ତେଜିତ ମନେହେଲା ଓ ଶବ୍ଦଟିକୁ ଦୁଇ ଚାରିଥର ଦୋହରେଇବାକୁ ଲାଗିଲା । ତା’ପରେ ହଠାତ୍ ଚୁପ୍ ହୋଇଗଲା ଓ ସାମାନ୍ୟ ନୀରବତା ପରେ ପ୍ରତିମାକୁ ପ୍ରଶ୍ନ କଲା– ବୁଝିପାରିଲ, କାହିଁକି ଏ ସ୍ଥାନକୁ ଚାଲିଆସିବା ପାଇଁ ସ୍ଥିର କଲି !

 

ପ୍ରଶ୍ନଟିର ଉତ୍ତର ଶୁଣିବାକୁ ଅବସର ନ ଦେଇ ଚକ୍ରଧର ପୁନର୍ବାର ଆରମ୍ଭ କଲା । ଏଇଦେଖ ଘର ପଛପଟେ ଛୋଟ ପାହାଡ଼କୁ ପାହାଡ଼ ଲାଗି ଜଙ୍ଗଲ କାହିଁ କେତେଦୂରକୁ ଲମ୍ବି ଯାଇଛି... ଘର ନାହିଁ... ଦ୍ୱାର ନାହିଁ... ଛୋଟ ଛୋଟ କୁଡ଼ିଆ, ତାରି ଭିତରେ ଆଦିବାସୀ ସମାଜ ଓ ସେମାନଙ୍କ ମହୁଲୀ ମାଦଳର ଐକ୍ୟତାନ । ସେମାନେ ପରିଚିତ ନିଜ ଜୀବନ ସହିତ, ନିଜ ସୁଖ ଦୁଃଖ ସହିତ, ମନପରି ଦେହ ଖୋଲା– କିଏ ଦୃଷ୍ଟି ଦେଉଛି ନ ଦେଉଛି ସେଥିକି ନିଘାନାହିଁ, ଅଣ୍ଟାରେ ହାତ ଛନ୍ଦାଛନ୍ଦି... ମୁକ୍ତ ଅବାଧ ଜୀବନ । ସେମାନଙ୍କର ସମାଜ ଅଛି... ସଞ୍ଜେ ସକାଳେ ସେମାନଙ୍କୁ ଦେଖିବା, ପଢ଼ିବା... ଆଃ...

 

ଏକ ଅନାସ୍ୱାଦିତ ଅନୁଭବରେ ମଜଗୁଲ ହୋଇଗଲା ଚକ୍ରଧର, ଯେମିତି ଦୀର୍ଘଦିନର ଏକ ନିରବଚ୍ଛିନ୍ନ ନିର୍ଯ୍ୟାତନାରୁ ସେ ଆଜି ମୁକ୍ତ ।

 

ଚକ୍ରଧର ପ୍ରତିମାକୁ ଆଜି ନୂଆ ମନେ ହେଉଥିଲା । ତେଣୁ ସେ ନୀରବରେ କେବଳ ତାର ପାଗଳାମୀକୁ ଉପଭୋଗ କରୁଥିଲା । ଚକ୍ରଧର ପୁନର୍ବାର ପ୍ରଶ୍ନକଲା : କ’ଣ ବୁଝିପାରିଲ ? ଗୋଟିଏ ଶବ୍ଦ ଏତେଗୁଡ଼ିଏ ଶବ୍ଦ ଓ ବାକ୍ୟରେ ପରିଣତ ହେଲାଣି ଅଥଚ ପ୍ରତିମାର ଚକ୍ରଧର କଥା ବୋଧଗମ୍ୟ ହେଉ ନ ଥିଲା । ତେବେ କିଛି କହିବାକୁ ପଡ଼ିବ, ସେଥିପାଇଁ ସେ ତାର ମନକଥାଟି ପ୍ରକାଶ କରିଦେଲା । ଯାହା କୁହ, ପଦେ ସୁଖଦୁଃଖ ହେବାକୁ ଅଣ୍ଡିରା କୁଆ ଛୁଆଟେ ବି ନାହିଁ ।

 

ଚକ୍ରଧରର ସମସ୍ତ ଉତ୍ତେଜନା ଏକ ଅସହାୟ ହତୋତ୍ସାହରେ ପରିଣତ ହୋଇଗଲା । ସେ ପ୍ରତିମାର ହାତ ଦୁଇଟିକୁ ଜାବୁଡ଼ି ଧରି ଏକପ୍ରକାର ଅନୁନୟ ସ୍ୱରରେ ସ୍ୱଗତୋକ୍ତି କଲା । କିଛି ବୁଝିପାରିଲନି, ଏଇ ମୁଁ ଏତେକଥା କହିଲି; ମୁଁ କାହିଁକି ଏଇ ଘରଟି ବାଛିଲି, ଏଠାରେ ଆମର ଉପକାର କ’ଣ... କିଛି ବୁଝି ପାରିଲନି ! ସେହିପରି ଏକ ଉଦାସ ସ୍ୱରରେ ପ୍ରତିମା ବାରମ୍ବାର କହୁଥାଏ । ସବୁ ହେଲା ଯେ, ସ୍ଥାନଟି ଏମିତି ନିର୍ଜନ ସୁଖ–ଦୁଃଖ ହେବାପାଇଁ ଅଣ୍ଡିରା କୁଆ ଛୁଆଟିଏ ବି ନାହିଁ ।

 

ଏଇ ଅବସ୍ଥାରେ ଦୂରରୁ ଯଦି କେହି ସେମାନଙ୍କୁ ଅନୁଧ୍ୟାନ କରିଥା’ନ୍ତା, ସେ ଏଇ ଧାରଣା କରିଥା’ନ୍ତା ଯେ ସେମାନଙ୍କ ମଝିରେ ଇସ୍ପାତର ଏକ ପରଦା ଝୁଲୁଛି, ଫଳରେ ସେମାନଙ୍କ ମୁହଁର ଶବ୍ଦ ଗୁଡ଼ିକ ସେହି ପରଦାରେ ଧକ୍‍କା ଖାଇ କେତେଗୁଡ଼ିଏ ଅବୋଧ୍ୟ ଶବ୍ଦ ହୋଇ ସେମାନଙ୍କ ନିକଟକୁ ଫେରିଯାଉଛି । ଅଥଚ ସେଇ ସମୟରେ ଚକ୍ରଧରର ନା’ବାଳକ ପୁତ୍ର ଆସନ୍ତାକାଲିର ସମାଜ ବିଜ୍ଞାନ ପରୀକ୍ଷାକୁ ମୁକାବିଲା କରିବା ପାଇଁ କେତେଗୋଟି ନିର୍ଦ୍ଦିଷ୍ଟ ବାକ୍ୟ ଘୋଷୁଛି– ମଣିଷ ଏକ ସାମାଜିକ ପ୍ରାଣୀ ଇତ୍ୟାଦି ।

 

ପ୍ରତିମା ନିକଟରେ ନିଜକୁ ପ୍ରକାଶ କରିବା ପାଇଁ ବନ୍ଧାଗତ ଶବ୍ଦ କେତୋଟି ଯେତେବେଳେ ଚକ୍ରଧରକୁ ଯଥେଷ୍ଟ ମନେ ନ ହେଲା, ସେ ତା’ ଅନୁଭବର ଏକ ଭିଜୁଆଲ ଏଫେକ୍ଟ ଆଣିବାକୁ ଶେଷରେ ଚେଷ୍ଟାକଲା । ସେ କେତେଖଣ୍ଡ ଟିଣ ଚେୟାରକୁ ଗୋଟିଏ ବୃତ୍ତାକାର କ୍ଷେତ୍ରରେ ସଜାଇଲା ଓ ବୃତ୍ତର କେନ୍ଦ୍ର ବିନ୍ଦୁରେ ଠିଆ ହୋଇଥିଲା ବେଳେ ବୃତ୍ତର ବାହାରେ ଠିଆହୋଇ ପ୍ରତିମା ବେଶ୍ କିଛି ଆମୋଦିତ ହେଉଥିଲା । ପରେ ପରେ ଚକ୍ରଧର ନିଜକୁ ସଙ୍କୁଚିତ କରିନେଇଥିଲା, ଯେମିତି ପାଞ୍ଚଫୁଟ ଆଠ ଇଞ୍ଚର ଚକ୍ରଧର କ୍ରମେ ଛୋଟ ଶିଶୁଟିଏରେ ପରିଣତ ହେଉଛି ଏବଂ ଠିକ୍ ସେଇ ପ୍ରକ୍ରିୟାରେ ସେ ଆହ୍ୱାନ ଦେଲା ପ୍ରତିମାକୁ– ବୁଝିପାରିଲ ଏଥର ! ତୁମ ସାମ୍ନାରେ ଯେଉଁ ଶରୀରଟି ଛୋଟ ହୋଇ ଯାଉଛି ସେଇଟି ତୁମ ସ୍ୱାମୀ ଚକ୍ରଧରର ସ୍ଥୂଳ ଶରୀର ନୁହେଁ, ତା’ର ଅନୁଭବ । ସେଇ ଶୂନ୍ୟ ଚେୟାର ଗୁଡ଼ିକୁ ନିରୀକ୍ଷଣ କର, ଦେଖିବ ନବଘନବାବୁ, ନଟବରବାବୁ, ସନାତନବାବୁ, ମଧୁ, ଯଦୁ ଇତ୍ୟାଦି... ଅନେକ, ସେମାନଙ୍କ କୋଳାହଳ ଅନାବଶ୍ୟକ ସମସ୍ୟାସଙ୍କୁଳ ଆଲୋଚନା ସବୁ ମିଶି ଗୋଟାଏ ବିରାଟ ପ୍ରେସରରେ ପରିଣତ ହୋଇ ସେଇ ଅନୁଭବଟିକୁ ଚାପି ଦେଉଛନ୍ତି... ଏଇସବୁ ଶବ୍ଦ ଉଚ୍ଚାରଣବେଳେ ଚକ୍ରଧର ଦୁଇଆଣ୍ଠୁ ସନ୍ଧିରେ ମୁଣ୍ଡଟିକୁ ଜାକିନେଇ ବସିପଡ଼ିଥିଲା ଓ ପରେ ପରେ ଚିତ୍କାର ପ୍ରଶ୍ନକଲା– କ’ଣ ବୁଝିପାରିଲ ଏଥର ?

 

ଚକ୍ରଧରର ଏ ଆକସ୍ମିକ ଖେଳରେ ପ୍ରତିମା ବେଶ ଉଲ୍ଲସିତ ହେଉଥିଲା ଏବଂ ଏକ ହାଲ୍‍କା ମାନସିକତାରେ ଉତ୍ତର ଦେଲା– ହେଲେ ସ୍ଥାନଟା ଏତେ ନିଛାଟିଆ, ଖରାବେଳେ ଦି’ପଦ ସୁଖ–ଦୁଃଖ ହେବାକୁ ଅଣ୍ଡିରା କୁଆ ଛୁଆଟେ ବି ନାହିଁ ।

 

ପ୍ରତିମାର ଉତ୍ତର ପ୍ରତି ଭ୍ରୂକ୍ଷେପ ନ କରି ଚକ୍ରଧର ଠିଆହୋଇ ପଡ଼ିଲା ଓ ଟିଣ ଚେୟାରର କୃତ୍ରିମ ବୃତ୍ତାକାର କ୍ଷେତ୍ରକୁ ଡେଇଁପଡ଼ି ଛୋଟ ବଗିଚାର ଅନ୍ଧକାର ଅଂଶକୁ ଦଉଡ଼ି ଚାଲିଗଲା ଏବଂ ସେଇଠୁ ସେ ଚିତ୍କାର କଲା । ଏଥର ମୁଁ ମୁକ୍ତ..... ଏଥର ସେମାନେ ମୋତେ ଧରିପାରିବେନି... ମୁଁ ମୁକ୍ତ... ମୁକ୍ତ... ମୁକ୍ତ.... ଏକ ବିହ୍ୱଳ ଆନନ୍ଦରେ ଚକ୍ରଧର ପ୍ରାୟ ନୃତ୍ୟ ଆରମ୍ଭ କରିଦେଇଥିଲା । ସେତେବେଳକୁ ପ୍ରତିମାର ଧୈର୍ଯ୍ୟହାନୀ ଘଟିଥିଲା । ସେ ଆଉ ଅପେକ୍ଷା ନ କରି ବଗିଚାଟିକୁ ଅତିକ୍ରମ କରି ନୂଆଘରେ ପ୍ରବେଶ କରୁଥିଲା ବେଳେ ତା’ କାନରେ ଯେଉଁ ପଦଟି ସ୍ପଷ୍ଟ ହେଉଥିଲା ସେଇଟି ପୁଅର ସମାଜ ବିଜ୍ଞାନ ପାଠ । ମଣିଷ ଏକ ସାମାଜିକ ପ୍ରାଣୀ ।

 

ବଗିଚାର ଫାଟକରେ କେତୋଟି ସାଇକେଲ ରହିବାର ଶବ୍ଦ ଓ କିଛି ଲୋକଙ୍କର ଚାପା କଣ୍ଠସ୍ୱର ଶୁଣାଗଲା । ଅନ୍ଧକାର ମଧ୍ୟରେ ଚକ୍ରଧର ସ୍ଥିର ହୋଇ ଠିଆ ହୋଇଗଲା ଓ ସେଇ ଶବ୍ଦ ଆସୁଥିବା ଦିଗକୁ କାନ ଡେରିଲା ଏବଂ ସେ ସ୍ପଷ୍ଟ ଜାଣିପାରିଲା ଯେ– ପୂର୍ବର ସେଇ ବନ୍ଧୁମାନେ ପ୍ରତି ସନ୍ଧ୍ୟାରେ ଚକ୍ରଧରର ଘରେ ଆସର ଜମାଇବା ଯେଉଁମାନଙ୍କର ଏକ ନିୟମିତ ଅଭ୍ୟାସ– ସେମାନେ ନବଘନ, ନଟବର, ସନାତନ, ଯଦୁ, ମଧୁ ଇତ୍ୟାଦି ଇତ୍ୟାଦି ।

 

ସଂପ୍ରତି ଚକ୍ରଧର ପାଇଁ ଏକ ଦ୍ୱନ୍ଦ୍ୱର ସମୟ ଥିଲା । ସେ ସେମାନଙ୍କ ନିକଟରେ ଆତ୍ମପ୍ରକାଶ କରିବ ନା ସେହି ଅନ୍ଧକାରର ବସିଯାଇ ସେମାନଙ୍କୁ ଧାରଣା ଦେବ, ସେ ଘରେ ଅନୁପସ୍ଥିତ ବୋଲି । ଚକ୍ରଧରର ଏହି ମାନସିକ ଅବ୍ୟବସ୍ଥା ଚାଲିଥିଲାବେଳେ ସେମାନଙ୍କ ଭିତରୁ କେହି ଜଣେ ବଡ଼ ପାଟିରେ ଡାକି ଦେଲା– କିରେ ଲୁଲୁ, ବାପା ଘରେ ଅଛନ୍ତି ? ଚକ୍ରଧର ଅପେକ୍ଷା କରିଥିଲା ଘରଭିତରୁ କି ଉତ୍ତର ଆସୁଛି ଶୁଣିବାକୁ । ଶେଷରେ ଲୁଲୁ ସମାଜ ବିଜ୍ଞାନ ପାଖରୁ ଉଠିଆସିଲା ଓ ବାରଣ୍ଡାରେ ଠିଆ ହୋଇ ବଡ଼ ପାଟିରେ ଉତ୍ତର ଦେଲା– ବାପା ସେଇ ବଗିଚାରେ ଅଛନ୍ତି, ବଉ କହିଲା ।

 

ସେମାନେ ସେଇ ଅନ୍ଧାରରେ ଚକ୍ରଧରକୁ ଖୋଜିବାପାଇଁ ଚେଷ୍ଟା କଲେ ଓ ଶେଷରେ ସେ ଅନୁପସ୍ଥିତ ବୋଲି ସିଦ୍ଧାନ୍ତରେ ପହଞ୍ଚିଲେ । କାରଣ କିଛି ସମୟ ପରେ ଅନୁରୂପ ସ୍ୱରରେ କେହି ଲୁଲୁକୁ ଡାକି କହିଲା– ଆରେ, ବାପାଙ୍କୁ କହିଦେବୁ ଆମେ ଆସିଥିଲୁ ବୋଲି । ବହୁତ ଡେରି ହେଲାଣି, କହିବୁ ଆମେ କାଲି ଆସିବୁ । ତା’ପରେ ସେମାନଙ୍କର ଛାଇ କ୍ରମେ ଅନ୍ଧକାର ମଧ୍ୟରେ ମିଶିଗଲା ।

 

ଚକ୍ରଧର ଗୋଟିଏ ଦୀର୍ଘଶ୍ୱାସ ମାରିଲା ଓ ଧୀରେ ଧୀରେ ସେ ଚେୟାର ନିକଟକୁ ଆସି ବୃତ୍ତଟିକୁ ଭାଙ୍ଗିଦେଲା । ତା’ପରେ ଖଣ୍ଡିଏ ଚେୟାର ଅଧିକାର କରି ସେ ଚାହିଁଲା ଆକାଶ ଓ ତା’ର ବ୍ୟାପ୍ତିକୁ । ସେହି ବ୍ୟାପ୍ତି ସହିତ କ୍ରମେ ତା’ର ମନଟିକୁ ସେ ମିଶାଇ ନେଲା । ଯେଉଁଠି ତା’ ଚେତନାରେ ପ୍ରତିଫଳିତ ହେଲା ପାହାଡ଼ ଜଙ୍ଗଲ ଝରଣାରୁ ଆରମ୍ଭ କରି ଆଦିବାସୀ ମଣିଷମାନଙ୍କ ସହିତ ସେମାନଙ୍କ ମାଦଳ ଓ ନୃତ୍ୟଗୀତର କୋଳାହଳ । ସେମାନଙ୍କ ଜୀବନର ଗୋଟିଏ କଥା ଚକ୍ରଧରକୁ ସେତେବେଳେ ଉଦବେଳିତ କରୁଥିଲା... କେଡ଼େ ଭଦ୍ର ସେମାନେ । ଝରଣାରେ ଉଲଗ୍ନ ହୋଇ ସ୍ନାନ କରୁଥିବା ବେଳେ କିମ୍ବା ଅଣ୍ଟାରେ ହାତ ଛନ୍ଦି ନୃତ୍ୟଗୀତରେ ନିଜକୁ ହଜାଇ ଦେଇଥିଲାବେଳେ ସେମାନଙ୍କୁ ନେଇ କେହି ଅଭଦ୍ରୋଚିତ ଧାରଣା ମନକୁ ଆଣୁଚି– ଏ ଚିନ୍ତାଠାର ସେମାନେ ଦୂରରେ । ପୁଣି ଭଦ୍ର ମଣିଷର ଜୀବନ ପ୍ରତି ସେମାନେ ଉଦାସୀନ ମଧ୍ୟ । ସେମାନେ ବି ମଣିଷ !

 

ଚକ୍ରଧର ଉଠି ଠିଆହେଲା ଓ ଜଣେ ରିକ୍ତ ମଣିଷ ପରି ଟହଲି ଟହଲି ବସାଘରକୁ ଚାଲିଲା । ଡ୍ରଇଂ–ରୂମରେ ପଶୁ ପଶୁ ସେ ଦେଖିଲା, ଟି’ପୟ ଉପରେ ଲୁଲୁର ସମାଜ ବିଜ୍ଞାନ ବହିଟି ଖୋଲାହୋଇ ପଡ଼ିଛି ଓ ସେ ଚେୟାରରେ ଆଉଜି ଶୋଇ ପଡ଼ିଛି । ହଠାତ୍ କାହିଁକି ଚକ୍ରଧର ଅସ୍ୱାଭାବିକ ହେଇ ପଡ଼ିଲା । ତାର ମନେହେଲା କୌଣସି ଗୃହସ୍ୱାମୀ ତାଙ୍କ ଆଇରନ୍ ଚେଷ୍ଟର ଚାବିକାଠି ଚେଷ୍ଟରେ ଝୁଲାଇ ଦେଇ ଏକ ସମ୍ଭାବ୍ୟ ଲୁଟର ସମସ୍ତ ସୁଯୋଗ ସୃଷ୍ଟି କରି ଦାୟିତ୍ୱହୀନ ଭାବରେ ଶୋଇ ପଡ଼ିଛନ୍ତି ।

 

ଚକ୍ରଧର ଭିତର ଦରଜା ଦେଇ ଦେଖିଲା, ପ୍ରତିମା ରୋଷେଇ କାମରେ ବ୍ୟସ୍ତ ଅଛି ଏବଂ ସାମ୍ନାରେ ଲୁଲୁ ନିଦରେ ଶୋଇଯାଇଛି । ସେ ପାଦ ଟିପି ଟିପି ଟି’ପୟ ଉପରେ ଝୁଙ୍କି ପଡ଼ିଲା ଓ ସମାଜ ବିଜ୍ଞାନର ସେଇ ନିର୍ଦ୍ଦିଷ୍ଟ ବାକ୍ୟକୁ ଖୋଜିଲା ଏବଂ ଠାଏ ଅଟକିଗଲା; ଯେଉଁଠି ଲୁଲୁର କଲମ ଗାର ନିର୍ଦ୍ଦେଶ କରିଛି– ‘ମଣିଷ ଏକ ସାମାଜିକ ପ୍ରାଣୀ’ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ । ସେ କଲମ ଖୋଲିଲା ଓ ସାମାଜିକ ଶବ୍ଦଟି ପୂର୍ବରୁ ‘ଅ’ ଉପସର୍ଗଟି ଯୋଗ କରି ବହିଟି ବନ୍ଦ କରିଦେଲା ବେଳେ ପଛରୁ ପ୍ରତିମା ଡାକିଦେଲା; ଆରେ ଏଠି କ’ଣ କରୁଛ ?

 

ଚକ୍ରଧର ଚମକି ଠିଆହୋଇ ପଡ଼ିଲା ଓ ଅବସ୍ଥା ସମ୍ଭାଳି ନେବାକୁ ହଠାତ୍ କହିଦେଲା... ନା... ନା ଲୁଲୁର ବହିଗୁଡ଼ାକ ସଜାଡ଼ି ରଖୁଥିଲି । ସେ ଶୋଇଗଲାଣି ।

 

ପ୍ରତିମା ଭିତରକୁ ଚାଲିଗଲା । ଚକ୍ରଧର ଠିଆ ହୋଇଥିବା ଅବସ୍ଥାରେ ଲୁଲୁର ନିଷ୍ପାପ ମୁହଁ ଉପରେ ଦୃଷ୍ଟି ରଖି ଭାବୁଥିଲା, ଯଦି ତାକୁ ନିଦରୁ ଉଠାଯାଇ ପଚରାଯା’ନ୍ତା– ବାପାରେ, ସାମାଜିକ ପ୍ରାଣୀର ଅର୍ଥ କ’ଣ !

 

କିନ୍ତୁ ଚକ୍ରଧର ନିଶ୍ଚିତ ଯେ ଲୁଲୁର କୋମଳ ମନରେ ସାମାଜିକତାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଦର୍ଶନ ସ୍ଥାନ ପାଇନି ।

 

ଅଥଚ ତା’ ବହିରେ ଚକ୍ରଧର ‘‘ଅ’’ ଉପସର୍ଗଟି ବସାଇଦେଇ ଭାବୁଥିଲା ସେ ଜଣେ ଅପରାଧୀ ଏବଂ ସେ କୌଣସି ବଡ଼ ଅପରାଧୀ ପରି ‘‘ଅ’’ଟିକୁ ଲିଭାଇ ଦେଇ ସେ ବାହାରେ ନିଜକୁ ସାମାଜିକ ବୋଲି ପ୍ରମାଣ କରିପାରିଲେ ବି ନିଜର ବିଚାରଧାରାରେ; କିନ୍ତୁ ନିରପରାଧ ହୋଇପାରିବନି ବୋଧହୁଏ, ଯଦିଓ ସାମାଜିକତାର ସଂଜ୍ଞା ତା’ ନିକଟରେ ଆପେକ୍ଷିକ ।

Image

 

ମିଛ ଅନୁରୋଧର ପ୍ରେମ ଗଳ୍ପ

 

ଘଟଣାଟି ଘଟିଗଲା ରାମକୃଷ୍ଣର ଏକ ଦୁର୍ବଳ ମାନସିକତାରେ । ସେତେବେଳେ ଅନ୍ୟ କେହି ବ୍ୟକ୍ତି ହୋଇଥିଲେ ଅପମାନଜନିତ କ୍ଷୋଭରେ କ’ଣ ବୋଲେ କଣ ଗୋଟାଏ କାଣ୍ଡ କରି ପକାଇଥାନ୍ତା । କିନ୍ତୁ ସେ ରାମକୃଷ୍ଣ, ଶିଳ୍ପୀସୁଲଭ ପ୍ରଣବତା ସହିତ ଏକ ଦୃଢ଼ ଆତ୍ମପ୍ରତ୍ୟହର ବ୍ୟକ୍ତି ହୋଇଥିବାରୁ ନିଜକୁ କୌଣସି ପ୍ରକାର ସେହି ଅପ୍ରୀତିକର ପରିସ୍ଥିତିରୁ ମୁକ୍ତକରି ପାରିଲା ।

ପରିବେଶଟିକୁ ସାଧାରଣ ଭାବେ କହିଲେ– ରୋମାଣ୍ଟିକ୍ । ଶୀତ ଶରତର ମିଶ୍ରିତ ମଧ୍ୟାହ୍ନ । ଛୁଟିଦିନ ଓ ଗୋଟାଏ ସମ୍ଭ୍ରାନ୍ତ ମଧ୍ୟାହ୍ନ ଭୋଜନ ପରେ ରାମକୃଷ୍ଣ ଲଘୁପରିହାସର ପାତ୍ର– ପାତ୍ରୀମାନଙ୍କୁ ନେଇ ପୂର୍ବାପର ସମ୍ପର୍କ ବିହୀନ ସଂଳାପରେ ମତ୍ତ ଥିଲା । ସେତେବେଳେ କେଜାଣି କେମିତି ତା’ର ଅବଚେତନରେ ଏକ ମଧ୍ୟଯୁଗୀୟ ବିଳାସୀ ସମ୍ରାଟର ଖେୟାଲ ଲୁକ୍କାୟିତ ଥିଲା । ତା’ର ଏଇ ଖେୟାଲକୁ ଉଜ୍ଜୀବିତ କରୁଥିଲା ସେହି ଲଘୁ ପରିହାସ ପାତ୍ର-ପାତ୍ରୀଙ୍କର ଉପସ୍ଥିତି ଏବଂ ତା’ର ପ୍ରତିଭାକୁ ନେଇ ସାମୟିକ ପ୍ରଶସ୍ତି ।

ରାମକୃଷ୍ଣର ଧାରଣା ଶ୍ରୋତାଙ୍କୁ ନେଇ ବକ୍ତାର ମହତ୍ତ୍ୱ । ସ୍ତାବକ ନ ଥିଲେ ସାହିତ୍ୟ ସୃଷ୍ଟି ହୋଇ ନପାରେ, କିନ୍ତୁ ସେ ଏକ ସତେଜ ଚାରା ପରି ଉତୁରି ଆସିବା ପରିବର୍ତ୍ତେ କେମିତି ରିଗ୍ଧା ହେଇ ମୋଡ଼ାମୋଡ଼ି ହୋଇଯାଏ । ନିଷ୍ପୃହ ମାଳୀଟି କେବଳ ରୋଟିନକୁ ଜଗିବା ପାଇଁ ଅନିୟମତ ପାଣି ଟୋପାଏ ଲେଖା ଢାଳେ ମୂଳରେ ।

ରାମକୃଷ୍ଣ ଶୋଇଯାଏ କିଛିଦିନ । ବରଂ କହିବାକୁ ହେବ ରାମକୃଷ୍ଣ ହଜିଯାଏ । ଅଜସ୍ର ଲୋକଗହଳି, ବଜାରହାଟ, ରାଜନୀତିରୁ ଅର୍ଥନୀତିର ଅସ୍ପଷ୍ଟ ଦୃଶ୍ୟକୁ କଳନା କରୁ କରୁ ସେ ନିଜେ କିଏ, କ’ଣ ଓ କାହିଁକି ଇତ୍ୟାଦି ଗୁଡ଼ିକୁ ସମ୍ମୁଖୀନ ହୋଇ ନ ପାରି ସେ ହଜିଯାଏ ଏବଂ ଏଇ ହଜିଯିବା ଭିତରେ ଅନେକ ଅନେକ ବର୍ଷ ଅତିକ୍ରମ ହୋଇଯିବ ଓ ରାମକୃଷ୍ଣ ନୂତନ ଏକ ସଂଜ୍ଞା ନେଇ ହୁଏ ତ ଆତଜାତ ହେବ ବା ନହେବ । କିନ୍ତୁ ଅନେକ ସମୟରେ ସେ ହଜିଯାଇଛି, ହଜି ଯାଉଛି ଓ ହଜିଯାଇପାରେ ମଧ୍ୟ ।

ଅଥଚ ଏଇ ହଜିବାଟା ସମୟର କଷଟିରେ ପରୀକ୍ଷିତ ହୋଇ ଇତିହାସରେ ପ୍ରାମାଣିକତାର ରୂପ ଦେଲେ ବି ରାମକୃଷ୍ଣ ସମୟରେ ପରୀକ୍ଷିତ ସତ୍ୟକୁ ଭୁଲ ବୋଲି ବିଚାରକରେ-। ତା’ଭିତରେ ସତ୍‍ରାମକୃଷ୍ଣଟି ଜାଗ୍ରତ ହୁଏ ଓ ମୁହୂର୍ତ୍ତକ ପାଇଁ ରାମକୃଷ୍ଣକୁ ଏକ ବୃହତ୍ତର ନାସ୍ତିବାଚକ ଜଗତରୁ ଟାଣିଆଣି ସତ୍ୟର ସାମ୍ନାସାମ୍ନି କରିଦିଏ । ସେ ଦେଖେ ତା’ର ଘର ଉପରେ ପାରା ଦୁଇଟି ବସି ପରସ୍ପର ଚଞ୍ଚୁକୁ ମୃଦୁ ଆଘାତ କରୁଛନ୍ତି, ଆକାଶରେ ଖଣ୍ଡ ଖଣ୍ଡ ମେଘ ଭାସି ବୁଲୁଛି । ପୁଣି ସୂର୍ଯ୍ୟାସ୍ତ, ସୂର୍ଯ୍ୟାଦୟ ଓ ମଧ୍ୟାହ୍ନକୁ ନେଇ ସେ ମେଘ ଖଣ୍ଡଗୁଡ଼ିକ ମଞ୍ଚର ଆଲୋକ ପରିବର୍ତ୍ତନ ପରି ନିଜର ରଙ୍ଗ ବଦଳାଉଛନ୍ତି । ଯୁବକ–ଯୁବତୀ ପ୍ରେମ କରୁଛନ୍ତି– ଭାଙ୍ଗୁଛନ୍ତି... ହସ୍ପିଟାଲର ଓ.ଟି ରେ କଅଁଳ ଶିଶୁ କୁଆଁ କୁଆଁ କରୁଛି ଓ ବହୁ ଅପରାଧର ନନ୍ଦିତା ନେତା କ୍ରମେ ଶାସନ ଭିତରକୁ ଫେରିଆସୁଛି । ସମସ୍ତ କୋଳାହଳ ଓ ହୋ–ହଲ୍ଲା ମଧ୍ୟରେ କୃମକୃଷ୍ଣ ବାରେଇ ବାରେଇ ନିଜକୁ ଉର୍ଦ୍ଧ୍ୱୟିତ କରେ ଏବଂ ସେ ଅନୁଭବ କରେ ସେ ସ୍ୱାଧୀନ, ସେ ସୁନ୍ଦର... ରାମକୃଷ୍ଣ ଓ ରାମକୃଷ୍ଣ ପରମହଂସର ବ୍ୟବଧାନ କ୍ରମେ ସଙ୍କୁଚିତ ହୋଇଯାଏ ତା’ର ଅନୁଭବରେ । ସେ ଭାବେ ଏଇ ହଜିଯିବାର ଧାରଣାରେ ସେ ନିଜର ସ୍ୱାଧୀନତାକୁ ଅକାରଣ ଭୁଲିଯାଏ ଯେମିତି ମଣିଷ ଭୁଲିଯାଏ ତା’ର ନିୟମିତ ଶ୍ୱାସପ୍ରକ୍ରିୟାକୁ ଓ ସମୟରେ ଆବିଷ୍କାର କରେ ସବୁ ଠିକ୍ ଚାଲିଛି ବୋଲି ।

ନିଜକୁ ଏଇ ଆବିଷ୍କାର କରିବା ମୁହୂର୍ତ୍ତରେ ରାମକୃଷ୍ଣ ନିଜକୁ ସତ୍ ବୋଲି ସ୍ୱୀକାର କରେ ଓ ପୁନଶ୍ଚ ହଜିଯିବାର ଆଶଙ୍କାରେ ନିଜକୁ ଲିପିବଦ୍ଧ କରାଯାଏ କେତେ ପୃଷ୍ଠା କାଗଜ ଭିତରେ । ଏଇ କାଗଜ ଭିତରେ ପ୍ରତ୍ୟେକଙ୍କୁ ରାମକୃଷ୍ଣରୁ ରାମକୃଷ୍ଣ ପରମହଂସରେ ପରିଣତ କରିଦେବାର ଝୁଙ୍କ୍ ରାମକୃଷ୍ଣକୁ ସ୍ୱାଧୀନତାର ଏମିତି ସ୍ୱାଦ ଚଖାଏ, ରାମକୃଷ୍ଣ ଶୋଇଯିବାର ଗ୍ଳାନିକୁ ଭୁଲିଯାଏ ।

ସେମିତି କେତେକ ଅନୁଭବରୁ ରାମକୃଷ୍ଣ କିଛି ଲେଖି ପକାଇଥିଲା ଓ ସେଗୁଡ଼ିକୁ କ୍ରମାନ୍ୱୟରେ ସଜେଇଦେଲା ପରେ ତାହା ଏକ ପୂର୍ଣ୍ଣାଙ୍ଗଚିତ୍ର ପ୍ରକାଶ କଲା । ସାମୟିକ ଏଇ ପୂର୍ଣ୍ଣାଙ୍ଗ ଚିତ୍ରମାନେ ରାମକୃଷ୍ଣକୁ ଦୁନିଆଁରେ ପରିଚିତ କରାନ୍ତି ଏବଂ ସେ ସବୁର ଆଲୋଚନାରେ ରାମକୃଷ୍ଣର ଆତ୍ମସନ୍ତୋଷ ବର୍ତ୍ତମାନ ।

 

ଘଟଣାଟି ଘଟିଲା ସେହି ପ୍ରକାର ଏକ ପୂର୍ଣ୍ଣାଙ୍ଗଚିତ୍ରକୁ କେନ୍ଦ୍ର କରି । ରାମକୃଷ୍ଣ ଆଶା କରିଥିଲା ସେହି ରୋମାଣ୍ଟିକ୍ ମୁହୂର୍ତ୍ତରେ ଲଘୁପରିହାସର ପାତ୍ର–ପାତ୍ରୀମାନଙ୍କ ମଧ୍ୟରୁ କେହି ପ୍ରସଙ୍ଗଟି ଉତ୍ଥାପନ କରିବ ଏବଂ ରାମକୃଷ୍ଣର ଏ ବିବିଧ ପ୍ରତିଭାଟିକୁ ସ୍ୱୀକାର କରି ଉଚ୍ଛ୍ୱସିତ ପ୍ରଶଂସାରେ ତାକୁ ତନ୍ମୟ କରିଦେବ । କିନ୍ତୁ ରାମକୃଷ୍ଣର ଆଗ୍ରହ ଶୀତ–ଅପରାହ୍ନର ଏକ ଉଦାସ ଅନୁଭବରେ ପରିଣତ ହେଲା ଯେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ମନ୍ତବ୍ୟ କଲେ– ଯାହା କୁହ, ତୁମ ଲେଖା ସବୁ ପ୍ରବନ୍ଧ ପରି ଲାଗେ !

 

ଏମିତି ଆକସ୍ମିକ, ପୁଣି କଠୋର ମନ୍ତବ୍ୟରେ ରାମକୃଷ୍ଣ ବିସ୍ମିତ ହେବା ସ୍ୱାଭାବିକ । ତୁମ ଲେଖାରେ ପ୍ରେମ ବିରହର ଚିତ୍ର ଅଛି, ନା କିଛି ରୋମାଣ୍ଟିକ୍ ଅନୁଭୂତି ଅଛି... କ’ଣ ଲେଖ ତମେ କେବଳ ବୁଝ..., ସେ କଥାଟିକୁ ଶେଷକଲା ।

 

ରାମକୃଷ୍ଣ ହୋ ହୋ କରି ହସିଦେଲା । ସେତେବେଳେ ଅବସ୍ଥାଟିକୁ ମୁକାବିଲା କରିବା ପାଇଁ କିମ୍ବା ସମ୍ଭାଳି ନେବା ପାଇଁ ତା’ଠାରୁ ଅଧିକ କିଛି ସେ କରିପାରି ନଥା’ନ୍ତା । କରିଥିଲେ, ସେ ଧରାପଡ଼ି ଯାଇଥା’ନ୍ତା ଓ ଜଣେ ଅସହିଷ୍ଣୁ ଲୋକ ବୋଲି ପ୍ରମାଣିତ ହୋଇଥାନ୍ତା । ତେଣୁ ସେ ହୋ– ହୋ କରି ହସିଦେଲା ଏବଂ ହସର ଧାରାକୁ କିଛିସମୟ ବଞ୍ଚାଇ ରଖିଲା । ଫଳରେ, ହସର କ୍ରମିକ ଧ୍ୱନିରେ ପୂର୍ବୋକ୍ତ ମନ୍ତବ୍ୟ ଦୋହଲିଯିବ ଏବଂ ଅନ୍ୟ ଏକ ପ୍ରସଙ୍ଗକୁ ଡେଇଁ ପଡ଼ିବା ପାଇଁ ସୁଯୋଗ ମିଳିଯିବ ।

 

ରାମକୃଷ୍ଣ ଅନୁଭବ କଲା ତା’ର ଏଇ ଶବ୍ଦକରି ହସିବାଟା ଠିକ୍ ଅର୍ଥ ପ୍ରକାଶ କରିଛି ଉପସ୍ଥିତ ପାତ୍ରପାତ୍ରୀଙ୍କ ନିକଟରେ । ସେମାନେ ଛୋଟ ହୋଇ ଯାଇଛନ୍ତି କିମ୍ବା ରାମକୃଷ୍ଣର ଲେଖାକୁ ଛୁଇଁବା ପାଇଁ ସେମାନେ ସମର୍ଥ ନୁହନ୍ତି– ଏଇ କମ୍ପ୍ଲେକ୍ସ ସେମାନଙ୍କ ମୁହଁକୁ ଆଚ୍ଛାଦିତ କରିଦେଇଛି ।

 

ରାମକୃଷ୍ଣ ବଞ୍ଚିଗଲା । ହସିଦେବାଟା ଅନେକ ଗ୍ଳାନିକର ମୁହୂର୍ତ୍ତରୁ ମଣିଷକୁ ବଞ୍ଚାଇଦିଏ-। ରାମକୃଷ୍ଣ ବର୍ତ୍ତମାନ ସେମାନଙ୍କ ନିକଟରେ ପ୍ରତିଷ୍ଠିତ । ସେ ଇଚ୍ଛାକଲେ ଦୀର୍ଘ ଏକ ଭାଷଣରେ ସେମାନଙ୍କୁ ସମ୍ମୋହିତ କରି ଦେଇପାରନ୍ତା ଓ ସେ ଯାହା ଲେଖିଛି ତାହା ପ୍ରେମବିରହର ରୋମାଣ୍ଟିକ୍ ଅନୁଭବଠାରୁ ଢେର ଢେର ଉଚ୍ଚରେ ବୋଲି ଯୁକ୍ତିକରି ସେମାନଙ୍କୁ ସହଜ ‘ହଁ’ରେ ପହଞ୍ଚାଇ ଦେଇ ପାରନ୍ତା । କିନ୍ତୁ ସେ ଇଚ୍ଛାକଲା ନାହିଁ । ସେମାନଙ୍କ କମ୍ପ୍ଲେକ୍ସର ସୁଯୋଗ ନେବା ତା’ପାଇଁ ପ୍ରବଞ୍ଚନାର କଥା ହେଇଥା’ନ୍ତା । କାରଣ ସେମାନେ ବୟସ ଓ ଅଭିଜ୍ଞତାରେ ରାମକୃଷ୍ଣଠାରୁ କନିଷ୍ଠ । ସେମାନଙ୍କର ଚିନ୍ତାର ପରିସର ରାମକୃଷ୍ଣଠାରୁ ସୀମିତ ।

 

ତଥାପି ରାମକୃଷ୍ଣ ଏଇ ସମାଧାନରେ ସନ୍ତୁଷ୍ଟ ହୋଇପାରିଲା ନାହିଁ । ସେ ସନ୍ତୁଷ୍ଟ ହୋଇଥିଲେ ନିଜକୁ ଠକିଥା’ନ୍ତା । ସେ ଶିଳ୍ପୀ ବୋଲି ଅନୁଭବ କରିପାରନ୍ତା ନାହିଁ । ନିଜର ପ୍ରତିଷ୍ଠାଜନିତ ଅହଙ୍କାରରେ ସେ ହଜିଯାଇଥାନ୍ତା ଓ ଅହଂକାରର ଖୋଳପାଟି ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ କୁହୁଡ଼ି ପରି ଅନ୍ତର୍ହିତ ହୋଇଥା’ନ୍ତା ଏବଂ ସତ୍ୟ ସୂର୍ଯ୍ୟାଲୋକ ପରି ଉଦ୍‍ଭାସିତ ହୋଇଥା’ନ୍ତା । ତେଣୁ ରାମକୃଷ୍ଣ ନିଜକୁ ଠକି ପାରିଲା ନାହିଁ । ବରଂ ସେ ମନ୍ତବ୍ୟଟି ପ୍ରତି ସହାନୁଭୂତିଶୀଳ ହେଲା ଓ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ଠାରୁ ସାମୟିକ ମୁକ୍ତି ଚାହିଁଲା ।

 

ରାମକୃଷ୍ଣ ମନକୁ ମନ ଯୁକ୍ତିକଳା ଏଇ ସାମୟିକ ମୁକ୍ତି ତା’ପାଇଁ ପରାଜୟ ନୁହେଁ । ପରାଜୟ ହେଇଥିଲେ ସେମାନେ ପରସ୍ପରକୁ ଚାହିଁ ହସିଥା’ନ୍ତେ ଓ ରାମକୃଷ୍ଣ ବାହାରିବାକୁ ପ୍ରସ୍ତୁତ ହେଉଥିଲାବେଳେ ଇଙ୍ଗୀତପୂର୍ଣ୍ଣ ଦୃଷ୍ଟିରେ ତାକୁ ଅନୁଧ୍ୟାନ କରୁଥା’ନ୍ତେ । ସେମାନଙ୍କ ଭିତରେ ଅନୁରୂପ ପ୍ରତିକ୍ରିୟା କିଛି ନଥିଲା । ସେମାନେ ସ୍ୱାଭାବିକ ଥିଲେ ଓ ଅନ୍ୟ ପ୍ରସଙ୍ଗରେ କଥାବାର୍ତ୍ତା ଆରମ୍ଭ କରିଦେଇ ଥିଲେ । ରାମକୃଷ୍ଣ ଆଶ୍ୱସ୍ତ ହେଲା ଓ ଜଣେ ସ୍ୱାଭାବିକ ଲୋକପରି ବାହାରକୁ ବାହାରିଗଲା ।

 

ଏକ ତଥାକଥିତ ଅନ୍ତରଙ୍ଗ ପାରିପାର୍ଶ୍ୱରୁ ମୁକ୍ତ ହୋଇ ଗଲା ପରେ ରାମକୃଷ୍ଣର ମନେହେଲା ସେ ଅଧିକ ସ୍ୱାଧୀନ ଏବଂ ନିଜ ସହିତ ଯୁକ୍ତିକରିବା ପାଇଁ ଏକ ଅନୁକୂଳ ବାତାବରଣ-

 

ପର୍ବପର୍ବାଣିର ସହର । କୋଳାହଳ, ଲୋକଗହଳି ଦେହର ଏକ୍‍ଜିବିସନ ସହିତ ଆଲୋକମାଳାର, ଫିଲ୍ମ ସଙ୍ଗୀତରୁ ପପ୍ ସଙ୍ଗୀତ ବେଶ୍ ଗୋଟାଏ ମଜା ଅନୁଭୂତି । ପାଞ୍ଚଶହ ହଜାରେ ଲୋକଙ୍କ ସହିତ ଖୁନ୍ଦାଖୁନ୍ଦି ହୋଇ ଚାଲୁଥିବ... ହୋ ହଲ୍ଲା ଭିତରେ ନିଜ ଲକ୍ଷ୍ୟଟି କିନ୍ତୁ ଠିକ୍ ବାଟରେ... ।

 

ରାମକୃଷ୍ଣ ଉତ୍ସବରେ ମିଶିଯାଇଥିଲା । ଅଥଚ ନିଜ ଯୁକ୍ତି ସହିତ ବେଶ ମଜ୍‍ଗୁଲ ଥିଲା । ଲୋକଗହଳିରେ ହଜିଯାଇ ବି ରାମକୃଷ୍ଣ ଜୀବନ୍ତ ଥିଲା । ସଂପ୍ରତି ସେ ନିଜକୁ ଆବିଷ୍କାର କରିଥିଲା-। ନିଜ ସ୍ୱାଧୀନତାର ଅନୁଭବରେ ସେ ସ୍ୱତନ୍ତ୍ର ବୋଲି ନିଶ୍ଚିତ ଥିଲା । ଅନ୍ୟଥା ତା’ଉପରେ ଲଘୁପରିହାସପାତ୍ରୀର ମନ୍ତବ୍ୟ ଓ ସେ ମନ୍ତବ୍ୟ ଇଚ୍ଛାକୃତ ବୋଲି ସେ ଉପଲବ୍ଧି କରିପାରି ନଥା’ନ୍ତା-

 

ମନ୍ତବ୍ୟଟି ପ୍ରତି ଯେତେବେଳେ ରାମକୃଷ୍ଣ ସହାନୁଭୂତିଶୀଳ, ତା’ମନରେ ସଂଶୟ ଜମାଟ ବାନ୍ଧେ । ସେ ଅପ୍ରକାଶିତ ! ସେ ସ୍ୱାଭାବିକ ଧର୍ମଠାରୁ ଦୂରରେ ଥିବା ଏକ ଆନୁମାନିକ କବିତା ! କ’ଣ ସେ ! ନାଁ ଏମିତି ସେ ଚାହୁଁଥିଲା– ରାମକୃଷ୍ଣ ତୁ ଏମିତି ଲେଖିବୁନି... ତୁ ମୋତେ ଟପି ଯାଇ ପାରିବୁ ନି... ତୁ ସବୁବେଳେ ନିର୍ଦ୍ଦିଷ୍ଟ ସୀମାରେଖାରେ ରହି ମୋ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିବୁ... ନଚେତ ମୁଁ ତୋତେ ଅସ୍ୱୀକାର କରିବି ଏବଂ ଆବଶ୍ୟକ ହେଲେ ଅପଦସ୍ଥ କରିବି ଆଜି ପରି ।

 

ସତର୍କରେ ରାମକୃଷ୍ଣ ଆଖିବୁଲାଇ ନିଏ ଲୋକଗହଳି ଉପରେ, ସହର ଲୋକ ଆଲୋକ ଓ ଫିଲ୍ମ ସଙ୍ଗୀତ.... ସବୁ ମିଶିଗଲା ପରେ ଉତ୍ସବ ପରି ଏକ ଅନୁଭବ ନିର୍ଦ୍ଦିଷ୍ଟ ରୂପ ନେଉଛି । ଉତ୍ସବ ସାଇକେଲର ଗତି ବଢ଼ାଇ ଦେଇଛି । ରିକ୍ସାବାଲା ବାଳକୁ ଚିକ୍କଣକରି ତା’ଆଖିକୁ ଲାଲ କରିଛି । ସମସ୍ତଙ୍କ ହାତରେ ସିଗ୍ରେଟ ବା ପାନ ଧରାଇ ଦେଇଛି । ବାପ ମା’ ମାନଙ୍କୁ ଅପେକ୍ଷାକୃତ ସାନ ସାନ ପିଲାଙ୍କୁ ଧରି ବଜାର ପରିକ୍ରମା କରାଉଛି ଓ ନିଜକୁ ନୂଆକରି ଆବିଷ୍କାର କରିଥିବା କନ୍ୟାମାନେ ନିଜର ଅସ୍ତିତ୍ୱ ଘୋଷଣା କରୁଛନ୍ତି । ମି.ଡ଼ଡ଼ୀ, ମେକ୍‍ସି ବେଲ ଏବଂ ନିକଟ କିମ୍ବା ଦୂରସମ୍ପର୍କୀୟ ତରୁଣବଂଧୁମାନଙ୍କ ସହିତ ପୁଣି ଝୁଲି ଝୁଲି ଚାଲିବା ପାଇଁ ଉତ୍ସବ ନିରକ ନିର୍ଦ୍ଦେଶ ଦେଇଛି । ଦୂରରୁ ଦେଖିଲେ ରାମକୃଷ୍ଣ ବି ଏଇ ଉତ୍ସବର ଅଂଶବିଶେଷ । ଅଥଚ ନିଜେ କିନ୍ତୁ ରାମକୃଷ୍ଣ ସ୍ୱତନ୍ତ୍ର । କାରଣ ସେ ଏଇ ହୋ ହଲ୍ଲାରେ ନିଜକୁ ହଜାଇ ଦେଇ ପାରୁନି ଅନ୍ୟମାନଙ୍କ ପରି । ନିଜେ ନିଜକୁ ଭୁଲିଯାଇ ପାରୁନି । ବରଂ ନିଜର ଆକସ୍ମିକ ସ୍ୱାଧୀନ ଅନୁଭବରେ ଉତ୍ସବମୟ ଲୋକମାନଙ୍କୁ ଛୁଇଁ ପାରୁଛି ।

 

ରାମକୃଷ୍ଣ ମନରେ ସୃଷ୍ଟି ହୋଇଥିବା ସଂଶୟ ସମାଧାନର ନିକଟବର୍ତ୍ତୀ ହୁଏ । ତା’ର ମନେ ହେଲା ଲଘୁପରିହାସ ପାତ୍ରୀର ମନ୍ତବ୍ୟ ଉଦ୍ଦେଶ୍ୟମୂଳକ.... ତୁ ଏମିତି ଲେଖି ପାରିବୁନି... ତୁ ମୋତେ ଟପିଯାଇ ପାରିବୁନି... ତୁ ‘ଟୋଟାଲି’ ତୋ ଲେଖା ବନ୍ଦ କରି ଦେ ଏବଂ କେବଳ ମୋର ବନ୍ଦନା ପଢ଼... ବାଶ୍ !

 

ରାମକୃଷ୍ଣ ମନକୁ ମନ ହସିଦିଏ... ଢେର ଢେର ବନ୍ଦନା ପଢ଼ାଗଲା... ସ୍ତୋତ୍ରପାଠ ହେଲା, ଭକ୍ତର ଆତ୍ମନିବେଦନର କୋମଳ ପଦାବଳୀରେ ମନ୍ଦିରରୁ ମୁଖଶାଳା ପ୍ରତିଧ୍ୱନିତ ହେଲା...-। ଜଗମୋହନରୁ ବିଗ୍ରହ କିନ୍ତୁ ସବୁଦିନ ପରି । କଳା ମୁହଁର ବଳୟରେ ସେଇ ଗୋଲ ଗୋଲ କଳାଡୋଳା ଦୁଇଟି ଉଜ୍ଜ୍ୱଳ ଓ ସ୍ଥିର । ସେ କୋମଳ ପଦାବଳୀର କରୁଣ ନିର୍ଯ୍ୟାସ ଆଖି ଦୁଇଟିକୁ କରୁଣ କରି ପାରିଲା ନାହିଁ ।

 

ଦୁଇଟି କଥା । କଳାଚାନ୍ଦ କଳାପାହାଡ଼ ହୋଇପାରେ କିମ୍ବା ସ୍ୱାର୍ଥ ସର୍ବସ୍ୱ ଅନୁଷ୍ଠାନର ଅପରିବର୍ତ୍ତନୀୟ ମନୋଭାବରେ ମହୋଦଧିକୁ ଡେଇଁପଡ଼ି ପାରେ ।

 

ଶତାବ୍ଦୀ ଅତିକ୍ରମ କରିଯାଉଛି । ବାରମାସୀଚଢ଼େଇ ପରି ସମୟର ରଙ୍ଗ ବଦଳୁଛି । ସେ ରଙ୍ଗ ମଣିଷର ଦେହକୁ ଭେଦି ଯାଉଛି । କିମ୍ବା ମଣିଷ ସମୟକ୍ରମରେ ନୂଆ ରଙ୍ଗର କମ୍ପୋଜ କରି ବଡ଼ ବଡ଼ ତୁଳୀରେ ସମୟକୁ ନିଜ କମ୍ପୋଜିସନରେ ଚିତ୍ରିତ କରୁଛି । ସେଥିରେ ବିଚାରା ରାମକୃଷ୍ଣମାନେ !

 

ରାମକୃଷ୍ଣ ଅଶ୍ୱସ୍ତ । ସେ ତା’ର ଅନୁଭବ ପ୍ରତି ବିଶ୍ୱସ୍ତ । ସେ ଯାହା ଦେଖିଛି, ପଢ଼ିଛି, ତାକୁ ନେଇ ତା’ଚିନ୍ତାରେ ଗୋଟାଏ ନୂଆ କମ୍ପୋଜିସନ ସୃଷ୍ଟି କରୁଛି ଯାହା ପ୍ରଚଳିତଠାରୁ ଭିନ୍ନ, ଯାହାକୁ ଗୃହୀତ କରାଇ ନେବାପାଇଁ ସେ ପ୍ରାଣାନ୍ତକ ଉଦ୍ୟମ କରି ଚାଲିଛି ।

 

ସିନେମାର ଫ୍ଲାସବେକ ପରି କେତୋଟି ଦୃଶ୍ୟ ରାମକୃଷ୍ଣଙ୍କର ମନକୁ ଚାଲି ଆସିଲା; ଅନେକ ବର୍ଷ ତଳର ଘଟଣା । ଏମିତି କି ଦୁଇ ବର୍ଷ/ପାଞ୍ଚ ବର୍ଷ ତଳର ଘଟଣା ଯାହାକୁ ରାମକୃଷ୍ଣ ଭୁଲି ଯାଇଥାଏ, ତାକୁ ଲାଗେ ଲକ୍ଷେ ବର୍ଷର ଘଟଣା ବୋଲି । ରାମକୃଷ୍ଣର ସମ୍ପର୍କ ଆକସ୍ମିତ ଭାବେ ସଂପୃକ୍ତ ହୋଇଗଲା ଜଣେ ବାଳିକା ସହିତ । ଏବେ ସେହି ବାଳିକାର ସଂଜ୍ଞା ପଚାରିଲେ ରାମକୃଷ୍ଣ ଇଷତ୍ ବିରକ୍ତି ଓ ଲାଜ ଭାବ ନେଇ କହିପାରେ ପ୍ରେମିକା, ଗାର୍ଲ ଫ୍ରେଣ୍ଡ୍... ହିଁ ସେମିତି କିଛି ।

 

(ସଂପ୍ରତି କୌଣସି ଡ୍ରେସ୍ ଷ୍ଟୋରର ସୋ’ କେଶରେ ଥିବା ମଡ଼େଲକୁ ଚାହିଁ ଠିଆହୋଇଛି ରାମକୃଷ୍ଣ । ଅନ୍ୟ ସାଧାରଣ ଦିନରେ ମଡ଼େଲଟି ଠିଆ ହୋଇଥାଏ ସବୁ ଦିନର ଗ୍ରାମଦେବତୀ ପରି । ଆଜି କିନ୍ତୁ ଉତ୍ସବର ଆନୁଷ୍ଠନିକତା ତାକୁ ବିଶେଷ ରୂପରେ ସଜ୍ଜିତ କରିଛି ଓ ସେ ରାଧାନାଥଙ୍କ ଚନ୍ଦ୍ରଭାଗାର image ରାମକୃଷ୍ଣ ମନରେ ସୃଷ୍ଟି କରୁଛି) ।

 

ରାମକୃଷ୍ଣ ନିଶ୍ଚିତ ଥିଲା ସେମିତି ବା ତା’ଠାରୁ ଅନେକ ଅନେକ ସୁନ୍ଦରୀ ଦୁନିଆରେ ପୂରି ରହିଥିବେ । ଅଥଚ ସେ ବାଳିକାଟି ତାକୁ ଭଲ ଲାଗିଲା । ଅନେକ ସମୟରେ ମଧ୍ୟ ତାର ନିଜ ରୂପକୁ ନେଇ ଅହଙ୍କାର ରାମକୃଷ୍ଣ ପାଇଁ ବିରକ୍ତିର କାରଣ ହୁଏ । ତଥାପି ତା’ ଜୀବନଧାରାର କେଉଁ ବିଶିଷ୍ଟ ଦିଗଟି ସହିତ ରାମକୃଷ୍ଣ ଛନ୍ଦିହୋଇ ଯାଇଥିଲା, ଫଳରେ ସାମୟିକ ବିରକ୍ତିକୁ ମଧ୍ୟ ସେ ହଜମ କରି ନିଏ ।

 

(କେବଳ ରାମକୃଷ୍ଣ ନୁହେଁ ସେଇ ବାଟେ ଯେଉଁମାନେ ଯାଉଛନ୍ତି ସେ ମଡ଼େଲଟିକୁ ଚାହୁଁଛନ୍ତି ଓ ସେମାନଙ୍କ ମୁହଁର ଭାବ କହିଦେଉଛି ସେମାନେ ଆମୋଦିତ । ରାମକୃଷ୍ଣ ହସିଦେଲେ-: ଈଶ୍ୱର ଶାଲା ମହା ଧୂର୍ତ୍ତ.... ସେ ଏ ମଣିଷକୁ ହାଡ଼େ ହାଡ଼େ ଚିହ୍ନିଚି । ଏଇ ମଡ଼େଲ ପରି ନିଖୁଣ ଶରୀରଟିଏ ଯଦି କାହା ପାଇଁ ଖଞ୍ଜିଦିଏ ସେ ଆଉ ଦୁନିଆଁକୁ ରଖିବ ନାହିଁ ବୋଲି ଠିକ୍ ବୁଝି ନେଇଛି । ସେଥିପାଇଁ ପ୍ରୋଫାଇଲ ଠିକ ଥିଲେ ଆକ୍ଷି ବିଲ୍ ବିଲ୍, ଆକ୍ଷି ଠିକ ଥିଲେ ରଙ୍ଗ କଳା ଇତ୍ୟାଦି ଇତ୍ୟାଦି ଶାଲା ବାଲାନ୍‍ସ ରଖିଛି) ।

 

ସେ ବାଳିକାଟି ସହିତ ସମ୍ପୃକ୍ତ ହୋଇଗଲା ପରେ ରାମକୃଷ୍ଣ ଅନୁଭବ କରିଛି ଏଇ ସହରରେ ଯେମିତି ସେ ଏକମାତ୍ର ସମ୍ରାଟ ଓ ବାସ୍ତବରେ ସଂଘଟିତ ନ ହେଉଥିଲେ ବି କଳ୍ପନାରେ ଅନେକ ରୂପବତୀ ନାରୀ ତୈଳଯୁକ୍ତ ସ୍ତନାଗ୍ରରେ ସମ୍ରାଟଙ୍କ ଗାତ୍ରମାର୍ଜନ କରୁଛନ୍ତି ଏବଂ ବାହୁବେଷ୍ଟନ କରି ଗୋଲାପ–ଜଳରେ ତାଙ୍କ ସ୍ନାନାଦି କର୍ମ ସମାପନ କରୁଛନ୍ତି । ପୁଣି ଭିନ୍ନ ରଙ୍ଗର ଗୋଲାପ ପାଖୁଡ଼ାମାନଙ୍କରେ ଶେଯ ପ୍ରସ୍ତୁତ କରି ତାଙ୍କୁ ଶୁଆଇ ଦେଇ ମଧୁର ସଙ୍ଗୀତ ଓ ଲଘୁପରିହାସରେ ତାଙ୍କ ମନୋରଞ୍ଜନ କରୁଛନ୍ତି ।

 

(ରାମକୃଷ୍ଣ ନିଶ୍ଚିତ ମଡ଼େଲଟି ନିର୍ଜୀବ । ପ୍ଲାଷ୍ଟର ପାରିସ, କିଛି ରଙ୍ଗ ଓ ସିନ୍ଥେଟିକ୍ ପରିଚ୍ଛଦରେ ମଣିଷ ତାର ରୁଚିକୁ କେବଳ ପ୍ରତିଫଳିତ କରିଛି । ବାସ୍ତବ ଜୀବନର ଅନୁଭବ ଏଇ କାଳରେ ହିଁ ପ୍ରକାଶିତ ହୁଏ) ।

 

ଜୀବନର ବେଶ ଦାମୀ ସମୟ ରାମକୃଷ୍ଣ ଖର୍ଚ୍ଚ କରିଛି ବାଳକାଟିର ହସ ପାଇଁ । ନାଚ ପାଇଁ । ବାଳିକାଟି ନିଜକୁ ପୂର୍ଣ୍ଣଭାବରେ ପ୍ରକାଶ କରିବା ପାଇଁ । ସେତେବେଳେ କିମ୍ବା ଅନ୍ୟ କେବେ ନୁହେଁ । ରାମକୃଷ୍ଣ ଅଙ୍କକଷା ମଣିଷଟିଏ ହୋଇପାରିଲା ନାହିଁ । କାରଣ ରାମକୃଷ୍ଣ ଅଧିକାଂଶ ସମୟ ଶୋଇଯାଏ ଏବଂ ଯେତେବେଳେ ସେ ନିଜକୁ ଆବିଷ୍କାର କରେ ସେ ଅନୁଭବ କରେ ସେ ସ୍ୱତନ୍ତ୍ର; ତା’ର ଅଖଣ୍ଡ ସ୍ୱାଧୀନତାକୁ ଧରି ସେ ଜୀବନ୍ତ । ଅଙ୍କ କଷିବାଟା ଏକ ସ୍ୱାଭାବିକ ଧାରାରେ ପରିଣତ ହୋଇଥିଲେ ବି ସେଥିରୁ ବିଚ୍ଛିନ୍ନ ସେ । ସେ ରାମକୃଷ୍ଣ ।

 

(ତାକୁ ପ୍ରତିଷ୍ଠା କରିଥିବା ଦୋକାନୀଠାରୁ ଦେଖଣାହାରୀ ପର୍ଯ୍ୟନ୍ତ ସମସ୍ତେ ସଚେତନ ସେ ମଡ଼େଲ ସହିତ ଦୈହୀକ ସମ୍ପର୍କ ସ୍ଥାପନ କରାଯାଇ ନ ପାରେ । ଅଥଚ ବାଚାଳଠାରୁ ବୃଦ୍ଧ ପର୍ଯ୍ୟନ୍ତ ତାକୁ ଦେଖନ୍ତି, ଆମୋଦିତ ହୁଅନ୍ତି ଓ ଚାଲିଯା’ନ୍ତି ପୁଣି) ।

 

ସେଇ ମଡ଼େଲ ନିକଟରେ ଠିଆ ହୋଇଥିଲାବେଳେ ଅନେକ ସମୟର ପୁରାତନ ଧାରଣାଟି ରାମକୃଷ୍ଣକୁ ବିପର୍ଯ୍ୟସ୍ତ କଲା । ସମୟ ବ୍ୟତିକ୍ରମ କରିଯାଉଛି । ଭୁଲ୍‍ କଥା । ସମୟଟା ଗୋଟିଏ ମେସିନ ଫିତା ପରି ଅନବରତ ଘୂରିଚାଲିଛି ଏବଂ ତାରି ଭିତରେ ଘଟିଯାଉଥିବା ଏଇ ଘଟଣାଗୁଡ଼ିକ ଯେମିତି କହିଦେଉଛି ସେ ଅତିକ୍ରମ କରିଯାଉଛି । କିନ୍ତୁ ଆଜି ରାମକୃଷ୍ଣର ମନେ ହେଉଛି ସବୁ ଘଟଣା ଯେମିତି ଏକାପରି ଏବଂ ଏଗୁଡ଼ିକ ଗୋଟିଏ ଗୋଟିଏ ଶତାବ୍ଦୀକୁ ଆଚ୍ଛାଦିତ କରିଦେଉଛି ।

 

କେବଳ ସେଇ ଝିଅଟି ନୁହେଁ ଅନେକଥର ସେ ସରଳ ପ୍ରବଣତାରେ ଛନ୍ଦି ହୋଇଯାଇଛି ଓ କିଛିଦିନ ନିଜର ସ୍ୱାଧୀନତା, ଓ ସ୍ଥିତିର ଉପଲବ୍ଧିରେ ମଜଗୁଲ୍‍ ହୋଇ ପରେ ପୁଣି ଶୋଇଯାଇଛି କ’ଣ ଘଟିଛି ବା ଘଟୁଛିକୁ ସଂପୂର୍ଣ୍ଣ ଅବଜ୍ଞ କରି ।

 

(ରାମକୃଷ୍ଣର ଚେତନାରେ ଏଇ ସ୍ୱ–ବିରୋଧ ଯୁକ୍ତି ସଂଘଟିତ ହେଉଥିଲାବେଳେ ଦଳେ ଯୁବକ ସେ ମଡ଼େଲଟିକୁ ଘେରି ଠିଆ ହୋଇଥିଲେ । ସେମାନଙ୍କ ପାଦ ଏମିତି ଟଳଟଳ ହେଉଥିଲା ଯେ ସେମାନେ ପ୍ରାୟ ପରସ୍ପର ଉପରେ ଭରାଦେଇ ଟହଲୁଥିଲେ । ହଠାତ୍ ସେମାନଙ୍କୁ ଭିତରୁ ଜଣେ ଚିତ୍କାର କଲା : ଟେକି ନିଅ ଶାଳୀ ଟୋକୀକି...) ।

 

ଆଉ ହବନାହିଁ । ଅଙ୍କକଷାର ଜଟିଳ ସୂତ୍ର ମଧ୍ୟରେ ପ୍ରେମ ନାମକ ଅନୁଭବ ଦେହର ସୀମା ଭିତରେ ରକ୍ତ ମାଂସ ସ୍ୱେଦକୁ ନେଇ ଅବରୁଦ୍ଧ ।

 

ରାମକୃଷ୍ଣ କେମିତି ହାଲ୍‍କା ମନେକଲା ନିଜକୁ । ଲଘୁପରିହାସପାତ୍ରୀର ମନ୍ତବ୍ୟରେ କିଛି ଗୁରୁତ୍ୱ ନାହିଁ ତା’ ନିକଟରେ । ଅଙ୍କକଷା । ପାରିପାର୍ଶ୍ୱିକୀରେ ସେ ନିର୍ବୋଧ ବାଳିକା କେମିତି ବୁଝିଥା’ନ୍ତା କାହିଁକି ଗୁରୁ ମହାନ୍ତି ଲେଖି ଦେଲା ।

 

‘ତୁମରି ଭ୍ରୂଲତା ତଳେ ମିଶିଯାଏ ଦିଗ୍‍ବଳୟ, ରାଧାନାଥ ରାୟ ଆଉ ସଚ୍ଚି ରାଉତରା...-।’

 

ଆପାତତଃ ରାମକୃଷ୍ଣ ମୁକ୍ତ ଓ ସେ ସେଇ ଲଘୁ ପରିହାସ ପାତ୍ରୀ ଉଦ୍ଦେଶ୍ୟରେ ଗୋଟିଏ ସଂଳାପ ପ୍ରୟୋଗ କଲାରେ ପ୍ରମତ୍ତ ବାଳିକା । ଆଜି କି ଲକ୍ଷେ କୋଟି ବର୍ଷ ପରେ ଯଦି, କେହି କାହ୍ନୁ ପଦେ ଗାଏ ‘ନଗର ବହିରେ ଡୋମ୍ବି ତୋହରି କୁଡ଼ିଆ..., ସେତେବେଳେ ତୋ ପାଇଁ ପ୍ରେମ ଗଳ୍ପଟିଏ ସମ୍ଭବ, ବର୍ତ୍ତମାନ ନୁହେଁ ।

 

ସଂଳାପଟି ପରେ ରାମକୃଷ୍ଣ ହଜିଯାଇଥିବା କିମ୍ବା ଶୋଇ ଯାଇଥିବ ।

Image

 

ଲଘୁ ସଙ୍ଗୀତ

 

‘‘ସାର ‘ପିଓର ଥଟ୍’ ଆସିଗଲା । ଏଇଟାକୁ ନ ଧରିଲେ ପୁଣି ରାତି ସାଢ଼େ ସାତ ପହଞ୍ଚିଲା ବେଳକୁ ରାତି ଦଶ’’, ଏତକ କହିସାରି ଭଦ୍ରଲୋକ ମୋର ଉତ୍ତର ବା ନିଷ୍ପତ୍ତିକୁ ଅପେକ୍ଷା ନ କରି ନିଜ ବ୍ରିଫ୍ କେଶଟି ହାତରେ ଧରି ମୋ ପାଖରୁ ଉଠିଲେ । ମୋର ବସ୍‍ଟିକୁ ଧରିବା ଆବଶ୍ୟକ ଯେମିତି, ଯେହେତୁ କି ପୁଣି ସପ୍ତାହେ । ପନ୍ଦର ଦିନ ପର୍ଯ୍ୟନ୍ତ ଏଠାକୁ ନଆସିବାର ଦୁଃଖ କିଛି ସମୟ ବସିଯିବା ପାଇଁ ବି ମନରେ ଆକର୍ଷଣ ସୃଷ୍ଟି କରୁଥିଲା । ଯିବି, ଯିବିନାହିଁର ଦ୍ୱନ୍ଦ୍ୱ ଭିତରେ ଯାହା ସାଧାରଣତଃ ମୁଁ କରିଥାଏ, ସେୟା କଲି ଓ ଅପେକ୍ଷା କରିଥିବା ଦୋକାନର ବାହାରକୁ ଆସି ପାଖ ପାନ ଦୋକାନରୁ ଦୁଇଟି ପାନ ବରାଦ କରି ଚଳପ୍ରଚଳ ହେଉଥିବା ଲୋକମାନଙ୍କ ଭିତରେ ଚିହ୍ନା ମୁହଁ ଖୋଜିଲି । ଯଦି କେହି ମିଳିଯାଏ ହୁଏତ ଆଉ କେତୋଟି ଘଣ୍ଟା ବିତାଇ ଦେଲେ ଶେଷ ବସ୍‍ର କୋଣ ସିଟରେ ଢୋଳେଇ ପଡ଼ି ନିଜର ଗତାନୁଗତିକ ସ୍ଥାନରେ ପହଞ୍ଚିବା କଥା ।

 

ମୋ ଦ୍ୱନ୍ଦ୍ୱର ଆଉ ଏକ କାରଣ ଏଇ ‘ପିଓରଥଟ୍’ । ଘରୋଇ ବସ୍ ଆଡ଼ମ୍ବରପୂର୍ଣ୍ଣ ତଥାପି ମୋତେ କେମିତି ଲାଗେ ମୁଁ ଜଣେ ଗାଁ ଲୋକ ଓ ମୋତେ ନେଇ ବସ୍‍ଟିଏ ବାଛିବି । ମୋର କହିବାରେ ସଂକୋଚ ନାହିଁ; ମୋ ରୁଚିଟା କେତେକାଂଶରେ ଗ୍ରାମ୍ୟ ଓ ନିକଟ ଅତୀତରେ ଏଇ ଘରୋଇ ବସ୍‍ମାନଙ୍କୁ ନେଇ ମୋ ବନ୍ଧୁଙ୍କର ମନ୍ତବ୍ୟ ମୋତେ ଖୁବ୍ ଭଲ ଲାଗିଥିଲା । ଏମିତି ରାସ୍ତାରେ ଉଦ୍ଦେଶ୍ୟହୀନ ଭାବରେ ଚାଲୁ ଚାଲୁ ଆମେ ଗୋଟିଏ ସ୍ଥାନରେ ପହଞ୍ଚିଗଲୁ, ଯେଉଁଠି ସରକାରୀ ଓ ଘରୋଇ ବସ୍‍ଷ୍ଟାଣ୍ଡ ଦୁଇଟି ଲଗାଲଗି । ସେତେବେଳେ ଗୁଡ଼ାଏ ସୁନ୍ଦର ଘରୋଇ ବସ୍ ପାର୍କ କରିଥାଏ । ବିପ୍ର ଆଚାର୍ଯ୍ୟ ଏକପ୍ରକାର ଚିତ୍କାର କଲା, ଏଇ ଦେଖନ୍ତୁ; ଏ ଗୁଡ଼ାକୁ, କେମିତି ଗୋଟିଏ ଗୋଟିଏ ବେଶ୍ୟା ଯାତ୍ରୀମାନଙ୍କୁ ଟାଣି ନେଉଛନ୍ତି ନିଜର ବେଶଭୂଷାରେ । କିନ୍ତୁ ଆମ ସରକାରୀ ଲାଲ୍ ବସ୍... ଆହା ସମ୍ଭ୍ରାନ୍ତ ବଧୂଟିଏ, ଚାଲିଛି ଝୂଲି ଝୂଲି ନିଜ ଛନ୍ଦରେ ଚାଞ୍ଚଲ୍ୟ ନାହିଁ, ଧୀର-ମନ୍ଥରେ... । ମୋର ନିଜ ଅନୁଭବଟି ବନ୍ଧୁଙ୍କ ମୁହଁରେ ସେଦିନ ଖୁବ୍ ଶ୍ରୁତିମଧୁର ମନେହେଲା-

 

ସରୁକାଗଜରେ ପାନ ଦି’ଖଣ୍ଡ ଗୁଡ଼ାଇ ଦୋକାନୀ ମୋ ହାତକୁ ବଢ଼ାଇ ଦେଲା ଓ ତାକୁ ପଇସା ବଢ଼ାଇ ଦେଲା ପରେ ଅକସ୍ମାତ୍ ମୁଁ ସିଦ୍ଧାନ୍ତ କଲି ସେଇ ପିଓରଥଟରେ ଚାଲିଯିବି । କାରଣ ୟା’ ମଧ୍ୟରେ କୌଣସି ଚିହ୍ନା ମୁହଁ ମୁ ଭେଟି ନ ଥିଲି । ପୁଣି କେତୋଟି ଘଣ୍ଟା ବାରେ ହେବା ଅପେକ୍ଷା ଚାଲିଯିବା ବରଂ ଭଲ । ପିଓରଥଟ୍ ବସରେ ଡ୍ରାଇଭର ପ୍ରତି ମୋର ଆଲର୍ଜି ସତ୍ତ୍ୱେ ମୁଁ ବସ୍‍କୁ ଉଠିଲି– ଆବଶ୍ୟକବୋଧରୁ ଆଦର୍ଶ ହୁଡ଼ିଗଲା ପରି ।

 

ଭଦ୍ରଲୋକ ମୋ ପାଇଁ ସିଟ୍‍ଟିଏ ରଖିଥିଲେ ବୋଧହୁଏ । ମୁଁ ବସରେ ଉଠିଲା ପରେ ସମ୍ଭ୍ରମତାର ସହିତ ନିଜ ବ୍ରିଫ୍-କେଶକୁ ଉଠାଇନେଇ କଡ଼ ସିଟରେ ବସିବା ପାଇଁ କହିଲେ । ମୁଁ ଲୌକିକତାର ସୀମା ସ୍ପର୍ଶ ନ କରି ନିର୍ଦ୍ଦେଶିତ ସିଟରେ ବସିଗଲି ଓ ପରେ ପରେ ଡ୍ରାଇଭର ସିଟ୍‍କୁ ଚାହିଁଲି । ସେ ପର୍ଯ୍ୟନ୍ତ ସେ ଆସି ନ ଥିଲା । ସେତେବେଳକୁ ଭଦ୍ରଲୋକ ପ୍ରାୟ ଅଧଘଣ୍ଟା ଅପେକ୍ଷା କଲେଣି । ଫଳରେ ସେ ଟିକେ ଅତିଷ୍ଠ ମନେ ହେଉଥିଲେ ଓ ବସ୍‍ର କାଚଦେଇ ବିଭିନ୍ନ ଆଡ଼େ ଚାହୁଁଥିଲେ– ଡ୍ରାଇଭରକୁ ଆସୁଥିବାର ଦେଖିଲେ ହୁଏତ ସେ ଆଶ୍ୱସ୍ତ ହେବେ... ଆଉ ଅପେକ୍ଷା କରିବାକୁ ପଡ଼ି ନ ପାରେ ।

 

ଅଥଚ ନୈରାଶ୍ୟରେ ସେ ବସ୍ ଭିତରକୁ ଦୃଷ୍ଟି ଫେରାଇ ଆଣିଲେ ଓ ନିଘୋଡ଼ ନିଦରେ ଶୋଇଥିବା ବ୍ୟକ୍ତିଟିଏ ପରି ନିଜର କଡ଼ ବଦଳାଇ ପକେଟରୁ ପାନବଟା ବାହାର କଲେ । ବଟାଟିକୁ ଯତ୍ନରେ ଖୋଲିଲେ ଓ ଖଣ୍ଡିଏ ପାନ ବାହାର କରି ତାକୁ ମୁଣ୍ଡରେ ମାରି ପାଟିରେ ପୂରାଇ ତାର ଶେଷ ଅଂଶକୁ ‘ଥଃ’ କରିବା ସହିତ ବଟାଟିକୁ ବନ୍ଦ କରି ପୁନର୍ବାର ପକେଟରେ ରଖିଲେ । ପାଖରେ ବସି ଭଦ୍ରଲୋକଙ୍କ ବିରକ୍ତିକର ସମୟକୁ ଅତିକ୍ରମ କରିବାର ପଦ୍ଧତିଟିକୁ ଅନୁଧ୍ୟାନ କରୁ କରୁ ମୁଁ ମଧ୍ୟ ମନେ ମନେ ଡ୍ରାଇଭର ଉପରେ ଚିଡ଼ି ଯାଇଥିଲା । କେମିତି ଗୋଟିଏ ଅଭଦ୍ର ଲୋକ... ନାହିଁ ନଥିବା ଲୋକ ସହିତ ଜମେଇବ ଓ ନିଜର କେତେଗୁଡ଼ିଏ ରସିକ ଜନୋଚିତ ଆଚରଣରେ ଅନ୍ୟର ଦୃଷ୍ଟି ଆକର୍ଷଣ କରିବ । ପୁଣି ଷ୍ଟିଅରିଂରେ ହାତରଖି ଗାଡ଼ି ଷ୍ଟାର୍ଟ୍ କରିଦେଲା ପରେ ବାହାରିବ ତା’ର ଫିଟ୍ସ । ଏଇ ଦେଖ ବସ ଚଳେଇବା ମୋ ବାଁ ହାତର ଖେଳ... ମୁଁ ଷ୍ଟିଅରିଂ ଧରି ରାସ୍ତାକୁ ଝୁଙ୍କି ପଡ଼ିପାରେ । ମୁଁ ଷ୍ଟିଅରିଂ ଧରି ପଛ ଲେଡ଼ିଜ୍ ସିଟ୍‍କୁ, ଚାହିଁପାରେ ମୁଁ ଆଖି ବୁଜିଦେଇ ପାରେ ଓ ମୁଁ ଶୋଇଯାଇ ପାରେ... ଗାଡ଼ି ଚାଲିବ ରାସ୍ତାରେ, ରେଳ ଧାରଣାକୁ ଧରି ରେଳ ଗଡ଼ିଗଲା ପରି ।

 

ଭଦ୍ରଲୋକ ଓ ମୁଁ ପରସ୍ପର ଅନାଅନି ହେଲୁ । ନୀରବତା ଭିତରେ ଆମେ ପରସ୍ପରକୁ ବୁଝୁଥିଲୁ ଓ ନିଜର ଦୁଃଖମାନଙ୍କୁ ସଂପ୍ରତି ଅନୁଭବ କରି ପାରିଥିଲୁ । ଆମେ ବୋଧହୁଏ, କାହାକୁ କିଛି କହିବାକୁ ଆବଶ୍ୟକ ମନେ କରୁ ନଥିଲୁ; ଯେହେତୁ ଆମେ ବୁଝୁଛୁଁ ଏଇ ଘରୋଇ ବସବାଲାମାନେ ବସରେ ଢୁକିବା ପର୍ଯ୍ୟନ୍ତ ବିନୟ କରିବେ ଓ ଗୋଟିଏ ବିଳାସପୂର୍ଣ୍ଣ ଯାତ୍ରାର ସମସ୍ତ ବିଜ୍ଞାପନ ଦେଇ ଢୁକି ସାରିଲା ପରେ ଜଗନ୍ନାଥ କୁଣ୍ଡୂ ମନୋଭାବ ନେଇ ମଜ୍ଜା ଦେଖିବେ ।

 

‘‘ହଇହୋ କଣ୍ଡକ୍ଟର ବାବୁ, ତମ ଡ୍ରାଇଭର କୁଆଡ଼େ ଗଲେ ଡାକ, କେତେ ସମୟ ଆଉ ଅପେକ୍ଷା କରିବା !’’ ଭଦ୍ରଲୋକ ପାଟି ଖୋଲିଲେ । ଅଥଚ ତାଙ୍କ ବୟସ ଓ ଗାମ୍ଭୀର୍ଯ୍ୟ ପ୍ରତି ଯେମିତି ଗୁରୁତ୍ୱ ନ ଥିଲା, ସେ କଣ୍ଡକ୍ଟର ନାମକ ମାଇଚିଆ ଟୋକାର । ସେ ନିଶ୍ଚିନ୍ତରେ ତା, ମୁଣ୍ଡା–ଟିକେଟ ବହିର ହିସାବ କରି ଚାଲିଥାଏ । ତା’ର ନୀରବତା ଭଦ୍ରଲୋକଙ୍କର ଆତ୍ମସମ୍ମାନ ପ୍ରତି ଏକ ଆହ୍ୱାନ ଥିଲା ଯେମିତି । ସେ ଅପେକ୍ଷାକୃତ କଡ଼ା ଗଳାରେ ଆରମ୍ଭ କଲେ : କଣ କଥା ଶୁଭୁ ନାହିଁ-

 

ସେମିତି ଏକ ଉଦାସ ଭଙ୍ଗୀରେ ସେ ଉଠି ଠିଆ ହେଲା ଓ ଦୁଇ ହାତକୁ ଟେକି ମାଇଚିଆ ଢଙ୍ଗରେ ଗୋଟାଏ ଅଳସ ଭିଡ଼ିଲା ଓ ପରେ ଘଣ୍ଟା ଦେଖିଲା ଏବଂ କାହା ଉଦ୍ଦେଶ୍ୟରେ ଡାକଟାଏ ମାରିଲା । ଆବେ, ହାଡ଼ିଆ, ମାର୍ ଘଣ୍ଟି ବେଳ ହୋଇଗଲା ।

 

ପରେ ସେ ନିର୍ବିକାର ଭାବରେ ବସ୍‍ର କବାଟ ଖୋଲିଲା, ଧୀରେ ଧୀରେ ତଳେ ପାଦ ଦେଲା, କବାଟଟି ଜୋରକରି ବନ୍ଦ କଲା ଓ ପାଖ ପାନଦୋକାନ ସାମ୍ନାରେ ପଡ଼ିଥିବା କାଠବେଞ୍ଚରେ ଗୋଡ଼ ଦୁଇଟିକୁ ଟେକି ଚେକାପାରି ବସିଗଲା । କିଛି ମୁହୂର୍ତ୍ତ ପରେ ସେ ଦୋକାନକୁ ଝୁଙ୍କିପଡ଼ି ଦିଆସିଲି ହାତକୁ ଆଣିଲା ଓ ସେଥିରୁ କାଠିଟିଏ କାଢ଼ି ଦାନ୍ତ ଖୁଣ୍ଟିଲା, ଆଉ କିଛି ପାନ ସହଜରେ ଚୋବାଇବ ବୋଲି । ସେ ଅତି ସ୍ୱାଭାବିକ ମନେ ହେଉଥିଲା ଓ ଯେମିତି ଦୀର୍ଘ ପଥ ଅତିକ୍ରମ କରି ଏଇ ମାତ୍ର ବସ୍‍ଟିକୁ ଠିଆ କରାଇ ଟିକେ ଥକ୍କା ମେଣ୍ଟାଉଛି ।

 

ତାର ଏ ଗତିବିଧି ଭଦ୍ରଲୋକମାନେ ନିଷ୍ଠାର ସହିତ ଅନୁଧ୍ୟାନ କରୁଥିଲେ ଏବଂ ତା’ର ଏ ନିଶ୍ଚିନ୍ତ ଅବସ୍ଥା ଦେଖି ବୁଝିନେଲେ ନିକଟରେ ବସ୍ ଛାଡ଼ିବାର ସମ୍ଭାବନା ନାହିଁ । ସେ ଦୁଇହାତ ପାପୁଲିରେ ମୁହଁ ପୋଛିଲେ ଓ ବଡ଼ ଉଦାସ ଦୃଷ୍ଟିରେ ମୋତେ ଚାହିଁଲେ । ମୁଁ ବୁଝିଲେ ସେ କହୁଛନ୍ତି-। ଦେଖିଲେ ଶାଲା ମାଦୁରଚୋଦ୍‍କୁ... ନା, ଆଉ ହେବନି ।

 

ସେ କେମିତି ଅସହାୟ ମନେହେଲେ ଓ ଉଠି ଠିଆ ହେଲେ । ତା’ପରେ ଦୁଇହାତ ଦୁଇ ସାଇଡ଼ ପକେଟରେ ପୂରାଇ କ’ଣ ଖୋଜିଲା ପରି ମନେହେଲେ । ସେ ପାଇଗଲେ । ଡାହାଣ ହାତରେ ପକେଟରୁ ଗୋଟିଏ ଅଧୂଲି ବାହାର କଲେ ଓ ବାଁ ହାତ ଚକିରେ ଧାରବାଗେ କିଛି ସମୟ ଘସିଲେ । ଅଧୁଲିଟି ଅସିଲି । ସେ କୁଣ୍ଠିତ ପଦକ୍ଷେପରେ ତଳକୁ ଓହ୍ଲାଇଗଲେ ସେ ପାନ ଦୋକାନକୁ । ସିଗ୍ରେଟ୍ ଖଣ୍ଡିକରେ ନିଆଁ ଧରାଇ ବୋଧହୁଏ; କେଇଖଣ୍ଡ ପାଇଁ ଅପେକ୍ଷା କଲେ । ତାଙ୍କ ମୁଖମଣ୍ଡଳର ଶ୍ୱସ୍ତିକର ଭାବ ଧୂଆଁ ହୋଇ ଆକାଶକୁ ଉଠିଗଲା ବେଳେ ସେ କଣେଇ କଣେଇ କଣ୍ଡକଟରକୁ ଚାହୁଁଥିଲେ । କଣ୍ଡକଟରଟି ଧୂର୍ତ୍ତ ବୋଧହୁଏ । ସେ ଭଦ୍ରଲୋକଙ୍କର ମନୋଭାବ ବୁଝିନେଇଛି ଓ ସେଥିପାଇଁ ତାଙ୍କୁ ଗୁରୁତ୍ୱ ନ ଦେବା ଭଳି ଅନ୍ୟମାନଙ୍କ ସହିତ ଗପ ଜମେଇଛି । ଭଦ୍ରଲୋକ ପକେଟରୁ ବଟା ବାହାର କଲେ । ସେଥିରୁ କସ ଲାଗିଥିବା କନା ବାହାର କରି ପାନବାଲାର ବାଲତିରେ ଥିବା ପାନଧୂଆ ପାଣିରେ ସେ ଖଣ୍ଡିକ ଓଦାକଲେ । ତା’ପରେ ଖଣ୍ଡିଏ ପାନ ପାଟିରେ ପୂରାଇ ଅବଶିଷ୍ଟ ଓଦା କନାରେ ମୋଡ଼ି ବଟା ବନ୍ଦ କଲେ ।

 

ମୋ ଠାରୁ ଅଳ୍ପ ଦୂରରେ ଅନ୍ୟ ସିଟରେ ବସି ସକାଳ କାଗଜରେ ମନୋନିବେଶ କରିଥିବା ଲୋକଟି ହଠାତ୍ ହସି ଉଠିଲେ ଓ ସେଇ ଅବସ୍ଥାରେ କୌଣସି ‘ଚକରାଇ’କୁ ନିରୀକ୍ଷଣ କରୁ କରୁ ଡାକ ଛାଡ଼ିଲେ । ଏହେ କେରାଇ, ଶୁଣିଲୁଣି... । ତାଙ୍କର ସେଇ ଅଜବ ହସ ଅନେକ ଯାତ୍ରୀଙ୍କୁ ଆକର୍ଷିତ କଲା ଓ କଥାଟି କ’ଣ ଜାଣିବା ପାଇଁ ତାଙ୍କ ଆଡ଼କୁ ସବୁତକ ଆଖି ଘୂରିଗଲା । ମୁଁ କିନ୍ତୁ ସେଇ ଅଜଣା ଚକରାଇକୁ ବସରେ ଖୋଜୁ ଖୋଜୁ ଦେଖିଲି ଦୁଇସିଟ୍ ଫାଙ୍କରେ ନିଜକୁ ପ୍ରାୟ ଅଧାଅଧି ଢୁକେଇ ଦେଇ ନିଜର ସମାନପତ୍ର ସଜାଡ଼ୁଥିବା ଲୋକଟି ସେଇ ଅବସ୍ଥାରେ ଜବାବ ଦେଇଛି: କାଏଁ କାଁ ହେଲା... ।

 

ମୂଳ ଲୋକଟି ଯେମିତି ହସୁଥିଲା ଓ ଆପାତତଃ ବୋକା ମନେ ହେଉଥିବା କାଳିଆ ଟୋକାଟି ତା’ର ଅଧାଖିଆ କାକୁଡ଼ିଟି ହାତରେ ଧରି ହତଦମ୍ଭ ହୋଇ ସେଇ ଲୋକଟିର ହସକୁ ଚାହିଁଛି ।

 

ସେ ଲୋକଟି ହସ ଚାପିଲା ଓ ମୁଣ୍ଡଟେକି ପୂର୍ବପରି କୁହାଟ ଛାଡ଼ିଲା: ‘‘ବୁଝିଲୁ କାଇଁ ଚକରାଇ... ଶଳା ମାଇକିନିଆ ପୋଲିସ୍‍କି ଦିଟା ଦିଟା ଟୋକା ନେଇ ପଳାଉ ଥିଲେ ।’’ ଦୁଇ ସିଟ୍ ଫାଙ୍କରୁ ନିଜକୁ ମୁକ୍ତ କରି ଚକରାଇଟି ଆଁ କରି ଚାହିଁଥିଲା ଓ ସେଇ ବୋକା ମନେ ହେଉଥିବା ପିଲାଟି ତା’ ଅଧାଖିଆ କାକୁଡ଼ିଟି ହାତରେ ମୁଠାଇ ଚକରାଇ ମୁହଁକୁ ଚାହିଁଥିଲା । ହଠାତ୍ କାହିଁକି ସେ ଅନ୍ୟମନସ୍କ ହୋଇ ପଡ଼ିଲା ଓ ପରେ ପରେ ଏମିତି ହସ ଆରମ୍ଭ କରିଦେଲା ଯାହାକୁ ଅନୁଧ୍ୟାନ କଲେ ମନେହେବ କଥାଟିର ପ୍ରକୃତ ରହସ୍ୟ ତା’ମନକୁ ଭେଦିଛି କିମ୍ବା ସେ କଥାଟିର ମର୍ମ କିଛି ଧରିପାରିନି । ଏଇ ପରିବେଶ ମୋ ପାଇଁ କ୍ରମେ ଅସହ୍ୟ ମନେହେଲା । ଯେହେତୁ ପ୍ରତ୍ୟେକଟି ଘଟଣାରେ ମୁଁ ବା... ସେ ବସ୍‍ର ସମସ୍ତ ସଂପୃକ୍ତ ବୋଲି ଜାଣିବା ସତ୍ତ୍ୱେ ବି ସେ ସବୁର ଆଲୋଚନାରେ ଆମେ ଏକ ନିର୍ଦ୍ଦୋଷ ଆନନ୍ଦ ଅନୁଭବ କରୁଛୁଁ ।

 

କିଛି ସମୟ ବାହାରେ ବୁଲି ଆସିବାକୁ ଠିକ୍ କଲି ଓ ସିଟ୍ ଛାଡ଼ି ଉଠିବା ବେଳକୁ ଡ୍ରାଇଭର କେଉଁଠି ଥିଲା ଆସି ପ୍ରେସର ହର୍ଣ୍ଣର ଲୁହା ରଡ଼ଟି ଦୁଇଚାରିଥର ତଳକୁ ମାଡ଼ି ଏକ ବିବୃତ ଶବ୍ଦ ସୃଷ୍ଟି କଲା । ମୁଁ ବସିପଡ଼ିଲି ଓ ବସ୍‍ର ଅନ୍ୟ ଯାତ୍ରୀମାନେ ସତର୍କ ହେଲେ ଏବଂ ବସ୍‍ର କାଚଦେଇ ବଜାର ପାଇଁ ଯାଇଥିବା ସେମାନଙ୍କ ନିଜ ଲୋକଙ୍କୁ ବ୍ୟସ୍ତ ହୋଇ ଖୋଜାଖୋଜି କଲେ-। କଣ୍ଡକ୍ଟର ତଥାପି ସେ କାଠ ବେଞ୍ଚରେ ବସିଥିଲା ଓ ମଝିରେ ମଝିରେ ବସ୍ ଭିତରକୁ ଚାହିଁ ଦେଉଥିଲା ।

 

ମୋର ନିଜ ଲୋକ କେହି ନ ଥିଲେ, ଅଥଚ ଭଦ୍ରଲୋକଙ୍କ ପ୍ରତି କାହିଁକି ଟିକେ ମମତା ଜମିଯାଇଥିଲା– ୟା’ ଭିତରେ ବସିରହିଥିବାର ବିରକ୍ତି ଉଭୟଙ୍କର ସମାନ ବୋଲି ବୋଧହୁଏ । ମୁଁ ଭଦ୍ରଲୋକଙ୍କୁ ଖୋଜିଲି । ସେ ଧାଡ଼ିହୋଇ ଠିଆ ହୋଇଥିବା ଘରୋଇ ବସଗୁଡ଼ିକର ନାମଫଳକ ଗୋଟିଏ ପରେ ଗୋଟିଏ ପଢ଼ୁଥିଲେ ଓ କିଛି ସମୟ କ’ଣ ଚିନ୍ତା କରୁଥିଲେ ଯେମିତି ସେହି ଫଳକରେ ଲିପିବଦ୍ଧ ସ୍ଥାନର ଭୌଗୋଳିକ ସ୍ଥିତିକୁ ମନରେ ଦୋହରଉଥିଲେ । ତା’ପରେ ସେ ଗୋଟିଏ ପରିବା କୁଢ଼ ନିକଟରେ ଠିଆହୋଇ ଗରାଖମାନଙ୍କର ଦର କଷାକଷିକରୁ ଅନୁଧ୍ୟାନ କରୁଥିଲେ ବୋଧହୁଏ । ଏହି ପ୍ରକ୍ରିୟା ଭିତରେ ସେ ପରିବା ମାର୍କେଟର ଲୋକ ଗହଳିରେ କେଉଁଠି ହଜିଗଲେ । ଫଳରେ ମୋ ଦୃଷ୍ଟି ତାଙ୍କୁ ଆଉ ଧରି ପାରିଲାନି ।

 

ମୁଁ ବସ୍ ଭିତରକୁ ଆଖି ଫେରାଇଲି ଓ ପରେ କଣ୍ଡକ୍ଟରକୁ । ଡ୍ରାଇଭର ତା’ ସିଟରେ ବସି ଘନ ଘନ ସେ ରଡ୍‍ଟିକୁ ତଳକୁ ମାଡ଼ି ଅଞ୍ଚଳଟିରେ କମ୍ପନ ଓ ହା–ହଲ୍ଲା ସୃଷ୍ଟି କଲାଣି ଏବଂ କଣ୍ଡକଟର ଟିକଟ ଦେଇଥିବା ନ ଦେଇଥିବା ଲୋକମାନଙ୍କୁ ତଦାରଖ କରୁଛି । ଠିକ୍ ସେତିକିବେଳେ କ୍ଳିନର ଦରଜାଟି ଅଧମେଲା କରି ପଛକୁ ଝୁଙ୍କିପଡ଼ି ଲକ୍ଷ୍ୟ କରୁଛି କେହି ରହିଲେ କି କହି ଆସ୍ତେ ଆସ୍ତେ କବାଟଟି ଆଉଜାଇ ଆଣୁଛି ।

 

ଏଇସବୁ ଆୟୋଜନ ଭିତରେ ମୋର ହୃଦବୋଧ ବସ୍‍ଟି ଛାଡ଼ିଦେଇ ପାରେ । ମୁଁ ଭଦ୍ରଲୋକଙ୍କ ପାଇଁ ବ୍ୟସ୍ତ ହେଲି ଓ କିଛି ସମୟ ଅପେକ୍ଷା କରିବା ପାଇଁ କଣ୍ଡକଟରକୁ ଅନୁରୋଧ କଲି ।

 

ଦି’ ଘଣ୍ଟା ବସ୍ ଠିଆ ହେଲା, ତଥାପି କାମ ସରିଲାନି... ଚାଲ୍, ମାର୍ ଘଣ୍ଟି–କଣ୍ଡକ୍‍ଟର କେମିତି ଗୋଟାଏ ବିରକ୍ତି ପ୍ରକାଶ କଲା ଯାହା ମୋର ଆତ୍ମସମ୍ମାନ ପ୍ରତି ଏକ ଆହ୍ୱାନ ଥିଲା ।

 

ମୁଁ ଉତ୍ତ୍ୟକ୍ତ ହୋଇଗଲି ଓ ଯୁକ୍ତିର ଗୋଟିଏ ଟକ୍କର ଆରମ୍ଭ କରିଦେଲି ଦୁଇ ଘଣ୍ଟା ରହିଲି ଆଉ ପାଞ୍ଚମିନିଟରେ କ’ଣ ଭାରତ ଅଶୁଦ୍ଧ ହୋଇଯିବ !

 

ହଉ ଥାଉ ଥାଉ... କିଏ କୁଆଡ଼େ ବଜାର ହାଟ କରିବେ, ଆମେ ଅପେକ୍ଷା କରିଥିବୁ... ମାର୍, ଚାଲ– କଣ୍ଡକଟର ନିର୍ଦ୍ଦେଶରେ ପର୍ଯ୍ୟାୟକ୍ରମେ ଘଣ୍ଟି ବାଜିଲା ଓ ବସ୍ ଗଡ଼ିବାକୁ ଆରମ୍ଭ କଲା-। ମୁଁ ଉପାୟଶୂନ୍ୟ ଭାବରେ ବସି ରହିଲି, ଯେହେତୁ; ବସ୍‍ର ପ୍ରତ୍ୟେକଟି ଯାତ୍ରୀ ମୋ ଯୁକ୍ତି ପ୍ରତି ଉଦାସୀନ ।

 

କିଛି ସମୟ ପରେ ଗୋଟିଏ ନିର୍ଦ୍ଦିଷ୍ଟ ଦୃଶ୍ୟରେ ମୋ ପ୍ରତିକ୍ରିୟା ଚରମରେ ପହଞ୍ଚିଗଲା । ଭଦ୍ରଲୋକ ପାଖ ଲୋକଗହଳିରୁ ବାହାରି ବସ୍‍ର ଗତି ସହିତ ତାଳଦେଇ ପ୍ରାୟ ଅଧା ଦଉଡ଼ିବା ଅବସ୍ଥାରେ ବସ୍ ରଖିବା ପାଇଁ ଅନୁରୋଧ କରୁଛନ୍ତି ଏବଂ ତାଙ୍କ ଅପରାଧର ଦଣ୍ଡବିଧାନ ନ୍ୟାୟରେ କଣ୍ଡକ୍ଟର ତାଙ୍କ ଅନୁରୋଧରେ ଗୁରୁତ୍ୱ ଆରୋପ କରୁନି ।

 

ମୁଁ ମୋର ଓ ଭଦ୍ରଲୋକଙ୍କ ବିଫକେଶ ଧରି ଠିଆ ହୋଇ ପଡ଼ିଲି ଏବଂ ସାମାନ୍ୟ ଚଢ଼ାଗଳାରେ ବସ୍ ବନ୍ଦକରିବା ପାଇଁ ନିର୍ଦ୍ଦେଶ ଦେଲି । ବସ୍ ରହିଗଲା ପରେ ଓହ୍ଲାଇ ଯାଉ ଯାଉ ଗେଟରେ ଭଦ୍ରଲୋକଙ୍କୁ ଭେଟିଲି ।

 

ଶାଲା ଅଭଦ୍ରଗୁଡ଼ାକ, ବରଂ ପର ବସରେ ଯିବା– କରି ମୋ ମତାମତ ପ୍ରତି ଭଦ୍ରଲୋକଙ୍କର ସମର୍ଥନ ଆଶା କରୁଥିଲା ବେଳେ ତାଙ୍କ ମୁହଁ କେମିତି ମୋତେ କର୍କଶ ମନେ ହେଲା । ସେ ମୋ ହାତରୁ ତାଙ୍କ ବ୍ରିଫ୍–କେଶ୍‍ଟି ପ୍ରାୟ ଭିଡ଼ିନେଲେ ଓ ବସ୍‍ର ଷ୍ଟେପ୍ ଦେଇ ଉଠୁ ଉଠୁ ତାତ୍ସଲ୍ୟରେ କହୁଥିବାର ଶୁଣିଲି । ଆଉ ମୋତେ ବୁଦ୍ଧି ଶିଖାଉଛନ୍ତି, ଦୁଇଘଣ୍ଟା ଅପେକ୍ଷା କଲି, ଆଉ ଦୁଇଘଣ୍ଟା ଅପେକ୍ଷା କରିବିନି କ’ଣ ! ସେ ତାଙ୍କ ପୂର୍ବସିଟରେ ନିଜକୁ ସଜାଡ଼ି ବସୁ ବସୁ କଣ୍ଡକଟରକୁ ଚାହିଁ ହସୁଥିଲେ ।

 

ବସ୍‍ଟି ମୋ ନିକଟରୁ ଚାଲିଗଲା ପରେ ମୁଁ ନିଜ ଭିତରୁ ମୁକ୍ତ ହୋଇଯାଇ ଶୂନ୍ୟମଣ୍ଡଳର କୌଣସି ବିନ୍ଦୁରୁ ମୋର ଶରୀରକୁ ଲକ୍ଷ୍ୟ କରୁଥିଲି । ଯେମିତି ଜୀବନ୍ତ ଜନସମୁଦ୍ର ମଧ୍ୟରେ ମୋର ଅଥର୍ବ ଶରୀରଟି ଏକ ଦୟନୀୟ ଦୃଶ୍ୟ ସୃଷ୍ଟି କରୁଛି !

Image

 

ଫୁଲବାଇର ବିଶ୍ୱରୂପ

 

ନାରୀମାନଙ୍କ ପ୍ରତି ମୋର ପ୍ରବଣତା ରହିଛି । ଅତଏବ, ମୁଁ ଜଣେ ଚରିତ୍ରହୀନ ବ୍ୟକ୍ତିଭାବେ ମୋର ଅନ୍ତରଙ୍ଗ ସହରରେ ନୁହେଁ, ଅନ୍ୟ ସହରରେ ମଧ୍ୟ ପରିଚିତ । ଗାଁ କଥା ନିଆରା । କାରଣ ତା’ର ମାଟି–ପାଣି–ପବନ ରକ୍ତ ସହିତ କିଛିଟା ସଂପର୍କ ପିଲାକାଳରୁ ପ୍ରତିଷ୍ଠା କରିଛି ବୋଲି ଏମିତି ଏକ ଅବିବେକୀ ଧାରଣା ସହଜରେ ଗ୍ରହଣ କରି ନିଏନା ।

ବୃଦ୍ଧ ବ୍ରାହ୍ମଣର ଦୋଷ କିମ୍ବା ତାକୁ ଅନୁସରଣ କରୁଥିବା ଶଠମାନଙ୍କର ଦୋଷ– ଏକଥା କାହା ଜିଭରେ ହାଡ଼ଅଛି କହିଦେବ । ବ୍ରାହ୍ମଣ ବୃଦ୍ଧ ଓ ସତ୍ୟକୁ ଅନୁସରଣ କରିକରି କରୁଣ । ସତ୍ୟ ଯଦି କେଉଁ ଛଟକରେ ମିଥ୍ୟା ବୋଲି ପ୍ରମାଣିତ ହୁଏ; କେଉଁ ସାହସରେ ସେ ତାକୁ ସତ୍ୟବୋଲି କହିବ !

ସମାଜତ ! ପୁଣି ଶଠମାନଙ୍କୁ ଶଠ ବୋଲି କହିବା ସାମର୍ଥ୍ୟର କଥା । କିଏ କହିପାରିବ ଚକ୍ରାନ୍ତ ତାର ପାଦକୁ ଛନ୍ଦି ନଦେବ ବୋଲି ।

ସମାଜ ତ !

ବହୁମତ ପ୍ରସାରିତ ହୋଇଯାଏ ଚତୁର୍ମାସ୍ୟାର ମେଘପରି । ଯେତେ ଉଜ୍ଜ୍ୱଳ ଏବଂ ସତ୍ୟ ହେଲେ ବି ସେଥିରେ ସୂର୍ଯ୍ୟ ଲୁଚି ଯିବାପାଇଁ ବାଧ୍ୟ ।

ଦୁନିଆଁରେ ଅନେକ ବାଜେ କଥା, ଟୁକୁରା କଥା– ସମୟକୁ କୌଣସି ପ୍ରକାର ସାରିଦେବା ପାଇଁ ହେଉ ବରଂ ଶାଲା ଟୋକୀର ଅଠର ଘଇତା; ଶଳା ଅମୁକ ସୋସାଇଟିରୁ ମାରିଦେଲା ହଜାରେ ବାରଶ; ଆମ ଦଳ ପାଓ୍ୱାରକୁ ଆସିଲେ ପୁଅକୁ ଲାଛି ଦେବୀ ଏଥର... କିଛିଟା ଉତ୍ତେଜନା, ଅପ୍ରାପ୍ତି ଜନିତ ଆନନ୍ଦ ସମୟକୁ କେମିତି ମେଣ୍ଟାଇ ଦେବା କଥା ।

ମୋର ନାରୀମାନଙ୍କ ସହିତ ସମ୍ପର୍କ, ପୁଣି ନିର୍ଦ୍ଦିଷ୍ଟ ଭାବରେ ଫୁଲବାଈକୁ ନେଇ ଚରିତ୍ରହୀନତାର ଯେଉଁ ବିଶ୍ଳେଷଣ ସେ ବି ଏକ ମଜାକଥା ସମୟକୁ ସାରିଦେବା ପାଇଁ । ସେଥିରେ ଥ୍ରୀଲ ଅଛି, ରୋମାଞ୍ଚ ଅଛି ଉତ୍ତେଜନା ଅଛି... କିନ୍ତୁ ଶେଷରେ ମୋର ବିଶେଷ ସଂଜ୍ଞାଟି ଯଦି ଆପଣଙ୍କୁ ସଂକ୍ରମିତ କରେ !

ବାଜେ କଥାରେ ଜଡ଼ିତ ହୋଇଯିବାରେ କିଛିଟା ଆନନ୍ଦ ବି ଅଛି । ଶୁଣି ଦିଅନ୍ତୁ ଥରେ ।

ସୁଯୋଗକ୍ରମେ ଫୁଲବାଈର ସହର ସହିତ ମୋର ସଂପର୍କ ପ୍ରତିଷ୍ଠା ହେଲା । କାରଣ ମୁଁ ଯେଉଁ ସଂସ୍ଥାର ଜଣେ ସେଲ୍‍ସ ରିପ୍ରେଜେଣ୍ଟେଟିଭ ତାର ସଦର କାର୍ଯ୍ୟାଳୟ ସେହି ସହରରେ ଓ ଫଳରେ ମାସରେ କିଛିଦିନ ସେଠାରେ ମୋତେ ରହିବାକୁ ପଡ଼େ । ପୁଣି ମୁଁ ଯେଉଁ ହୋଟେଲରେ ରହୁଥିଲି ଦୋ’ମହଲାର ସେଇ ନିର୍ଦ୍ଦିଷ୍ଟ କୋଠରୀର ବାଲ୍‍କନୀରୁ ଫୁଲବାଈର ପ୍ରାସାଦ (କୁହାଯାଇ ପାରେ ଘରଟିର ଆକୃତି ଓ ସାଜସଜ୍ଜାରେ ଆଭିଜାତ୍ୟକୁ ନେଇ) ସ୍ପଷ୍ଟ ଦିଶେ ନିନ୍ଦୂକମାନଙ୍କ ଆଖିରେ ମହତ ଲୋକର ଗୌଣ ଦୋଷ ପରି ।

ନିର୍ଦ୍ଦିଷ୍ଟ ସଂଧ୍ୟା । ଖରାଦିନ । ଅସରାଏ ଝଡ଼ମିଶା ବର୍ଷା ସହର ଉପର ଦେଇ ଅତିକ୍ରମ କରିଯାଇଛି କିଛି ସମୟ ପୂର୍ବରୁ । ପାଗରେ କିଛିଟା ଚତୁର୍ମାସ୍ୟା ଭାବ । ଥଣ୍ଡା ।

ବିଜିନେସ ଏନଗେଜମେଣ୍ଟ ପରେ ଲାଗୁଥିଲା ଯେମିତି ଜୀବନରୁ କିଛି ମୂଲ୍ୟବାନ ଅନୁଭବ ଖର୍ଚ୍ଚ ହୋଇଯାଇଛି... ଉଦାସ, ପରିବେଶ ଉଦାସ ବି ।

ଜୀବନକୁ ଡେକୋରେଟ୍ କରିବାର ଚାବିକାଠି ନିଜ ହାତରେ ଅଛି । କେହି ଯତ୍ନରେ ସାଇତି ରଖିଛି ତାକୁ... କେହି ଅବହେଳାରେ ହଜାଇ ଦେଇଛି ବି । ମୋର କିନ୍ତୁ ନିଜ ଉପରେ ଅପର୍ଯ୍ୟାପ୍ତ ବିଶ୍ୱାସ । ମୋ ଚାବିକାଠି ମୋ ନିଜ ହାତରେ । ଆପାତତଃ ଜୀବନକୁ ଡେକୋରେଟ କରାଯାଇ ପାରେ । ଖରାଦିନ ପାଇଁ କୋଲ୍ଡ଼୍ ବିଅର ନିଶ୍ଚୟ ଆମୋଦଦାୟକ । ତେବେ ପାଗଟା କେମିତି ଥଣ୍ଡା ଥଣ୍ଡା । ପାଗ ସହିତ ଟକ୍‍କର ଦିଆଯାଇପାରେ । ପାତ୍ରରେ କିଛି ହିସ୍କି ଅଜାଡ଼ିଲି.... ଦେହର ଉତ୍ତାପ କ୍ରମେ ସ୍ୱାଭାବିକଠାରୁ ଊର୍ଦ୍ଧ୍ୱମୁଖୀ ହେଉଥିଲା ।

 

ଠିକ୍ ଏହି ସମୟରେ ମଣିଷର ପରିସୀମା ଖୋଲିଯାଏ । ସେ ଚେଷ୍ଟା କରେ ସାର୍ବଜନୀନ ହେବାକୁ... ନିଜେ ପ୍ରତ୍ୟେକ ମଣିଷ ହେଇଯିବାକୁ ଏବଂ ପ୍ରତ୍ୟେକର ସଂଗୃପ୍ତ ଅନୁଭବ ସହିତ ଏକାକାର ହେଇଯିବାକୁ । ....ମଜାଳିଆ ମେଜାଜ୍ ପ୍ରସରିଯାଏ କ୍ରମେ । ସମଗ୍ର ଦୁନିଆକୁ ଆନ୍ତରିକତାରେ ଜାବୁଡ଼ି ଧରିବାକୁ ଇଚ୍ଛା ହୁଏ ।

 

ଅଥଚ ଏକ ପାରିପାର୍ଶ୍ୱିକ ବାଧ୍ୟବାଧ୍ୟକତାରେ ମୋ କୋଠରୀର ବାଲ୍‍କନୀରେ ମୁଁ ସୀମାବଦ୍ଧ । ମୁଁ ରହୁଥିବା ହୋଟେଲର ନାଁ ଓ ପ୍ରତିଷ୍ଠାକୁ ଭିତ୍ତିକରି ଏଥିରେ ରହୁଥିବା ଲୋକମାନେ ସର୍ବସାଧାରଣ ସଂଜ୍ଞାରେ ଦାମୀ ଓ ପଦସ୍ଥ ଏବଂ ବିଶେଷ କରି ଏଇ ଏଶ୍ରେଣୀର ଚରିତ୍ରମାନେ ନିଜ ଅହଂର ଏକ ହାତତିଆରି ଖୋଳପା ମଧ୍ୟରେ ସୁରକ୍ଷିତ । ଏଇଟା କେବଳ ଏକ ପାରମ୍ପରିକ ଧାରଣା ନୁହେଁ । ବରଂ ସେମାନଙ୍କ ଅଜବକାୟଦା ଏବଂ ଗତବନ୍ଧା ଜୀବନରୁ ପ୍ରମାଣିତ । ସେମାନେ ଅଳ୍ପ କଥା କହନ୍ତି ଏବଂ ପ୍ରତ୍ୟେକଟି କଥା ତା’ର ନିଜସ୍ୱ ଫର୍ମୁଲା ଦେଇ ଗତି କରିବାକୁ ବାଧ୍ୟ । –ଯେମିତି ସ୍ତ୍ରୀ ସହିତ ପ୍ରେମ କଲାବେଳେ ବି ସେମିତି ଏକ ନିୟମାନୁବତ୍ତିତାରେ ସେମାନେ ବଶବର୍ତ୍ତୀ । ଫଳରେ ମୁଁ ସେମାନଙ୍କଠାରୁ ପୃଥକ ଓ ବିଚ୍ଛିନ୍ନ ।

 

ଅଥଚ ମୋର ଇଚ୍ଛା ହେଉଥିଲା ସମଗ୍ର ଦୁନିଆ ସହିତ ଆନ୍ତରିକ ହୋଇଯିବାକୁ । ମୋର ଗତ୍ୟନ୍ତର ନଥିଲା ଅତୀତର ସ୍ମୃତିମାନଙ୍କୁ ରୋମନ୍ଥନ କରିବା ବ୍ୟତୀତ । ଅତୀତର ସ୍ମୃତିମାନଙ୍କୁ ଭାବିବାରେ କିଛି ଉତ୍ତେଜନା ଅଛି । ....ତା’ପରେ ସେଇ ସାଧାରଣ ପରିଚୟଟି ମୁଁ ଚରିତ୍ରହୀନ । ଅପେରାର ସମ୍ରାଟ ପରି ଏକ ମେଲୋଡ଼୍ରାମାଟିକ ଅଟ୍ଟହାସ୍ୟ କରାଯାଇ ପାରେ । କିନ୍ତୁ ସେତକ ବି ମନା, ଯେହେତୁ ଏ ହୋଟେଲରେ ରହିବାକୁ ହେଲେ କେତୋଟି ସାଧାରଣ ନିୟମ ମାନିବାକୁ କଷ୍ଟମରମାନେ ବାଧ୍ୟ ।

 

ଆପାତତଃ ମୁଁ ସ୍ଥିର ରହିବାକୁ ବାଧ୍ୟ, ହ୍ୱିସ୍କିର ଶରୀର ଉପରେ ପୂର୍ଣ୍ଣ ପ୍ରଭାବ ସତ୍ତ୍ୱେ କେବଳ କେତେଗୁଡ଼ିଏ ବନ୍ଧାଗତ ନିୟମ ପାଇଁ ମୁଁ ଗୋଟିଏ ସୁଧାର ଶିଶୁପରି ଚେୟାରଟିରେ ଢେଳାଇପଡ଼ି ବାହାରକୁ ଜୁଳୁ ଜୁଳୁ କରି ଚାହିଁଛି... ଓ ମୋ ସାମ୍ନାରେ ଫୁଲବାଈର ପ୍ରାସାଦଟି ସ୍ପଷ୍ଟ ପ୍ରତିଭାତ ହେଉଥିବା ନିନ୍ଦୁକମାନଙ୍କ ଚକ୍ଷୁରେ ମହନୀୟ ଲୋକର ଗୌଣ ଦୋଷ ପରି ।

 

ଭଲକଥା । ପାରିପାର୍ଶ୍ୱିକ ସଂଭ୍ରମତାର ଜୟ ହେଉ । ମୁଁ ବରଂ ଦେବଦର୍ଶନାଭିଳାଷୀ ଜନସମୁଦ୍ର ମଧ୍ୟରେ ତଥାକଥିତ ଅସାମାଜିକ ବ୍ୟକ୍ତିଟି ଭଗବତ ପ୍ରେମରେ ବୁଡ଼ିରହିଥିବା ବାଲିକାର ଅସଂଜତ ଶରୀରକୁ ନିରିକ୍ଷଣ କଲାପରି ମୋର ଅନ୍ତର୍ଗତ ଅନୁଭବ ମାନଙ୍କ ସହିତ ସଂପୃକ୍ତ ରହେ ।

 

ମୋର ଅନ୍ତର୍ଗତ ଅନୁଭବ– ମୁଁ ଚରିତ୍ରହୀନ, କାରଣ ନାରୀମାନଙ୍କ ପ୍ରତି ମୋର ସ୍ୱଭାବିକ ପ୍ରବଣତା ରହିଛି । ସେମାନଙ୍କ ଶରୀର ଠାରୁ ସେମାନଙ୍କର ଜାବତୀୟ କଥା ମୋତେ ଭଲ ଲାଗେ । ତା ବୋଲି ମୁଁ ଚରିତ୍ରହୀନ କେମିତି ହେବି !

 

ହ୍ୱିସ୍କିର ପ୍ରଭାବରେ ମୁଁ ବୋଧହୁଏ ମୋର ଭାରସାମ୍ୟ ହରାଉଥିଲି ।

 

ଚରିତ୍ରହୀନ ଶବ୍ଦଟାଇ ମୋ ପାଖରେ କନ୍‍ଫ୍ୟୂଜନ । ଏହା ଏକ ଶବ୍ଦ /ସଂଜ୍ଞା /ଆପେକ୍ଷିକତା ! ଦୁନିଆର ପ୍ରତ୍ୟେକ ଲୋକ ମନକୁ ଡାଏଗୋନାଇଜ କରାଯାଇପାରେ ଏବଂ ପୃଥକ ଅନୁଭବମାନଙ୍କୁ ସଜାଇ ଦିଆଯାଇ ପାରେ । ଯେତେବେଳେ ସେଇ ନିର୍ଦ୍ଦିଷ୍ଟଭାବଟି ବାରିହୋଇ ପଡ଼ିବ, ଯେଉଁଟି ନାରୀମାନଙ୍କ ପ୍ରତି ପ୍ରବଣତା ସହିତ ଜଡ଼ିତ ! ଶାଲା ମୁହ ରଙ୍ଗା ବୁଲିଯିବ– ପାଣିଚିଆ ହସରେ ଲାଜ ଲାଜ ହେଇ କହିପକାଇବେ– ଏଇଟା କେମିତିକା କଥା ! ନାରୀମାନଙ୍କ ପ୍ରତି ପୁରୁଷ ପ୍ରାଣର କୋମଳ ଭାବ ସ୍ୱଭାବିକ । ଏହା ତ ଆଜିକାଲିକା କଥାନୁହେଁ, ସୃଷ୍ଟିର ମୂଳଦିନରୁ ।

 

ଶୁଣ ନିନ୍ଦୁକମାନେ ! ତୁମମାନଙ୍କ ପ୍ରତି ମୋ ଅନ୍ତରରେ କରୁଣା ଅଛି । କାରଣ ପୁରୁଷର ପରିଚୟ ତୁମର ମିଛ ବାଘର ଛାଲପରି । ପୌରୁଷ ତୁମର ସାମାଜିକ ଲୌକିକତା ମଧ୍ୟରେ ଅବଲୁପ୍ତ । ଅଥଚ ସେହି ଉଦାତ୍ତ ତାତି ଯେତେବେଳେ ଲୌକିକତା ସହିତ ସାମ୍ନାସାମ୍ନି ହେଇ ପାରେନା ଠିକ୍ ସେଇ ମୁହୂର୍ତ୍ତରେ ଲୌକିକତାକୁ ଅସ୍ୱୀକାର କରି ଜୀବନର ବୃହତ୍ତମ/ମହତ୍ତର ସତ୍ୟକୁ ଗ୍ରହଣ କରି ନେଇଥିବା ଲୋକଟି ପଛରେ ତୁମେମାନେ ଯୋଡ଼ିଦିଅ ସେଇ ବିଶେଷଣଟିକୁ-। କୁହତ ପୁଅମାନେ ! ତୁମକୁ ଦୟା କରିବା ବ୍ୟତୀତ ଅଧିକ କ’ଣ କରାଯାଇ ପାରେ ।

 

ମୋ ଅନୁଭବ ଅପେକ୍ଷା ମୋ ନିକଟରେ କ୍ରମେ ସ୍ପଷ୍ଟ ହେଉଛି ଫୁଲବାଈର ପ୍ରାସାଦ ଓ କାଚ ଝରକା ଦେଇ ତା’ ପ୍ରାସାଦର ଉଜ୍ଜ୍ୱଳ ଆଲୋକ ସବୁ ।

 

ଇଚ୍ଛାକୃତ ଭାବେ ଯେଉଁ ଅନୁଭବଟିକୁ ମୁଁ ଏ ପର୍ଯ୍ୟନ୍ତ ଏଡ଼ାଇବାକୁ ଚେଷ୍ଟା କରୁଥିଲି ଶେଷରେ ସେଇଟି ମୋ ସାଂପ୍ରତିକ ଚେତନାକୁ ସଂକ୍ରମିତ କଲା । ଫୁଲବାଇକୁ ଗୋଟିଏ ପ୍ରେମିକା ଭାବେ ଗ୍ରହଣ କରାଯାଇପାରେ । ତା’ର ବିପରୀତ କଥା ବି ଏମିତି ହୋଇପାରେ ଏକ ଶାସ୍ତ୍ରୀୟ ରୁଚିସମ୍ପନ୍ନ ପ୍ରେମିକା ବେଶ୍ୟାରେ ରୂପାନ୍ତରିତ ହୋଇପାରେ । ବେଶ୍ୟା ଓ ପ୍ରେମିକା ସମୟରେ ଆପେକ୍ଷିକ ।

 

ସେଇ ଯେଉଁ ବାଳିକାଟି ଯାହାକୁ କେନ୍ଦ୍ରକରି ମୋ ସହରର ଲୋକମାନେ ସାବ୍ୟସ୍ତ କରିନେଲେ ମୁଁ ଜଣେ ଚରିତ୍ରହୀନ ବୋଲି । ଏବଂ ସେ ଜଣେ ଶାସ୍ତ୍ରୀୟ ରୁଚି ସଂପନ୍ନ ପ୍ରେମିକା ବୋଲି ତା’ର ଗତିରୀତିରୁ ଜଣାଯାଏ । ସେହି ବାଳିକାଟି କଥା ମନକୁ ଆସିଲା ପରେ ମୁଁ ସ୍ୱତଃ ଆଉ ଦିଢ଼େକ ହ୍ୱିସ୍କି ସାରିଥିଲି । ତାକୁ ଦେଖିଲେ ଭଲ ଲାଗେ ଏବଂ ବିଶେଷ କରି ମୋର ପ୍ରବଣତା ଯୋଗୁଁ ମୋତେ ବିଶେଷ ଭଲ ଲାଗିଲା । ଏବେ କଥାଟିକୁ ଭାବିଲେ ମନକୁ ମନ କେମିତି ଖାପ୍‍ଛଡ଼ା ଲାଗେ... ସେ ନିର୍ଦ୍ୱନ୍ଦରେ ମୋ ନିକଟରେ ଶୋଇ ପଡ଼ିଲା । ଅଥଚ ସେଇ ଚରିତ୍ରହୀନତାର ଶେଷ ସୁଯୋଗରେ କାହିଁକି କେଜାଣି ମୋ ଅସ୍ତିତ୍ୱ ଯେମିତି ନିଖୋଜ ହୋଇଗଲା-

 

ଏବେ ସେଇ ଅନୁଭବ ମନକୁ ଆସିଲେ କିଛି ସମୟ ପାଇଁ ମୋର ବ୍ୟକ୍ତିଗତ ସଂଜ୍ଞା ପରିଚୟ କେମିତି ଗୋଳମାଳିଆ ହୋଇଯାଏ । ପାପ–ପୁଣ୍ୟ, ଅପରାଧ, କର୍ମଫଳ ଭୋଗ ଇତ୍ୟାଦି ଧାରଣାରେ ମୁଁ ଅତିଷ୍ଠ ହୋଇଯାଏ ଏବଂ ଶେଷ ସମୟ ପର୍ଯ୍ୟନ୍ତ ମୋର ଅନୁଗତ ବିବେକ ନିକଟରେ ମୁଁ ଚରିତ୍ରହୀନ ହେଇ ପାରିଲିନି । ଅଥଚ ଏଇ ପ୍ରବଣତା ଜନିତ ଦୁର୍ବଳତାରେ ସେ ଶରୀରଟିକୁ ନିରୀକ୍ଷଣ କରି କରି ଅନୁଭବମାନଙ୍କୁ ରାଜପଥର ପବନରେ ଉଡ଼ାଇ ଦେଲି ।

 

ମୁଁ ହିସ୍କିର ପ୍ରଭାବରେ ଥିଲିକି ନାହିଁ ଜାଣେନା, ତେବେ ୟା ମଧ୍ୟରେ ମୁଁ ପ୍ରଶସ୍ତ ରାଜପଥକୁ ଅତିକ୍ରମ କରି ଫୁଲବାଈର ପ୍ରାସାଦରେ ପ୍ରବେଶ କରିଥିଲି । ଅବଶ୍ୟ ମୋ ମନରେ କିଛି ସଙ୍କୋଚ ନଥିଲା ଯେହେତୁ ଉଭୟ ପ୍ରେମିକା ଓ ବେଶ୍ୟା ମୋ ନିକଟରେ ଆପେକ୍ଷିକ । ମୁଁ ଫୁଲବାଈର କବାଟରେ ନକ୍ କଲି ।

 

ଫୁଲବାଈ ସହିତ ଗୋଟିଏ ମାତ୍ର ରାତ୍ରିଯାପନ କରିବାର ଉତ୍ତେଜନା ମୋ ଭିତରେ ।

 

ଫୁଲବାଈର ଅଭ୍ୟର୍ଥନାରେ ସ୍ୱାତନ୍ତ୍ର୍ୟ ଥିଲା, ଠିକ୍ ଯେମିତି ଅତୀତର ସେ ବାଳିକାର । ଫୁଲବାଈ ଓ ମୁଁ ସାମ୍ନା ସାମ୍ନି । ମୋର ମନେ ପଡ଼ିଗଲା ଶରୋତିରେ ପଢ଼ିଥିବା ସାର୍ତ୍ତ୍ରଙ୍କର ସେ ନାଟକଟି; ଦି’ ରେସ୍ପେକ୍‍ଟିବଲ୍ ପ୍ରଷ୍ଟିଚିଉଟ’ ଓ ତାର ନାୟିକା ଲିଜା ଯେ ନିଶଙ୍କୋଚରେ ନାୟକର ଦଶ ଡଲାରକୁ ଫିଙ୍ଗିଦେଇ ତାକୁ ଭର୍ତ୍ସନା କରୁଥିଲା । ମୋର ଲୋଭନାହିଁ ଏହି ଦଶ ଡଲାରରେ... ମୋର ଏଇ ଗୋଡ଼ (ସେ ଉଲଗ୍ନ କରୁଥିଲା ତାର ଗୋଡ଼ ଦୁଇଟିକୁ) ଏ ସ୍ତନ ଯୁଗଳ, ସ୍ମିତ ହସ, ଚୁମ୍ବନର ବିନିମୟ ଓ ସର୍ବୋପରି ତୁମ ସହିତ ଅନ୍ତରଙ୍ଗ ହୋଇଯାଇ ମୋ ଜୀବନ, କାହାଣୀକୁ ଖୋଲିଦେବାର ମୂଲ୍ୟ ମାତ୍ର ଏଇ ଦଶ ଡଲାର ! ...କୋଡ଼ିଏ ତିରିଶ/ପଚାଶ ଡଲାର ବି ହେଇ ପାରିଲାନି ! ବାହାରି ଯା ଏଠୁ । ମୋର ମନେ ହେଲା ଯେମିତି ଯେକୌଣସି ମୁହୂର୍ତ୍ତରେ ଫୁଲବାଈ ନାଟିକାଟିର ନାୟିକା ଲିଜାରେ ରୂପାନ୍ତରିତ ହୋଇଯାଇ ପାରେ ଓ ମୁଁ ଭର୍ତ୍ସିତ ନାୟକଟି ।

 

ଅଥଚ ଫୁଲବାଈର ସେ ଆକର୍ଷଣୀୟ ଶରୀରକୁ ଅଧିକ ଆକର୍ଷଣୀୟ କରି ଦେଉଥିଲା ତାର ଆନ୍ତରିକ ହସଟି ଯାହା ମୋ ମନରେ କିଛିଟା ଆଶା ସଂଚାର କରିଥିଲା ଓ ସେ ଜଣେ ଶାସ୍ତ୍ରୀୟ ରୁଚି ସଂପନ୍ନ ନାୟିକା ଏ ଧାରଣା ମୋର ଦୃଢ଼ ହେଉଥିଲା ।

 

ମୁଁ ଚାହୁଁଥିଲି ଫୁଲବାଈର ମୁହଁକୁ । ସେଥିରେ ସେଇ ଆନ୍ତରିକ ହସ ଥିଲା । ମୁଁ କହିଲି : ଫୁଲବାଈ, ତୁମେ ଯଦି ତୁମର ଏଇ ପରିଚୟଟିକୁ ପ୍ରତ୍ୟାଖ୍ୟାନ କରନ୍ତ ଏବଂ ଆମେ ମିଶି ଗୋଟିଏ ନୂତନ ପରିଚୟକୁ ଆବିଷ୍କାର କରନ୍ତେ !

 

ଫୁଲବାଈ ହସିଦେଲା ଓ ମୁଁ ଅନ୍ୟ କିଛି କହିବା ପୂର୍ବରୁ ମୋ ସାମ୍ନାରେ ଉଲଗ୍ନ ହୋଇ ଶୋଇଗଲା । ଫୁଲବାଈର ହସ କ୍ରମେ ଲିଭିଗଲା ଏବଂ ସେ ନିଷ୍ପନ୍ଦ ହୋଇଗଲା । ମୁଁ ତା ଶରୀରକୁ ଅନୁଧ୍ୟାନ କରୁ କରୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକିଗଲି ସେଇଟି ଫୁଲବାଈର ଗୋପନୀୟ ଅଙ୍ଗ ବିଶେଷ । ଏବଂ ସେଇ ଗୋପନୀୟ ଅଙ୍ଗଟିକୁ କେନ୍ଦ୍ର କରି ଯେଉଁ ଦୃଶ୍ୟଟି ସୃଷ୍ଟି ହେଉଥିଲା ତାର ସାମଗ୍ରୀକ ରୂପ ମୁଁ କେବେ ଦେଖି ନଥିଲି । ଗୋଟିଏ ବିରାଟ ଗହ୍ୱର ଯେଉଁଥିରେ ସମୁଦାୟ ଜୀବଜଗତ ପ୍ରକାଶିତ । ସେଠି ଯେମିତି ପ୍ରତ୍ୟକଙ୍କ ମଧ୍ୟରେ ଆଗକୁ ମାଡ଼ିଯିବାର ଏକ ପ୍ରତିଯୋଗିତା ଏବଂ ପ୍ରତିଯୋଗୀତାରେ ମୋ ନିନ୍ଦୁକମାନଙ୍କଠାରୁ ଆରମ୍ଭ କରି ମୋ ପର୍ଯ୍ୟନ୍ତ ସମସ୍ତେ ଏକାକାର ।

 

ଅଥଚ ସମସ୍ତଙ୍କ ସାମ୍ନାରେ ଯେ ମଶାଲଟେ ଧରି ଠିଆ ହୋଇଛି ସେ ମୋର ପୂର୍ବପରିଚିତ ବାଳିକାଟି ଯାହା ବେକରେ ଦୀର୍ଘ ମନ୍ଦାର ମାଳ ଓ ଶରୀର ଚୂହା/ଅତରରେ ସୁରଭିତ-

 

ମୁଁ ପ୍ରକୃତିସ୍ଥ ହେଲାପରେ ଦେଖିଲି ପୂର୍ବପରି ଫୁଲବାଈ ମୋ ନିକଟରେ ବସିଛି ଓ ଏମିତି କିଛି ଦୃଶ୍ୟ ୟା ମଧ୍ୟରେ ସୃଷ୍ଟି ହୋଇଥିଲାକି ପଚାରିବାରେ ଫୁଲବାଈ ତା’ର ସ୍ୱାଭାବିକ ସ୍ମିତ ହସ ସହ ନୀରବ ରହିଲା ।

 

ମୋର ମନେହେଲା ଫୁଲବାଈର ସେ ସ୍ମିତହସରେ ଏକ ଚୀରନ୍ତନ ଆକର୍ଷଣ ରହିଛି । ଫୁଲବାଈ ମଧ୍ୟ ନାରୀଟିଏ ।

Image